Unknown

 

 

 

 

 

 

 

 

 

 

ଅତି ଗୋପନୀୟ

କାହ୍ନୁ ଚରଣ

 

 

 

 

 

 

 

 

 

ସ୍ଵନାମଧନ୍ୟ ଔପନାସିକ

ଶ୍ରୀ ସତ୍ୟାନନ୍ଦ ବେହୁରାଙ୍କ

କର କମଳରେ...........

 

ଏହି ଲେଖକଙ୍କର......

 

କା

ପରୀ

ଶାସ୍ତି

ସ୍ଵପ୍ନା

ନିଷ୍ପତ୍ତି

ପ୍ରତୀକ୍ଷା

ମାନସୀ

ଶର୍ବରୀ

ଝନ୍‌ଜା

ତଥାସ୍ତୁ

ଇତିହ

ହା-ଅନ୍ନ

ପଳାତକ

ବାଲିରାଜା

ପରକୀୟା

ଅନ୍ତରାୟ

ବଜ୍ରବାହୁ

ଅଭିନେତ୍ରୀ

ଭୁଲି ହୁଏନା

ବଗ-ବଗୁଲି

ସ୍ଵପ୍ନ-ନା-ସତ୍ୟ

ଅଦେଖାହାତ

ତମସାତୀରେ

ମୁଁ ମନ୍ତ୍ର ଜାଣେ

ଆଜି ନୁହେଁ ଆଉ ଦିନେ

କ୍ଷଣ କ୍ଷଣକେ ଆନ

କହିବାକୁ ଲାଜ

ନିର୍ବିଶଙ୍କ

ମନ ମନ୍ଥନ

ଛୁଟିଲେ ଘଟ

ଚୋରା ଚାହାଣୀ

ଢେଉ ଢେଉକା

ଦୁନିଆର ଦାଉ

ଓଲଟ ପାଲଟ

ମିଳନର ଛନ୍ଦ

ମନ ଜାଣେ ପାପ

ତରଙ୍ଗର ତଳେ

ଏପାରୀ ସେପାରୀ

ବନ ଗହନର ତଳେ

ଭଲପାଇବାର ଶେଷକଥା

Image

 

ଅତି ଗୋପନୀୟ

 

ନାରାୟଣ ମହାପାତ୍ର ଜଣେ ଅବସରପ୍ରାପ୍ତ ପୋଲିସ୍‌ ଅଫିସର । ସେ ଗଳ୍ପପ୍ରିୟ । ଶୁଣିବା ଅପେକ୍ଷା ସେ ନିଜେ ଗପିବାକୁ ଭାରି ଭଲ ପାଆନ୍ତି । କେବଳ ଯେ ତାଙ୍କର ତୁଣ୍ଡ କଥା କହେ ତାହା ନୁହେଁ, ତାଙ୍କର ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ଶରୀରର ବିଭିନ୍ନ ଅଙ୍ଗ-ପ୍ରତ୍ୟଙ୍ଗ ମଧ୍ୟ ତାଙ୍କର ତୁଣ୍ଡର ବାକ୍ୟକୁ ସମର୍ଥନ କରିବାକୁ ନିଜ ନିଜର କର୍ତ୍ତବ୍ୟରେ ହେଳା କରନ୍ତି ନାହିଁ ।

 

କହିଲାବେଳେ ସେ ହସନ୍ତି । ତାଙ୍କର ଫଲ୍‌ସ-ଟିଥ୍ ଭଲ ଫିଟ୍ କରୁନଥିବାରୁ ଉପରତଳ ହୁଅନ୍ତି । କହିଲା ବେଳେ କେବେ କେବେ ସେ ରାଗନ୍ତି । ନାକ ଫଣଫଣ ହୁଏ, ଭ୍ରୂଲତା ଟେକିହୁଏ, ମୁଣ୍ଡ ଦୋହଲେ । ସେ ଗୋଟିଏ ହାତ ମୁଠା କରି ଆର ହାତ ପାପୁଲି ଉପରେ କଚାଡ଼ି ଫଁ- ଫଁ ହୁଅନ୍ତି । ସେ କେବେ କେବେ ଅତି ସହାନୁଭୂତିଶୀଳ ହୁଅନ୍ତି । ଅନ୍ୟର ଦୁଃଖରେ ଆଖି ଛଳ ଛଳ କରି ସେ ସାନ୍ତ୍ୱନା ବି ଦେଇ ପାରନ୍ତି । ଧର୍ମଗ୍ରନ୍ଥମାନଙ୍କରୁ ପଦେ ଅଧେ ଉଦ୍ଧାର କରି ଦୁଃଖ ଭୁଲିଯିବାକୁ ବିନୀତ ଅନୁରୋଧ କରନ୍ତି ।

 

ନାରାୟଣ ମହାପାତ୍ର ଜଣେ ପର୍‌ଫେକ୍ଟ ମ୍ୟାନ୍ । ମଣିଷଠାରେ ଯାହା କିଛି ସଦ୍‌ଗୁଣ ଓ ଦୁର୍ଗୁଣ ରହବାର କଥା, ସେସବୁର ଅଧିକାଂଶ ତାଙ୍କଠାରେ ଅଛି । ମୁନିମାନଙ୍କ ମତରେ ଏ ଦୁନିଆ ଗୋଟିଏ ରଙ୍ଗମଞ୍ଚ । ସେଥିରେ ସମସ୍ତେ ତ ଆକ୍ଟିଂ କରିବାକୁ ବାଧ୍ୟ; କିନ୍ତୁ ମହାପାତ୍ରେ ଯେ ଜଣେ ପର୍‌ଫେକ୍ଟ୍‌ ଆକ୍‌ଟର, ତାଙ୍କର ସମ୍ପର୍କରେ ଆସିଥିବା ଲୋକେ ନିଶ୍ଚୟ ଠଉର କରିବେ ।

 

ଦିବାକର ଦାସେ ତାଙ୍କ ସମ୍ପର୍କରେ ଆସିଥିଲେ । ଦିବାକର ଜଣେ ଅବସରପ୍ରାପ୍ତ ଧର୍ମାବତାର । ବହୁ ଘାଟରେ ପାଣି ପିଇ, ବହୁ ସ୍ଥାନରେ ବହୁବିଧ ଲୋକଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପର୍କରେ ଆସି ସେ ଗୋଟିଏ ସୁବର୍ଣ୍ଣନୀତିକୁ ଆୟତ୍ତ କରି ପାରିଛନ୍ତି । ସେ ନୀତିଟି ହେଲା – ସବ୍ ସେ ଚୁପ୍‌ ଭଲା !

 

କିନ୍ତୁ, ସବୁବେଳେ ଖାଲି ଶୁଣିବା-ଲୋକ ହୋଇ ମୁଣ୍ଡ ଟୁଙ୍ଗାରିଲେ କ’ଣ କହିବା-ଲୋକ ତାର ଅତି ଗୋପନୀୟ ଜୀବନ ଚରିତ ବିଶ୍ଵାସରେ ବଞ୍ଚିବାକୁ ଉତ୍ସାହିତ ହେବ ? ତେଣୁ, ଅବସରପ୍ରାପ୍ତ ଧର୍ମାବତାର ଦିବାକର ଦାସ (ଶ ହେଲେ ବି ଚଳିବ) ଗୋଟିଏ ମନ୍ତ୍ର ଆବିଷ୍କାର କରିଛନ୍ତି– ‘ହିଁ- ହିଁ-ହିଁ’ (ହ୍ଳୀଂ-କ୍ଳୀଂ ସ୍ଳିଂ ନୁହେଁ) । ଏହି ମନ୍ତ୍ର ଉଚ୍ଚାରି ସେ ନିଶ୍ଚିତ ହୋଇ ପାରନ୍ତି ଯେ, ଶ୍ରୋତା ଓ ବିକ୍ତା ନିରାପଦ ।

 

ମହାପାତ୍ରେ ଦାସଙ୍କର ଆଳିଆ ଲେଖାରେ ବାଳିଆ ଗନ୍ଧ । ସେ ଦିବାକର ଦାସଙ୍କର ସବାବଡ଼ ଭିଣେଇଁଙ୍କର ସବାସାନ ଭଉଣୀଙ୍କୁ ବିବାହ କରିଥିଲେ । ସେ ଝିଅର ନାମ ଅନୁପମା କିନ୍ତୁ ବାପାମାଆଙ୍କର କୋଡ଼ପୋଛା ଗେହ୍ଲା ଝିଅଟି ବୋଲି ତାକୁ ସେମାନେ ସ୍ନେହରେ ଅନୁ ବୋଲି ଡାକୁଥିଲେ; କୁଟୁମ୍ବର ଅନ୍ୟମାନେ ଡାକୁଥିଲେ ଅନୁପା ।

 

ଅନୁପା ଅତି ସୁନ୍ଦରୀ ଥିଲା । ବଡ଼ ଭଉଣୀଙ୍କର ସବାସାନ ନଣନ୍ଦ । ଅକାଳେ ସକାଳେ ଛାତ୍ର ଜୀବନରେ ଦିବାକର ତାଙ୍କ ଅପାଙ୍କ ଘରକୁ ଗଲେ ଅନୁପା ଥଟ୍ଟାନକଲରେ ତାଙ୍କୁ ବେଶ୍‌ ହରବର କରୁଥିଲା । ସେଥିପାଇଁ ଅନୁପାକୁ ସେ ସ୍ନେହ କରୁଥିଲେ; କିନ୍ତୁ ସେ ଜାଣି ନ ଥିଲେ ଯେ ତାଙ୍କ ମନର ନିର୍ମଳ ଟିକିଭଉଣୀ-ସ୍ନେହ ଅନୁପାର ତରଳ, ଅନାବିଳ ମନରେ ସମସ୍ତଙ୍କର ଅଜଣାରେ ଅନୁରାଗର ଟିକିଏ କୋମଳ ପରଶ ଲଗାଇଥିଲା ।

 

ଆହା ବିଚାରା ଅନୁପା । ଆଖି ପିଞ୍ଛଡ଼ା ପଡ଼ିଲା ପରି ଦିଓଟି ବର୍ଷର ବୋହୁପଣିଆଁ ପରେ ସେ ସଂସାର ଛାଡ଼ି ଚାଲିଗଲା । ଅବଶ୍ୟ ନାରାୟଣ ମହାପାତ୍ରେ ନାହିଁ ନାହିଁ ହୋଇ ଅନିଚ୍ଛାରେ ସଂସାର ପାତିଲେ ଦ୍ଵିତୀୟଥର । ଘରକୁ ଆସିଲେ ମାଧୁରୀ ।

 

କେତେ ଯୁଗତ ବିତିଗଲା । ମହାପାତ୍ରେ ଓ ଦାସେ ପୁଅଝିଅମାନଙ୍କର ବାପା ଓ ନାତିନାତୁଣୀମାନଙ୍କର ଜେଜେପା ଓ ଅଜା ହେଲେଣି, ତଥାପି ଅତୀତ ମନେପଡ଼େ । ଅନୁପାକୁ ଏବେଯାଏ ଝୁରି ହୁଅନ୍ତି ବୋଲି ଆଖି ଛଳ ଛଳ କରି, ତାଙ୍କର ସ୍ଵାଭାବିକ ରୀତିରେ ନିଖୁଣ ଆକ୍‌ଟିଂ କରି ମହାପାତ୍ରେ କହନ୍ତି–ଚାକିରି ଗ୍ରାମରେ ଥିଲି । ମୋଫସଲ ଥାନା । ମୁଁ ଜଣେ ଅଫିସର ନଈନାଳ ଡେଇଁ କେଉଁ ଦୂରକୁ ଗାଁ ଯାଇଥିଲି ଗୋଟାଏ ଆତ୍ମହତ୍ୟା କେଶ ତଦନ୍ତ କରିବାକୁ । ବୋହୁଟିର ଲାସ ସେମାନେ ଜଳାଇ ଦେଇଥିଲେ, ପ୍ରଚାର କରିଥିଲେ ଯେ ରୋଗଣା ଝିଅଟାକୁ ବାତ ମାରେ । ସେ ମୂର୍ଚ୍ଛା ହୋଇପଡ଼େ । ତା ମନକୁ ମୂର୍ଚ୍ଛା ଭାଙ୍ଗେ । ସେଥର ତାର ମୂର୍ଚ୍ଛା ଭାଙ୍ଗିଲା ନାହିଁ । ନାଡ଼ି ଅଟକିଲା । ଆହା ବିଚରା !

 

ଚଉକିଦାର ଗୁପ୍ତ ଖବର ଦେଇଥିଲା ଯେ– ଗର୍ଭଣୀ ବୋହୂ ଅବାଧ୍ୟ ହେଲା, ଶାଶୁଙ୍କୁ ଜବାବ ଦେଲା, ଅଚଳ ମାଇପିଟା କାମକୁ ଅକ୍ଷମ ହୋଇ ବାପଘରକୁ ଚାଲିଯିବ ବୋଲି ସଜ ହେଲା, ତାର ଗେରସ୍ତ କେଉଁ ଦୂର ଦେଶରେ କାମ କରେ । ପିତା, ମାତା ଓ କୁଟୁମ୍ବ ପ୍ରତି ଅତି ଅନୁଗତ କର୍ତ୍ତବ୍ୟ-ପରାୟଣ ପୁଅ ଘରଣୀକୁ ପାଖକୁ ନ ନେଇ ଘରେ ଛାଡ଼ି ଵିଦେଶରୁ ଟଙ୍କା ପଠାଏ, କୁଟୁମ୍ବର ଢୋକ ଚଳେ; ଶାଶୁ ଓ ଜାଆଙ୍କର ବିଧାଗୋଇଠା ଓ ଟାଣ ଟାଣ କଥା ସହି ନ ପାରି ଚିଠି ଖଣ୍ଡେ ଲେଖିଥିଲା ତା ଗେରସ୍ତ ପାଖକୁ, ସେ ଚିଠି ଧରାପଡ଼ିଲା । ହେଲା ଅତ୍ୟାଚାର, କେତେ କହୁଛନ୍ତି ଶାଶୁର କାଠଫାଳିଆ ପାହାରରେ ମଲା, କିଏ ସବୁ ଫେରେ କହୁଛନ୍ତି, ସହି ନ ପାରି ସେ ଜହର ଢୋକିଲା ।

 

ଚଉକିଦାରର ଖବର ମିଛ ହେଲା । ସତ ଘଟଣା ଜାଣିବାକୁ ଯେତେ ଚେଷ୍ଟା କଲି ଆଜ୍ଞା, ହାତଗୋଡ଼ର କରାମତି, ଧମକଚମକ ସବୁ ବ୍ୟର୍ଥ ହେଲା । ଦିବାକରବାବୁ ! ଆପଣ ର ଧର୍ମାବତାର ଥିଲେ । କି ଉପାୟ ଆଉ କରନ୍ତି, ବିଚାରନ୍ତୁ । ସତ ଘଟଣା ପ୍ରକାଶ କରିବାକୁ କେହି, ଏପରିକି ତାର ସ୍ଵାମୀ, ଯେ ଖବର ପାଇ ଘରକୁ ଫେରିଥିଲା ଓ ବାତୁଳପରି ହୋଇ କାନ୍ଦୁଥିଲା, ସେ ବି ପ୍ରସ୍ତୁତ ହେଲା ନାହିଁ ।

 

କେତେଜଣଙ୍କର ଦେହରେ ଠେଙ୍ଗଣୀ ମାଡ଼ର ନୋଳା ଫଟାଇ, କାନମୁଣ୍ଡା ନାଲିକରି, ନିଜେ ମୁଁ କାନମୁଣ୍ଡା ଆଉଁସି ଫେରୁଥାଏ ମୋର ଥାନାକୁ, ଆଉ ବିଚାରୁଥାଏ, ମୋର ଅନୁପା ଗାଆଁରେ କେମିତି ଥିବ; ପିଲା ହେବାର ସମୟ ତାର ପାଖେଇ ଆସିଥାଏ ତ !

 

ସାତ ଦିନ ତଳେ ତାର ଚିଠି ପାଇଥିଲି । ସେ ଲେଖିଥିଲା ଯେ ସେ ଭଲ ଅଛି, ସମସ୍ତେ ତାର ଯତ୍ନ ନେଉଛନ୍ତି, ତାର ହାତରେ ଗୋଡ଼ରେ ପାଣି ଲଗାଇ ଦେଉ ନାହାନ୍ତି; ତାକୁ ଖାଲି ଡର ଡର ମାଡ଼ୁଛି ମୋତେ ତା ପାଖରେ ଦେଖିବାକୁ ସେ ଆଗ୍ରହ ପ୍ରକାଶ କରିଥିଲା । ମୋର ଅସୁବିଧା ନ ହେଲେ ଦିନକ ପାଇଁ ଛୁଟି ନେଇ ତା ପାଖକୁ ଯିବାକୁ ଅନୁରୋଧ କରିଥିଲା ।

 

ସଙ୍ଗେ ସଙ୍ଗେ ମୁଁ ଯାଇଥାନ୍ତି ଆଜ୍ଞା ! ଫ୍ରେଞ୍ଚ୍ ଲିଭ୍ ନେଇ ଚାଲି ଯାଇଥାନ୍ତି । କିନ୍ତୁ ସେହି ଚଉକିଦାରର ତୁଣ୍ଡର ରିପୋର୍ଟ ପାଇ, କର୍ଭବ୍ୟଟା ଆଗ ଶେଷ କରି ତା ପରେ ଯିବାକୁ ମନସ୍ଥ କଲି-

 

ଥନାକୁ ଫେରି ଯେଉଁ ଚିଠିଖଣ୍ଡି ଖୋଲିଲି–

 

ଗ୍ରାମକୁ ଆସିଲି । ତାକୁ ଖୋଜିଲି ସେହି ଗାଁର ମଶାଣି ଭୂଇଁରେ । କଚଡ଼ା ବର୍ଷାରେ ତାର ପୋଡ଼ାପାଉଁଶ ବି ଧୋଇ ହୋଇ ଯାଇଥିଲା ।

 

‘‘କାନ୍ଦିଲି, ଝୁରିଲି, ବର୍ଷେ କଟିଗଲା । ତାର ଆତ୍ମାକୁ ସ୍ପିରିଟ୍‍ରୂପରେ ଥରେ ହେଲେ କିପରି ଦେଖନ୍ତି, ସେଥିପାଇଁ କେତେ ବହି ପଢ଼ିଲି, ସେହି ପଥର କେତେ ପଥୁକୀଙ୍କ ସଙ୍ଗେ ପରାମର୍ଶ କଲି । ସେମାନେ ଯେପରି ନିର୍ଦ୍ଦେଶ ଦେଲେ ମୁଁ ଆଚରିଲି ଆଜ୍ଞା : କିନ୍ତୁ ବଫଳ ହେଲି । ମୋତେ ଆଉଥରେ ଛନ୍ଦିବାକୁ ଅଭିଭାବକମାନେ ଯେତେ ଯେଉଁଠୁ ପ୍ରସ୍ତାବ ପଠାଇଲେ, ମୁଁ ମନାକରି ଦେଲି-।’’

 

କହିବି ଆଜ୍ଞା, ବିଶ୍ଵାସ କରିବେ ? ମତେ ଯାହା ସତ୍ୟ, ନିରାଟ ସତ୍ୟ, ଶୁଣିବା ଲୋକଙ୍କୁ ତାହା ଗଳ୍ପପରି ଲାଗିବ । ଲାଗିଲେ ଲାଗୁ, ସେଥିରେ ମୋର ଯାଏ ଆସେ କଣ ? ମୋର ଅପୂର୍ବ ଅନୁଭୂତିକୁ ଆହୁରି ଥରେ ବର୍ଣ୍ଣିବାର ସୁଯୋଗ ପାଇବି, ଆପଣଙ୍କର ସମୟ ଓ ଧୈର୍ଯ୍ୟ ପାଇଁ ମୁଁ କୃତଜ୍ଞତା ଜଣାଇବି । ସେହି ଅନୁଭୂତିଟି ମୋ ଜୀବନର ପ୍ରଥମ ଏବଂ ଶେଷ । ସେହି ଦୃଶ୍ୟଟି ମୁଁ ବାରମ୍ବାର ବହୁ ବନ୍ଧୁଙ୍କ ଆଗରେ ବର୍ଣ୍ଣନା କରିଛି, ଆନନ୍ଦିତ ହୋଇଛି ।

 

ଏବେ ଯିଏ ମୋର ଘରଣୀ, ତାଙ୍କ ସମ୍ବନ୍ଧରେ ପ୍ରସ୍ତାବ ଆସିଥିଲା । ସେ ପ୍ରସ୍ତାବକୁ ବହୁ ପ୍ରଶଂସା ସହ ମୋର ଅଭିଭାବକ ମୋର ସମ୍ମତି ପାଇଁ ମୋ ପାଖକୁ ପଠାଇଥିଲେ । ପତ୍ର ଖଣ୍ଡି ମୋ ପକେଟରେ ଥିଲା । ସବୁ ପ୍ରସ୍ତାବର ଯେପରି ଉତ୍ତର ମୁଁ ଦିଏ, ଅର୍ଥାତ୍ ମନା କରିଦଏ, ସେହିପରି ଉତ୍ତର ଖଣ୍ଡିଏ ଲେଖି ପକାଇବାକୁ ସମୟ ନ ଥିଲା । ପୋଲିସ୍ ଚାକିରି ଆଜ୍ଞା ! ନିଶ୍ଵାସ ମାରିବାକୁ ତର ନ ଥାଏ ।

 

ଦୂର ମୋଫସଲର ରହଣୀ ଘରଟିଏ, ରାତିରେ ସେଇଠି ଆମର ଅବସ୍ଥାନ । ଗାଆଁ ପାଖରୁ ଅଧମାଇଲ୍ ଛାଡ଼ି ବୁଦିବୁଦିକା ଜଙ୍ଗଲ ପାଖରେ ସେ ରହଣୀଘର, ବଡ଼ ରାସ୍ତାଠାରୁ ଖଣ୍ଡେଦୂର ଛାଡ଼ି । ଚୋରା-ଚାଲାଣୀ ସ୍ମଗ୍‍ଲରଙ୍କୁ ଧରିବାକୁ ଅଭିଯାନଟିଏ କରିଥାଏ । ଉପରୁ ନିର୍ଦ୍ଦେଶ ଆସିଥିଲା । ସ୍ମଗ୍‍ଲରମାନେ କୁଆଡ଼େ ରାତିରେ ମୁଣିରେ ବୋଝାଇକରି ଏ ପ୍ରଦେଶରୁ ଚାଉଳ ଆର ପ୍ରଦେଶକୁ ନେଇ ପଳାଉଥିଲେ । ପ୍ରଦେଶର ସୀମା ଦୁଇ ମାଇଲ ଦୂରରେ । ବିଲମାଳ ଓ ଜଙ୍ଗଲ ଭିତରେ ବାଟ ।

 

ସେମାନେ କିପରି ଆଗରୁ ସୁରାକ ପାଇଥିଲେ । ରାତି ଅଧଯାଏ ପାଣି ବାଡ଼େଇ, ଭୁଆଁବୁଲି ମୁଁ ରେଷ୍ଟ ସେଡ଼୍‍କୁ ଫେରି ଆସିଥାଏ । ମା ସାଙ୍ଗରେ ବାହୁଡ଼ିଥିବା ସିପାହିଟି କ୍ଳାନ୍ତ ହୋଇ ବାରଣ୍ଡାରେ ଶୋଇ ପଡ଼ିଥାଏ । ଆଉ କେତେଜଣ ସକାଳ ଯାଏ ସୀମା ପାଖରେ ପଇନ୍ତରା କରିବାକୁ ରହି ଥାଆନ୍ତି । ଉପାସରେ ମୋର ପେଟ ଜଳୁଥାଏ । କ୍ଳାନ୍ତି ସତ୍ତ୍ୱେ ମୋ ଆଖିକୁ ନିଦ ଆସୁ ନ ଥାଏ ।

 

ମନରେ ମୋର ଡର - ନିଶ୍ଚୟ ପାଖଆଖର ଗାଁଲୋକେ ତ ସ୍ମଗଲିଂ କରୁଥିବେ, ସେମାନେ ଯଦି ମେଳି ହୋଇ ରାତି ଅଧରେ ଆକ୍ରମଣ କରନ୍ତି ? ଆଇନ୍‌ଭଙ୍ଗକାରୀଙ୍କର ଦୁଃସାହସକୁ ଆପଣ ଧର୍ମାବତାରମାନେ କଳନାକରି ପାରିବେ ନାହିଁ । ପାନରୁ ଚୂନ ଖସିଲେ ମକଦ୍ଦମା ଖାରଜ୍‌, ତା ଉପରେ ଟାଣ ଟାଣ ରିମାର୍କ !

 

ରିଭଲ୍‌ଭରଟି ଲୋଡ଼୍‍କରି ଛୋଟ ଟେବୁଲ୍ ଉପରେ ମୋ ହାତ ପାଖରେ ରଖିଥାଏ । ହରିକାନ୍ ଉଜ୍ଜ୍ୱଳ ହୋଇ ଜଳୁଥାଏ । କେତେଘଡ଼ି ଅନ୍ଧାର ପରେ ଜହ୍ନ ନିଶ୍ଚୟ ଉଠି ସାରିଥାଏ । ଅଳସ ମୁହୂର୍ତ୍ତ, କ୍ଳାନ୍ତ ଦେହ । ଉଦ୍‌ବିଘ୍ନ ମନ । ନିଦମାଉସୀ ପାଖ ପଶୁ ନ ଥାଏ ।

 

ସେହି ନିରୋଳା ମୂହୂର୍ତ୍ତରେ, ଛମ ଛମ ଛାତି-ଚିହଙ୍କା ରାତି ଅଧରେ, ଝିଙ୍କାରୀ ପଲଙ୍କର ଝିଁ ଝିଁ ରାବ ଯେତେବେଳେ କାନ ଅତଡ଼ା ପକାଉଥାଏ, ମୁଁ ପକେଟରୁ କାଢ଼ି ସେହି ଚିଠିଖଣ୍ଡିକ ପଢ଼ିଲି l ବିରକ୍ତି ଲାଗିଲା । ସଙ୍ଗେ ସଙ୍ଗେ ଉତ୍ତର ଲେଖିବାକୁ ମନକଲି; କିନ୍ତୁ କାହିଁ କାଗଜ କଲମ, କାହିଁ ଲଫାପା ? ଚିଠିଖଣ୍ଡି ପକେଟରେ ରଖି ମୁଁ ଭାବିଲି, ଉତ୍ତର ନ ଦେଲେ ବି ଚଳିବ, ସେମାନେ ବଳେ ବୁଝିବେ ଯେ ମୁଁ ଅନିଚ୍ଛୁକ ।

 

କାହାର ହସ ଶୁଭିଲା ।

 

ମୁଁ ଚମକିଉଠିଲି । ରିଭଲ୍‌ଭରଟିକୁ ମୁଠାଇ ଧରି ଚାରିଆଡ଼କୁ ଚାହିଁଲି । ମନରେ ପ୍ରଶ୍ନ – କିଏ ହସିଲା, ନାରୀର ହସପରି ଶୁଭିଲା ?

 

ଦିଶିଲା, ଜଳଜଳ ହୋଇ ଆଖିକୁ ଦିଶିଲା । ନାରୀ-ମୂର୍ତ୍ତିଟିଏ; ଅସ୍ପଷ୍ଟ ହେଲେ ବି ସେ ବାରି ହେଉଛି । ଅଳ୍ପ ଉଚ୍ଚର ବାରଣ୍ଡା ତଳେ ସେ ଠିଆ ହୋଇଛି । ଜହ୍ନର ଜହ୍ନିଫୁଲିଆ ଆଲୁଅ ତାର ଧୋବ ଫରଫର ମୁହଁରେ ଲେପି ହୋଇଛି । ପଇସା ଆକାରର ବିନ୍ଦୁଏ ସିନ୍ଦୁର ତା’ର ଲଲାଟପଟରେ ଶୋଭା ପାଉଛି ।

 

ମୋର ମନେ ହେଲା - ତାର କଜଳଭରା ଲୋଚନଯୁଗଳରେ ଢଳଢଳ ହେଉଛି ଲୁହ । ମୁଣ୍ଡର ଲମ୍ବକେଶ ତଳକୁ ଓହଳି ଅସ୍ପଷ୍ଟ ଦେହର ପଛପଟେ ହଜି ଯାଇଥାଏ ।

 

ଅନୁପା ନୁହେ ସେ ଅନୁପାର ପ୍ରେତ ।

 

ସତେ ଆଜ୍ଞା, ମୁଁ ସହସା ଶଙ୍କିତ ହେଲି । ଚକିତ ହେଲି । ଯାହାକୁ ମୁଁ ପ୍ରାଣରୁ ବଳି ଅଧିକ ଭଲ ପାଉଥିଲି, ମୋ ଆତ୍ମାର ଅଧେ ବୋଲି ମଣିଥିଲି, ଯାହାକୁ ଥରେ ଦେଖିବି ବୋଲି ପାଗଳାକୁକୁର ପରି ଡରଭୟ ପାସୋରି ଅଗମ୍ୟ ଉଁଆସିଅନ୍ଧାର ରାତିରେ ମଶାଣିକୁ ଧାଇଁ ବ୍ୟର୍ଥ ମନୋରଥ ହୋଇଥିଲି, ତାହାରି ପ୍ରେତରୂପ ଦେଖି ମୁଁ ହଠାତ୍ ଚମିକି ଉଠିଲି କାହିଁକି ? ଛାତି ଚିହିଁକି ଚିହିଁକି ଉଠିଲା । ବେଗି ବେଗି ହେଲା ଦୁକ୍‌ଦୁକି ।

 

କେତେ ଶ୍ମଶାନରେ ଅତି ଅସମୟରେ ମୁଁ ସମୟ କଟାଇଛି । ଦିନେ କେବେ ଭୂତପ୍ରେତର ରୂପ ଦେଖିନାହିଁ । ସେମାନଙ୍କର ଉପସ୍ଥିତିର ସୂଚନା ପାଇନାହିଁ । ମୋର ଧାରଣା ବଦ୍ଧମୂଳ ହୋଇଥିଲା ଯେ, ଘଟ ତୁଟିଲେ ଏ ସଂସାରରେ ଆଉ କିଛି ରହେ ନାହିଁ । ଆତ୍ମାପୁରୁଷ ମୁକ୍ତ ହୋଇଯାଏ, କାରଣ ମଣିଷର କର୍ମ ପାଇଁ ମଣିଷ ଦାୟୀ ନୁହେଁ । ତା ଭିତରେ ଥାଇ ଯେଉଁ ସର୍ବନିୟନ୍ତା ସବୁ କରାଉଛନ୍ତି, ତାଙ୍କରି ଖେଳ ପାଇଁ ସେ କେବଳ ଦାୟୀ । କିନ୍ତୁ, ୟେ ହେଲା କ’ଣ-? ସାକ୍ଷ ଲକ୍ଷ୍ୟ ପ୍ରତ୍ୟକ୍ଷରେ ମୁଁ ଦେଖୁଛି କ’ଣ ? ଏ ସ୍ଥାନ ପୁଣି ଆମ ଗ୍ରାମର ଶ୍ମଶାନ ନୁହେ ।

 

ମନରେ ସାହସ ବାନ୍ଧି କିଏ ପ୍ରକୃତିସ୍ଥ ହେଲି । ସଶବ୍ଦରେ ଚଉକି ହଟାଇ ଟେବୁଲ ଉପରେ ହାତ ରଖି ମୁଁ ଠିଆହେଲି । ମୁହଁ ଖୋଲି ସେହି ପ୍ରେତ-ଅନୁପାକୁ ପାଖକୁ ଡାକି ପାରିଲି ନାହିଁ, ନିଜେ ତା ପାଖକୁ ଯିବା ତ ଦୂରର କଥା ।

 

ମୋର ଅବସ୍ଥା ଜାଣିଲାପରି, ମୋର ଭାବନା ବୁଝିଲାପରି ଅନୂପା ମୁହ ଟେକି, ଯେଉଁଠି ଥିଲା ସେଇଠି ଥାଇ ଅଳପ ହସିଲା । ସେ କଥା କହିଲା । କେଡ଼େ ବିଚିତ୍ର ଦିବାକର ବାବୁ ! ମୋର ମନେହେଲା, ଯେପରି ଅନୁପାର ଅତି ପରିଚିତ ବୀଣାଜିଣା କଣ୍ଠର ଭାଷା ମୋର କାନକୁ ଅତି ପାଖରୁ ଆସୁଥିଲା । ସେ କହୁଥିଲା–

 

ମୁଁ ତମର ପାଖେ ପାଖେ ଅଛି ମ ! ବୁଝିଲ ନାହିଁକି, ତମରି ଭିତରେ ମୁଁ ରହିଛି । ତମର ସ୍ନେହ ପରଖିବାକୁ ତମରି ଖୋଳ ଭିତରୁ ବାହାରି ପଦାରେ ଠିଆହୋଇଛି । ତମ ଭିତରେ ମୁଁ ଉଯନ୍ତ୍ରୀ ଅଣନିଶ୍ଵାସୀ ହେଉଥିଲି । ଯନ୍ତ୍ରଣାରେ ଛଟପଟ ହେଉଥିଲି । ତୁମକୁ କଷ୍ଟ ହେଉଥିଲି । ଝରାଉଥିଲି ମ ! ଏବେ ମୁଁ ବାହାରି ଆସିଛି । ଟିକିଏ ସୁସ୍ଥତା ଅନୁଭବ କରୁଛି । ଦେଖିପାରୁନା କି ତମର କୁନି ପୁଅଟିକୁ ? ସେ ମୋର ଛାତିରେ ଲାଖିଛି । ସବଳ ସୁସ୍ଥ ହୋଇଛି–

 

ମୋର ଆଖି ଝଲଝଲ ହେଲା । ମନେହେଲା ମୁଁ ମୋର ଶିଶୁଟିକୁ ଦେଖି ପାରୁଛି । ଝାପ୍‌ସା ଝାପ୍‌ସା । ଅଚଳ ପରି ନିର୍ବାକ ନିଷ୍ପନ୍ଦ ହୋଇ ତ ଠିଆ ହୋଇଥିଲି ଆଜ୍ଞା, ଦୁଇହାତ ବଢ଼ାଇ ସେହି ଶିଶୁଟିକୁ ଆଣି ଛାତିରେ ଥରେ ଧରିବାକୁ ମୋର ଅଦମ୍ୟ ଆଗ୍ରହ ହେଉଥିଲେ ବି ହାତ ଚଳିଲା ନାହିଁ । ସେ ଆହୁରି ଯୋର୍‌ରେ ମୋର କାନ ନିକଟରେ ହସିଲା । କହିଲା–

 

ବୁଝିଲ ତ ଏବେ, ଦେହଧାରୀ ମଣିଷ ହେବାକୁ ହିଁ ଭଲପାଏ । ତମେ ମୋର ଦେହକୁ ଭଲ ପାଉଥିଲ । କାହୁଁ ପାଇବ ? ସତେ ସତେ ଯଦି ତମେ ମୋର ଅଦେହୀ ବ୍ୟକ୍ତିତ୍ଵକୁ ଭଲ ପାଅ, ତେବେ ଛାତି ପକେଟରେ ଥିବା ପ୍ରସ୍ତାବଟିକୁ ଆଡ଼େଇ ଦିଅ ନାହିଁ । ଯିଏ ପୁଣି ତମ ପାଖକୁ ଆସିବ, ତାଆରି ଭିତରେ ମୁଁ ଲୀନ ହୋଇ ରହିଥିବି । ମୋତେ ଖୋଜିଲେ ପାଇବ, ଶିଶୁ ସମେତ । ସେ ଶିଶୁ ବହୁ ଅବତାର ହେବ ।

 

ମୋର ଆଖି ଛଳଛଳ ହେଲା । ହାତ ପିଠିରେ ଲୁହ ପୋଛୁଣୁ ଅନୂପାର ଛାୟାମୂର୍ତ୍ତି ଉଭେଇଗଲା । ଆଉ କେବେ ତାର ଦେଖା ପାଇନାହିଁ ଆଜ୍ଞା ! କିନ୍ତୁ ତାକୁ ଅନୁଭବ କରି ଆସିଛି ସେଇଠି, ଯେଉଁଠି ସେ ଲୀନ ହେବ ବୋଲି କହିଥିଲା । ସେହି ଯେ ମୋର ସେଦିନ ପକେଟରେ ଥିବା ପତ୍ରର ପାତ୍ରୀ ମାଧୁରୀ, ଯିଏ ମୋର ଏଗାରଟି ପୁତ୍ରକନ୍ୟାଙ୍କର ଜନନୀ ।

 

ନାରଣ ମହାପାତ୍ରଙ୍କର ଜୀବନର କାହାଣୀ ଶୁଣୁଥିଲେ ବୃଦ୍ଧ ଦିବାକର । କୌଣସି ମତାମତ ସେ ଦେଉ ନ ଥିଲେ । ସେହି ରାତିରେ ନାରାୟଣବାବୁ ଅଧିକ ମଦ୍ୟ ପାନ କରିଥିଲେ, ଅବା ଅନୂପାର ସ୍ମୃତି-ସୁରାର ଅବଶେଷକୁ ଦୂରକୁ ଫିଙ୍ଗି, ନୂଆସଂସାର ପାତି, ଦେହ ମନର ଅଦମ୍ୟ କ୍ଷୁଧାକୁ ଶାନ୍ତ କରିବାର ସଂକଳ୍ପ ନେଇଥିଲେ ପରା, ସେ କଥା କେବଳ ତାଙ୍କୁ ଜଣା ।

 

ସେ ଚତୁର କୁହାଳିଆ ବ୍ୟକ୍ତି । ନିଜକୁ ସଂପୃକ୍ତ କରି ଛାତିଥରା ମନ-ତରଳା ଗଳ୍ପଟିଏ ବି ଫାନ୍ଦିଥାଇ ପାରନ୍ତି ।

 

ଏ ଦୁନିଆ ବିଚିତ୍ର ପୁଣି ଅବୋଧ୍ୟ । କାହାକୁ ସେ କେବେ ତାର ପ୍ରକୃତି ଓ ଭାବନାର ରଙ୍ଗମଞ୍ଚ ଏବଂ ପରଦା ଉପରେ କି ଦୃଶ୍ୟ ଦେଖାଏ, କିଏ କହିବ ? ସେ ଧର୍ମାବତାର ନିଜେ କିଶୋରୀ ଅନୂପାକୁ ଭୁଲିପାରି ନାହାନ୍ତି, କାନରେ ତାଙ୍କର ଏବେଯାଏ ବାଜି ଯାଉଛି ଅନୁପାର ସେଦିନର କଥା କେଇପଦ ।

 

ହୁଁ - ହୁଁ - ହୁଁ ପଦକରେ ଦିବାକର ତାଙ୍କର ବିଶ୍ୱାସ–ଅବିଶ୍ଵାସର ମିଳିତ ଧାରଣା ପ୍ରକାଶ କରିଥିଲେ । ସେତିକିରେ ନାରାୟଣବାବୁ ଉତ୍ସାହିତ ହୋଇ କହିଲେ–

 

ମଣିଷର ମନ ଓ ଜୀବନକୁ ଆପଣ ହିଁ ବୁଝି ପାରିବେ ଦିବାକରବାବୁ, ମୁଁ ଏହା ଜାଣେ । ଆପଣ ଦିନେ ଧର୍ମାବତାର ଥିଲେ । ଶୁଣନ୍ତୁ–

 

ମାଧୁରୀ ଭିତରେ ଅନୁପାକୁ ମୁଁ ଅନୁଭବ କରିଥିଲି; କିନ୍ତୁ ମାଧୁରୀ ସେତକ ବୁଝି ପାରିଲା ନାହିଁ । ହୀନ-ମନ ନେଇ ତାର ଜନ୍ମ । ଉଦାରତା କଅଣ ସେ ଜାଣେ ନାହିଁ । ସ୍ଵାର୍ଥପରତା ତାର ବଡ଼ ଦୋଷ । ତିଳ ତିଳ କରି ମୋତେ ସେ ପୋଡ଼ି ଜାଳି ଖାଇଲା । କାହାରି ସଙ୍ଗେ ମୋର ବନ୍ଧୁତା ଓ ଘନିଷ୍ଠତା ସେ ସହିପାରେ ନାହିଁ । ଦୁନିଆର ସଭିଙ୍କ ପାଖରେ ସେ ଭଲ; ସେ ଶିକ୍ଷିତା, ଧର୍ମପରୟଣା, ସୁ-ଗୃହିଣୀ । ସେ ଦୟାମୟୀ, ବ୍ୟାକୁଳା ଜନନୀ । କିନ୍ତୁ; ସେ ଉଗ୍ରମତି ପତ୍ନୀ । ଦୁଇ ଆଖିରେ ମୋତେ ସେ ଦେଖିପାରେ ନାହିଁ, ଅଥଚ ସେ ଚାହେଁ ସେ ତାକୁ ଛାଡ଼ି ଘରୁ ବାହାରି ମୁଁ ଆଉ କେଉଁଠିକି ଯିବି ନାହିଁ ।

 

କେଡ଼େ ବିଚିତ୍ର !

 

ଶୁଣିବେ ଦିବାକର ବାବୁ, ଆହୁରି ବିଚିତ୍ର କଥା ? ଅନୁପା ତ ବଞ୍ଚି ନାହିଁ ଯେ ସେ ଆସି ମାଧୁରୀ ସଙ୍ଗରେ ସପତ୍ନୀବାଦ ସାଧିବ ? ମାଧୁରୀ ଆଗରେ ଅନୂପା ସମ୍ବନ୍ଧରେ ଭୁଲରେ ହେଲେ ମୁଁ କେବେ କିଛି ପ୍ରକାଶ କରିନାହିଁ । ମୁଁ ଏଡ଼େ ନିର୍ବୋଧ ନୁହେ । ମୋର ବିଚିତ୍ର ଅନୁଭୂତି କଥା ମୋ ତୁଣ୍ଡରୁ କେବେ ସେ ଶୁଣି ନାହିଁ । ତଥାପି, ଅନୂପାକୁ ସେ ଅତି ଘୃଣା କରେ । ତାର ଖଣ୍ଡିଏ ହେଲେ ଫଟୋ ଆମ ଘରେ ସେ ରଖାଇଦେଇ ନାହିଁ । ଖୋଜି ଖୋଜି ମୋର ଟ୍ରଙ୍କବାକ୍‌ସର ତଳୁ କେବେ ସେ ଫଟୋଗୁଡ଼ିକ ଓ ଅନୂପାର ପତ୍ରଗୁଡ଼ିକ କାଢ଼ିନେଇ ଛିଣ୍ଡାଇ ଫୋପାଡ଼ି ଦେଇଛି, ଅବା ପୋଡ଼ି ପାଉଁଶ କରିଛି । ସେତିକି ନୁହେଁ । ଅନୁପାର ହାତବୁଣା ସବୁ ଡିଜାଇନ, ମୋର ଗରମ ସ୍ଵେଟର.....

 

କିଛି ନାହିଁ । ଆଉ ଅନୁପାର କିଛି ସ୍ମୃତି-ସଂକେତ ସେ ରଖାଇ ଦେଇ ନାହିଁ ଆଜ୍ଞା । ମୁଁ ସବୁ ଜାଣିଛି । ନିଜ ଭିତରେ ଗଭୀର ବେଦନା ଅନୁଭବ କରିଛି । କେବେ ପ୍ରତିବାଦ କରିନାହିଁ । ଆକଟ କରିବାକୁ ମୁହଁ ଖୋଲି ନାହିଁ । ଆଖି ଖୋଲି ଡବ ଡବ କରି ମାଧୁରୀର ମୁହଁକୁ ଚାହିଁଛି । ଦୀର୍ଘଶ୍ଵାସ ଛାଡ଼ି ଆଖି ଫେରାଇଛି । ତୁନୀ ରହିଛି । ମୋର ଅନ୍ତର ଭିତରକୁ ଚାହିଁଛି । ସେଇଠି ଦେଖିଛି ଅନୁପାର ସହସ୍ର ପ୍ରତିକୃତି । ଭାବିଛି, ଏ ସବୁର ସନ୍ଧାନ ମାଧୁରୀ ପାଇବ ନାହିଁ । ଚୋରି କରି ନଷ୍ଟ କରିବ କିପରି ?

 

ମୂହଁ ଉଠାଇ ମାଧୁରୀର ତମତମ ମୁଖକୁ ଚାହିଁଛି । ତାଆରି ଭିତରେ ଛପି ରହିଥିବା ଅନୁପାର ଆତ୍ମାକୁ ସତେ କି ମୁଁ ଜଳଜଳ କରି ଦେଖି ପାରୁଛି । ମୁଁ ଅନୁଭବ କରିଛି ଯେ, ମାଧୁରୀର ଅନ୍ତରତଳେ ଅନୁପାର ଆତ୍ମା ମାଧୁରୀକୁ ସହି ପାରିନାହିଁ । ତାର ଅଜ୍ଞାତରେ ମାଧୁରୀକୁ ସେ ଛଟପଟ କରୁଛି । ତତାଉଛି, ମତାଉଛି । ତାକୁ ଉନ୍ମାଦିନୀ କରୁଛି । ବେଶ୍‌ ହୋଇଛି । ଅନୂପା ଅଛି, ମୋର ଅନୂପା, ଯାହା ପାଖରେ ମାଧୁରୀର ତୁଳନା କାହିଁ ରାଣୀ କାହିଁ କଜଳକାଣୀ ପରି ।

 

ଦିବାକରଙ୍କର ନିଃଶ୍ଵାସ ସଙ୍ଗରେ ନାକରୁ ବାହରେ ଅନ୍ତରର ଶବଦ ହିଁ–ହିଁ ହିଁ । ମନ କହେ, ନାରାୟଣ ଅତ୍ୟନ୍ତ ଭାବପ୍ରବଣ । କବିତା ଲେଖୁଥିଲେ ଭଲ ମନମଜାଇ ପାରି ଥାଆନ୍ତେ । ଆହୁରି କେତେ ଘଟଣା ତାଙ୍କର ସ୍ଵଭାବ-ସୁଲଭ ଭାବଭଙ୍ଗୀ କରି ସେ ବର୍ଣ୍ଣନା କରନ୍ତି, ତାଙ୍କର ଘରଣୀଙ୍କର ତାଙ୍କ ଉପରେ କୋପ ଓ ଅତ୍ୟାଚାର ସମ୍ବନ୍ଧରେ । ଦିବାକର ଶୁଣିବାକୁ ବାଧ୍ୟ ହୁଅନ୍ତି । ଟିକିଏ ଅନ୍ୟମନସ୍କ ହେଲେ ନାରାୟଣ ଆହୁରି ଉତ୍ତେଜିତ ହୋଇ ଦିବାକରଙ୍କର ହାତଧରି ହଲାଇ ଦିଅନ୍ତି । ପୁଣି ସେ କହନ୍ତି–

 

ଶୁଣିବେ ନାହିଁ, ଶୁଣିବାକୁ ଭଲଲାଗୁ ନାହିଁ ? ମୁଁ ଗଳ୍ପ, ଉପନ୍ୟାସ କି ପ୍ରେମ-କବିତା ପଢ଼ି ଶୁଣାଉ ନାହିଁ ଯେ ଆପେ ଆପଣ ଇଣ୍ଟରେଷ୍ଟେଡ଼୍‍ ହେବେ । ମୁଁ ତଦନ୍ତ କରିଥିବା ନାରୀ-ହରଣ, ନାରୀ-ଧର୍ଷଣ, ଆବୈଧ କାରବାର, ରେପ୍, ମଡ଼ର ଇତ୍ୟାଦି କେଶ ବର୍ଣ୍ଣନା କରୁନାହିଁ ଯେ ଆହୁରି ଆହୁରି ଜାଣିବାକୁ କୁତୂହଳୀ ହେଇ ସେଇଠୁ କଅଣ ହେଲା, ତାପରେ, ସେଇଠୁ, କିପରି; ଏମିତି ବ୍ୟଗ୍ର–ପ୍ରଶ୍ନଗୁଡ଼ିଏ ପଚାରି ମୋର ତଦନ୍ତର ବିବରଣୀ ଏକ-ନିଶ୍ଵାସରେ ଜାଣିନେବାକୁ ଆଗ୍ରହୀ ହେବେ ।

 

ଆଜ୍ଞା ଦିବାକରବାବୁ ! ମୁଁ କହୁଛି ମୋର ଅଭିଶପ୍ତ ଦାମ୍ପତ୍ୟ ଜୀବନର ବିଭୀଷିକାର କାହାଣୀ । ମୋ କାହାଣୀ ଅଜା-ଯୁଦ୍ଧ ଋଷି-ଶ୍ରାଦ୍ଧ ନୁହେ । ଆମ ଦୁହିଙ୍କର ଯୁଦ୍ଧ ଚିରସ୍ଥାୟୀ, କିନ୍ତୁ ଦୁଇ ଗଞ୍ଜାଙ୍କର ଆମରଣ ଖୁମ୍ପାଖୁମ୍ପି ଆମ୍ପୁଡ଼ାଆମ୍ପୁଡ଼ି ଯୁଦ୍ଧ ନୁହେ, ଦୁଇଟି ଷଣ୍ଢଙ୍କର ରଡ଼ିଛଡ଼ା ମୁଣ୍ଡଫଟାଫଟି କେଞ୍ଚାକେଞ୍ଚି ଲହୁଲୁହାଣ ଯୁଦ୍ଧ ବି ନୁହେ । ଦାମ୍ପତ୍ୟ ଜୀବନରେ ଏପରି ରଡ଼ିକୁହାଟଛଡ଼ା, ରକତବୁହା, ଲୋକହସା ଅନେକ ଯୁଦ୍ଧର ଖବର ପାଇଥିବେ । ଆମର ଯୁଦ୍ଧ ସେପରି ନୁହେ ।

 

ଦିବାକରବାବୁଙ୍କର ନାକରୁ ବାହାରି ଆସିଲା ‘ସର୍ବସମଝା ସାନ୍ତ୍ଵନାଦିଆ, ଆହୁରି କୁହନ୍ତୁ ତ ମୁଁ ଉଦାରତାର ସହିତ ମନଦେଇ ଶୁଣୁଛି, ଆପଣ ଦୁହିଙ୍କର ସୁଦୀର୍ଘ ଦାମ୍ପତ୍ୟ ଜୀବନରେ ଆପଣ ଦୁହିଙ୍କର ସବୁ ଦୁଃଖପାଇଁ ମୁଁ ସମବେଦନା ପ୍ରକାଶୁଛି ଓ ସବୁ ଆନନ୍ଦର ମୁହୂର୍ତ୍ତପାଇଁ ମୁଁ ସନ୍ତୋଷଲାଭ କରୁଛି’ ର ସେହି ଗୋଟିଏ ମନ୍ତ୍ର ହିଁ- ହିଁ – ହିଁ !

 

ଶୁଣନ୍ତୁ କହୁଛି, ମନଦେଇ ଶୁଣନ୍ତୁ ।

 

ବେଳେବେଳେ ମାଧୁରୀର ମନରେ ଈର୍ଷାବତୀ ଚଣ୍ଡୀ ହଠାତ୍ ନାଟ କରନ୍ତି । ମୁଠା ମୁଠା ରଡ଼ନିଆଁ ଛିଞ୍ଚାଡ଼ନ୍ତି; କିନ୍ତୁ ସେ ମୁହୁର୍ତ୍ତଟା କେଉଁ ରାତିରେ କେତେବେଳେ ଆସିବ ମୁଁ ଜାଣିବି କିପରି-? ଦିନସାରା ମୁଁ କାର୍ଯ୍ୟବ୍ୟସ୍ତ ରହେ, ରାତି ପ୍ରହରକ ଯାଏ ବି ଅଖିଆ ଅପିଆ ଥାଏ ।

 

ଲୁହାର ଦେହ ମୋର । ଆଦ୍ୟ- ଜୀବନରେ ଅଭାବର ତାଡ଼ନା ସହିସହି ଭୋକଉପାସକୁ ମୋର ଚିରସଙ୍ଗୀ କରିଥିଲି । ତେଣୁ ବିଶେଷ ବାଧେ ନାହିଁ । କାମରେ ମନ ଲାଗିଗଲେ, କର୍ତ୍ତବ୍ୟ ପଥରେ ଧାଇଁଲେ ମୁଁ ସବୁ ଭୁଲିଯାଏ । କାମ ସରେ । ଘରକୁ ଫେରିବାକୁ ହେବ ତ ! ଘର ନୁହେ ଯେ ନରକ ! ସେଠି ମାଧୁରୀ ଅଛି । କି ଅଭିନୟ ସେ କରିଚି, କି ତାଣ୍ଡବ ସେ ନାଚିବ, ଭାବିଲେ ମୋର ହାଲୁକା ଶୁଖେ ।

 

ଫେରିବାକୁ ହେବ ତ ଆଜ୍ଞା ! ନରକର ପଙ୍କୁଆ ପୋଖରୀ ଭିତରେ ମୋର ପିଲାଗୁଡ଼ାକ ପଦ୍ମଫୁଲ ପରି । ମାଧୁରୀ ଜାଣ ସେହି ପଙ୍କୁଆ ପୋଖରୀ । ସେମାନଙ୍କୁ ଜନମ ଦେଇଛି । ଦେହର ରସ ଖୁଆଇ ବଢ଼ାଇଛି । ଯତ୍ନରେ ସ୍ନେହରେ ପାଳି ବଡ଼ କରିଛି । ତଥାପି, ସେମାନେ ମୋର ସନ୍ତାନ । ତାଙ୍କୁ ମଣିଷ କରିବାକୁ ମୁଁ ମୋର ଦେହର ଲହୁକୁ ପାଣିଫଟାଇ ଖଟୁଛି-। ଅର୍ଜନ କରୁଛି । ସେହିମାନଙ୍କର ମମତା ମୋର ପାଦଦିଓଟିକୁ ଘରଆଡ଼କୁ ଅଡ଼ାଇନିଏ ।

 

କାହିଁକି ଡେରିରେ ଫେରିଲ, ତାର କୈଫତ୍‌ ମାଧୁରୀ ତୁଣ୍ଡରେ ନ ମାଗି ତାର ଢଙ୍ଗରେ ମାଗିବ । ବର୍ଷ ବର୍ଷ ଧରି ସେ ମାଗିଛି । ପୋଲିସ୍‌-କର୍ମଚାରୀର ଯେତେ ଦୁଃଖ କଷ୍ଟ, ଯେତେ ସାଧନା ବୁଝାଇବାକୁ ଚେଷ୍ଟା କଲେ ସେ ବୁଝେ ନାହିଁ । ସନ୍ଦେହ, ଘୋର ସନ୍ଦେହରେ ସେ ଅବୁଝା ହୋଇଛି । ଅନ୍ଧାରକଣାଙ୍କ ପରି ଅଣ୍ଡାଳି ହୋଇଛି, ମୋର କଅଣ ଗୋଟାଏ ଦୋଷକୁ ମୁଠାଇ ଧରିବ । ପାରି ନାହିଁ ତ, ଆମ୍ପୁଡ଼ି ହୋଇଛି । ହେଉଥାଉ । ପ୍ରତିଶୋଧ ନେବ ତ - ଶୁଖିଲା ଥଣ୍ଡା ଭାତ, ପାଣିଆ ଡାଲି, ଟିକିଏ ଏଣୁତେଣୁ ତରକାରୀ ଖାଇବାପାଇଁ ଆଗରେ ଥୋଇଦେଇ ଯିବ । ପ୍ରାଣ ବିକଳରେ ତାକୁ ମୁଁ ଗିଳିବି । ପ୍ରତିବାଦର ପ୍ରଶ୍ନ ଉଠିବ ନାହିଁ । ପାଟି ତୁଣ୍ଡ ହେଲେ ମହତ ଯିବ-। ପଡ଼ୋଶୀ ଜାଣିବେ । କଳହର ପ୍ରଭାବ ପଡ଼ିବ ପିଲାଙ୍କ ମନରେ ।

 

ଚୁପ୍‌ଚାପ୍‌ ।

 

ପଥର ଦେଲେ ମୁଁ ଗିଳିବାକୁ ପ୍ରସ୍ତୁତ; କିନ୍ତୁ ଗିଳିବାକୁ ତଣ୍ଟିରେ ଶକ୍ତି ଦେବ କିଏ ? ପୁଣି, କୋଠରୀର କବାଟ କିଳି ଶିକୁଳି ଦେଲେ ମାଧୁରୀର ମନରେ ଈର୍ଷାବତୀ ଚଣ୍ଡୀ ଯଦି କଳିକିଳା ରଡ଼ିଛାଡ଼ି ନାଟ କରିବ ? ସେ ଯଦି ଅତ୍ୟାଚାର କରିବ ? ପ୍ରତିବାଦ ନ କରି ଦେହକୁ ପଥର କରି ସହିବାକୁ ବଳ ଦେବ କିଏ ? ଆପଣ କୁହନ୍ତୁ ତ ଆଜ୍ଞା !

 

ଅଛି । ଔଷଧ ଅଛି । ଦେହର ମଜୁରାକୁ ଫୁଟକିମାରି ଫୋପାଡ଼ି ଦେବାକୁ, ମନର ଅବସାଦକୁ ଝାଡ଼ି ଦେବାକୁ କେତେ ପ୍ରକାର ଔଷଧ ତ ଅଛି । ବ୍ରହ୍ମା, ଆବିଷ୍କାର କଲେ ଅହିଫେନ । ଶିବ ଆବିଷ୍କାର କଲେ ଗଞ୍ଜିକା । ନାରାୟଣ ଆବିଷ୍କାର କଲେ କାଦମ୍ବରୀ । ଋଷିମାନେ ବହୁ ଗବେଷଣ। କରି ପାଇଲେ ସୋମରସ, ଯିଏ ସ୍ଵର୍ଗର ଦେବତାମାନଙ୍କର ଅମୃତ ସଙ୍ଗେ କମ୍ପିଟ୍‌ କରୁଥିଲା । ଜଣେ ଅଧେ ମହର୍ଷି ତାକୁ ସ୍ଵୟଂ ବ୍ରହ୍ମସଙ୍ଗେ ସମକଚ୍ଛ କରୁଥିଲେ ।

 

ଆହା, କୁଆଡ଼େ ସେ ସୋମରସ ଲୁଚିଗଲା ଆଜ୍ଞା ! ଅମୃତ ସଙ୍ଗେ ସେ ସମାନ ହୋଇ ପାରିଥାନ୍ତା, ଯଦି ଗୋଟିଏ ଉପାଦାନ ସେଥିରୁ ଊଣା ହୋଇ ନ ଥାନ୍ତା । ସେହି ଉପାଦାନଟି ହେଉଛି ଅମରତ୍ଵ । ପିଇ ପିଇ ଋଷିମାନେ ସବୁ ପାଇଲେ; କିନ୍ତୁ ନିଜେ ନିଶ୍ଚିହ୍ନ ହେଲେ ।

 

ଆପଣଙ୍କର ବିଶ୍ୱାସ ହେଉନାହିଁ କି ଦିବାକରବାବୁ ! ଏ ଯୁଗରେ ଚିତା ଘେନିବାକୁ କେଉଁଠି ଋଷିଟିଏ ଅଛି ଦେଖାଇ ପାରିବେ ? ମୁଁ ବାଜି ପକାଇ କହିପାରେ, ଆପଣ ପାରିବେ ନାହିଁ-। ଯେଉଁମାନଙ୍କ ଉପରେ ଦୃଷ୍ଟି ପଡ଼ୁଛି, ସେମାନେ ନିପଟ ମୁନି, କାରଣ ସେମାନଙ୍କର ମତ ଭିନେ ଭିନେ । ଏହା ସମସ୍ତଙ୍କୁ ଜଣା ଯେ, ସବୁ ମତ ଭ୍ରମାତ୍ମକ । ସୋମରସ ହଜିଲାରୁ ସେହି ହତଭାଗ୍ୟମାନଙ୍କର ଏ ଅବସ୍ଥା ହେଲା ।

 

ସୋମରସ ଯାଉ, କିନ୍ତୁ ତାର ବହୁତ ନକଲି ଏଡ଼ିସନ୍ ଦୁନିଆର ଲୋକେ ବାହାର କଲେଣି । ଯେତେବେଳେ ଯାହା ପାଖରେ ମିଳେ, ମୁଁ ତା’ର ସଦ୍‌ବ୍ୟବହାର କରେ । ସଦ୍‌ବ୍ୟବହାର ନୁହେଁ ଆଉ କଣ ? ପେଟରେ ପଶୁଣୁ ସେହି ରସ ତଣ୍ଟିକୁ ଛାତିକୁ ଜଳାଏ ସିନା, ମନର ଜ୍ଵାଳାକୁ ଶୀତଳ କରେ । ରୀତିମତ ମୁଁ ପାନକରେ ନାହିଁ । ମାଧୁରୀର ଅବ୍ୟକ୍ତ କୋପ ଓ ଦୃଶ୍ୟମାନ ଅତ୍ୟାଚାରରୁ ଉଦ୍ଧାର ପାଇ ଶାନ୍ତି ଲଭିବାକୁ ମିଳିଲେ ସେହି ଶକ୍ତିଦାୟିନୀ, ସବୁଚିନ୍ତାହାରିଣୀ, ଦେବାଲିଆ ସରକାରଙ୍କୁ ସମ୍ବଳଦାୟିନୀ, ଇଜରାଦାରମାନଙ୍କର ଲକ୍ଷ୍ମୀସ୍ଵରୂପିଣୀ, ତତ୍‌ପର କର୍ମଚାରୀବୃନ୍ଦଙ୍କର ସମ୍ପତ୍ତିକାରିଣୀ ଓ ସ୍ୱତନ୍ତ୍ର ଭାବରେ ନାରାୟଣ ମହାପାତ୍ରଙ୍କର ସତୀଶିରୋମଣି ମାଧୁରୀଦେବୀଙ୍କର କୋପସଂହାରିଣୀ ସୁରାଦେବୀଙ୍କୁ ଛାତିତଳେ ମୁଁ ସନ୍ନିବେଶ କରେ ।

 

ଆପଣ ହସନ୍ତୁ ନାହିଁ ଦିବାକରବାବୁ ! ଅନ୍ୟମାନଙ୍କ ପରି ମୋତେ ମଦ୍ୟପ ଆଖ୍ୟା ଦିଅନ୍ତୁ ନାହିଁ । ସେମାନେ ମୋର ଦୁଃଖ ବୁଝିବେ ନାହିଁ । ଆପଣ ଧର୍ମାବତାର ଥିଲେ । ଲୋକଙ୍କର ମନତଳେ ଛପିଲା - ବେଦନାର ତାପକୁ ଆପଣ ଉପଲବ୍‌ଧି କରୁଥିଲେ । ଆପଣ କର୍ମ, କାରଣ ଓ ଉଦ୍ଦେଶ୍ୟ ବୁଝିପାରୁଥିଲେ । ମୋର ଅବସ୍ଥା ଭଲକରି ଆପଣ ବୁଝି ପାରୁଥିବେ ।

 

ଅନୁପା ମୋର ଅନ୍ତରତଳେ କବିତାର ବାତାବରଣ ସୃଷ୍ଟି କରିଥିଲା । ତାର ତିରୋଧାନ ପରେ ତାଆରି ବିରହ ଆଗ ମୋର ଅଜ୍ଞାତରେ ସେହି ହାହାକାର କବିତାର ମୂର୍ଚ୍ଛନା ଆଣିଥିଲା । ତାର ଆତ୍ମା-ପୁରୁଷର ମୋ ସଙ୍ଗେ ସାକ୍ଷାତ, ମୋତେ କବି ପାଲଟାଇ ଥିଲା । କାଗଜ ଉପରେ କଲମ ପେନ୍‌ସିଲରେ ମୁଁ କିଛି ନ ଲେଖିଲେ ନାହିଁ, ପୋଲିସ-କର୍ମଚାରୀର ଜୀବନରେ ସେ ସୁବିଧା ତ ଆସେ ନାହିଁ, କାରଣ ଟିକିଏ ବେଳ ପାଇଲେ ଦକ୍ଷତା ବଢ଼ାଇବାକୁ କ୍ରାଇମ ନଭେଲ ହିଁ ପଢ଼ାଯାଏ ।

 

ମାଧୁରୀ ପ୍ରକୃତରେ ମୋତେ କବି, ଦାର୍ଶନିକ, ନାଟ୍ୟକାର, ଯାହା ହାବୁଡ଼ିଲା ତା’ର ପାଠକ କରିପାରିଥିଲା । କହିଛି ତ, ସେ ଜାଣ ମୋତେ ବାଧ୍ୟହୋଇ ସୁରା-ସନ୍ଧାନୀ କଲା । ସେତିକିରେ ସରିଲା ନାହିଁ । ଅଫିସରେ ନିଜର ନିହିତ କାମସାରି, ଯେତେ ରାତି ହେଲେ ଚିନ୍ତା ନାହିଁ, ପଦାକୁ ଆସି ଘରଆଡ଼କୁ ମୋହିଁବାର ଭାବନାରେ ମୋର ହାଲୁକ ଶୁଖେ । ମୋ ଆଖିଆଗରେ ମାଧୁରୀର ରଣଚଣ୍ଡୀମୂର୍ତ୍ତି ଠିଆହୁଏ । ଭୋକରେ ଗର୍ଜିଲାପେଟ ଛେଳିକୁ ହାଣମୁହଁକୁ ନେଲାପରି ମତେ ଘରକୁ ଅବଶ୍ୟ ଓଟାରିନିଏ, କିନ୍ତୁ କେତେ ଦୁର୍ଭାବନା !

 

ବନ୍ଧୁମାନଙ୍କ ଉପରେ ନ୍ୟସ୍ତ କାମ ଉପରେପଡ଼ି ମୁଁ କରିଦିଏ । ହେଉ, ଯେତେ ରାତି ହେବାର ହେଉ । ପୋଲିସ ଚାକିରୀ, ଆମର ରାତିଦିନ ସମାନ । ବନ୍ଧୁମାନେ ମତେ ସ୍ନେହ କରନ୍ତି । ମୋର ଘରର ହାଲଚାଲ ସେମାନଙ୍କୁ ଅବିଦିତ ନ ଥିଲା କିନ୍ତୁ କେହି କେବେ ମୋ ମୁହଁରୁ କିଛି ଶୁଣି ନାହାନ୍ତି । ଘରର ଗୁମର ପଦାରେ ପକାଇବାଠାରୁ ଅଧିକ ନିର୍ବୋଧତା ଆଉ କିଛି ନାହିଁ ।

 

ସଂସାରକୁ ମୁଁ ହାଡ଼େ ହାଡ଼େ ଚିହ୍ନିଛି । କେହି କାହାର ଦୁଃଖ ଦୂର କରିବାକୁ ଆଗ୍ରହୀ ନୁହନ୍ତି । ଅନ୍ୟ ଘରର ଦୂର୍ବଳତାର ଖବର ଶୁଣିବାକୁ ବନ୍ଧୁରୂପରେ ଆଗରେ ଉଭା ଶତ୍ରୁମାନେ ଉତ୍‌କର୍ଣ୍ଣ । ମୁଣ୍ଡହଲାଇ ଚୁ ଚୁ କରି ଦୁଇଚାରିଟା ଆହା ଉହୁ ତୁଣ୍ଡରୁ ଖସାଇ, ପରର ଗୁମର ମୁଣ୍ଡରେ ସାଇତି ସେମାନେ ଛୁ କରନ୍ତି । ଭବିଷ୍ୟତରେ ଉଘେଇବାର ଆସେଟ୍ ପାଖରେ ରଖିବାର ସୁଯୋଗ ପାଇ ସେହ ଚାଇଁଦଳ ଭାରି ଖୁସି । ମୋତେ ଏହା ଭଲକରି ଜଣା ଆଜ୍ଞା ! ତେଣୁ ମୁଁ ସବୁବେଳେ ଚୁପ୍‌ଚାପ ।

 

ଆପଣ ମନ ଦୁଃଖ କରନ୍ତୁ ନାହିଁ ଦିବାକର ବାବୁ ! ଆପଣ ସେପରି ମହୁମୁହାଁ ବନ୍ଧୁ ନୁହନ୍ତି ।

 

ଆପଣ ମୋର ଆତ୍ମୀୟ ବନ୍ଧୁ, ଅନୁପାର ବଡ଼ଭାଇ ଆପଣଙ୍କର ଭଗ୍ନୀପତି । ଆପଣ ମୋର ମଧୁର ସମ୍ପର୍କ, ତେଣୁ ସିନା ମୋର ଅନ୍ତରତଳେ ଛପିରହିଥିବା ଘଟଣାଟି ନିଃସଂକୋଚରେ କହିପାରିଲି, ଯାହା ଅତି ଗୋପନୀୟ ।

 

ଦୂର ଅତୀତର ନିବିଡ଼ ଅନ୍ଧକାର ଭିତରେ ଗୋଟିଏ ଉଜ୍ଜ୍ଵଳ ନକ୍ଷତ୍ର ପରି ଦିବାକରଙ୍କର ମାନସପଟରେ ଉଭା ହୋଇଯାଏ ମୁହୂର୍ତ୍ତକ ପାଇଁ ସରଳ, ନିର୍ବୋଧ, ହାସ୍ୟମୟୀ କିଶୋରୀଟିଏ ତାଙ୍କର ଏବକାର ନାତୁଣୀ ବୟସର–ସୁବର୍ଣ୍ଣପ୍ରତିମା, କୌତୁକବତୀ, ଚପଳା ଚଞ୍ଚଳା ଅନୂପା ! ସେ ଅନ୍ତର୍ହିତ ହୁଏ ।

 

ଦିବାକର ହସହସ ହୋଇ ନାରାୟଣଙ୍କର ଗମ୍ଭୀର ମୁହଁକୁ ଅନାନ୍ତି । ନାସିକାରୁ ଖସେ ସାନ୍ତ୍ୱନାଦିଆ, ଅତି ପବିତ୍ର, ସର୍ବଭାବଭରା ସେହି ଗହନ ମନ୍ତ୍ରଟି–ହିଁ - ହିଁ - ହିଃ !

Image

 

Unknown

ଗୃହିଣୀଙ୍କ ନାମ କଳାବତୀ

 

ଗୃହିଣୀଙ୍କ ନାମ କଳାବତୀ । ଦେଖିବାକୁ ସେ ସାମାନ୍ୟ ଶ୍ୟାମଳୀ ବୋଲି ସ୍ନେହରେ ତାଙ୍କର ବାପ ମା ଏହି ସୁନ୍ଦର ନାମଟି ବାଛି ଦେଇଥିଲେ । ଅନ୍ୟମାନେ ଏହି ନାମକୁ ପସନ୍ଦ କରୁଥିଲେ, ଯେହେତୁ ସେ ସୁନ୍ଦରୀ ଥିଲେ ଓ କଳାକୁଶଳା ଥିଲେ । ଖାନ୍‌ଦାନ୍‌ ଘରର ବଡ଼ଝିଅ । ଆଖିଦୁରୁଶିୟା ହେଲାରୁ, ଉ: ପ୍ରା: ବିଦ୍ୟାଳୟର ପାଠ ସରିବା ଆଗରୁ ସେ ପୋଥିରେ ଡୋର ବାନ୍ଧିବାକୁ ମନଖୁସିରେ ବାଧ୍ୟ ହୋଇଥିଲେ । ବାହାଘର ବେଳେ ଗୋଟାଏ ଟ୍ରଙ୍କରେ ବୋଝେଇ ହୋଇ କାଚ ଫ୍ରେମରେ ବନ୍ଧା ତାଙ୍କର କଳାକୁଶଳତାର ନମୁନା - କ୍ରୁଶ୍‌ କଣ୍ଟାରେ ବୁଣା କେତେ ଛବି, ପଶୁପକ୍ଷୀ, ବୃକ୍ଷଲତା, ରାମ-ସୀତା, ରାଧା-କୃଷ୍ଣ, ହାତ ଟେକି ନାଟୁଆ ଭଙ୍ଗୀର ଶ୍ରୀ ଚୈତନ୍ୟ–ଦିନକରଙ୍କ ଘରକୁ ଆସିଥିଲା ।

 

ସେହି ଛବିଗୁଡ଼ିକ ଏବଯାଏ କାନ୍ଥରେ ଟଙ୍ଗା ହୋଇ କେତେ କୋଠରୀର ଶ୍ରୀ ବର୍ଦ୍ଧନ କରୁଛି । ଛୋଟ ମଣିଷଟି ବୋହୂ ହୋଇ ଆସିବା ସମୟରେ ସୁନାଗହଣାରେ ଦେହ ଛାଉଣୀ ହୋଇଥିଲା । ଏପରି ଝିଅକୁ ଘରକୁ ବୋହୂକରି ନେବାକୁ ଅସମ୍ମତ ହୋଇ ମଧୂପୁର ଗାଁର ଜମିଦାର ତାଙ୍କର ବର ବେଶରେ ସଜ୍ଜିତ ବଡ଼ ପୁଅକୁ ଘଟିଲୋ ଗାଁ ମୁଣ୍ଡରୁ ପାଲଟାଇ ନେଇଥିଲେ-। ସେଥିପାଇଁ ବରଯାତ୍ରୀଙ୍କ ସାଙ୍ଗରେ ଆସିଥିବା ଦାସୀଟି କୁଆଡ଼େ ଦାୟୀ ।

 

କେତେବେଳେ ସେହି କଅଁଳକହୀ ଗୁଣ୍ଡୁଚିମୂଷା କଳାବତୀଙ୍କର ଖଞ୍ଜାରେ ପଶି ବୋହୂବେଶରେ ସଜ୍ଜିତା ମଙ୍ଗୁଳା ଝିଅକୁ ଦେଖି, ବରଙ୍କ ବାପାଙ୍କର କାନରେ କ’ଣ ଫୋଡ଼ିଦେଲା ଯେ, ପୁଅକୁ ନେଇ ସେ ବାହୁଡ଼ି ଗଲେ । ଅଧବାଟରେ ଅପେକ୍ଷା କରି ସେ ଭଣ୍ଡାରୀ ହାତରେ ଖବର ପଠାଇଥିଲେ– ତମେ ଯେଉଁ କନ୍ୟାଟିକୁ ଦେଖାଇ ସମ୍ବନ୍ଧ କରିବାକୁ ପ୍ରସ୍ତାବ ପଠାଇଥିଲେ; ସେହି କନ୍ୟାଟିକୁ ବାହା ଦେଲେ ବର ଫେରିବ ନାହିଁ, ନୋହିଲେ ତମ କଥା ତମେ ବୁଝ । ମହାପ୍ରସାଦ ଲଙ୍ଘନର ଦୋଷ ତମର ।

 

ଏକା ନାହି ଦିଖଣ୍ଡ, ଏକା ରକତ ଦି’ଧାର, କଳାବତୀ ଓ ତାଙ୍କ ତଳ ଭଉଣୀ ଲୀଳାବତୀଙ୍କର । ଆଉ ତ କେତେ ଭଉଣୀ କେତେ ଭାଇ ସେହି ପାଞ୍ଚଭାଇଆ ଏକାନ୍ନବର୍ତ୍ତୀ କୁଟୁମ୍ବରେ ଜନମିଛନ୍ତି । ସେମାନଙ୍କ କଥା ଛାଡ଼ । କିନ୍ତୁ, ଲୀଳାବତୀ କଳାବତୀଙ୍କର ପ୍ରତିରୂପ ଆଣିଲେ କି ହେବ, ତାଙ୍କ ଦେହର ରଙ୍ଗ ସଫା । ଏତିକି ପ୍ରଭେଦ ପାଇଁ ମଧୁପୁର ଚଉଧୂରୀ ରାଗ ତମ ତମ ହୋଇ ମଙ୍ଗୁଳା-କନ୍ୟାକୁ ବେଦୀଉପରକୁ ଯିବାର ସୁଯୋଗ ନ ଦେଇ ଫେରିଗଲେ ।

 

ତାଙ୍କ ପୁଅ ବି ମଙ୍ଗୁଳା ହୋଇଥିଲା । ଫେରିବା ବାଟରେ ଯେଉଁ ତୁଳସୀପତ୍ର ପାତ୍ରୀ - ଗୌରଙ୍ଗୀ, ଚିଲାଆଖିଆ, ଅଳପ ମୁଖଦାନ୍ତୁରୀ ବୋହୂକୁ ସେ ସଙ୍ଗରେ ନେଇଗଲେ, ସେ କୁଆଡ଼େ ଗୋଟିଏ ଧଳାଭାଲୁ । ବୋହୂ ହୋଇ ମଧୁପୁର ଜମିଦାରଙ୍କ ଘରେ ପାଦ ପକାଉଣୁ କଥା କଥାକେ ଦାନ୍ତ କାଢ଼ି ସେ ଚମକି ଯାଉଥିଲେ । ପରଘରର ନିନ୍ଦା ଶୁଣିବାକୁ ଦିନକରଙ୍କୁ ଭଲ ଲାଗେ ନାହିଁ, କିନ୍ତୁ କାନରେ ଯାହା ବାଜେ, ତାକୁ ତ ଶୁଣିବାକୁ ହେବ । ଶୁଣି ମୁହଁ ବନ୍ଦକରି ରଖିବା ତାଙ୍କର ଅଭ୍ୟାସ ।

 

ସେହି ମଧୁପୁର ଜମିଦାରଙ୍କର ପୁଅ ନେତ୍ରାନନ୍ଦ ଭଲ ଛାତ୍ର ନ ଥିଲେ ବି ଅତି ଭଲ ପିଲା । ସେ ଦିନକରଙ୍କର ସହପାଠୀ । ରୂପ ଓ ସ୍ୱାସ୍ଥ୍ୟ ସୁନ୍ଦର । ସେ ଉଦାର ଓ ସ୍ନେହଶୀଳ । ବାପାଙ୍କର ଅତି ବାଧ୍ୟ ପୁତ୍ର । ବାପାଙ୍କର ନିଷ୍ପତ୍ତି ବିରୁଦ୍ଧରେ ବର ବେଶରେ ଥାଇ ମୁହଁ ଖୋଲି ସେ ପ୍ରତିବାଦ କରି ନ ଥିଲା । କିନ୍ତୁ ସେ ଫେରିଯିବାବେଳେ, ଦିନକର ଯିଏ ବନ୍ଧୁଙ୍କ ସଙ୍ଗରେ ବରଯାତ୍ରୀ ହୋଇ ଯାଇଥିଲେ, ତାଙ୍କୁ କହିଥିଲା–ତୁ ତ ହାକିମ ହେଲୁଣୁ ଦିନ ! ନିଜେ ବିଚାର କର, ସେମାନଙ୍କୁ ଅପମାନ ଦେଇ ନିଜେ ଆମେସବୁ ଲୋକହସା ଓ ଅପମାନିତ ହୋଇ ଫେରିଯିବା କ’ଣ ଉଚିତ ହେଉଛି ? ହଇରେ, କଳା ଗୋରାର ବିଚାର କ’ଣ ଏଇଠି ଏପରି ହୁଏ ? କଳା କ’ଣ ବାହା ହେବ ନାହିଁ ? ଆମେ କ’ଣ ଏ କଳାଦେଶ ଛାଡ଼ି ବିଲାତକୁ ପଳାଇବା ?

 

ତୋର ଏ ମତ ତୋ ବାପାଙ୍କୁ ଜଣାଇବି କି ନେତୁ ?

 

ଭୀଷଣ କାଣ୍ଡ ହେବରେ ଦିନ ! ତାଙ୍କର ଅସଲି ରାଗ ହେଲା, ଆଗରୁ ସାନଝିଅକୁ ଦେଖାଇ ଏବେ ବଡ଼କୁ ବାହା ଦେବାକୁ ଚେଷ୍ଟାକରି ଠକୁଛନ୍ତି କାହିଁକି ? ଗୋଟାଏ ଯିଦି ତ, ଆଉ କ’ଣ ? କନ୍ୟାପକ୍ଷ ପାଞ୍ଚ ହଜାର ଟଙ୍କା ଲାଞ୍ଚ କହ, ଜୋରିମାନା କହ, ଅବା ଯଉତୁକ କହ, ଦେବାକୁ ଖବର ପଠାଇଲେଣି । ତଥାପି ଆମକୁ ବାହୁଡ଼ିବାକୁ ପଡ଼ିବ । ନିରୁପାୟ ।

 

ଶ୍ୟାମଳ ? ହଁ, ଚଳିବ । କଳା, ତ୍ରିପଣ୍ଡ କଳା ? ସୁବର୍ଣ୍ଣ ଥାଳୀରେ ଜାମୁକୋଳି ? ହଉ ହେଲା, ଯାହା ତା କପାଳରେ ଅଛି । ବଡ଼ ଠାକୁରେ କଳା ନୁହଁନ୍ତି କି ? ଗୁଣ ଥିଲେ ହେଲା । ମରଦ ପୁଅକୁ ବାଛି ଯୋଗାଏ ନାହିଁ । ତାର ମୁହଁ ପିଠିଆଡ଼କୁ ଯୋଡ଼ି ହୋଇଥିଲେ ବି ସାର ।

 

ପିଉସୀଙ୍କ ଘରେ ଦିନକରଙ୍କ ଆଖିକୁ ନିଦ ଆସୁ ନ ଥାଏ । ଏମିତି ବାରକଥା ସେ ଭାବୁଥାନ୍ତି । ବେଳେ ବେଳେ ଦରବୁଢ଼ୀ ପିଉସୀ ଆସି ବ୍ୟସ୍ତ ହେଉଥାନ୍ତି–କେଡ଼େ ଲୋକହସା ହେଲାରେ ପୁଅ ! ଦେଖି ଆସିଲି, ଲାଜରେ ସଢ଼ି କଳାବତୀ ପରି ରୂପବତୀ ଗୁଣବତୀ ଝିଅ ମୁହଁମାଡ଼ି ପଡ଼ି ଖାଲି କାନ୍ଦୁଛି । ମଧୁପୁରିଆଙ୍କର ଦୋଷ ନାହିଁ । କାହିଁକି ଏମାନେ ସାନକୁ ଦେଖାଇ ବଡ଼କୁ ଉଠାଇବାକୁ ଚେରେଷ୍ଟା କରୁଥିଲେ ? ଏବେ କେଞ୍ଚାଏ ପାଆନ୍ତୁ, ତାଙ୍କମାନଙ୍କର ଧନ ଦଉଲତର ଗରବ ଭାଙ୍ଗୁ, ଉପର ମୁହଁ ତଳକୁ ହେଉ ।

 

ପିଉସୀ ଝିଅଟି ପାଇଁ ବୋଧହୁଏ ପ୍ରକୃତରେ ଦୁଃଖ କରୁଥିଲେ । ତାଙ୍କ ଆଖିରେ ଲୁହ ଢଳ ଢଳ ହେଉଥିଲା । କିନ୍ତୁ ଛାତି ତଳେ ସେ ବଡ଼ଲୋକର ବଡ଼ପଣକୁ ଘୃଣା କରୁଥିଲେ । ବର ଫେରିଗଲା ବୋଲି ସେ ଆନନ୍ଦିତ ହେଉଥିଲେ । ସେମାନଙ୍କର ଦୁର୍ଦ୍ଦଶାର ଦ୍ଵିତୀୟ ଅଧ୍ୟାୟ ଦେଖି ଆଖିରୁ ଲୁହ ଝରାଇ ସେ ଆହୁରି ଆମୋଦିତ ହେବାକୁ ପୁଣି ଚିଲପରି ଛୁଟିଗଲେଣି ।

 

ଦିନକର ଆଖି ବୁଜି ପଡ଼ିରହିଲେ । କୁମୁଦିନୀଙ୍କର ରାଜପୁତ୍ର ପରି ରୂପ କାର୍ତ୍ତିକଙ୍କ ସଙ୍ଗେ ବାହାଘର ହୋଇଥିଲା । କାର୍ତ୍ତିକ ଅଳ୍ପ ପାଠୁଆ । କୁମୁଦିନୀ ଗୋଟିଏ ଚାଉଳରେ ଗଢ଼ା । ଜେଜେବାପା ବାପଛେଉଣ୍ଡ ନାତୁଣୀକୁ ସର୍ବସ୍ଵ ଦେଇ ପରଘରେ ସୁଖୀ କରାଇବାକୁ ଝୁଙ୍କ ଧରିଥିଲେ ବୋଲି ତାହା ସମ୍ଭବ ହୋଇପାରିଲା ।

 

ଭାବୁଥିଲେ ଦିନକର - କୁମ ଅପାଙ୍କ ସଙ୍ଗେ ତାଙ୍କ ଘରୁ ସତେ ଲକ୍ଷ୍ମୀଛାଡ଼ି ପଳାଇଲେ-। ସେଥିକି ଜେଜେବାପାଙ୍କର ଭାବନା ନ ଥିଲା । ସେ ଭାବୁଥିଲେ ଓ ବେଳେ ବେଳେ ପ୍ରକାଶ ବି କରି ଦେଉଥିଲେ ଯେ, ଦିନକର ଓ ରତ୍ନାକର ପୁଅ ପିଲା, ମୁଣ୍ଡକୁ ହାତପାଇଲେ, ମଗଜରେ ଅକଲ ଥିଲେ, ସମୁଦ୍ରର ଢେଉ ଗଣି ପଇସା ଛାଣିବେ । ସେମିତି ସେ ନିଜେ ତାଙ୍କର ବୟସ ବେଳେ ଛାଣିଥିଲେ, ସମ୍ପତ୍ତି କରିଥିଲେ । ସ୍ଵର୍ଗରେ ଇନ୍ଦ୍ର ପରି ମର୍ତ୍ତ୍ୟରେ ସେ ଅମୀନ ଥିଲେ । ଜେଜେବାପା ନାତୁଣୀ - ବୋହୂଟିଏ ଖୋଜିଲେଣି । ତାଙ୍କର ନାତି ନାତୁଣୀ ଶିଙ୍ଘରେ ମାଟି ଖୋଳି ଭଲ ମଣିଷ ହେଲା । ସରକାରୀ ଚାକିରୀ କଲା । ହାକିମ ହୋଇଛି, ସବ୍‌ଡ଼ିପୂଟି । ନିଶ୍ଚୟ ଗଉଣୀ ମୁହଁରେ ଦିନେ ଟଙ୍କା ମାପିବ । ତା ପାଇଁ ସେମିତିଆ ଯୋଗ୍ୟ ଝିଅଟିଏ ଲୋଡ଼ା । ତାଙ୍କ ଧାରଣାରେ ଯୋଗ୍ୟ କେବଳ ସେହି, ଯାହାର ବାପା ନଗଦ ପାଞ୍ଚହଜାର ଗଣି ଦେଇ ପାରିବ । ତାଙ୍କର ନିଲାମ ଡାକ ଶୁଣି ମୁହଁ ବୁଲାଇ କେତେ ମଧ୍ୟସ୍ଥ ଫେରିଗଲେଣି । ଲୋକେ ପ୍ରଚାର କଲେଣି - ଷାଠିଏ ମହଣ ଘିଅ ହେବ ନା ରାଧା ନାଚିବ ? ଏଇ ଅମୀନ ବୁଢ଼ା ଖାଲି ଟଙ୍କା ସ୍ଵପ୍ନ ଦେଖୁଛି । ସେ ବଞ୍ଚିଥିବା ଯାଏ ଦିନକରଙ୍କର ହାତକ ଦି’ହାତ ନ ହୁଏ ।

 

ବାହାଘର ପ୍ରସଙ୍ଗ ଉଠିଲେ ଦିନକର ଉଁ ଚୁଁ ପାଟି ଫିଟାନ୍ତି ନାହିଁ । ରୋଗଣୀ ବୋଉ ଅଳି କରନ୍ତି, ତୁ ଜେଜେଙ୍କୁ କହୁନୁ, ନଗଦ ଟଙ୍କାର ପ୍ରଶ୍ନ ନ ଉଠାଇ ସେ ଯେଉଁଠି ହେଲେ ଜବାବ ଦିଅନ୍ତୁ-। ପୁଣି ତୋ କାମ ଛିଡ଼ିଲେ ରତ୍ନାକରର ହାତକୁ ଦି’ହାତ କରିବା । ସେ ବି ଚାକିରି କଲାଣି । ମୁଁ ଚାହେଁ ସୁନାନାକୀ ବୋହୂ, ଯାହାକୁ ଦେଖିଲେ ପାଞ୍ଚ ମାଇପେ ପ୍ରଶଂସା କରିବେ । ରୂପର ହୋଇଥିବ, ଗୁଣର ହୋଇଥିବ । ଧନଦରବ କଅଣ ହେବ ?

 

ଦିନକର ଉତ୍ତର ଦିଅନ୍ତି, ଜେଜେପାଙ୍କ ସଙ୍ଗେ ତୁ ବୁଝାବଣା ହ । ସେ ଚାହାନ୍ତି, ଅପାଙ୍କ ବାହାଘରରେ ଯେତେ ଖରଚ ହୋଇଥିଲା, ସେତକ ସୁଧମୂଳ ମିଶାଇ ଆଦାୟ କରିବେ । ତାଙ୍କ ମନକୁ ଜେଜେ କହିଲେ ପରା ବୋଉ, ଆରେ ଦିନ, ଚାଷ ତରତର ମଠ ବେଉସା । ବୁଝିଲୁ ନା ନାତି, କହାଘରଠୁ ବଳି ତ ଲାଭଜନକ ବ୍ୟବସାୟ ଆଉ ନାହିଁ । ରହ ସମ୍ଭାଳି ବନିସୀ ଖେଳାଇଲେ ବଡ଼ ଭାକୁଡ଼ ହାବୁଡ଼ିଯିବ ରୋଗଣୀ ବୋଉ ତୁନୀ ତୁନୀ କାନ୍ଦିଥିଲେ । କହିଲେ, ବୋହୁର ହାତ-ପରସା ମୋ ତୁଣ୍ଡରେ ତ ବାଛିବ ନାହିଁରେ ବାପ । ଜେଜେଙ୍କର ଅବାଧ୍ୟ ହେବାକୁ ବି ମୁଁ ତତେ କହି ପାରିବି ନାହିଁ । ସେ ପାଚିଲା ପତର, କେବେ ଝଡ଼ିବେ କିଏ କହି ପାରିବ ? ବୁଢ଼ା ବୟସରେ ପୋଷଣାହାରୀ ଗଜାବଅସର ପୁଅକୁ ହରାଇ ତମରିମାନଙ୍କ ମୁହଁକୁ ଅନାଇଁ ସେ ବଞ୍ଚି ରହିଛନ୍ତି । ଲୋକେ ଏବଯାଏ ମତେ କଅଣ ଖୁଣ୍ଟା ଦେଉଛନ୍ତି ଜାଣୁ କି ପୁଅ ?

 

କଅଣ ବୋଉ ?

 

ଅମିନୀ ପଇସା ରହେ ନାହିଁ । କେତେ କେତେ ଗରିବ, ନିଆଶ୍ରୀ, ରାଣ୍ଡୀଖଣ୍ଡୀଙ୍କର ଲୁହ ଏକାଠି କରି ବୁଢ଼ା ସମ୍ପତ୍ତି ଭେଇଥିଲେ । ସବୁଗଲା ଯେ ଚଡ଼କ ପକାଇ ଗଲା । ତୁ ରେ ବାପ, ସେମିତିଆ ପଇସା ଛୁଇଁବୁ ନାହିଁ । ମୁଣ୍ଡଝାଳ ତୁଣ୍ଡରେ ମାରି, ଧର୍ମକୁ ସାକ୍ଷୀ ରଖି, ଯେତିକି ଭେଇବୁ ସେତିକିରେ ଚଳିବୁ । ଆଉମାନଙ୍କର ଦେଖି ହନ୍ତସନ୍ତ ହେବୁ ନାହିଁ !

 

ଦିନକର ରୋଗଣୀ ବୋଉଙ୍କର ପାଦରେ ହାତ ଦେଇ ଶପଥ କରିଥିଲେ, ତୋ ଉପଦେଶ ଅବଶ୍ୟ ପାଳିବି ବୋଉ; କିନ୍ତୁ ଜେଜେପା ବଞ୍ଚିଥିଲେ ସେ ସୁଖୀ ହୋଇ ପାରିବେ ନାହିଁ । ବାରମ୍ବାର ସେ ମତେ ଉପୁରି ପଇସା କେତେ ରୋଜଗାର କଲୁ ବୋଲି ପଚାରୁଛନ୍ତି । କିଛି ନାହିଁ କହିଲେ ସେ ମୁହଁ ଫଣ ଫଣ କରି କହୁଛନ୍ତି, “ଆରେ, କି ଚାକିରୀ ତୁ କରୁଛୁ ? ଆମ ଅମଳରେ ହାକିମମାନେ ଯାହା ରୋଜଗାର କରୁଥିଲେ, ପାଞ୍ଚପୁରୁଷ ପାଇଁ ସମ୍ପତ୍ତି ରଖି ଯାଉଥିଲେ । ଚାକିରି ବି ଗୋଟାଏ ବେଉସାରେ ନାତି !”

 

ରୋଗଣୀ-ବୋଉ ଉତ୍ତର ଦେଲେ ନାହିଁ । ଜେଜେପା ସେକାଳ ହାକିମମାନଙ୍କର ଧନ ଅର୍ଜନର ବିବିଧ ଉପାୟର ଉଦାହରଣ ଦେଉଥିଲେ । କିଏ କେତେ ସମ୍ପତି କରିଯାଇଥିଲେ, ତାର ତାଲିକା ଦେଉଥିଲେ । ରତ୍ନାକର ଯେ ଆଜହୁଁ ଚାରି ପଇସା ପାଉଛି ଓ ଭବିଷ୍ୟତରେ ଆହୁରି ପାଇବ, ଘର-ସମ୍ପତ୍ତି କରି ନାମ ରଖି ପାରିବ, ଏହି ଆଶାରେ ସେ ଆତ୍ମସନ୍ତୋଷ ଲାଭ କରୁଥିଲେ-

 

କଳାବତୀଙ୍କର ବାପ ପାଞ୍ଚହଜାର ଟଙ୍କା ଦେବାକୁ ପ୍ରସ୍ତୁତ ଥିଲେ । ପିଉସୀଙ୍କ ଘରେ, ଖଟ ଉପରେ, ଅନ୍ଧାର ଘରେ, ମଶାବଣରେ ଶୋଇ, ଛଟପଟ ହୋଇ ନିଜ ମୁହଁରେ ନିଜେ ବାରମ୍ବାର ଚାପୁଡ଼ା ମାରିହୋଇ ଚିନ୍ତା କରୁଥିଲେ ଦିନକର । ମନ୍ଦ ହୁଅନ୍ତା ନାହିଁ । ଆଉ ଟିକିଏ ଅକଡ଼େଇଲେ ପାଞ୍ଚ ସ୍ଥାନରେ ସାତ ବି ହୋଇପାରେ । ଏହାକୁ ଉତ୍‌କୋଚ କହି ହେବନାହିଁ । ୟେ ରାଣ୍ଡୀଖଣ୍ଡୀଙ୍କର ଆଖିର ଲୁହ ନୁହେ । ସେମାନଙ୍କର ଦେବାର ଶକ୍ତି ଅଛି । କେତେ ପୁଅ ବାହାଘର କରି ସେମାନେ ନେଇଛନ୍ତି । ନ ଦେବେ କାହିଁକି ?

 

ଅବଶ୍ୟ ଦେବେ । ଆଙ୍ଗୁଠି ବଙ୍କା କଲେ ଅଧିକ ଘିଅ ଠେକିରୁ ଉଠିବ । କଳା ଝିଅ ଜନମ କରିଥିବାରୁ ସେମାନଙ୍କୁ ତାର ପ୍ରାୟଶ୍ଚିତ କରିବାକୁ ପଡ଼ିବ । ଜେଜେପା କହନ୍ତି, ଆରେ ନାତି-! ଝିଅ ଯାକ ସମସ୍ତେ ସମାନ ମ । ସେମାନେ ଆସନ୍ତି ପୁଅ-ଝିଅଙ୍କର ମା ହେବାକୁ । କେତେ ପୁଅ ଓ କେତେ ଝିଅ ହେବେ, ସେ ତ ନସିବ୍‌ର କଥା । କେରେ ଝିଅ କଳା ହେବେ, କେତେ ହେବେ ଗୋରା, ସେତକ ବି ସେହି ନସିବ୍‌ର ରାୟ । ତେବେ, ଗୋରୀ ବୋହୂଟିଏ ମିଳିଲେ ଭଲ । ଭବିଷ୍ୟତକୁ କଳା ଝିଅର ଡର ନ ଥିବ । ସେମିତିକା ବୋହୂ ମୁଁ ଖୋଜୁଛି, ତା ସଙ୍ଗେ ଯୌତୁକ, କୁଳ, ଜାତକ-ମେଳ । ତୋ ବୋଉ ଏମିତି ତରତର ହେଲେ ଚଳିବ ?

 

ସବୁର୍‌କା ଗଛମେ ମେୱା ଫଳତା ହେ :

 

ଓଢ଼ଣା ଉହାଡ଼ରେ ବୋଉ ମୁହଁ ମୋଡ଼ି ଦେଲେ । ଜେଜେପା ଠାକୁରଙ୍କ ନାମ ନେବାକୁ ଭାଗବତ ଘରକୁ ଚାଲିଗଲାରୁ ବୋଉ କହିଲେ, ସବୁର୍ କରିବାକୁ ମୋର ଆଇଷ ନାହିଁ । କୁମ ଖଣ୍ଡେ ଚିଠି ଲେଖିଥିଲା । ସେ ବି ସେଇଆ ଲେଖିଛି - ସବୁର୍‌ କର । ଲୋକେ କହିବେ ବଦଳ-କନ୍ୟା ହେବ । ଯିଏ ଯାହା କହିବାର କହୁଥାନ୍ତୁ, ସେ ଆଡ଼କୁ କାନ ଦେବା ନାହିଁ ରେ ପୁଅ । କୁମର ନଣନ୍ଦକୁ ତୁ କେତଥର ଦେଖିଥିବୁ, ସେ ଯଦି ତୋ ମନକୁ ପାଉଛି ତ ମୋର ରାଜି ।

 

କୁମୁଦିନୀ ଅପାଙ୍କର ଚିଠି ଖଣ୍ଡ ଆଣି ଦିନକରଙ୍କର, ବୋଉ ତାଙ୍କୁ ଧରାଇ ଦେଲେ । ପୁଣି କହିଲେ, କୁମ କଅଣ ଲେଖିଛି ତୁ ନଲଟଣ ଆଲୁଅରେ ପଢ଼, ମୁଁ ଯାଉଛି ଗେଷ-ଘରକୁ । ଭାବି ବିଚାରି ତୁ ଯାହା କହିବୁ ସେଇଆ ହେବ । ତୋ ଜେଜେପାକୁ ମୁଁ ମଙ୍ଗେଇ ପାରିବି । ବାଟଖର୍ଚ୍ଚ କିଛି ଦେବାକୁ ମୋ ସମୁଦିଙ୍କୁ କୁମ ମଙ୍ଗେଇ ପାରିବ । ତୋ ଜେଜେପା ତ ସେଇଆ ଚାହୁଁଛନ୍ତି ।

 

ଚିଠି ଉପରେ ଦିନକର ଦୃଷ୍ଟି ଗଡ଼ାଇ ଗଲେ– X X ଦିନକର ତନୁଜାକୁ ସ୍ନେହ କରେ । ତନୁଜା ତ ଛୁଆଟା । ତାର ଗୋଟାଏ ମନ କ’ଣ ? ମୋ ଜାଣିବାରେ ଦିନକୁ ସେ ଭାରି ଭଲପାଏ । X X ଆମ ଘର ୟାଙ୍କ ଘରର ସମକଚ୍ଛ ନୁହେ ବୋଲି ସିନା ଏଠିକା ମାଇପେ ମତେ ଖୁଣ୍ଟା ଦେଉଥିଲେ । ଦିନ ତ ହାକିମ ହେଲାଣି– X X ଶଶୁରେ ନିଜେ ତାଙ୍କ ମନକୁ ତୋ ଜୋଇଁଙ୍କୁ ଦିନ ବିଷୟରେ ପଚାରୁଥିଲେ ଯେ– X X ତନୁଜାକୁ ପନ୍ଦର ପୁରି ଷୋଳ ଏଇ ମାସରୁ ଚାଲିଲା । ହେଲେ ଆର ସାଲେ– X X ଅପେକ୍ଷା କର, ସୁନା କଣ୍ଢେଇ ବୋହୂ ତୁ ପାଇବୁ– X X । ଶାଶୁ ମୁହଁ ଖୋଲୁ ନାହାନ୍ତି, ବଳେ ମଙ୍ଗିବେ, ଦିନ ପରି ପାତ୍ର କାହୁଁ ପାଇବେ ଯେ– X X

 

ପିଉସୀଙ୍କର ସେହି ଅନ୍ଧାର ଘରେ, ଭାଉଁ ଭାଉଁ ମଶାପଲ ଭିତରେ ତନୁଜାର ମୂର୍ତ୍ତି ସତେ କି ଆଗରେ ଠିଆ ହେଉଛି । ଲାଜ ଲାଜ ଠାଣି । ସେଦିନର କଥା ଦିନକରଙ୍କର କାନରେ ବାଜୁଛି । ତନୁଜା କହୁନାହିଁ, ତାର ନାଲି ଟୁକୁଟୁକୁ ସରମିଲା ଥରିଲା ଓଠରୁ ଆପେ ଆପେ ସେ ବାଣୀ ଝରି ଆସୁଛି । ଦିନକରଙ୍କର ତାରୁଣ୍ୟକୁ ଚହଲାଇ ଦେଉଛି । ତନୁଜାର ପଛରେ ଦିଶିଯାଉଛି ଆଉ ଗୋଟାଏ ଫଣ ଫଣ ମୁହଁ । ଅକାରଣ ସନ୍ଦେହ ଓ କ୍ରୋଧରେ ସେହି ମୁହଁଟା ଓଠ ଥରାଇ ତିରସ୍କାର କରୁଛି, ସେ ମୁହଁଟା ତନୁଜାର ଜନନୀଙ୍କର, ସତେ, ଏଡ଼େ ବହପ ?

 

କିଏ କୁଆଡ଼େ ପଳାଉଛନ୍ତି । ରହିଯାଉଛି ନିଘଞ୍ଚ ଅନ୍ଧାର । ମଶା ଭାଉଁ ଭାଉଁ ଛୋଟ ଝରକାର ଆରପାଖେ ଅନ୍ଧାରିଆ ଗଛଗହଳିର ଉହାଡ଼ରେ ଥିବା ଟୁବଗାଡ଼ିଆ ଭିତରୁ ସହସ୍ର ଭେକଙ୍କର ରଡ଼ି କାନ ଅତଡ଼ା ପକାଉଛି ।

 

ଜ୍ୟେଷ୍ଠ କୃଷ୍ଣପକ୍ଷର ଚତୁର୍ଥୀ । ମଇ ମାସ ପାଞ୍ଚ ତାରିଖ ସୋମବାର । ମେଷ ମାସ ତେଇଶି ଦିନ । ଏବଯାଏ ଦିନକରଙ୍କର ମନେ ଅଛି - ବାହାଘରର ପ୍ରଥମ ତିଥି; ଲାଗି ଲାଗି ତିନି ତିଥି । କେମିତି ସେ ଭୁଲି ପାରନ୍ତେ, ଯେଉଁ ତିଥି ତାଙ୍କର ଜୀବନର ଗତିକୁ ବଦଳାଇ ଦେଇଥିଲା, ତନୁଜାର ମାତା କୁମଅପାଙ୍କର ଶାଶୁଙ୍କର ଫଣ ଫଣ ମୁହଁ, ନାକଟେକା ଘୃଣାବ୍ୟଞ୍ଜକ ଦୃଷ୍ଟିର ଠିକଣା ଜବାବ ଦେଇଥିଲା ।

 

ପିଉସୀ ହରିକାନ ଆଲୁଅ ଧରି ଘରେ ପଶିଲେ । ଦିନକର ଉଠି ବସିଲେ । ହସ ହସ ଦରବୁଢ଼ୀ ପିଉସୀ କହିଲେ, ସବୁ ଠିକ୍ ହୋଇଗଲା ରେ ପୁଅ । ତୋ ପିଉସା ତ ତାଙ୍କରି ଘରେ ଥିଲେ । ତୁ ଆସିଛୁ, ମୋ ପାଖରୁ ଏ ଖବର ପାଇ, ସେ ପ୍ରସ୍ତାବ ପକାଇଲେ । ସମସ୍ତେ ରାଜି । କଳାବତୀ ପରି ଝିଅ, ଭାଗ୍ୟରେ ଥିଲେ ଭାଉଜ ତା ପରିକା ଲକ୍ଷ୍ମୀ ବୋହୁଟିଏ ପାଇବେ । ଖାଲି ତୋରି ସମ୍ମତି ପାଇଲେ, କାଲି ସଜମଙ୍ଗନ ସଜବାହା ହେବ ।

 

ତୁ ଏ କ’ଣ କହୁଛୁ ଅପା ! ଜେଜେପା ଥଉଁଣୁ.....

 

ସେ ରାଜି ହେବେ ମ, ସେ ଯାହା ଖୋଜୁଛନ୍ତି କଳାବତୀର ବାପା ନିଜେ ଯାଇ ସେତକ ତାଙ୍କୁ ଆଗ ଦେଇ ଆସିବେ । ତୋ ପିଉସା କଚ୍ଚା କାମ କରନ୍ତି ନାହିଁରେ ଦିନ ! ସେ ବି କଳାବତୀର ବାପାଙ୍କ ସଙ୍ଗେ ଯିବେ । ସେ ମଧ୍ୟସ୍ଥ-ମାନତା ରହିବେ ।

 

ମତେ ତୁ ପଚାରୁଛୁ କାହିଁକି ଲୋ ଅପା ! ଆମେ ସବୁ ପାଠୁଆ ପିଲା ଯୌତୁକପ୍ରଥାକୁ ଘୃଣା କରୁ । ଯାହାର ଯାହା ଶକ୍ତି ପାଇବ ସେ ସ୍ଵଚ୍ଛ ମନରେ ତା ଝିଅକୁ ଦେବ । ନ ଦେଲେ ନ ଦେବ । ସେଥିକି ଲଗା ପଘା କାହିଁକି ? ନଗଦ ଟଙ୍କା ଦେଏଣ ନେଏଣକୁ ମୁଁ ମୋଟେ ପସନ୍ଦ କରେନାହିଁ ।

 

ତୁ ଓଲମାଟିଏ କିରେ ପୁଅ ? ତୁ କୁଆଡ଼େ ହାକିମ ହୋଇଛୁ, ଏତିକି ତୁ ସମଝି ପାରୁନ୍ତୁ, ଯଦି ଜଣେ ଦେବାକୁ ରାଜି, ଆଉ ଜଣେ ନେବାକୁ ରାଜି ନ ହେବା ନିର୍ବୁଦ୍ଧି ଆପଣ ଛଡ଼ା ଆଉ କଅଣ ହୋଇପାରେ ହଇରେ ? ତୋ ପିଉସା ପାଞ୍ଚକୁ ସାତ କରିଛନ୍ତି ଜାଣୁ ?

 

କାନରେ ହାତ ଦେଇ ଦିନକର ମୁଣ୍ଡ ହଲାଇ କହିଲେ, ଟଙ୍କା ପଇସା ଦେବା ନେବା କଥା ତୁ ମୋ କାନରେ ପକାନା, ତୋ ଗୋଡ଼ତଳେ ପଡ଼ୁଛି । ଛି ଛି, ଏଇଆ କରି ଆମ ସମାଜ ତଳିତଳାନ୍ତ ହେଲାଣି । ଏଇ ଜେଜେବାପାଙ୍କ ଉମରର ଅତି ଲୋଭ ବୁଢ଼ାଗୁଡ଼ାକ ଥିବାଯାଏ ସମାଜର କୌଣସି ମନ୍ଦ ପ୍ରଥାକୁ ବଦଳାଇ ହେବନାହିଁ । ଆଲେ ଅପା ! ସେହି ଜେଜେପାଙ୍କ ଲୋଭ ପାଇଁ ମୁଁ ସବୁ ପ୍ରସ୍ତାବରୁ ଆଡ଼େଇ ରହୁଛି । କେଉଁ ଏବେ ସେ ଟଙ୍କା କଉଡ଼ି କାନିରେ ବାନ୍ଧି ସଙ୍ଗରେ ନେଇଯିବେ !

 

ଆରେ ପୁଅ, ଏମାନେ କଳାବତୀ ପର ଝିଅ ଦେଇ ତୋ ପରିକା ପୁଅ ପାଇବେ । ତାଙ୍କର ମନରେ କଳ୍ପନା ନାହିଁ । ସମ୍ପତ୍ତି ଯେ ଗଙ୍ଗାରୁ ଗଉତମ ଯାଏ ଲମ୍ବିଛି । ଖାନ୍‍ଦାନ୍‌ ଘର, ଉଭା ଯେତେ, ପୋତା ସେତେ । ଟଙ୍କା, ପାଞ୍ଚ ସାତ ହଜାର ଆମକୁ ସିନା ବରୁଣେଇ ପାହାଡ଼, ତାଙ୍କୁ ଯେ ଧାନ ହେଁସରୁ କାଉ ଖୁମ୍ପାଏ । ଏ ସବୁ ବିଚାର ତୋର କାହିଁକି. ? ମୁଁ ତୋର ସମ୍ମତି ଚାହେଁ ।

 

ଜେଜେପାଙ୍କର ଜବାବ କେବେ ମୁଁ ତଳେ ପକାଇ ପାରିବି ନାହିଁ ଅପା ! ଆଉ କେତେଦିନ ସେ ବଞ୍ଚିବେ ଯେ ତାଙ୍କ ମନରେ ମୁଁ ଦୁଃଖ ଦେବି ? ବୋହୁ ହାତର ସେବା ପାଇବାକୁ ମୋ ବୋଉ ଯେପରି ବ୍ୟାକୁଳ ହେଲେଣି, ମୁଁ ନାହିଁ କରି ମାତୃ ଦ୍ରୋହୀ ହେବି ନାହିଁ ।

 

କଳାବତୀକୁ ଦେଖିବୁ ?

 

ବରଟାଏ ବାହୁଡ଼ିଗଲା ବୋଲି ମତେ ଏହା ପଚାରିଲୁ କି ଅପା ? ତୋ ଆଖିରୁ କ’ଣ ମୋ ଆଖି ସରସ ? କୁଳର ଝିଅ, ତା ଦେହରେ ଠାକୁରେ କେତେ ଭାଗ ଧଳା କେତେ ଭାଗ କଳା ବୋଲି ଜନମ ଦେଇଛନ୍ତି, ତାର ବିଚାରକ ସେହି ଠାକୁରେ ! ଆମେ ନୋହୁ ।

 

ବୁଝିଲି ରେ ପୁଅ ! ଠାକୁରେ ତତେ ଆଇଷ ଦିଅନ୍ତୁ । ଏତିକି କହି ହରିକାନ୍ ଆଲୁଅ ସେହି ଘରେ ଛାଡ଼ି, ଆନନ୍ଦ ଓ ଗର୍ବରେ ଚମ୍ପାବରନୀ, ପୃଥୁଳ ଦେହୀ ଦରବୁଢ଼ୀ ପିଉସୀ ପଦାକୁ ଚାଲିଗଲେ । ଫସ୍‌ ଫସ୍‌ କଥାଭାଷାର ସୂଚନାରୁ ଘରଭିତରେ ଥାଇ ଦିନକର ଆଗରୁ ଅନୁମାନ କରିସାରିଥିଲେ ଯେ, ପିଉସୀ ଏକା ଆସି ନ ଥିଲେ, ତାଙ୍କ ସାଙ୍ଗରେ ଆଉ କିଏ ସବୁ ଆସି କୋଠରୀ ବାହାରେ ପିଣ୍ଡା ଉପରେ ଠିଆ ହୋଇ କାନ ପାରିଥିଲେ । ହୁଏତ ସେମାନେ କଳାବତୀର ଆତ୍ମୀୟ !

 

ପିଉସୀଙ୍କ ବର୍ତ୍ତମାନରେ ପରୋକ୍ଷରେ ଲୁଚି ରହିଥିବା ଗୁପ୍ତଚରମାନଙ୍କୁ ହିଁ ଦିନକର ତାଙ୍କର ବକ୍ତବ୍ୟ ଶୁଣାଉଥିଲେ । ନିଜର ସଦ୍‌ଗୁଣ ଓ ବଡ଼ପଣର ବିନମ୍ର ଟେକ ଦେଖାଉଥିଲେ । ସେମାନଙ୍କର ମନରେ ଧାରଣା ଜନ୍ମାଇବାକୁ ଚେଷ୍ଟା କରିଥିଲେ ଯେ, ତାଙ୍କ ପରି ନିଃସ୍ୱାର୍ଥ ଅକପଟ ଜଣେ ଧର୍ମାବତାର ହାକିମଙ୍କୁ ଜାମାତା ରୂପେ ଲାଭ କରିବାକୁ ତାଙ୍କର ଜେଜେପାଙ୍କ ପରି ଜଣେ ଅଥର୍ବ ଅର୍ଥ-ପିଶାଚ ଅତି-ବୃଦ୍ଧଙ୍କୁ ଧନ ଦେଇ ତାଙ୍କର ସମ୍ମତି କିଣିଲେ, ଏ ବେପାରରେ କଳାବତୀର ପିତାମାତା ହିଁ ଲାଭବାନ୍ ହେବେ ।

 

ଦିନକରଙ୍କର ସମ୍ମତି ଘେନି ସେମାନେ ଚାଲିଗଲା ପରେ ଦିନକର ହାରିକାନ୍ ଆଲୁଅକୁ ଚାହିଁ ନିଶ୍ଚଳ ହୋଇ ଠିଆହେଲେ । ନିଜର ବାହାଦୁରୀକୁ ନିଜେ ନିରୀକ୍ଷା କରୁଣୁ, ମନରେ କିପରି ଅହେତୁକ ଅନୁଶୋଚନାର ତୀବ୍ରତା ଅନୁଭବ କଲେ । କୁମ ଅପାଙ୍କର ପତ୍ରଟି, ଯାହାକୁ ସେ ଅମୂଲ୍ୟ ନିଧି ପରି ସାଇତି ରଖିଥିଲେ ଓ ବେଳେ ବେଳେ ନିରୋଳାରେ ପଢ଼ି ଜଳ ଜଳ ଚାହିଁ ଜାଗ୍ରତ ସ୍ଵପ୍ନ ଦେଖିଲେ– ଟିକି ତନୁଜାଟି ନୂଆ ବୋହୂ ହୋଇ ଘରେ କାରବାର, ହେଉଛି, ରୂପର ଶିଖାରେ ସବୁ ସେ ଉଜ୍ଜ୍ୱଳ ଆଲୋକିତ କରୁଛି– ସେହି ପତ୍ରଟି ତାଙ୍କୁ ଉପହାସ କରୁଥିଲା, ହଇରେ ଦିନୁ, ତୋ ଆଖିରେ ଟଙ୍କା ଏତେ ବଡ଼ ଦିଶିଲା, ଧନ ବଡ଼ ନା ଜନ ବଡ଼ରେ ?

 

ସେହି ପତ୍ରରୁ ବାହାରି ଅଶ୍ରୁବଦନୀ ତନୁଜା ନୀରବ ଦୃଷ୍ଟିରେ ଚାହିଁ ରହିଛି । ସେ ଦୃଷ୍ଟି ଯେପରି ପ୍ରଶ୍ନ କରୁଛି, ମନର ଭାଷା ତା ଛାଆଁଙ୍କୁ ମୋର ତୁଣ୍ଡରୁ ଖସିଥିଲା ବୋଲି ତମେ କ’ଣ ମତେ ଘୃଣା କଲ ? ମୋ ବୋଉଙ୍କର କଠୋର ବାଣୀ ଶୁଣି ତମେ ଅଭିମାନ କଲ ? ସେ ତାର ଭୁଲ ବୁଝି ସାରିଛି ମ !

 

ଦିନକରଙ୍କର ଏକାନ୍ତ ଭାବନାକୁ ଦୋହଲାଇ ଦେଲା ପାହାନ୍ତୀ କାକଳୀ । ଆଲୁଅ ନିଷ୍ପ୍ରଭ ଦିଶିଲା । ଝରକା ବାହାରେ ଦିଶିଲା ଫିକା ଆଲୁଅର ପ୍ରକାଶ । ସେ ମନକୁମନ ଶିହରି ଉଠିଲେ । ଅଳସ ଭାଙ୍ଗିଲେ । ନିଜ କାନିରେ ସତେ କି ସେ ନିଜର କରୁଣ-କାରୁଣ୍ୟ ଶୁଣିବାକୁ ପାଇଲେ । ସେ ଅନୁଭବ କଲେ, ଯେପରି ତନୁଜାକୁ କେବଳ ସେ ସ୍ନେହ କରୁ ନ ଥିଲେ, ନିଜର ଅଜାଣତରେ ସେ ତାକୁ, ସେହି ଟିକି ହାସ୍ୟମୟୀ କିଶୋରୀ ବିଜୁଳି-ଲତାକୁ ତାଙ୍କର ଅନ୍ତର ତଳେ ପ୍ରଣୟ କରୁଥିଲେ । ସେହି ପ୍ରଣୟ ପାଖରେ ଧନରତ୍ନ ତୁଚ୍ଛ ।

 

ଦିନକର ପୋଷାକ ପିନ୍ଧୁଣୁ ମନକୁ ମନ ମୁଣ୍ଡ ହଲାଇ ନିଜ ଭିତରେ ନିଜକୁ ପ୍ରବୋଧନା ଦେଇ କହୁଥିଲେ, ଯିଏ ଯାହା ବୁଝୁ, ମୁଁ ସମ୍ମତ ହୋଇନାହିଁ । ଏ ବିଷୟରେ ଜଣେ ଆଉ ଜଣକୁ ପଚାରିଲେ, ସେ ପୁଣି ଅଦିନିଆଁ, ଆକସ୍ମାତିଆ, ରାତିଅଧିଆ; ବଳେ ବଳେ ଆସି ଘରେ ପ୍ରବେଶି ଅତିଥି, ସେ ଯାହା କହିଥାନ୍ତା ମୁଁ କେବଳ ତାହାହିଁ କହିଛି, ବରଂ ପ୍ରକାରାନ୍ତରରେ ବାରଣ କରି ଦେଇଛି ।

 

ଦିନକର ନିଜ ଗ୍ରାମକୁ ଜାଙ୍ଗୁଲୁ ଜାଙ୍ଗୁଲୁ ପାହାନ୍ତୀ ରାତିରେ ଯେତେ ଶୀଘ୍ର ସମ୍ଭବ ପଳାୟନ କରି ଆତ୍ମରକ୍ଷା କରିବାକୁ ପ୍ରସ୍ତୁତ ହେଉଥିଲେ । ସେ ଅନୁମାନ କରୁଥିଲେ ଯେ ପିଉସୀଙ୍କଠାରୁ ସମ୍ବାଦ ପାଇ କଳାବତୀଙ୍କର ପିତା ଓ ଅନ୍ୟମାନେ ସଙ୍ଗେ ସଙ୍ଗେ ତାଙ୍କ ଜେଜେପାଙ୍କ ପାଖକୁ ମଧ୍ୟସ୍ଥ ପଠାଇବେ । ହୁଏତ ପିଉସା ନିଜେ ବି ଯାଇ ପାରନ୍ତି । ରାତି ପାହିବା ସଙ୍ଗେ ସଙ୍ଗେ କଳାବତୀଙ୍କର ପିତା ଓ ଅନ୍ୟମାନେ ଆସି ତାଙ୍କୁ ବେଢ଼ିଯାଇ ପାରନ୍ତି । ସେ ଅକଳରେ ପଡ଼ିବେ । କାହିଁକି ପିଇସୀଙ୍କ ଆଗରେ ବୀରତ୍ଵ ଦେଖାଇ ସେ ଏଣୁ ତେଣୁ ବକିଲେ ।

 

ସେ ପଳାୟନ ପାଇଁ ପ୍ରସ୍ତୁତ ହୋଇ ବାହାରକୁ ଆସିଲେ । ମନ ଚଙ୍ଗ ଚଙ୍ଗ । କଳାବତୀଙ୍କ ଘର ଆରସାହିରେ । ବେଶି ଦୂର ନୁହେଁ । ପାଟିତୁଣ୍ଡର କ୍ଷୀଣ ଆବାଜ ଶୁଭୁଛି । ଆଲୋକମାଳାର ଝଲସ ଅନ୍ଧାରିଆ ପରିବେଶର ଗୋଟିଏ ଅଂଶ ଚାଳଘର ମଥାନମାନଙ୍କ ଉପରେ ଶୂନ୍ୟଆକାଶ ହାଲୋଳ କରୁଛି ।

 

କାହାକୁ ନ କହି ସେ ଚାଲିଯିବେ କିପରି ? ଅଭଦ୍ରତା ହେବ । ପିଉସୀଙ୍କ ଘରର ଅଧିକାଂଶ ଲୋକ କଳାବତୀଙ୍କ ଘରକୁ ଯାଇଥିବେ, ଘରେ ଯେଉଁମାନେ ଥିବେ ତାଙ୍କର ନିଦ ଭାଙ୍ଗି ନାହିଁ । ବେଶୀ ବେଳ ଅପେକ୍ଷା କରିବାକୁ ହେଲା ନାହିଁ । ଦାଣ୍ଡଧାଡ଼ି ଘର କଡ଼ରୁ ହରିକାନ୍ ଆଲୁଅ ଧରି କିଏ ଜଣେ ଘର ଆଗକୁ ଆସିଲା । ଦିନକର ତାକୁ ଚିହ୍ନନ୍ତି ନାହିଁ । ଚାକରଟିଏ ହେବ ପରା ! ସେ ମୁଣ୍ଡ ନୂଆଇଁ ଓଳିଗି ହେଲା । କହିଲା, ଆପଣ କ’ଣ ବାହାରିଲେଣି ? ଆପଣଙ୍କ ପିଉସା ମତେ ବରଗି ଖବର ପଠାଇଛନ୍ତି ।

 

କି ଖବର ? ଅନ୍ଧାର ଛାଡ଼ି ଆସିଲାଣି । ରାସ୍ତା ବେଶ୍ ଦିଶୁଛି । ମୋର ଜରୁରୀ କାମ ଅଛି । ମୁଁ ସଙ୍ଗେ ସଙ୍ଗେ ସାଇକେଲ୍‌ ଚଢ଼ି ଚାଲିଯାଉଛି । ତମେ ଏ ଖବର ତାଙ୍କୁ ଦେବ ।

 

ୟା କେମିତି ହେବ ଆଜ୍ଞା ? ରାତି ପାହିନାହିଁ । ଦଣ୍ଡା ବାଟ ଆହୁରି ସଫା ଦିଶୁ ନ ଥିବ । ବଳଦଗାଡ଼ି ସବୁ ଯା ଆସ କରି ଦଣ୍ଡାକୁ ଖାବୁଡ଼ା ଖମାଣ କରିଛି । ସାଁତାଣୀମାନେ ଆପଣଙ୍କୁ ଦେଖିବାକୁ ଆସୁଛନ୍ତି । ସକାଳ ହେଉ ଯିବେ ।

 

ଦିନକରଙ୍କର ତୁଣ୍ଡରୁ ବାହାରିଲା, ତମେ ତ ଦେଖୁଛ, କହିଦେବ, ମୁଁ ଖଣ୍ଡିଆ ଖାବୁରା ନୁହେଁ ।

 

ଏତିକି କହି ଦିନକର ସାଇକେଲ ଚଢ଼ି ଗାଁ ଦାଣ୍ଡରେ ଦ୍ରୁତ ବେଗରେ ସାଇକେଲ ଚଳାଇଲେ ।

 

ଗ୍ରାମ ରାସ୍ତା ପାରି ହୋଇ ଗହୀର ଦଣ୍ଡାରେ ପ୍ରବେଶୁଣୁ ଚାକରର ସମ୍ବାଦର ସତ୍ୟତା ଅନୁଭବ କଲେ । ସତେ, ଆଉ ଆଗେଇ ହେବନାହିଁ । ଖଣ୍ଡିଆ ଖାବଡ଼ା ସଙ୍ଗକୁ ଦଣ୍ଡା ରାସ୍ତାର ଠାଏ ଠାଏ ପାଣି ଜମିଛି । କାଦୁଅ ହୋଇଛି । ଠାଏ ଠାଏ ପୁଣି ଚିକିଟା ମାଟି ଟାୟାରକୁ ମଡ଼ଗାଡ଼୍ ସଙ୍ଗେ ଭିଡ଼ି ଦେଉଛି । ପାଦେ ଚଙ୍କି ହେଉନାହିଁ । ବୋଧହୁଏ ଏପାଖେ ଭଲ ଅସରାଏ ବର୍ଷା କୁଟି ଦେଇଥିଲା ।

 

ଗୋଟିଏ ଗଛମୂଳରେ ହୁଡ଼ା ଉପରେ ଫରଚା ହେବାଯାଏ ସେ ଅପେକ୍ଷା କରିବାକୁ ବାଧ୍ୟ ହେଲେ । ତାପରେ ଗମନ । ଖଣ୍ଡେଦୂର ଯାଇ ଅବତରଣ । ଅଦିନିଆଁ ବର୍ଷା କେବେ ହୋଇଥିଲା, ଠାଏ ଠାଏ ପାଣି ଜମି ରହିଛି । ଚତରା ହୋଇଛି । ପାଦରୁ ଜୋତା ମୋଜା କାଢ଼ି ସାଇକେଲରେ ଝୁଲାଇ, ସାଇକେଲକୁ କାନ୍ଧରେ ବୋହି ଚତରା ପାରି ହେବାକୁ ପଡ଼ୁଛି । ଦଣ୍ଡା କଡ଼ରେ କୋଇଲିଖିଆ କଣ୍ଟା ଗୋଡ଼ରେ ବାଜୁଛି । ଆହା, ଏ ପୁଣି କ'ଣ ହେଲା, ସାଇକେଲଟି ଲିକ୍‌ ହୋଇଗଲା !

 

ଦୁର୍ଦ୍ଦଶାର ସୀମା ନାହିଁ । ସାଇକେଲ ଗଡ଼ାଇ ଚାଲି ଚାଲି ଗମନ । ସବୁ ଦୁଃଖ ଭିତରେ ମନରେ ଟିକିଏ ସାନ୍ତ୍ୱନା - ନିଶ୍ଚିୟ ସେମାନେ ତାଙ୍କର ଅନ୍ୟ ବ୍ୟବସ୍ଥା କଲେ, ନୋହିଲେ ସେମାନେ ଦିନକରଙ୍କର ଜେଜେବାପାଙ୍କ ସଙ୍ଗେ ଦର୍‌ନାମ ଛିଣ୍ଡାଇ ବାହାଘରର ସମ୍ମତି ଆଣିବାକୁ ଅବଶ୍ୟ ଏହି ବାଟରେ ଯାଇଥାନ୍ତେ ।

 

ମେ ମାସ ମଝିଆମଝି । ଟାଣ ଖରା ନିଆଁ ବାଣ ପରି ମାରୁଛି । ମୁହଁ ଜଳି ଯାଉଛି । ଛାଇ ତଳେ ଅପେକ୍ଷା କରି କରି ଯିବାକୁ ପଡ଼ୁଛି । ଘରେ ମଙ୍ଗୁଳା କନ୍ୟା । ସେମାନଙ୍କର ଗରଜ ବଳେଇଛି । ଯଦି ସେମାନେ ଆସିଥାନ୍ତେ, ଦିନକରଙ୍କୁ ଭେଟି ଥାଆନ୍ତେ ।

 

ଆସିଲେ ନାହିଁ । ଭଲ ହୋଇଛି ! ଚାକର ହାତରେ ଯେଉଁ ଫୋପାଡ଼ିଲା ଖବର ସେ ଦେଇଥିଲେ, ପ୍ରାଣ ବିକଳରେ ପିଉସାଙ୍କ ଘର ଛାଡ଼ି ଯେପରି ସେ ଅନ୍ଧାର ଅପସରିବା ଆଗରୁ ପଳାଇ ଆସିଥିଲେ, ସେଥିରୁ ସେମାନେ ଯଦି ନିତାନ୍ତ ନିର୍ବୋଧ ହୋଇ ନ ଥାନ୍ତି, ନିଶ୍ଚୟ ବୁଝି ସାରିଛନ୍ତି ଯେ, ବାହା-ନିମିତ୍ୟ କାରବାର ‘ବାଟରେ ଦେଖିଲି କମାର ଦାଆ ପଜାଇ ଦେ ଆମର’ ପରିକା ବେପାର ନୁହେଁ । ସେ ଏଡ଼େ ଶସ୍ତା ନୁହନ୍ତି ଯେ, ସାମାନ୍ୟ କେଇ ହଜାର ଟଙ୍କା ନେଇ ନିଜକୁ ସେ ଗୋଟାଏ କାଳିଆ ଝିଅ ପାଖରେ ବିକି ଦେଇ ବଞ୍ଚିଥିବାତକ ହାତ ପାପୁଲିରେ ଲୁହ ପୋଛିବେ, ଅଖା ଧୋଇ ଗୁଣ ଗାଉଥିବେ ଓ ପ୍ରସ୍ତାଉଥିବେ ।

କଳାବତୀ ଅବରଜିଆ ଝିଅ । ଗାଁ କନିଆଁ, ଆଉ ଦିନକୁ ଆଉ ଦିନ ଅଛି, ପିଉସୀ ତ ନିଶ୍ଚୟ ତା ସମ୍ବନ୍ଧରେ ବଢ଼ାଇ କହିବେ । ତାଙ୍କୁ ପ୍ରଶଂସାରେ ଗୁରୁତ୍ଵ ଆରୋପ କରିବା ନିର୍ବୋଧତାର କାମ । ବଡ଼ପୁଅର ବାହାଘର, ନିଜ କୁଟମ୍ବର ଟେକ ରଖି ଅତି ଜାକ୍‌ ଜମକରେ କରିବାକୁ ପାଞ୍ଚହଜାର ଟଙ୍କାର ବାଣ, ଆଲୁଅ, ଫୁଲଝାଡ଼, ବଡ଼ବାଜା, ତେଲିଙ୍ଗିବାଇଦ ନେଇ ଆସିଥିଲେ ମଧୁପୁର ସାଆନ୍ତେ । କୋଡ଼ିଏ ଶବାରୀ–

ବାଇଦ ବାଜଣା ଶବଦରେ ଘଲୋଟି ଗାଁ ମୁଣ୍ଡ ଦୁଲୁକି ଉଠୁଥିଲା । ତୋପ ଆବାଜରେ ଆକାଶ ପବନ କମ୍ପି ଉଠୁଥିଲା । ତଥାପି, ମଧୁପୁର ସାଆନ୍ତେ କଳାବତୀଙ୍କ ରୁପଗୁଣର ସଠିକ୍‌ ଖବର ପାଇ, ତୋପ ଶବଦରେ ଫିଟିଲା ବଳଦ ହୁରୁଲା ପରି, ଲାଜ ଅପମାନ ଢୋକି, ଟଙ୍କାଗୁଡ଼ିଏ ପାଣିକୁ ଫୋପାଡ଼ି ବାହୁଡ଼ି ଗଲେ ।

ଭଲ କଲେ । କଳାବତୀ ଗୋ ! ତମକୁ ନ ଦେଖି ମଧ୍ୟ ମୁଁ ଜଳ ଜଳ ଦେଖି ସାରିଲିଣି । ମା କାଳିକ ! ହେଇଟି, ଏଇ ଉଦୁଉଦୁଆ ଦି’ ପହରେ, ଆମ ଗ୍ରାମମୁଣ୍ଡ ବାସୁଳେଈ ଠାକୁରାଣୀଙ୍କ କୋଚିଲା ବଣ ଭିତରେ, ମୋତେ ଦେଖି ହସିବାକୁ ତ କେହି ନାହାନ୍ତି, ମୁଁ ଜୁହାର ହେଉଛି । ତମେ ତେଣେ, ଆମେ ଦିନକର ଏଣେ ରହିଲୁ । କାନ ମୋଡ଼ି ହେଉଛି, ଆଉ କେବେ ଦିନେ ବୀରତ୍ଵ ଦେଖାଇ ପାଟିରୁ ଅନାବଶ୍ୟକ ଶବଦ ଆମେ ଖସାଇବୁ ନାହିଁ ।

କାହିଁ ମୋର ମନ-ଚୋରଣୀ ତନୁଜା, ଆଉ କାହିଁ ତମେ ! ହୁଁ - ହୁଁ - ହୁଁ -

ଦିନକର ବାବୁ ନିମିଷକରେ ଯେପରି ପଇଁତ୍ରିଶ ବର୍ଷ ତଳକୁ ଓହ୍ଲାଇ ଯାଇଥିଲେ, ଠିକ୍‌ ସେହିପରି କୁଦାମାରି ଡେଇଁ ଆସିଥିଲେ ବର୍ତ୍ତମାନକୁ । ନିର୍ବୋଧ ଛେଳି ଛୁଆଟିଏ ପରି ବଲବଲ କରି ଚାହିଁ ରହିଥିଲେ କଳାବତୀଙ୍କ ମୁହଁକୁ । ମିଁ ମିଁ କରି ନିମ୍ନସ୍ଵରରେ ଅନୁନୟ ଭରି କହିଲେ, ଅସମୟରେ ଆସି ପହଞ୍ଚିଛନ୍ତି, ନାରଣବାବୁ ମୋର ତ ମନେ ହେଉଛି, ସରକାରଘରୁ ସେ ତାଙ୍କର ବାକିଆ ପାଉଣା କିଛି ପାଇଛନ୍ତି ଯେ–

ଗୃହିଣୀ କଳାବତୀ ତାଙ୍କର ପାଖିକିଆ ପାକୁଆପାଟିର ଓଠ ନେଫଡ଼ି, ଅଧାଚନ୍ଦା ମୁଣ୍ଡ ଉପରକୁ ଓଢ଼ଣା ଟାଣି କହିଲେ, ଆହୁରି ଆଶା ରଖିଛ ? ତମଠାରୁ ବଳି ସରଳିଆ ନିର୍ବୋଧ ମଣିଷ କାହିଁ କେଉଁଠି ଥିବାର ଜଣାନାହିଁ ।

 

ଟେବୁଲ ଡ୍ରୟାର ଓଟାରି, ଚମଡ଼ାର ମନିପର୍ସଟି ଉଠାଇ ସେ ଦାଣ୍ଡଘରୁ ପ୍ରସ୍ଥାନ କଲାବେଳେ ଦିନକରଙ୍କର ମିନତିମିଶା ସ୍ଵରରେ କହିଲେ, ଦି’ କପ ଚା–

 

ମୁଣ୍ଡ ବୁଲାଇ, ମୁହଁ ‘‘ଛିଞ୍ଚାଡ଼ି, କାଳାବତୀ ଖେଙ୍କି ଉଠିଲେ, କ’ଣ ସୁଧ ଆଡ଼କୁ ?

 

ସେ ଅଦୃଶ୍ୟ ହେଲେ ।

 

ରସ-କଲ୍ଲୋଳ ବହିଟିକୁ ବୁଜି ତରବର ହୋଇ ଟେବୁଲର ଡ୍ରାୟାର୍‌ ଭିତରେ ଲୁଚାଇ ଦିନକରବାବୁ ମଲାଟ ନ ଥିବା ଆଉ ଖଣ୍ଡେ ବହି କାନ୍ଥ କଡ଼ରୁ ଗୋଟାଇ ହାତରେ ଧରିଲେ । ସେ ବହି ଖଣ୍ଡି କ’ଣ ସେ ଜାଣିବାକୁ ଚେଷ୍ଟା ନ କରି ଦାଣ୍ଡ କବାଟ ଖୋଲି ନାରାଣବାବୁଙ୍କୁ ସ୍ଵାଗତ ଜଣାଇଲେ ।

 

ତାଙ୍କର ଲମ୍ବା ତମ୍ବାଳିଆ ବଳିଷ୍ଠ ଦେହ ସାମାନ୍ୟ ମହଳ ଦିଶୁଛି । ପରିଷ୍କାର ହୋଇ ଖିଅର ହୋଇଥିବା ଲମ୍ବାଳିଆ ମୁହଁ ଚିକ୍‌ ଚିକ୍‌ ଦିଶୁନ୍ତି । ନାକଦଣ୍ଡା ଉପରେ କଳାଫ୍ରେମର ଚଷମା ତଳେ ଆଖି ଦିଓଟି ବେଶ୍‌ ଭାବପ୍ରବଣ ଦିଶୁଛି । ଦୁଇ ପାଟି ନକଲି ଧୋବ ଫର ଫର୍‌ ଦାନ୍ତ ଆପଣାଛାଏଁ ହସ ହସ ହେଉଛି । କପାଳମଝିରୁ ଦି ପାଖକୁ ନଇଁ ପଡ଼ିଥିବା ଘଞ୍ଚକେଶ, ଯାହା କଳାଧଳାର ସମାବେଶ, ଦିନକରଙ୍କର ଟାଙ୍ଗରା ମୁଣ୍ଡକୁ ସତେ କି ଉପହାସ କରିବାକୁ ଇତସ୍ତତଃ ହୋଇ ବେଖାତିର କରୁଛି । ପରିଚିତ ଖାକିକନାର ପୁରାପ୍ୟାଣ୍ଟ ଉପରେ ସେହି କନାର ହାୱାଇନ୍‌ ସାର୍ଟ ।

 

ନାରାୟଣ ବାବୁ ଅଭ୍ୟାସଗତ ପୋଲିସ ରୀତିର ଗୋଟାଏ ସାଲିଉଟ୍‌ କଲେ ଧର୍ମାବତାର ଦିନକରଙ୍କୁ । ପାଦର ପୁରୁଣା ଚପଲ ତାଙ୍କର ସଶବ୍ଦ ହେଲା । ସେହି ଶବଦ ସହସା ଦିନକରଙ୍କର ମୁଣ୍ଡକୁ ଥରେ ଝୁଙ୍କାଇ ଦେଲା ଅଚାନକ ଧର୍ମାବତାର ଢଙ୍ଗରେ । ସଙ୍ଗେ ସଙ୍ଗେ ଦୁହେଁ ସଚେତନ ହେଲେ ଯେ, ଭଦ୍ରତାର ଆଦାନପ୍ରଦାନ, ଅତୀତର ଅଭ୍ୟାସକୁ, ଅଜାଣତରେ ଅଚାନକ ନିୟନ୍ତ୍ରଣ କରିଦେଲା, ଯାହାକି ଅନାବଶ୍ୟକ ଥିଲା ।

 

ଦିଓଟି କଲବଲ ଘଣ୍ଟା ସେ ରହିଥିଲେ । ଦୁଇଥର ସେ ଚା’ ପାନ କରିଥିଲେ । ପ୍ରାୟ ଗୋଟିଏ ପ୍ୟାକେଟ୍‌ ବିଡ଼ି ସେ ଟାଣିଥିଲେ । ଖଣ୍ଡିକ ପରେ ଖଣ୍ଡେରେ ଅଗ୍ନି ସଂଯୋଗ କଲାବେଳେ ଇଂରେଜିରେ କହୁଥିଲେ, ମୁଁ ଭାବୁଛି ଆପଣ କିଛି ମନେ କରିବେ ନାହିଁ–

 

ସେ ତାଙ୍କର ଗଙ୍ଗାରୁ ଗଉତମ ଗପ ଆରମ୍ଭ କରି ଆଗେଇ ଯାଉଥିଲେ । ସେ ଗପ ଥାକକୁ ଥାକ । ଗୋଟିଏ ସରୁଣୁ ସଙ୍ଗେ ସଙ୍ଗେ ଆଉ ଗୋଟିଏର ଆରମ୍ଭ ।

 

ଦିନକର ଅନ୍ୟମନସ୍କ ହୋଇ ଶୁଣୁଥିଲେ ଓ ବିଚାର କରୁଥିଲେ, ବୋଧହୁଏ ଏ ଗପଟି ପରେ ସେ ପକେଟରେ ହାତ ଭରି ନେଇ ଟାଣିବେ, ଦିନକରଙ୍କ ଆଡ଼କୁ ବଢ଼ାଇ କହିବେ, ନିଅନ୍ତୁ, ଧରନ୍ତୁ ଏ ଟଙ୍କା, ଡେରି ହେଲା ବୋଲି କିଛି ମନେ କରିବେ ନାହଁ, ଇତ୍ୟାଦି ।

 

ସେ ବାରମ୍ବାର ପକେଟରେ ହାତ ଭରୂଥିଲେ ସତ, କିନ୍ତୁ ଟଙ୍କା ପରିବର୍ତ୍ତେ ସେ କାଢ଼ୁଥିଲେ ବିଡ଼ି, ଅବା ଦିଆସିଲି । ଗପି ଚାଲିଥିଲେ ସେ ସବୁ ପୁରୁଣା କଥା, ସତେ କି ଗ୍ରାମ୍ଫୋନର ପୁରୁଣା ରେକର୍ଡ଼, ଅବା ସେ ନିଜେ ଗୋଟାଏ ଟେପ ରେକର୍ଡ଼ର । କେଉଁ ବିଷୟରେ ସେ କ’ଣ କହିବେ, ଦିନକରଙ୍କୁ ସବୁ ଆଗରୁ ଜଣା ।

 

ଚାକିରି ଜୀବନରେ ତାଙ୍କର ସଚ୍ଚୋଟପଣ, ଦୁଃସାହସିକ କର୍ମ, ଉପରିକମାନଙ୍କର ପକ୍ଷପାତ ବିଚାର ଓ ଅବୁଝାବଣା କାରବାର, ସାଂସାରିକ ଜୀବନର ଦୁଃଖ, ଗୃହଣୀଙ୍କର ଅତ୍ୟାଚାର-

 

ଓଠରେ ନିରର୍ଥକ ହସ ବିକଶାଇ, ମୁଁ ସବୁ ଶୁଣୁଛି ସବୁ ବୁଝୁଛି ଓ ଆପଣଙ୍କର ଦୁଃଖରେ ସମବେଦନା ଜ୍ଞାପନ କରୁଛି, ଏହି ଭାବ ପ୍ରକଟାଇ ଦିନକର ଅନ୍ୟ ଚିନ୍ତାରେ ନିମଗ୍ନ ଥିଲେ ।

 

ନାରାୟଣ ମହାପାତ୍ର ବିଦାୟ ନେଇଗଲା ପରେ କଳାବତୀଙ୍କ ସଙ୍ଗେ ତାଙ୍କର ଯେଉଁ ଆଲୋଚନା ହେବ, ତାହାରି ରିହାର୍‌ସେଲ୍‌ ସେ ମନେ ମନେ କରୁଥିଲେ–

 

ଟଙ୍କା ଦେଲେ ?

 

ତୁମକୁ ସେବିଷୟରେ ଭୁଲିଯିବାକୁ ମୁଁ ବାରମ୍ବାର ଅନୁରୋଧ କରିଛି । ଜଣେ ଅଭାବଗ୍ରସ୍ତ ବନ୍ଧୁଙ୍କୁ ସାହାଯ୍ୟ କରିବା କ’ଣ ଆମର କର୍ତ୍ତବ୍ୟ ନୁହେଁ କି ?

ମୁଁ କ’ଣ ମନା କରୁଛି ? କିନ୍ତୁ ସେ ତ ସାହାଯ୍ୟ ମାଗି ନ ଥିଲେ । ସେ ଟଙ୍କା ଧାର ନେଇଥିଲେ । ମୁଁ ଶୁଝି ପାରିବି ନାହିଁ, ମୋତେ ଛାଡ଼ିଦିଅ ବୋଲି କେବେ ସେ ଅନୁରୋଧ କରି ନାହାନ୍ତି । ବରଂ, ଦେବେ ଦେବେ କହି ତମର ଉତ୍‌କଣ୍ଠା ବଢ଼ାଉଛନ୍ତି । ବାଜେ ଗଳ୍ପ କରି କାହିଁକି ଦୁଇ ଘଣ୍ଟା ନଷ୍ଟ କଲ ? ଚାରିକପ୍‌ ଚା–

ମୋର ଦୁଇ କପ୍‌ ବାଦ୍‌ ଦେଲେ–

ହଉ ଦୁଇକପ୍‌ ହେଉ-ସେତକ ପାଣିରେ ପଡ଼ିଲା ତ ! ମୋ ସାନକୁହା ମାନି ଯଦି ଦୁଇ ମିନିଟ୍‌ପାଇଁ ତମେ ବାଥ୍‌ରୁମରେ ପଶି ଥାଆନ୍ତ, ମୋ ହିସାବରେ ତିନିକପ୍‌ ଚା ବଞ୍ଚି ଥାଆନ୍ତା । ତମେ ଘରେ ନାହଁ ବୋଲି ମୁଁ ତାଙ୍କୁ ଖବର ପଠାଇ ବିଦା କରିଥାଆନ୍ତି–

କେକୀ ଯେ କେତେକୀର ସର୍ଟ ଫର୍ମ ।

କଳାବତୀ ନାମଟି ଲମ୍ବା ହେଉଛି ବୋଲି ଦିନକରଙ୍କର ଜନନୀ ତାଙ୍କର ଲକ୍ଷ୍ମୀ ବୋହୁଟି ପାଇ ଭାରି ସୁନ୍ଦର ନାମଟିଏ ଗେହ୍ଲାରେ ବାଛି ଦେଇଥିଲେ–କେତକୀ ! କଳାବତୀଙ୍କର ଦେହରେ ସାମାନ୍ୟ ମଇଳା ରଙ୍ଗଟି ଆଖିକୁ ଯେମିତି ଦିଶେ, ତାଙ୍କ ମନକୁ କେତକୀଫୁଲ ପରି ଦିଶିବ ଓ ଗୁଣାବଳୀ ସେମିତି ଗ୍ରାମସାରା ମହକିବ ବୋଲି ଦିନକରଙ୍କର ସ୍ନେହମୟୀ ଜନନୀ ବାଛି ବାଛି ଭଲ ନାମଟିଏ ଦେଇଥିଲେ ।

ସେହି ନାମକୁ ଜେଜେପା ପସନ୍ଦ କରିଥିଲେ; କାରଣ ଯୌତୁକ ଓ ଆଗତୁରା ଲାଭ କରିଥିବା ରାସ୍ତାଖର୍ଚ୍ଚ ବାବତ୍‌ ସାତ ହଜାର ଟଙ୍କା ପାଇ ସେ ଏତେ ଖୁସି ହୋଇ ଯାଇଥିଲେ ଯେ, ଟିକି ନାତୁଣୀବୋହୁ ତାଙ୍କ ଆଖିକୁ ଚମ୍ପାଫୁଲ ପରି ଦିଶୁଥୁଲା । ସେହି ଧାରଣା ସେ ପ୍ରଚାର କରିଥିଲେ ଏବଂ ଗେଲରେ କଳାବତୀଙ୍କର ନାମ ଚମ୍ପାବତୀ ଦେଇ ଖାଲି ଚମ୍ପା ଡାକିବେ ବୋଲି ବିଚାରୁଥିଲେ, କିନ୍ତୁ ତାଙ୍କର ଦୁଃଖିନୀ ରୋଗଣୀ ବୋହୁଙ୍କର ମନ ଊଣା ନ କରିବାକୁ ସେ ମନଖୁସିରେ କେତକୀ ନାମକୁ ସର୍ବାନ୍ତଃକରଣରେ ଅନୁମୋଦନ କଲେ; କିନ୍ତୁ ନାମଟିକୁ ଆହୁରି ଛୋଟ କରି ଡାକିଲେ କେକୀ ।

ଶେଷକୁ ସେହି ନାମଟି ରହିଗଲା । ସେହି ସୁନ୍ଦର ନାମ ମଧ୍ୟରେ ଦିନକର ଅନୁଭବ କଲେ ଯେ ସେ ତନୁଜାକୁ ହିଁ ପାଇ ପାରିଛନ୍ତି । ମଣିଷ ଦେହର ଗଠଣ ଯେ ସବୁ ସମାନ, ଯଦି କିଛି ବିଘଟଣ ନ ଥାଏ, ଆଉ କଳାବତୀ ଯେ ସତେ ଗୋଟିଏ ଚାଉଳରେ ଗଢ଼ା !

ଧଇଁସଇଁ ହୋଇ, ଲୁଗା ପଞ୍ଜାବୀ କାଦୁଅ ଛିଟାରେ ଚିତ୍ରିତ କରି ଦିନକର ଉପାସ-ଭୋକରେ ଯେତେବେଳେ ଘାଟିଲୋଗାଁରୁ ଆସି ଘରେ ମିଳିଲେ, ଦେଖିଲେ ଗ୍ରାମର ମୁରବୀମାନେ ତାଙ୍କ ଘରେ ରୁଣ୍ଡ ହୋଇଛନ୍ତି ଓ ତାଙ୍କର ଜେଜେପାଙ୍କୁ ବିବିଧ ବିଷୟରେ ପରାମର୍ଶ ଦେଉଛନ୍ତି । ବୁଝିବାରୁ ଜଣାପଡ଼ିଲା ଯେ, ଗଭୀର ବାଟରେ ତାଙ୍କ ଗ୍ରାମରୁ ଘଟିଲୋ ନାକସଳଖା ମୋଟେ ଅଢ଼େଇକୋଶ ବାଟ । ସେହି ବାଟରେ କଳାବତୀଙ୍କର ଦାଦି, ଦିନକରଙ୍କର ଆଳିଆ ଲେଖାରେ ବାଳିଆ ପିଉସା ଓ ଆଉମାନେ ଆସି ଦିନକରଙ୍କର ସମ୍ମତି ଜଣାଇ ଚାରି ହଜାର ନଗଦ ଜେଜେପାଙ୍କ ଗୋଡ଼ତଳେ ଥୋଇ ପକ୍‌କା ଜବାବ୍‌ ନେଇ ଫେରିଛନ୍ତି । ବାକି ବାଟଖର୍ଚ୍ଚ ବେଦୀ ଉପରେ ।

ସଦ୍ୟ ମଙ୍ଗନ ସଦ୍ୟ ବାହା ।

ଦିନକରଙ୍କ ପକ୍ଷରେ ଉଁ ଚୁଁ ହେବାର ଉପାୟ ନଥିଲା । ପିଉସୀଙ୍କ ଆଗରେ ବାହାଦୁରୀ ଗଳ୍ପର ପରାଭବ ହାତେ ହାତେ ମିଳିଗଲା । ସେ ଆପଣା ହସ୍ତେ ଜିହ୍ଵା ଛେଦି ସାରିଛନ୍ତି । ଜେଜେପା ବନ୍ଧା ପଡ଼ି ସାରିଲେଣି ପିଉସାଙ୍କ ମୁହଁରୁ କଳାବତୀଙ୍କ ରୂପ ଗୁଣର ଭୂୟସୀ ପ୍ରଶଂସା ଶୁଣି ଓ ପୁଅ ସେହି ସୁଲକ୍ଷଣୀ ଝିଅକୁ ବିବାହ କରିବାକୁ ଆଗ୍ରହୀ ହୋଇଛି ଜାଣି, ଦିନକରଙ୍କ ଗର୍ଭଧାରିଣୀଙ୍କର ପାଦ ଯାହା କହନ୍ତି, ତଳେ ଲାଗୁ ନ ଥାଏ ।

 

ଗ୍ରାମ ମୁରବୀଙ୍କର ତୁଣ୍ଡର ପ୍ରଶଂସାରେ ବାଟୁଳି ବାଜୁ ନ ଥାଏ-ପିଲାପରି ପିଲା ଖଣ୍ଡେ ଯେ ଆମ ଦିନକର । ଯେମିତି ବିବେକ, ସେମିତି ବୁଦ୍ଧି, ସେମିତି ନ୍ୟାୟ ବୁଝାମଣା ବୋଲି ଠାକୁରେ ତାକୁ ଅଫିସର କଲେ; ହାତରେ ପାବାର ଦେଲେ । ଦେଖ, ନିଜେ କିପରି ଗୋଟାଏ ସମ୍ଭ୍ରାନ୍ତ ବଂଶର ଟେକ ରଖିବାକୁ ଆଗୁସାର ହେଲା.... ।

 

ମଲି ମଲି ହୋଇ ସୁଧାର ପିଲାଟି ଦିନକର ବରବେଶ ପିନ୍ଧିବାକୁ ବାଧ୍ୟ ହୋଇଥିଲେ ଓ ତୋ କଥା ତୁହି ରକ୍ଷାକର, ଅସତ୍ୟ ନୁହ ସୌଦାଗର ହେଲେ ।

 

ହାତଗଣ୍ଠି ପଡ଼ିବାବେଳେ ତନୁଜା ଟିକିଏ ମନେ ପଡ଼ିଥିଲା, ପଇଁତ୍ରିଶ ବର୍ଷ ତଳେ ।

 

ନାରଣବାବୁଙ୍କର ପ୍ରଥମ ପତ୍ନୀ ସେ, ଆହା ! କେବଠାରୁ ସେ ସ୍ଵର୍ଗପୁରରେ–

Image

 

ସର୍‌ହଦ୍‌

 

ଦିଓଟି ଆମ୍ବତୋଟା ଲଗାଲଗି । ଦିଓଟି ସ୍ଵତନ୍ତ୍ର ପ୍ଳଟ । ଗୋଟିଏ ତୋଟାର ନାମ ଛ’ଗଛିଆ, ଆରଟିର ନାମ ନ’ଗଛିଆ । ଅଜାଙ୍କ ଅମଳର ତୋଟା । ସେମାନେ କାହୁଁ କାହୁଁ ଆଣି ବଛା ବଛା ଅସଲ ଅସଲ କିସମର ଗଛ ଲଗାଇଥିଲେ । ସେମାନେ ଫଳ ଚାଖି ସେପୁରକୁ ଯାଇ ନ ଥିଲେ । ତାଙ୍କ ଅମଳରେ ସବୁ ସମ୍ପତ୍ତି ଇଜ୍‌ମାଇଲ ଥିଲା । ରହିବାର କଥା, କାରଣ ଦୁଇ ଅଜାଙ୍କର ଏକା ନାହି ଦି’ଖଣ୍ଡ ଥିଲା ।

 

ଦୁଇ ଅଜାଙ୍କର ଦୁଇଟି ପୁଅ । ସେମାନେ ପାଠଶାଠ ପଢ଼ି ମଣିଷ ହେଲେ । ଘରର ସମ୍ପତ୍ତି ପରଙ୍କ ହାତରେ ଥୋଇ ଗାଁ ଛାଡ଼ି ବିଦେଶରେ ବୁଲିଲେ । ପିଲାଙ୍କୁ ସୁଖରେ ରଖିଲେ । ତଥାପି, ଗ୍ରାମର ମମତା ଏକାଥରେ ଭୁଲିଯାଇ ନ ଥିଲେ । କିଏ କେବେ ପିଲାକୁଟୁମ୍ବଙ୍କୁ ଆଣି ଗ୍ରାମରେ ଛାଡ଼ି ଯାଆନ୍ତି । ଦୁଇ ଚାରି ମାସ ଗ୍ରାମରେ ରହି ଅସୁବିଧାର ଆଳରେ ପୁଣି ଚାଲି ଯାଆନ୍ତି ବିଦେଶକୁ, ସେମାନଙ୍କର ସ୍ଵାମୀମାନଙ୍କ ପାଖକୁ ।

 

ଦୁଇ ଜା ଓ ସେମାନଙ୍କର ପିଲାକୁଟୁମ୍ବ ବେଳେ ବେଳେ ଗ୍ରାମରେ ଏକାଠି ହୁଅନ୍ତି । ଖୁସି ଆନନ୍ଦ ସଙ୍ଗେ ମନ ଫଟାଫଟି ବି ହୁଏ । ମୋ ପିଲା ତୋ ପିଲାର ହିଂସୁକା ବେଭାରରେ ଅଶାନ୍ତି ଜନ୍ମେ । ହାଣ୍ଡି ଭିନେ ହେଲା । ଇଜ୍‌ମାଇଲ୍‌ ସମ୍ପତ୍ତିରୁ ଉତ୍ପନ୍ନ ଧାନ, ମୁଗ, ଆମ୍ବ, ଦି’ଭାଗ ହୋଇ ବଣ୍ଟନ କରାଯାଉଥିଲା । ଜମିସବୁ ଭାଗଚାଷ କରହେଉଥିଲା ।

 

ସେମିତି କଟିଗଲା ବାପାଦାଦିଙ୍କ ଅମଳ । ବୁଢ଼ା ବୟସରେ ଶକ୍ତିରହିତ ହୋଇ ସେମାନେ ଗ୍ରାମରେ ରହିଲେ । ଖଜଣା ବାକିରେ ନିଲାମଯାଇ, ପୁଅ ଝିଅଙ୍କର ବାହା ନିମିତ୍ୟ, ପେଟପାଟଣା ବ୍ୟବସ୍ଥା ଇତ୍ୟାଦି ପାଇଁ କେତେ ଜମି ବିକ୍ରିବଟା କରାଯାଇ ଯାହା ବଞ୍ଚି ଯାଇଥିଲା, ସେଥିରେ ବର୍ଷକର ଢୋକ ଓ ଅନ୍ୟାନ୍ୟ ଖରଚ ତୁଲାଇ ସୁରୁଖରୁରେ ବେଳ କଟାଇବା ସମ୍ଭବ ହୋଇପାରୁ ନଥିଲା । ତେବେ ପିଲାମାନେ ନିଜ ଗୋଡ଼ରେ ଠିଆ ହୋଇ ସାରିଥିଲେ ।

 

ଆଖି ବୁଜିବା ଆଗରୁ ସେମାନେ ଯାହାହେଉ ଭଲ ବ୍ୟବସ୍ଥା କରି ଯାଇଥିଲେ, କଚ୍ଛ ପକାଇ ଜମିବାଡ଼ି ଘରଡ଼ିହ ଓ ବାଗବଗିଚା ଆପୋଷରେ ଦୁଇଭାଗ କରି ବାଣ୍ଟି କାଗଜରେ ଲେଖି ସେମାନେ ସ୍ଵାକ୍ଷର କରିଥିଲେ । ଗ୍ରାମର ବିଭୀଷଣମାନଙ୍କୁ ପାଲା ଲଗାଇବାର ସୁଯୋଗ ସେମାନେ ଦେଇଯାଇ ନ ଥିଲେ । ବଣ୍ଟୁଆରାରେ ଉଣେଇଶ୍‌ବିଶ୍‌ ଟିକିଏ ହେଲେ ହେଉ, ଗୁଳାପକାଇ ସମ୍ପତ୍ତି ଭିନେ କରାଗଲା । ଯାହା ଭାଗ୍ୟରେ ଯାହା ପଡ଼ୁ ଭାବନା ନାହିଁ ।

 

ବଣ୍ଟୁଆରା କାଗଜ ମୁତାବକ ନ’ ଗଛିଆ ଆମ୍ବତୋଟା ପଡ଼ିଲା ବଡ଼ ଭାଇଙ୍କର ପିଲାମାନଙ୍କ ଭାଗରେ ।

 

ଆଉ, ଛ’ ଗଛିଆ ତୋଟା ସାନଭାଇଙ୍କର ପୁଅ ଭାଗରେ । ଦୁଇ ତୋଟାର ମଝିରେ ହିଡ଼ ବାଡ଼ ତ ନ ଥିଲା, ସେଥିକି ଦୃଷ୍ଟି ଦେବାକୁ କାହାର ଗରଜ ବଳେଇ ପଡ଼ୁଛି ?

 

ବଡ଼ ଭାଇଙ୍କର ଚାରିପୁଅ । ସେମାନେ ଚାରିଅକ୍ଷର ପଢ଼ି ସରକାରଙ୍କ ଘରେ ନୌକରୀ କରନ୍ତି । ସେମାନଙ୍କର ଜ୍ୟେଷ୍ଠ ନରୋତ୍ତମ । ଅନ୍ୟ ଭାଇମାନଙ୍କୁ ଜାଣ ସେ ମଣିଷ କରିଛନ୍ତି । ସମସ୍ତେ ସେମାନଙ୍କର ପିଲାଛୁଆ ନେଇ ଦୂର ବିଦେଶରେ ବିଭିନ୍ନ ସ୍ଥାନରେ ଚାକିରୀ କରୁଥିଲେ । ଯାହା ରୋଜଗାର ଯାହାର, ଲୋକଦେଖାଣକୁ ସେମାନେ ଏକାନ୍ନବର୍ତ୍ତୀ; କିନ୍ତୁ ବହୁବର୍ଷ ହେଲା ସମସ୍ତଙ୍କର ଏକାଠି ରହିବାର ସୁଯୋଗ ମିଳି ନ ଥିଲା ।

 

ପୈତୃକ ସମ୍ପତ୍ତିକୁ ଚାରିଭାଗ କରି ବାଣ୍ଟିଦେଲେ ଜଣଙ୍କ ଭାଗରେ ଯେଉଁ ଦେଢ଼ ଏକର ସରସା ନିରସା ଜମି ପଡ଼ନ୍ତା, ତାକୁ ଚାଷ କରାଇବାର ଖରଚ ଉତ୍ପନ୍ନ ଫସଲର ମୂଲ୍ୟକୁ ବଳିପଡ଼ନ୍ତା । ତେଣୁ, ହାତଚାଷ କରିବାକୁ ସେମାନେ କେବେ ବିଚାରି ନ ଥିଲେ । ଜମିସବୁ ଭାଗବଖରା ଦିଆଯାଇଥିଲା । ପୋଥିଗତ ବିଦ୍ୟାପରି ପରହସ୍ତଗତ ଭୂମିର ଯାହା ଅବସ୍ଥା ହୁଏ, ତାହାହିଁ ହୋଇଥିଲା । ସେ ଦିଗକୁ ଭାଇମାନଙ୍କର ଦୃଷ୍ଟି ନ ଥଲା ।

 

ବଡ଼ଭାଇ ନରୋତ୍ତମ ବୁଢ଼ା ବୟସରେ କଟକକୁ ବଦଳି ହୋଇ ଆସିଲେ । ଗୃହଣୀ ବିନୋଦିନୀ ଯେପରି ସ୍ନେହୀ, ଉଦାର ଓ କର୍ମନିପୁଣା, ସେ ସେହିପରି ବିବେକୀ ଓ ମିତବ୍ୟୟୀ । ତାଙ୍କରି ପ୍ରରୋଚନାରେ କଟକରେ ଭଲ ଘର ଖଣ୍ଡିଏ ତୋଳା ହେଲା । ପିଲାକୁଟୁମ୍ବ ନେଇ ନରୋତ୍ତମ ସେହି ନୂଆଘରେ ରହିଲେ ।

 

ଦିଅରମାନଙ୍କୁ ବିନୋଦିନୀ ନିଜର ସାନଭାଇପରି ମଣନ୍ତି । ନିଜ ହାତରେ ସେମାନଙ୍କର ଯତ୍ନ ନେଇ, ନିଜେ ଦୁଃଖ ସହି ସେମାନଙ୍କୁ ଶାଗପାଣି ପେଇ ପାଠ ପଢ଼ାଇ ମଣିଷ କରିଥିଲେ । ଦିଅରମାନେ ତାଙ୍କୁ ତ ମାଆପରି ମଣିଥିଲେ; ଭକ୍ତି କରୁଥିଲେ । ଅଭାବର ତାଡ଼ନାରେ ନରୋତ୍ତମ କେବେ ବିଦେଶରେ ଥିବା ଭାଇମାନଙ୍କ ଉପରେ ବିରକ୍ତ ହେଲେ, ବିନୋଦିନୀ ବୁଝାଇ କହୁଥଲେ, ପିଲାଛୁଆ ନେଇ ସେମାନେ କିଏ କେଉଁଠି ବିଦେଶରେ ପଡ଼ିଛନ୍ତି, କାହାର କ’ଣ ଅଭାବ ତମେ ତ ଜାଣ ନାହିଁ, ସହାଯ୍ୟ ତ ନିଜେ ମାଗିଲ ନାହିଁ, ଅସନ୍ତୁଷ୍ଟ ହେଉଛ କାହିଁକି ?

 

ସାହାଯ୍ୟ ମୁଁ ମାଗିବି ?

 

ମୁଁ ଜାଣେ, ତମେ ମାଗିପାରିବ ନାହିଁ । ତମ ମନ କହୁଥିବ, କେମିତି ମାଗିବ, ସେମାନେ କିଏ କେଉଁ ଅବସ୍ଥାରେ ଅଛନ୍ତି, ତମୁକୁ ତ ଜଣା ନାହିଁ ! ସେମାନେ ଭଲରେ ଥାଆନ୍ତୁ, ଏହି କଲ୍ୟାଣ କର । ଆମର ଅଭାବ ଆମେ ସମ୍ଭାଳି ନେବା ଯେ !

 

ନରୋତ୍ତମ ତୁନୀ ରହନ୍ତି ।

 

ବିନୋଦିନୀ ଆର ଦିଅର ଓ ତାଙ୍କର ପିଲାଙ୍କୁ ମଧ୍ୟ ଭଲ ପାଆନ୍ତି । ଶଶୁରଙ୍କର ଦାଦିଙ୍କ ପୁଅ ଭାଇଙ୍କର ଏକୋଇର ବଳା ମୀନକେତନ, ଗେହ୍ଳାରେ ବଢ଼ି ପିଲାଦିନେ ଟିକିଏ ଉଚ୍ଛୁଙ୍ଖଳ ହୋଇଥିଲେ । ପଢ଼ାପଢ଼ିରେ ବିଶେଷ ଧ୍ୟାନ ଦେଇ ନଥିଲେ ପରଜୀବନରେ ଯେତେବେଳେ ତାଙ୍କୁ ସଂସାରର ବୋଝ ମୁଣ୍ଡାଇବାକୁ ପଡ଼ିଲା, ସେ ବେଶ୍‌ ହରବର ହୋଇଥିଲେ ।

 

ମୀନକେତନ ବିଦେଶୀ, କେଉଁ ରାଜୋଡ଼ା ଅଧୀନରେ ଗଡ଼ଜାତରେ ସେ କାମ କରୁଥିଲେ । ଅଳପ ଦରମା । ସ୍ତ୍ରୀ-ପିଲାଙ୍କୁ ପାଖରେ ନେଇ ‘‘ରଖିଲେ ଦିନାକେତେ, ପରେ ବିଦେଶରେ କରଜ ଦାମରେ ବୁଡ଼ି ଯାଆନ୍ତି । ଅସମ୍ଭାଳହୋଇ ବାଧ୍ୟ ହୋଇ ପୁଣି ସେମାନଙ୍କୁ ଗ୍ରାମରେ ଛାଡ଼ିଦେଇ ଯାଆନ୍ତି । କାଳକ୍ରମେ ମୀନକେତନ ତିନୋଟି ଝିଅ ଓ ଦୁଇଟି ପୁଅଙ୍କର ଜନକ ହେଲେ ।

 

ଚାକିରୀରେ ପଦୋନ୍ନତି ହେଲା । କିନ୍ତୁ ବେତନ ବୃଦ୍ଧି ସନ୍ତାନ ବୃଦ୍ଧି ସଙ୍ଗେ ସମତଳ ରଖିପାରିଲା ନାହିଁ । ଦାୟିତ୍ଵ ବଢ଼ିବାରୁ ମୀନକେତନଙ୍କର ପତ୍ନୀ ମନୋରମା ଆଉ ଗ୍ରାମରୁ ଗୋଡ଼କାଢ଼ି ସ୍ଵାମୀଙ୍କ ପାଖକୁ ଯିବାକୁ ମନକଲେ ନାହିଁ । ପିଲା ଛୁଆଙ୍କର ଭବିଷ୍ୟତ୍‌ ଚିନ୍ତା ତାଙ୍କୁ ତାଙ୍କ ସ୍ଵାମୀଙ୍କ ପାଖରୁ ଦୂରରେ ରହିବାକୁ ବାଧ୍ୟକଲା । ସ୍ଵାମୀଙ୍କର ସେବାଯତ୍ନ ନେବାର ସୁଯୋଗ ସେ ଆଉ ପାଇଲେ ନାହିଁ ।

 

ମନୋରମା ସୁଶ୍ରୀ, ମିଷ୍ଟଭାଷିଣୀ ଓ କର୍ମକୁଶଳା । ନିଜର ମଧୁର କଥା, ସ୍ନେହଶୀଳ ବ୍ୟବହାର ଓ ଅନ୍ୟର ଦୁଃଖରେ ସମ୍ବେଦନଶୀଳତା ପାଇଁ ନାଥପଡ଼ା ଗ୍ରାମର ଝିଅବୋହୂଙ୍କୁ ସେ ଆପଣାର କରି ପାରିଥିଲେ । ବୁଦ୍ଧିମତୀ ମନୋରମା ତାଙ୍କ ଶଶୁରଙ୍କର ଭୂ-ସମ୍ପତ୍ତିର ତତ୍ତ୍ଵାବଧାନର ଦାୟିତ୍ଵ ଧୀରେ ଧୀରେ ନିଜ ହାତକୁ ନେଲେ । ଭାଗଚାଷୀମାନଙ୍କଠାରୁ ଜମି ମୁକୁଳାଇ ନିଜେ ହଳ-ବଳଦ ଓ ମୂଲିଆ-କୋଠିଆ ରଖି ହାତଚାଷ କଲେ ।

 

ପୈତୃକ ସମ୍ପତ୍ତିରୁ ଯାହା ଅବଶେଷ ଥିଲା, ତାର ଆଠଅଣାର ଅଂଶୀଦାର, ନରୋତ୍ତମ ଓ ତାଙ୍କର ଭାଇମାନେ, କିନ୍ତୁ ଅନ୍ୟ ଆଠଣା ସମ୍ପତ୍ତିର ମାଲିକ ଏକା ମୀନକେତନ । ସେ ମନୋରମାଙ୍କର ବୁଦ୍ଧିକୁ ପସନ୍ଦ କଲେ । ସେ ନିଜେ ଯାହା କରିବାକୁ ସକ୍ଷମ ହୋଇ ନ ଥିଲେ ଓ ପରଘରେ ମୁଣ୍ଡବିକି ଚାକିରୀ କରିବା ଜୀବନକାଳ ମଧ୍ୟରେ ସକ୍ଷମ ହେବାକୁ ଆଶାକରି ନ ଥିଲେ, ମନୋରମା ବୃଦ୍ଧି ବଳରେ ତାହା କରିପାରିଲେ ।

 

ମୀନକେତନ ଉତ୍ସାହିତ ହେଲେ । ନିଜେ ବିଦେଶରେ ଦୁଃଖ କଷ୍ଟରେ ଚଳି ଯଥାସମ୍ଭବ ସଞ୍ଚୟ କରିବାକୁ ଚେଷ୍ଟାକଲେ । ସଞ୍ଚିତ ଧନ ରୀତିମତ ମନୋରମାଙ୍କ ପାଖକୁ ପଠାଇଲେ । ନାଥପଡ଼ା ଗ୍ରାମରେ ମୀନକେତନଙ୍କର ଘରବାରି ହସିଉଠିଲା । ତାଙ୍କର ସମ୍ମାନ ବଢ଼ିଲା । ମନୋରମାଙ୍କର ଘରକରଣା ଓ ବୁଦ୍ଧିର ପ୍ରଶଂସା ଲୋକମୁଖରେ ପ୍ରଚାରିତ ହେଲା । ପିଲା ପାଞ୍ଚୋଟି ଆନନ୍ଦରେ ରହିଲେ । ମନୋରମାଙ୍କର ସ୍ନେହ, ଶିକ୍ଷା ଓ ସାମୟିକ ଶାସନରେ ସେମାନେ ନିଜ ନିଜର କର୍ତ୍ତବ୍ୟରେ ହେଳା କଲେ ନାହିଁ । ଗ୍ରାମ ବିଦ୍ୟାଳୟରେ ପଠନ ସଙ୍ଗେ ତାଙ୍କର ମାଆଙ୍କୁ ଘରକାମରେ ସହାଯ୍ୟ କଲେ ।

 

ମୀନକେତନଙ୍କର ସଂସାର ସୁରୁଖୁରୁରେ ଚଳିଲା । ତାଙ୍କ କୁଟୁମ୍ବର ସୁଖର ଚଳଣିର ସମ୍ବାଦ ସହରରେ ରହୁଥିବା ନରୋତ୍ତମ ଓ ବିନୋଦିନୀଙ୍କର କାନରେ ବାରମ୍ବାର ଆଘାତ କଲା, କିନ୍ତୁ ସେମାନେ ନାଥପଡ଼ାରେ ଘର ସଂସାର ସ୍ଥାପନା କରିବାକୁ ମନ ବଳାଇଲେ ମଧ୍ୟ ଉଦ୍ୟମ କରିବାକୁ ପଛଘୁଞ୍ଚା ଦେଲେ । ସହରରେ ନୂଆ କୋଠାଘର ଖଣ୍ଡେ ତୋଳା ସରିଛି । ସେ ଘରେ ପାଣିକଳ, ବିଜୁଳି ଆଲୁଅ ଓ ବିଜୁଳୀପଙ୍ଖା ଖଞ୍ଜା ଯାଇଛି । ପାଇଖାନା ପକ୍‌କା, ଗାଧୁଆ ଘର ସ୍ଵତନ୍ତ୍ର । ଆଧୁନିକ ଯୁଗର ସଭ୍ୟତାର ସବୁ ସୁବିଧା ସୁଯୋଗ ଆପେ ଆପେ ଆସି ପାଖରେ ଅଜାଡ଼ି ହୋଇପଡ଼ିଛି, ପିଲାମାନେ ସେଥିରେ ଅଭ୍ୟସ୍ତ, ମଫସଲ ଜୀବନ ସେମାନଙ୍କୁ ଆରେଇବ ନାହିଁ ।

 

ବେଳେ ବେଳେ ନରୋତ୍ତମ ଏବଂ କେବେ କେମିତି ବିନୋଦିନୀ ନାଥପଡ଼ାକୁ ଯାଆନ୍ତି । ଚାରି ଭାଇଙ୍କର ସମ୍ପତ୍ତି, ଯାହାକୁ ନରୋତ୍ତମ ନିଜେ ଭୋଗଦଖଲ କରନ୍ତି, ତାର କଅଣ ଗୋଟାଏ ସୁବ୍ୟବସ୍ଥା କରିବାକୁ ମନ ବଳାନ୍ତି । କଣ ବା ସେ କରିପାରିବେ ? ଗ୍ରାମରେ ନ ରହିଲେ, ଗ୍ରାମ ଲୋକଙ୍କର ସୁଖଦୁଃଖ ସଙ୍ଗେ ନିଜର ସୁଖଦୁଃଖ ଜଡ଼ିତ ନ କଲେ, କି ସାହାଯ୍ୟ କି ସହାନୁଭୂତି ବା ସେମାନଙ୍କର ପାଖରୁ ସେ ଆଶାକରି ପାରିବେ ?

 

କିଛି ନାହିଁ । ପିଲାଦିନର ପରିଚିତ ବୁଢ଼ା ଓ ଦରବୁଢ଼ାମାନେ ହସି ହସି ସ୍ଵାଗତ ଜଣାନ୍ତି । ଭଲମନ୍ଦ ପଚାରି ବୁଝନ୍ତି । ଉପରଠାଉରିଆ ଉପଦେଶ ଦିଅନ୍ତି - କଟକରେ ପିଲାମାନେ ରହିଲେ ରହନ୍ତୁ, ଆପଣ ଗ୍ରାମକୁ ଚାଲି ଆସନ୍ତୁ ନରୁବାବୁ ! ଜମିସବୁ ହାତଚାଷ କରନ୍ତୁ, ଯେପରି କରିଛନ୍ତି ମୀନବାବୁ । ଭଲ ଲାଭ ହେବ । କେହି କେହି ପୁଣି ନିବର୍ତ୍ତାଇ କହନ୍ତି-ଲାଭ କଅଣ ହେବ, ବେଳକାଳ ଯାହା ହେଲାଣି, ଦେଉଳକୁ ମୁଖଶାଳା ବଳେଇବ । ଦେଖୁଛନ୍ତି ତ ଲୋକଙ୍କର ଢଙ୍ଗ, ଆ କହିଲେ ଯିବେ, ଯା କହିଲେ ଶୋଇବେ ।

 

ମନୋରମା ବିନୋଦିନୀଙ୍କୁ କହନ୍ତି, ସେମାନଙ୍କର କଥାରୁ କଅଣ ମିଳିବ ମ ଅପା ! ସେମାନେ ସମସ୍ତେ ଆଗ ନିଜ ନିଜର ଲାଭ କ୍ଷତି କଥା ବିଚାରନ୍ତି, ସେଇଠୁ କଥା କହନ୍ତି । ଲୋକେ ଯେଡ଼େ ମଗରା, ବୋଲଣା, ଉପରମୁହାଁ ହେଲେ ହୋଇଥାନ୍ତୁ, ପଇସା ପାଇଲେ, ସ୍ନେହ ଶ୍ରଦ୍ଧା, ଉପକାର ପାଇଲେ, ନିଶ୍ଚୟ ବୋଲ ମାନିବେ, କାମ କରିବେ । ସତ କଥା ଯେ କାମ ନ କରି ସୁସ୍ଥରେ ବସି, ପାଟିତୁଣ୍ଡ କରି, ଏବକା ମୂଲିଆ ମୂଲ ନେବାକୁ ଚାହାନ୍ତି । ତାଙ୍କୁ କାମ ଉପରକୁ ବରଗି ନିଜେ ନିଶ୍ଚିନ୍ତ ହେଲେ ଠକିବାକୁ ପଡ଼ିବ । ତେଣୁ, ତାଙ୍କମାନଙ୍କର କାମ ଉପରେ ନଜର ରଖିବାକୁ ହେବ । ଚଳିବ ଅପା, ଠିକ୍‌ ଚଳିବ ।

 

ମନୋରମା ବିନୋଦିନୀଙ୍କଠାରୁ ସାତ ସାନ । ବଡ଼ଜାଆ ବୋଲି ତାଙ୍କୁ ମନୋରମା ଭକ୍ତି କରନ୍ତି । ଦେଢ଼ଶୁର ନରୋତ୍ତମଙ୍କର ସେବା କରନ୍ତି । ଯେଉଁ ଦିନେ ଦୁଇଦିନ ଗ୍ରାମରେ ରହି ସେମାନେ ଭାଗ ଫସଲ ଚାଷୀମାନଙ୍କ ପାଖରୁ ଆଦାୟ କରନ୍ତି, ମନୋରମା ଓ ତାଙ୍କର ପିଲାମାନେ ସେ ଦୁହିଙ୍କର ଚର୍ଚ୍ଚା କରନ୍ତି । ତିନି ପୁରୁଷ ଛଡ଼ା ଭିନେହେଲା ଭାଇ ବୋଲି ଗ୍ରାମ ଲୋକଙ୍କ ମନରେ ଧାରଣା ଜନ୍ମାଇ ଦିଅନ୍ତି ନାହିଁ ।

 

ବିନୋଦିନୀ ସେମାନଙ୍କ ଭକ୍ତିରେ ମୁଗ୍‌ଧ ହୁଅନ୍ତି । ମନୋରମାଙ୍କର ଝିଅଟିମାନଙ୍କର ଚାଲିଚଳଣ ଓ ସୁଗୁଣ ଦେଖି ସେମାନଙ୍କୁ ପ୍ରଶଂସା କରନ୍ତି । ନିଜର ପିଲାଦିନର ଜୀବନ ସଙ୍ଗେ ମିଳାଇ ଦେଖନ୍ତି । ସବୁ ମିଳିଯାଏ । ଅଧିକା ଏତିକି ଯେ, ମନୋରମାଙ୍କର ଝିଅମାନେ ଭଦ୍ର, ବିନୟୀ ଓ ନମ୍ର ହେଲେ ବି ବେଶ୍‌ ନିନିର୍ଭିକ । ଘର କଣରେ ନିଜକୁ ଲୁଚାଇ ରଖନ୍ତି ନାହିଁ । ସ୍କୁଲକୁ ଚାଲିକରି ଯିବା ଆସିବା ଓ ଦରକାରୀ କାର୍ଯ୍ୟରେ ମନୋରମାଙ୍କ ଆଦେଶରେ ଗ୍ରାମ ଭିତରେ ଚଲାବୁଲା କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ ।

 

ବିନୋଦିନୀ ନିଜର ଝିଅମାନଙ୍କୁ ମନେ ମନେ ତଉଲନ୍ତି ଓ ଦୁଃଖ କରନ୍ତି । ତାଙ୍କର ଝିଅଟିମାନେ ବି ଭଲ ଯେ, ଭଦ୍ର, ନମ୍ର, ବୋଲର-ହାକର, ଭଲ ପଢ଼ୁଛନ୍ତି, ହେଲେ ଯେଉଁ କିନ୍ତୁ ଗୁଡ଼ିକ ସେମାନଙ୍କ ଚଳଣରେ ଖଞ୍ଜା ହୋଇଛି, ସେଗୁଡ଼ିକ କୁଆଡ଼େ ଆଧୁନିକ ସହରୀ ଜୀବନର ଲାବଣ୍ୟ । ସ୍ମୋ, ପାଉଡ଼ର୍‌, ଲିପ୍‌ଷ୍ଟିକ୍‌ ମୁହଁକୁ ଟିକିଏ ଆଉଜାତିଆ ସୁନ୍ଦର କରେ ଯେ, ଏ ଯେଉଁ ଚିପାପ୍ୟାଣ୍ଟ୍‌ ବଳାଗଣ୍ଠିରୁ ଅଣ୍ଟାଯାଏ ସେମାନେ ପିନ୍ଧନ୍ତି, ପାତଳ କନା ଚମକୁ ଚିପି ଧରିଥାଏ, ଆଉ ଦେହର ଚିପା ଜାମା ବି ସେହି ପରିକା ଜଙ୍ଘତଳ ଯାଏ ଛୁଇଁଥାଏ, ସେକାଳିଆ ମଣିଷଙ୍କ ଆଖିକୁ କିପରି ଅବାଗିଆ ଦିଶେ, ବିଶେଷତଃ ହଲି ଦୋହଲି ଚାଲିଲାବେଳେ ।

 

ସେମାନଙ୍କର ସାଙ୍ଗସାଥୀମାନେ ସେଇଆ କରୁଛନ୍ତି କୁଆଡ଼େ । ସୁନ୍ଦର ଦିଶୁଛନ୍ତି ପଞ୍ଜାବୀଘରର ଝିଅଙ୍କ ପରି । ବିନୋଦିନୀଙ୍କର ଝିଅମାନେ ସେହିପରି ସୁନ୍ଦର ନ ଦିଶିବେ କାହିଁକି ? ଦେଖାଶିଖା ଓଡ଼ିଶାଟି ! ସେମାନେ ନାଥପଡ଼ା ଗାଆଁ ରେ ଦିନଟିଏ ଚଳିପାରିବେ ନାହିଁ । ଗାଆଁର ସବୁଥିକି ସେମାନେ ନାକ ଟେକିବେ, ଆଉ ତାଙ୍କୁ ଦେଖି ଗାଆଁର ବିଲେଇ କୁକୁର ଯାଏ ନାକଟେକି ଡବ ଡବ କରି ଅନାଇବେ ।

 

ବିନୋଦିନୀ ମନୋରମାଙ୍କୁ କହନ୍ତି, ଆଲୋ ମନୁ ! ମୁଁ ତ ବୁଢ଼ୀ ହେଲିଣି, ହାତଚାଷ କଲେ ତୋପରି ମୁଁ ଦେଖାଶୁଣା କରିପାରିବି ନାହିଁ । ପିଲାଗୁଡ଼ାଙ୍କୁ ସହର ବଜାରରେ ରହିବାକୁ ଛାଡ଼ିଦେଇ, ମୁଁ ଘନ ଘନ ଗାଁକୁ ଆସି ଦକ ଦକ ହୋଇପାରିବି ନାହଁ । ତୋ ଦେଢ଼ଶୁର ଯଦି ପାରିବେ ତ କରନ୍ତୁ ।

 

ବିନୋଦିନୀଙ୍କର ପ୍ରରୋଚନା ଓ ମନୋରମାଙ୍କର ଉତ୍ସାହରେ ନରୋତ୍ତମ ସେହି ବର୍ଷ ହାତଚାଷ ଭିଆଣ କଲେ । ଅବସର ନେବାକୁ ମୋଟେ ତୋନୋଟି ବର୍ଷ ବାକି ଅଛି । ସେ ଭାବିଲେ–ଏବହୁଁ, ଯଦି ସେ କାମ ଆରମ୍ଭ କରିଦେବେ, ଚାକିରୀରୁ ମୁକ୍ତି ଲଭିଲା ବେଳକୁ ତାଙ୍କୁ ଆଉ ବେକାର ନିଷ୍କର୍ମ ହୋଇ ବସିବାକୁ ପଡ଼ିବ ନାହିଁ । ତାଙ୍କର ନିଷ୍ପତ୍ତିରେ ଭାଇମାନେ ସମର୍ଥନ ଜଣାଇ ମନଖୁସିରେ ଏହା ବି ଜଣାଇଦେଲେ ଯେ, ପୈତୃକ ସମ୍ପତ୍ତିରୁ କର୍ପୂର ଯାଇ ଯେଉଁ ଚିରାକନା ବକଟକ ପଡ଼ିଛି, ତାକୁ ପୁଣି ଚେନା ଚେନା କରି ବାଣ୍ଟିଲେ କାଦୁଅ ଛିଟାପରି ଜଣଜଣଙ୍କର ଭାଗରେ ଏଠି ସେଠି ଛିଡ଼ିକିଲା ପରି ଯେଉଁ ଭାଗ ପଡ଼ିବ, ତାହାର କୌଣସି ବ୍ୟବସ୍ଥା କେହି କରିପାରିବେ ନାହିଁ । ତେଣୁ ବଡ଼ଭାଇ ନରୋତ୍ତମ ସବୁ ସମ୍ପତ୍ତି ଭୋଗ ଦଖଲ କରନ୍ତୁ ।

 

ଭାଇମାନଙ୍କର ବିଭିନ୍ନ ଜାଗରେ ନୂଆ ସମ୍ପତି ଅଛି । ସେମାନଙ୍କର ଏ ପ୍ରକାର ନିଷ୍ପତ୍ତି ଠିକ୍‌ ହୋଇପାରେ; କିନ୍ତୁ ବିନୋଦିନୀ ଏଥିରେ ସନ୍ତୁଷ୍ଟ ହୋଇ ପାରିଲେ ନାହିଁ । ସେ କହିଲେ, ହଇ ହୋ ଶୁଣୁଛ, ପୈତୃକ ସମ୍ପତ୍ତିରୁ ବାଡ଼ି ଗୋବରେ ଗୋବେ ମିଳିଲେ ସାର; ସେତକ ପୂଣ୍ୟଭୂମି । ଏ ପିଲା ତିନିଟା କେବଳ ଦାୟିତ୍ଵ ଏଡ଼ାଇ ମୁହଁପୋଛି ନିଶ୍ଚିନ୍ତ ହେବାକୁ ମନ କରିଛନ୍ତି; ତମେ ତାଙ୍କ କଥା ଶୁଣ ନା ।

 

ନରୋତ୍ତମ କହିଲେ, ଜନ୍ମମାଟି ନାଥପଡ଼ାକୁ ଗୋଇଠା ମାରି ସେମାନେ ଦୂରେଇ ଯିବାକୁ ମନାସିଛନ୍ତି । ସେମାନେ ପୂରାପୁରି ସହରିଆ ହେଲେଣି । ଏକାକୁ ଏକା ପଇସା କମାଉଛନ୍ତି । ବଜାରରୁ ଆଣି ହାଣ୍ଡିରେ ପକାଉଛନ୍ତି । ଶସ୍ତା ନ ହେଲେ ବି ସୁବିଧା । ସେମାନେ ଗାଆଁକୁ ଡରି ଦୂରରୁ ଜୁହାର କରୁଛନ୍ତି ।

 

ଡରିବେ କାହିଁକି ! ଦେଖିଲ ତ, ମାଇପିଟାଏ ମନୋରମା, ଅଧେ ଆପଣା ଅଧେ ପର କରି କିପରି ପୁରୁଣା ଘରକୁ ହସାଇଲାଣି ? ଗାଆଁ କୁ ଆସିଲେ ମୀନକେତନ କିପରି ଗ୍ରାମଲୋକଙ୍କ ସଙ୍ଗେ ମିଶେ, ଜଣକ ହାତରେ ଆଉ ଜଣଙ୍କର ଜାଣ କାନ ଧରାଏ, ନିଜ କାମ ନିଜେ କରାଇ ନିଏ, ଅଥଚ କାହାକୁ ଧରାଛୁଆଁ ଦିଏନାହିଁ, ପଙ୍କକୁ ଗୋଡ଼ ବଢ଼ାଏ ନାହିଁ । ସବୁକଥା ମନୋରମା ମତେ କହୁଥିଲା । ତମେ ଓ ତମର ଭାଇମାନେ ବେଶୀ ପଢ଼ିଛ, ବେଶି ବୁଝିଛ ବୋଲି ଜାଣ ଡେଙ୍ଗୁରା ପିଟୁଛ, ବେଶୀ ପଇସା କମଉଛ, ତମେମାନେ ମୀନକେତନଙ୍କଠାରୁ ହୀନ ହଲ ?

 

ନରୋତ୍ତମ ହସିବାକୁ ଲାଗିଲେ । ହସ ସରିବାରୁ କହିଲେ, ମନୋରମାଙ୍କ ସଙ୍ଗେ ତମେ କାହିଁକି ସମାନ ନ ହେଲ ? ଗାଁ ପଲିଟିକ୍‌ସରେ ଟ୍ରେନିଂ ନ ପାଇଲେ ଗାଁରେ ଉଧେଇବା କଷ୍ଟ । କ’ଣ ବୁଝିଲ ନାଁ ? ଗାଁ ଗାଁକେ ଏବେ ଟାଉଟର ଭରା । ବିଶ୍ଵାସ କଲେ ମଲ, ବିଶ୍ଵାସ ନ କଲେ ଗଲ-। କାମ ନ କରି ପଲିଟିକ୍‌ସ ଖେଳି କେମିତି ରୋଜଗାର କରାଯାଇ ପାରିବ, ସବୁବେଳେ ସେମାନଙ୍କର ସେହି ଚିନ୍ତା । ମୋ ଭାଇମାନେ, ମୁଁ ମାନୁଛି ଟାଉଟରୀ କରିବାକୁ ଅକ୍ଷମ, ସେଇଥିପାଇଁ ସେମାନେ ଗ୍ରାମକୁ ଡରି ଦୂରରୁ ସଲମ କଲେ ।

 

ତମେ ବି ସେଇଆ କର ମ ! ତମ ଚାରିଭାଇଙ୍କର ଆଠଣା କିସ୍‌ମତ ସମ୍ପତ୍ତି ତମ ବଂଶର ପାରିଲା ପୁଅ ମୀନକେତନକୁ ଦେଇଦିଅ । କେଉଁ ସତ୍ରରେ କେଜାଣି ସେ ଭଲ ରୋଜଗାର କରୁଛନ୍ତି । ପେଟକାଟି-ବଣିଜ କରି ସେ ଦୁଇପ୍ରାଣୀ ବେଶ୍‌ ଚାରିପଇସା ହାତରେ ରଖି ପାରିଛନ୍ତି । ହାଉଲେ ହାଉଲେ, ଚଢ଼ାଦର ଦେଇ ସେ ଜମି କିଣୁଛନ୍ତି । ମୁଁ ତ ଭାବୁଛି, ହକ ଉଚିତ ଦର ଦେଇ ସେ ତମର ଭୂମିବାଡ଼ି ସବୁ କିଣି ନେଇ ପାରିବେ । ସେଇଆ କଲେ ଭଲ ହେବ । ସେହି ମୀନକେତନ ଏକା ଦଳବେହେରା କୁଳର ନାମର ଟେକ ନାଥପଡ଼ା ଗାଁରେ ରଖି ପାରିବ ।

 

ତମେ ଉପହାସ କରୁଛ ବିନ ?

 

ମୁଁ ସତ କହୁଛି । ମୋର ଅଳ୍ପ ବୁଦ୍ଧି । ମୁଁ ମାଇପି ଲୋକଟିଏ । ତମକୁ ଅଧିକ କଅଣ କହି ବୁଝାଇବି ? ତମର ପାଠୁଆ ଅଫିସର ଭାଇମାନେ ଗ୍ରାମର ଲୋକଙ୍କୁ ନୁହେଁ ଯେ, ଗ୍ରାମର ଅସୁବିଧାକୁ ଡରି ଦୂରରୁ ପ୍ରଣମି ଓହରିଗଲେ । ମୁଁ ଜଣେ, ତମର ପୁଅ ଝିଅମାନେ ଗ୍ରାମର ଅସୁବିଧାକୁ ଡରନ୍ତି, କିନ୍ତୁ ତମେ ଡରନାହିଁ । ତମର ଅସଲ ଡର ତମ ସାନମାନଙ୍କୁ ଓ ତମର ଗ୍ରାମଲୋକଙ୍କୁ । ସାନମାନଙ୍କୁ ତମେ ଛାଡ଼ି ପାରିବ ନାହିଁ । ଗ୍ରାମର ଲୋକଙ୍କୁ ତମେ ମୀନକେତନଙ୍କ ପରି ଆପଣାର କରିପାରିବ ନାହିଁ, କି ସାଧ୍ୟ କରିପାରିବ ନାହିଁ ।

 

ମୁଁ ଏସବୁ କିଛି ଚାହେଁ ନାହିଁ । ସମ୍ମାନ ପ୍ରତି ମୋର ସମ୍ମାନ ନାହିଁ । ଗ୍ରାମର ଲୋକଙ୍କୁ ମୁଁ ସାଧ୍ୟ କରିବାକୁ ଚାହେ ନାହିଁ । କାହିଁକି ଏ ଧାରଣା ମୁଁ ମନକୁ ଆଣିବି ? ଯୁଗ ଆମକୁ ଯେମିତି ନଚାଉଛି, ଆମେ ସେମିତି ନାଚୁଛୁ । ଚୋର, ଟସ୍କର, ଟାଉଟର ଓ ଜାଲିଆତ୍‌ ସହର ମୋଫସଲ ସବୁଠାରେ ଥିଲେ, ଏବେ ବି ଅଛନ୍ତି ବିନ ! କାହାକୁ କିଏ ସାଧ କରିବାର ଧାରଣା ମନକୁ ଆଣିବ ? ସହରରେ ରହ କି ମୋଫସଲରେ ରହ, ସାବଧାନ ହୋଇ ଚଳି ନିଜର ଆତ୍ମରକ୍ଷା କରି ପାରିଲେ ବଡ଼କଥା ।

 

ସ୍ଵାମୀଙ୍କର ମନ୍ତବ୍ୟ ଉପରେ ବିନୋଦିନୀ ଆଉ କିଛି କହିବାକୁ ସାହସ କଲେ ନାହିଁ । ସେ ଜାଣନ୍ତି, ନରୋତ୍ତମ ଆଣ୍ଡୁଆ ଲୋକ, କଅଣ ଯଦି ମୁଣ୍ଡରେ ପଶି ଯାଇଥିବ ତ ସହଜରେ ସେତକ ମୁଣ୍ଡଭିତରୁ ବାହାରିବ ନାହିଁ । ଯେ ଯାହା ବୁଝିଥିବେ ସେଇଆ; କୁକୁର ଲାଙ୍ଗୁଡ଼ ଆଉ ସିଧା ନ ହୁଏ ।

 

ନରୋତ୍ତମ ଦୀର୍ଘଶ୍ଵାସ ଛାଡ଼ି କହିଲେ, ମୁଁ ଜାଣେ ବିନ ! ମୀନକେତନ ତା’ର ଚାକିରି ଗ୍ରାମରେ ନିଶ୍ଚୟ ଅସଦ୍‌ଉପାୟରେ ଯଥେଷ୍ଟ ଧନ ଉପାର୍ଜନ କରୁଛି । ସେଥିପାଇଁ ବୋହୂ ମନୋରମା ଓ ପିଲାମାନଙ୍କୁ ଗ୍ରାମରେ ରଖିଛି । ଚୋର ମନ ସବୁ ବେଳ ଦକଦକ । ତେଣୁ ସେ ଯାହା ଗୋଟାଉଛି, ସେତକ ରୁଣ୍ତେଇ ମାସେ ଦି’ମାସରେ ଥରେ ଗ୍ରାମକୁ ଆସି ବୋହୂଙ୍କ ମାରଫତ୍ ଛାଡ଼ିଯାଉଛି । ସେହି ଧନରେ ବୋହୂ ନିଜ ନାମରେ ସମ୍ପତ୍ତି କିଣୁଛନ୍ତି ।

 

ବିନୋଦିନୀ ମନେ ମନେ ରାଗିଗଲେ । ତାଙ୍କର କ୍ରୋଧକୁ ଦମନ କରିବାକୁ ଚେଷ୍ଟା କରୁଣୁ, ତଳପାଟି ଓ ଉପର ପାଟିରୁ ଓପଡ଼ା ହୋଇଥିବା ଚାରୋଟି ଦାନ୍ତର ଫାଙ୍କବାଟେ ମେଞ୍ଚାଏ କ୍ରୋଧ ଭାଷା ହୋଇ ପଦାକୁ ଖସି ଆସିଲା, ସେତକ ତାଙ୍କର ପାରିଲାପଣ । ବୁଦ୍ଧି ଖଟାଇ ଆଉମାନେ ଯେମିତି ଭେଇ ପାରୁଛନ୍ତି, ସେ ସେହିପରି ଭେଇଲେ । ତମପରିକା ନିଦା-ବିଷ୍ଣୁ କିଏ ଅଛି ମ ! ଖାଲି ଗଧପରି ଦିନରାତି ବସି ଖଟୁଥିବ । ମାସ ଶେଷକୁ ସେହି ଦରମା ଗଣ୍ଡାକ ଯେ–

 

ବାଧା ଦେଇ ନରୋତ୍ତମ କହିଲେ, ସେତିକି କହିଥା । ମୁଁ କୁକୁର ଘୁଷୁରୀ ନୁହେଁ ଯେ, ସେହି ଘୁଅ ଚାଟିବାକୁ ଚାରିଆଡ଼େ ଧାଇଁବି । ଯେଉଁମାନେ ସେ ମଇଳା ସାଉଁଟି ଗଦେଇ ରଖୁଛନ୍ତି ରଖନ୍ତୁ । ମୀନକେତନ ଦିନେ ବେ-ପରବା ବଜାରୀ ଲଫଙ୍ଗା ଥିଲା । ଚାକିରୀ ନ କରି ସେ ଗାଁଟାଉଟର, କେଉଁ ପାର୍ଟିର କର୍ମୀ, ଏମେଲେ, ଛୋଟମନ୍ତ୍ରୀ, ବଡ଼ ମନ୍ତ୍ରୀ ଅବା ଯାହାପାରି ତା ହୋଇଥିଲେ, ଆଜି ଯାହା କରୁଛି ସେଇଆ କରି ଧନ ଭେଉଥାନ୍ତା । ଏବେ ସେ ମୀନ ଖିଅ-ଜାଲରେ କେରାଣ୍ଡି ଧରୁଥିବ । ସେ ଆଉ କଅଣ ହୋଇଥିଲେ ବଡ଼ଜାଲ ଖେଳାଇ ପୋହଳା ଭାକୁଢ଼ ଧରୁଥାନ୍ତା–

 

ତମର ଈର୍ଷା ହେଉଛି କି ?

 

ଈର୍ଷା ହେଉ ନାହିଁ ଯେ, ମନରେ ରାଗ ହେଉଛି । ପନ୍ଦର ଦିନ ତଳେ ସେ ଆମ ଘରକୁ ଆସିଥିଲା ନା ?

 

ସତର ଦିନ ତଳେ ସେ ଆସିଥିଲେ । ତାଙ୍କର କେଡ଼େ ଭକ୍ତି ! ପିଲାମାନଙ୍କୁ କେତେ ସ୍ନେହ କଲେ । କାହାକୁ ସେ ନ ଦେଇଛନ୍ତି କହିଲ ? ଜାମା, ଯୋତା, ବିସ୍କୁଟ - ଟିଣ, ବ୍ଲାଉଜ କନା, ସଲୁଆର କନା, ମୋ ପାଇଁ ଆରିସିପାନିଆଁ, ହାଣ୍ଡିଏ ମିଠେଇ, ତମେ ଖାଇଛ ତ ! ଗ୍ରାମକୁ ଗଲାବେଳେ ତାଙ୍କ ପିଲାଙ୍କ ପାଇ ମୁଁ ବିଶେଷ କିଛି ନେଇପାରି ନ ଥିଲି । ମତେ ଭାରି ଲାଜ ମାଡ଼ିଲା ।

 

ସତର ଦିନ ତଳେ ସେ ଆସି ମତେ ପଚାରୁଥିଲା, ମୁଁ କୁଆଡ଼େ ଛିଞ୍ଚାଡ଼ି ହୋଇ ପଡ଼ିଥିବା ଆମର କେଇଖଣ୍ଡ ଟୁକୁରା ଜମି ବିକ୍ରୀ କରିବାକୁ ବିଚାର କରୁଛି ବୋଲି ଶୁଣିଲା, କାରଣ ବିଲରୁ ଫସଲ ଚୋରୀ ହେଉଛି ଆଳରେ ଭାଗଦାରମାନେ ଭାଗ ଦେବାରେ ଟାଳମୂଳ କରୁଛନ୍ତି । ମୁଁ ଜାଣିବାକୁ ଚାହିଁଲି, କାହିଁକି ଏ କଥା ସେ ପଚାରୁଛନ୍ତି ? ଭାରି ଚାଇଁ ଖଣ୍ଡେ ସେ ମୀନକେତନ, ସଙ୍ଗେ ସଙ୍ଗେ ସେ ଉପଦେଶଗୁଡ଼ାଏ ବାନ୍ତି କଲା ଯେ, ପୈତୃକ ସମ୍ପତ୍ତି ବିକ୍ରୀ କରି ପରହାତକୁ ଟେକି ନ ଦେଇ ବରଂ ହାତରେ ଚାଷ କରାଇବାର ବ୍ୟବସ୍ଥା କରାଯାଉ ।

 

ବିନୋଦିନୀ କହିଲେ, ମୀନକେତନକୁ ଏଥିପାଇଁ ଅବିଶ୍ଵାସ କରିବାର କିଛି ନାହିଁ । ବହୁଦିନ ତଳେ ତମେ ତ ନିଜେ ଏହା ଗ୍ରାମରେ ପ୍ରକାଶ କରିଥିଲ । ସେ ପଚାରିଦେଲେ ବୋଲି ତମେ କାହିଁକି ଅନ୍ୟଥ। ଭାବୁଛ ? ସତେ ଯଦି ତମର ସେପରି ଅଭିପ୍ରାୟ ଥାଏ, ଦଳବେହେରାଘର ସମ୍ପତ୍ତି ଆଉ କାହାକୁ ନ ଦେଇ ମୀନକେତନକୁ ଦେଲେ ଭଲ । ସେ ତ ମାହାଳିଆ ନେବେ ନାହିଁ । ସେ ତ ଚୋରୀ କରି ଟଙ୍କା ଆଣିଲେ ତମର କି ଥାଏ ?

 

ନରୋତ୍ତମ କହିଲେ, ଏବେ ମୁଁ ବୁଝିଲି, ତମୁକୁ ଓ ତମ ପିଲାଙ୍କୁ ଲାଞ୍ଚ ଦେଇ ସେ ତା କାମ ହାସଲ କରିବାକୁ ଚକ୍ରାନ୍ତ କରିଥିଲା । ମୁଁ ବିଚାରୁଛି, ଆମର ଜମି ମୁଁ ହାତଚାଷ କରିବି । ରିଟୟାର କଲାପରେ ମୁଁ ନିଜେ ଯାଇ ଗ୍ରାମରେ ରହି ଦେଖାଶୁଣା କରିବି । ଛତରା, ଅପାଠୁଆ, ଲାଞ୍ଚଖିଆ ମୀନକେତନ ଯଦି ଗ୍ରାମରେ ଆସ୍ଥାନ ଜମାଇ ପାରିଲା, ମୁଁ ସେପରି ନ କଲେ ମୋର ଆତ୍ମସମ୍ମାନ ଉପରେ ଆଞ୍ଚ ଆସିବ ।

 

ବିନୋଦିନୀ କହିଲେ, ତମେ ଯାହା କରିବାର କର, ସେଥିରେ କେହି ବାଧା ଦେବେ ନାହିଁ; କିନ୍ତୁ ନିରୀହ ମୀନକେତନଙ୍କୁ ଗାଳି ଦିଅନାହିଁ । ନିଜ ଶିଙ୍ଗରେ ସେ ତା’ର ମାଟି ଖେଳୁଛନ୍ତି । ହାତପାତି ତମକୁ କେବେ କିଛି ମାଗି ନାହାନ୍ତି ।

 

ଚାକିରୀ ସରିବା ଆଗରୁ ନରୋତ୍ତମ ନାଥପଡ଼ାରେ ହାତଚାଷ ଆରମ୍ଭ କରିଦେଲେ । ପୁରୁଣା ଢିଅର ଦଦରା ଘରକୁ ଭାଙ୍ଗି ନ’ ଗଛିଆ ତୋଟା ପାଖରେ ନିଜର ସ୍ଵତନ୍ତ୍ର ଘର ସେ ତୋଳିଲେ ।

 

ଜମି ଦୁଇମାଣ ଆବୋରି ନୂଆ ବଗିଚା ସର୍ଜନା କଲେ । ଜମି ମଝିରେ ଛୋଟ ପୋଖରୀ, ବାଡ଼ କଡ଼ରେ ନଡ଼ିଆ, ବଗିଚା ଭିତରେ କଲମୀ ଆମ୍ବ, ଲିଚୁ, ସପେଟା, ଗୋଲାପଜାମୁଁ, କରମଙ୍ଗା, ନହରକୋଳି ଓ ଆଉ କେତେ ଜାତିର ମୂଲ୍ୟବାନ ଗଛ ସେ ରୋପିଲେ । ହାଉଲେ ହାଉଲେ ଅଉଳ କିସମର ଜମି ପାଞ୍ଚମାଣ ସେ କିଣିଲେ । ମନ ଲାଗିଗଲା ତ !

 

ଗ୍ରାମ ଲୋକଙ୍କର ସହଯୋଗ ମିଳିଲା । ହଳ, ବଳଦ, ଗାଈ । ସେମାନଙ୍କୁ ଚଳାଇବାକୁ ମୂଲିଆ । ଘରବାରି ଓ ଜମିର ତତ୍ତ୍ଵ ନେବାକୁ କାରପଟ୍‌ଦାର୍ । ଲାଭ କ୍ଷତିର ବିଚାର ସେ କରିବାକୁ ଚାହିଁଲେ ନାହିଁ । ସମ୍ମାନ କଥା ସେ ବିଚାରିଥିଲେ । ବିଖ୍ୟାତ ଦଳବେହେରା କୁଟୁମ୍ବର ବଡ଼ ଅଂଶର ବଡ଼ଭାଇ । ଟେକ ରଖିଲେ । ଟିକିଏ ଅବସର ମିଳିଲେ ସାଇକେଲ ଚଢ଼ି ସହରରୁ ଧାଇଁଲେ ଗ୍ରାମକୁ । ସେଇଠି ସେ ରାତି କଟାଇଲେ । ବାଟ ଦଶ ମାଇଲ ତାଙ୍କୁ ଦଶଖୋଜ ପରି ଲାଗିଲା ।

 

ନୂଆ ଘର ନୂଆ ବଗିଚା ହସିଉଠିଲା । ବୋଝ ବୋଝ ପନିପରିବା, ମକା, କାକୁଡ଼ି, ଓଉ, କରମଙ୍ଗା ସହର ବସାକୁ ଆସିଲା । ବସ୍ତା ବସ୍ତା ଧାନ, ମୁଗ, ବିରି, କୋଳଥ ରିକ୍‌ସାରେ ବୁହା ହୋଇ ଆସିଲା । ସମସ୍ତେ ଖୁସି । ନିଜେ ବିନୋଦିନୀ ବାରମ୍ବାର ଗ୍ରାମକୁ ଗଲେ । ସାଙ୍ଗରେ ପୁଅ ଝିଅ ବି କେବେ କିପରି ଗଲେ । ମମତା ଲାଗିଲା । ଆନନ୍ଦ ମିଳିଲା । ଗ୍ରାମର ଝିଅ ବୋହୂଙ୍କ ସଙ୍ଗେ ଚିହ୍ନାପରିଚ ହେଲା ।

 

ମନୋରମା ଓ ତାଙ୍କର ପିଲାମାନଙ୍କର ଆନନ୍ଦ କହିଲେ ନ ସରେ । ଗାଁ ମଝିରେ ଦଳବେହେରା ବଂଶର ପୁରୁଣା ଘର, ଆଉ ଗାଁ ଶେଷରେ ନରୋତ୍ତମଙ୍କର ନୂଆ ବଗିଚା ଓ ବଗିଚାଘର । ବିନୋଦିନୀ ଗ୍ରାମକୁ ଗଲେ ମନୋରମାଙ୍କର ଗୋଡ଼ ତଳେ ଲାଗେ ନାହିଁ । ନିଜେ ଆସି ସେ ବଡ଼ଜାଆଙ୍କର ଗୋଡ଼ରେ ହାତ ଦିଅନ୍ତି, ସୁବିଧା ଅସୁବିଧା ଖବର ବୁଝିଯାଆନ୍ତି । ଜାଆଙ୍କର ଅସୁବିଧା ଦୂର କରିବାକୁ ଚେଷ୍ଟା କରନ୍ତି । ବାରିବଗିଚା ବୁଲି ବୁଲି ଦେଖନ୍ତି, ଖୁସି ହୁଅନ୍ତି-। ବିନୋଦିନୀ ଉଧାର ସେରକ ତିନିପା କରନ୍ତି ନାହିଁ ।

 

ଦିଓଟି କୁଟୁମ୍ବ ଭିତରେ ସମ୍ପର୍କ ଥିଲା ଅତି ମଧୁର । କିନ୍ତୁ କାଳକ୍ରମେ ସେହି ସମ୍ପର୍କରେ ଆଞ୍ଚ ଆଣିଲା ସେହି ନ’ଗଛିଆ ଓ ଛ’ଗଛିଆ ତୋଟାର ମଝି ସର୍‌ହଦ୍ । ଦିଓଟି ପ୍ଳଟରେ ଖତିଆନ କାଗଜ ନରୋତ୍ତମ, ଅବା ମୀନକେତନ କେବେ ଦେଖି ନଥିଲେ । ପୁରୁଣା କାଗଜ ଓ ନକ୍‌ସା ନାଲିକନାରେ ବସ୍ତାନୀ ବନ୍ଧା ହୋଇ ମୀନକେତନଙ୍କ ଘରେ ରଖା ହୋଇଥିବା ଶିଶୁକାଠର ବଡ଼ ସିନ୍ଦୁକ ଭିତରେ କେବକାଳର କଳଙ୍କୀଲଗା ପୁରୁଣା ବାସନକୁସନ ଉପରେ ଥୂଆହୋଇଥିଲା । ସିନ୍ଧୁକ ଯେ ଅଣ୍ଟାଏ ଉଚ୍ଚର, ଚାରିହାତ ଲମ୍ବ । ତାଆରି ଭିତରେ ବସ୍ତାନୀଟା ଏପାଖ ସେପାଖ ହେଉଥିଲା । ମୀନକେତନ ତାକୁ ଖୋଲି ପୁରୁଣା କାଗଜରେ ଦୃଷ୍ଟି ପକାଇବାକୁ କେବେ ଆଗ୍ରହୀ ନ ଥିଲେ । ଆବଶ୍ୟକ ବା ଥିଲା କଅଣ ?

 

ତାଙ୍କ ବାଣ୍ଟରେ ପଡ଼ିଥିବା ସବୁ ଜମି ଓ ଛ’ଗଛିଆ ତୋଟାର ସେ ଦଖଲକାର ଅଛନ୍ତି । ଖଜଣା ଦେଇ ପାଉତି ହାସଲ କରୁଛନ୍ତି, ସେତିକି ଯଥେଷ୍ଟ । ତାଙ୍କର ଛ’ଗଛିଆ ତୋଟା ଓ ନରୋତ୍ତମଙ୍କର ନ’ଗଛିଆ ତୋଟା କେବେ ବାଡ଼ାବନ୍ଦି ହୋଇ ନ ଥିଲା । ଅନାବାଦୀ ଓ ଗୋଚରକୁ ଲାଗି ନ’ଗଛିଆ ଓ ଛ’ଗଛିଆ ସାମିଲ ତୋଟା ଗୋରୁ-ଗାଈଙ୍କର ଆଶ୍ରୟସ୍ଥଳ ହୋଇଥିଲା, ଗାଈ ଜଗୁଆଳ ଟୋକାଙ୍କର କ୍ରୀଡ଼ାଭୂମି ହୋଇଥିଲା । ଅସୁମାର ଛୋଟବଡ଼ ହୁଙ୍କା ଓ ଠାଏ ଠାଏ ବେତ ଓ କାନକୋଳି ଗଛରେ ପୂର୍ଣ୍ଣ । ଗୋଚର ଆଡ଼କୁ ଛାଡ଼ି ଛାଡ଼ିକା ଉଚ୍ଚ ନାଗଫେଣିଆ କଣ୍ଟା ଗଛ । ଗୋଦଣ୍ଡା ଆଡ଼କୁ କେତେ ବୁଦା ଝଙ୍କାଳିଆ କିଆବଣ । ଅକାଳେ ସକାଳେ ଛେଳି ଓ ଚରିଲା ଗାଈ ବଳଦରୁ ଗୋଟିଏ ଦୁଇଟିକୁ କାଠି ଛୁଇଁଥିଲା ।

 

ସେହି ଫଣାଟେକା ଜନ୍ତୁଙ୍କ ଡରରେ ସଞ୍ଜହେଲେ ତା ଭିତରକୁ ପାଦ ପକାଇବାକୁ କେହି ସାହସ କରନ୍ତି ନାହିଁ । ରାତିରେ ସେଠାରେ ବିଲୁଆ, ଗଧିଆ, କୋକିଶିଆଳ ନାଟ କରନ୍ତି । ମଶାଣିଟା ତୋଟା ପାଖରୁ ଅଧିକ ଦୂର ନୁହେଁ । ଛେରୁଆ ଡରୁଆ ଲୋକେ କହନ୍ତି, ସେହି ତୋଟାରେ ରାତିରେ ଭୂତପ୍ରେତଙ୍କର ତାମସା ଲାଗେ । ସେମାନେ ହସନ୍ତି, କାନ୍ଦନ୍ତି, କୁହାଟ ଛାଡ଼ନ୍ତି, ଫୁଟକି ମାରନ୍ତି, କଡ଼ କଡ଼ କରି ଦାନ୍ତ ବି ରଗଡ଼ନ୍ତି । ବେଳେବେଳେ ଚିରୁଗୁଣି ସେଠାରେ ନିଆଁ ଜାଳେ ।

 

ଏପରି ଗୋଟିଏ ଭୟଙ୍କର ବିପଦଜନକ ତୋଟା ସମ୍ବନ୍ଧରେ ନରୋତ୍ତମ ଓ ମୀନକେତନଙ୍କର ପିତାମାନଙ୍କ ଅମଳରୁ ଦଳବେହେରାଙ୍କ କୁଟୁମ୍ବର ପ୍ରାୟ ସମସ୍ତେ ବୀତସ୍ପୁହ ରହୁଥିଲେ । ବଡ଼ ବଡ଼ ବୁଢ଼ା ଗଛଗୁଡ଼ାକରୁ କାହିଁରେ କାହିଁରେ ଦୁଇ ଚାରି ବର୍ଷ ତଫାତ୍‌ରେ ବଉଳ ଧରେ । ଚଣାକଷି ଦିନରୁ ଗାଁ ପିଲାଏ ତା ଉପରେ ଅତ୍ୟାଚାର ଆରମ୍ଭ କରିଦିଅନ୍ତି । ତାଙ୍କ ସାଙ୍ଗକୁ ହନୁମାଙ୍କଡ଼ ଦଳ । ଚଞ୍ଚୁ ହେବାଯାଏ ଗୋଟିଏ ବି ରହେ ନାହିଁ । ଜାଣ, ମାଲିକ ଯିଏ ହେଉ, ତୋଟାର ଦଖଲକାର ଯେ ଗାଁ ଟୋକାଏ, ନରୋତ୍ତମ ଓ ମୀନକେତନ ଏହା ଜାଣନ୍ତି । ଏ ଦିଗରେ ସେମାନେ ମୁଣ୍ଡ ଖେଳାନ୍ତି ନାହିଁ ।

 

ସେ ବର୍ଷ ମୁଣ୍ଡ ଖେଳାଇଥିଲେ ମନୋରମା । ତାଙ୍କର କୋଠିଆ ଓ ଗାଈଜଗା ପିଲାଙ୍କ ପାଖରୁ ଖବର ପାଇଲେ ଯେ, ଛ’ଗଛିଆ ତୋଟାରେ ଭଲ ଆମ୍ବକଷି ରହିଛି । ବିଶେଷତଃ ନ’ଗଛିଆ ଆଡ଼କୁ ଯେଉଁ ତିନିଗଛ ଅଛି, ସେଥିରୁ ଗୋଟିଏ ଶିଳପୁଆ, ଗୋଟିଏ ଅମୃତପାଣିଆ ଓ ଆର କର୍ପୂରିଆ । ସେମାନେ ଉପଦେଶ ଦେଲେ ଯେ, ଟଙ୍କା ଆଠଦଶଟା ଖରଚ କଲେ, ସେହି ତୋଟା ଭିତରୁ ଓ ଗୋଚର ପଡ଼ିଆରୁ କଣ୍ଟା କଟାଇ, କଣ୍ଟା ବାଉଁଶ ଡାଳ କାଟି, ଛ’ଗଛିଆ ତୋଟାକୁ ଆବୋର କରାଯିବ । ଗଛର ଗଣ୍ଡିରେ କଣ୍ଟାଗଛ ଗୁଡ଼ାଇ ମୂଳରେ ନାଗଫେଣିଆଁ କାଟି ପକାହେବ-। ଗାଁ ପିଲାଏ ପଶି ପାରିବେ ନାହିଁ । ମାଙ୍କଡ଼ ଚଢ଼ି ପାରିବେ ନାହିଁ । ଝଡ଼ତୋଫାନରେ ଯେତେ ଝଡ଼ିଲେ ବି ଯାହା ରହିଯିବ, ଖରଚ ଟଙ୍କାର ଦଶଗୁଣ ଆଦାୟ ହୋଇପାରିବ ।

 

ଦିନେ ମନୋରମା ଓ ତାଙ୍କର ପିଲାମାନେ ତାଙ୍କର ଛ’ଗଛିଆ ତୋଟା ଦେଖିଲେ, ଖୁସିହେଲେ ଓ ଚାକର କୋଠିଆଙ୍କ ପ୍ରସ୍ତାବରେ ରାଜି ହେଲେ । ବାଡ଼ବନ୍ଦି କାମ ସରିଲା, ଛ’ଗଛିଆ ତୋଟା ଆବୋର ହେଲା । ନ’ଗଛିଆ ତୋଟାରେ ମଧ୍ୟ କେତୋଟି ଗଛରେ କାଁ ଭାଁ କଷି ଧରିଥିଲା, କିନ୍ତୁ ତା ପ୍ରତି ନରୋତ୍ତମଙ୍କର ଚାକର କୋଠିଆ ଦୃଷ୍ଟି ଦେଲେ ନାହିଁ । ଛ’ଗଛିଆ ଯେ ଆବୋର କରାହୋଇଛି, ସହରରେ ଥାଇ ଚାରି ପାଞ୍ଚ ଦିନରେ, ଅବା ସପ୍ତାହରେ ଶନିବାର ସଞ୍ଜରେ ଗ୍ରାମକୁ ଯାଇ, ରବିବାରେ ରହି ସୋମବାର ସକାଳୁ ଗ୍ରାମରୁ ସହରକୁ ଫେରୁଥିବା ନରୋତ୍ତମ ତା ଉପରେ ଦୃଷ୍ଟିପାତ କରି ମଧ୍ୟ ସତେକି ଦେଖିପାରୁ ନ ଥିଲେ ।

 

ଯେଉଁଦିନ ସେ ଦେଖିଲେ, ନୂଆବାଡ଼ ଏପାଖରେ ଠିଆହୋଇ, ତାଙ୍କର ମନରେ ଅନୁତାପ ଆସିଲା, ଈର୍ଷା ବି ହେଲେ । ପ୍ରତି ଗଛରେ କିଛି କିଛି ଜାତିଆ ଆମ୍ବ ତ ରହିଛି, କିନ୍ତୁ ମଝି ସର୍‌ହଦ୍‌ ପାଖରୁ ଦୁଇହାତ ଛାଡ଼ି ଠିଆହୋଇଛି ଯେଉଁ ବୁଢ଼ା ଆମ୍ବଗଛ, ତାର ଗୋଟାଏ ପାଖରେ ଆମ୍ବ ଖୁନ୍ଦି ହୋଇଛି । ଗଛର ମୂଳଟା ସିନା ଛ’ଗଛିଆ ତୋଟା ଭିତରେ କିନ୍ତୁ ଭରପୁର ଆମ୍ବ ଥିବା ଦୁଇଟି ଡାଳ ନ’ଗଛିଆ ତୋଟା ଭିତରକୁ ଲମ୍ବି ଯାଇଛି । ନ’ ଗଛିଆରେ ବି ବଉଳ ହୋଇଥିଲା, ଦଣ୍ଡାକଡ଼ରେ କୌଣସି ଗଛରେ ଗୋଟିଏ ବୋଲି ଆମ୍ବ ତାଙ୍କର ଦୃଷ୍ଟିରେ ପଡ଼ିଲା ନାହିଁ ।

 

ଆଉ ଏ କର୍ପୂରିଆ ଆମ୍ବ ! ତାର ପ୍ରଶଂସା ସେ ଗ୍ରାମବାସୀଙ୍କ ପାଖରୁ ଆଗରୁ କେବେ ଶୁଣିଥିଲେ । ଗତ ସନ ପତର ସନ୍ଧିରୁ ଖୋଜି ବାହାର କରି ତାଙ୍କ କୋଠିଆ ତା ମନକୁ ଦିଓଟି ଗଛପାକଲା ତୋଳି ତାଙ୍କୁ ଦେଇଥିଲା । ଛୋଟ ଆମ୍ବ, କିନ୍ତୁ ଟାକୁଆ ବି ଅତି ଛୋଟ ! ମହୁପରି ମିଠା ରସ ଓ ସେ ରସର ବାସ ଠିକ୍ କର୍ପୂରପରି । ଗୋଟିଏ ଖାଇଲେ ଦିନସାରା କର୍ପୂର ବାସନାର ହାକୁଟି ଆସୁଥିବ । ନରୋତ୍ତମ ଆଶା ଓ ଈର୍ଷାମିଶା ଆଖିରେ ପୁଣି ସେହି ଗଛକୁ ଚାହିଁ କଳନା କଲେ ଯେ, ଏ ବର୍ଷ ଅନ୍ତତଃ ଦଶପଣରୁ କାହାଣେ ଆମ୍ବ ସେ ଗଛରୁ ବାହାରିବ । ବାଡ଼କଡ଼କୁ ଘୁଞ୍ଚିଯାଇ ସେ ଉହୁଙ୍କି ଚାହିଁଲେ ଦେଖିଲେ, ଛ’ଗଛିଆର ଛଅଟିଯାକ ଗଛରେ ଆମ୍ବ ଅଛି । ତାଙ୍କର ମନ ହାଇପାଇଁ ହେଲା, ହନ୍ତସନ୍ତ ହେଲା । ମନେ ମନେ ସେ ପରାସ୍ତ ହେଲେ । ବିଜିତ ଲଢ଼ୁଆଳର ରୀତିରେ ମୁଣ୍ଡନୋଇଁ ସେ ତାଙ୍କର ବଗିଚା ଘରକୁ ବାହୁଡ଼ଣୁ ବିଚାର କଲେ, ଝିଅ-ବୟସର ଭାଇବୋହୂ ମନୋରମାଙ୍କ ସଙ୍ଗେ ଘରକରଣା ଯୁଦ୍ଧରେ ଅନ୍ତତଃ ଏହି ବିଚାରକ୍ଷେତ୍ରରେ ସେ ହାରି ଯାଇଛନ୍ତି । ମନେ ମନେ ମୀନକେତନଙ୍କର ସେହି ପକ୍‌କା, ଚଉଆଖିଆ, ବିଜୁଳିଲତା ଘରଣୀଙ୍କୁ ସେ ପ୍ରଶଂସା ନ କରି ରହିପାରିଲେ ନାହିଁ । କିନ୍ତୁ, ତାଙ୍କର ପ୍ରଶଂସା ଭିତରେ ଟିକିଏ ଅଶାନ୍ତି ଓ ଈର୍ଷାର ଭାବ ଲୁଚକାଳି ଖେଳୁଥିଲା ।

 

ବିନୋଦିନୀଙ୍କୁ ସେ କିଛି କହିଲେ ନାହିଁ । ଏ ମଧ୍ୟରେ ଯେତେ ଥର ସେ ଗ୍ରାମକୁ ଯାଇଛନ୍ତି, ଛ' ଗଛିଆ ତୋଟାଆଡ଼େ କେବେ ଯାଇ ନାହାନ୍ତି । ଦୂରରୁ ସେ ତୋଟା ଆଖିରେ ପଡ଼ିଲେ ଆଖି ବୁଲାଇ ନେଇ ଭାବିଛନ୍ତି ଯେ, ଆସନ୍ତା ବର୍ଷ ଯଦି ତାଙ୍କର ନ' ଗଛିଆ ତୋଟାରେ ବଉଳ ଧରିବ, ସେ ବି ତୋଟାକୁ ଆବୋର କରିବେ, ତୋଟା ତଳ ନିର୍ମଳ କରାଇବେ, ଗାଁ ଟୋକା ଓ ଗାଈବଳଦ ଗୋଠଙ୍କର ଉତ୍ପାତରୁ ତାକୁ ରକ୍ଷା କରିବେ ।

 

ପଣାସଙ୍କ୍ରାନ୍ତି ଯିବାର ଦୁଇ ସପ୍ତାହ ପରେ, ସେ ଦିନ ଅପ୍ରେଲମାସ ସତେଇଶ ତାରିଖ, ରବିବାର, ସମୟ ସକାଳ ଦଶଟା ହେବ, ନରୋତ୍ତମଙ୍କର କୋଠିଆ ଆସି ଖବର ଦେଲା, ସାଆନ୍ତେ-! ଆଜି ଛ’ଗଛିଆ ତୋଟାରୁ ଆମ୍ବ ପରାହେଉଛି । ସାନ ସାଆନ୍ତାଣୀ ଆଉ ତାଙ୍କର ପୁଅଝିଅମାନେ ସେଇ ତୋଟାରେ ଅଛନ୍ତି ଯେ–

 

ନରୋତ୍ତମ ରାଗିଉଠିଲେ । ପଚାରିଲେ, ତୋର କ’ଣ ଗଲା ? ସେଇଠି ଥାଇ ଆମ୍ବତୋଳା ଦେଖୁଥିଲୁ ପରା ! ସେଇଥି ପାଇଁ ଏତେ ଡେରି କଲୁ ?

 

ଆସୁଥିଲି, ସାନ ସାଆନ୍ତାଣୀ ମୋତେ ଡାକିଲେ ।

 

ତୁ ସେଠାକୁ ଗଲୁ କାହିଁକି ? ଏତେବେଳଯାଏ ଗୁହାଳ ସଫା ହୋଇ ନାହିଁ । ଯେଉଁ ନଡ଼ିଆ ପଣକ ତୋଳା ହୋଇଥିଲା, ସବୁଥିରୁ କତା ଛଡ଼ା ହୋଇନାହିଁ । କଟକ ବସାକୁ ଯିବ କିପରି-? ହଇରେ, ସହରଫେରନ୍ତି ରିକ୍‌ସା ଠିକ୍‌ ହେଲା ? ଛାଇ ନେଉଟିଲେ ମୁଁ ସିନା ସାଇକେଲରେ ଯିବି, ଜିନିଷପତ୍ର ସବୁ ରିକ୍‌ସାରେ ନ ପଠାଇଲେ ଯିବି କିପରି ? ମୂଲିଆ ନେଇ ପାରିବ ନାହିଁ ।

 

ରିକ୍‌ସା ମୁଁ ଯୋଗାଡ଼ କରିଛି । କାମତକ ଶୀଘ୍ର ସାରିଦେବି । ସାନ ସାଆନ୍ତାଣୀ ରିକ୍‌ସା ଯିବାକଥା ପଚାରୁଥିଲେ । ଆପଣ ଚୁଡ଼ା, ନଡ଼ିଆ, କଦଳୀ, ଛେନା ଚକଟି ଖାଇ କଟକ ଫେରିବେ ବୋଲି ମୁଁ କହିଲାରୁ ସେ ହସିଲେ ।

 

ହସିଲେ ? କାହିଁକି ସେ ହସିଲେ ? ତୁ ଚଗଲା ଆମ ଘର ହାଲଚାଲ ଉପରେପଡ଼ି ତାଙ୍କ ଆଗରେ ଗପିଲୁ ବୋଲି ସିନା ସେ ଉପହାସ କରି ହସିଲେ ! ମୁଁ ଦେଖୁଛି ତୁ ତ ମାଡ଼ ମୁଲେଇଲୁଣି !

 

କିଏ ରାନ୍ଧୁଛି, କି ତରକାରୀ ହେଉଛି, ସାଆନ୍ତଙ୍କର ମାଛରେ ଶରଧା, ଏମିତି କଥା ମତେ ସାନସାଆନ୍ତାଣୀ ପଚାରିବାରୁ ସିନା ମୋ ତୁଣ୍ଡରୁ ସତକଥା ବାହାରିଗଲା !

 

ବୁଢ଼ା ଦେଢ଼ଶୁରଙ୍କୁ ଥଟ୍ଟା କଲେ ନା ! ମୋ ବୁଦ୍ଧିରୁ ତାଙ୍କ ବୁଦ୍ଧି ଭାରି ସରସ, ଏଇଆ ମତେ ଜଣାଇ ଦେବାକୁ ସେ ତତେ ପାଖକୁ ଡାକି ତାଙ୍କର ଆମ୍ବସମ୍ପଦ ଦେଖାଉଥିଲେ ? ହଇରେ ଖବରଦାର୍, ଆଉଦିନେ ଯଦି ଏଠାକା ଖବର ନେଇ ଦାଣ୍ଡରେ କାହା ଆଗରେ ଗପିବୁ, ସେଇଦିନ ତତେ ଏଠୁ ନିକାଲିବି ।

 

ସତର ଅଠର ବର୍ଷର କୋଠିଆ ଟୋକା ଆଉ ଗୋଟାଏ ଗହନ ଖବର ଦେବାକୁ କଲବଲ; କିନ୍ତୁ ବୁଢ଼ା ନରୋତ୍ତମଙ୍କର ଫଣ ଫଣ ମୁହଁ, ରଙ୍ଗ ଆଖି ଦେଖି ସେ ତା’ର ମନକଥା ଖୋଲିଲା ନାହିଁ । ସେ ବି ରଗ ରଗ ହୋଇ ଗାଣ୍ଡୁଆ ଓ ବଢ଼ିଣା ନେଇ ଗୁହାଳ ଭିତରେ ପଶିଲା । ଗୋଡ଼ ପେଣ୍ଡାର କଣ୍ଟା ଆଞ୍ଚୁଡ଼ା ଜଳିବାକୁ ଲାଗିଲା । ନାଗଫେଣିଆଁ କଣ୍ଟା ବାଁ ପାଦତଳୁ ସେ ଓଟାରି କାଢ଼ିଦେଲା ସିନା ପାଦତଳ ବିନ୍ଧା ଛିଟିକା କରୁଛି ।

 

ଗୁହାଳ ସଫା କରୁଣୁ ସେ ଖାଲି ଗୁଣୁ ଗୁଣୁ ହୋଇ ନିଜକୁ ନିଜେ କହୁଥିଲା–ଏ ପାଖରୁ ଗଣିଲେ ଆଠ, ସେପାଖରୁ ଗଣିଲେ ଆଠ, ମଝିରେ ଠିଆହୋଇ ଦି’କଡ଼କୁ ଚାହିଁ ଗଣିଲେ ବି ଆଠ-। ଆଉ ଗୋଟାଏ ଗଲା କୁଆଡ଼େ ? ତୋଟାର ନାମ ଆଠ’ଗଛିଆ ନୁହେଁ, ନ’ଗଛିଆ । ନିଶ୍ଚୟ ଗୋଟାଏ ଗଛ ଚୋରି ହୋଇ ଯାଇଛି ।

 

କିଏ ଚୋରିକଲା, କେବେ ଚୋରି ହେଲା ରାବଣାର କି ଥାଏ ? ବୁଢ଼ା ସାଆନ୍ତ ରଗ ରଗ ହେଉଛନ୍ତି । ଧମକ ଦେଲେଣି, ଚାକିରିରୁ ତଡ଼ି ଦେବେ । ତାଙ୍କର ପଚାଶ କି ଶହେ ଟଙ୍କାର ବୁଢ଼ା ଆମ୍ବ ଗଛକୁ ସାନ ସାଆନ୍ତାଣୀ ଚୋରି କଲେ କରନ୍ତୁ, ରାବଣ ଭାବିଲା, ସେ ମୁହଁ ଖୋଲିବ ନାହିଁ । ମୁହଁ ଖୋଲିଲେ ଚାକିରି ଯିବ ।

 

ନିତ୍ୟକର୍ମ ସାରି, ତୁଳସୀ ଚଉରାରେ ପାଣି ଢାଳି, ନରୋତ୍ତମ ଚୂଡ଼ା ଚକଟା କରିବାକୁ ସଜ ହେଉଥିବାବେଳେ ମୀନକେତନଙ୍କର ବଡ଼ ଝିଅ ଅତସୀ ଓ ସବା ସାନ ଝିଅ ଅଦିତି ହାତରେ ଦିଓଟି ପିତ୍ତଳର ଟିଫିନ୍‌କାରିଅର ଧରି ଉପସ୍ଥିତ ହେଲେ । ବଡ଼କୁ ପନ୍ଦର ହେବ ଓ ସାନକୁ ସାତ ପୂରିଥିବ । ରଙ୍ଗ ଟିକିଏ ଉଣା ହୋଇପାରେ କିନ୍ତୁ ମୁହଁଟିମାନ ସୁନ୍ଦର, ମୀନକେତନର ବରଗ । ଭଲ ସ୍ଵାସ୍ଥ୍ୟ, ପରିଷ୍କାର ଧୋବଲୁଗା ଦିହେଁ ପିନ୍ଧିଛନ୍ତି । ଆଖିରେ କଜଳ ନାଇଛନ୍ତି । ଦଳବେହେରା ଘରର ଝିଅମାନଙ୍କ ପରି ଦିଶୁଛନ୍ତି । ଯେମିତି ଲାଜ ଲାଜ, ସେମିତି ସଣ୍ଠଣା । ନରୋତ୍ତମଙ୍କ ଆଖିକୁ ପିଲା ଦିଓଟି ତାଙ୍କର ସେକାଳର ଭଉଣୀ ଅବା ପିଉସୀମାନଙ୍କ ପରି ଦେଖାଗଲେ । ଖାଲି ତଫାତ୍ ଏତିକି ଯେ ମୁଣ୍ଡ ଉପରେ ଦେଉଳିଆ ଜୁଡ଼ା ନାହିଁ, ନାକ ଫୋଡ଼ି ସେମାନେ ଦଣ୍ଡୀ ଝୁଲାଇ ନାହାନ୍ତି ।

 

ସେମାନଙ୍କୁ ଦେଖି ନରୋତ୍ତମ ଭାରି ଖୁସି ହେଲେ । ଭାବିଲେ, ସହସା ତାଙ୍କ ପୂର୍ବପୁରୁଷଙ୍କର ହଜିଲା ମହତଯୁଗ ଫେରିଆସିଛି । ମା ଖୁଡ଼ୀଙ୍କ ପରି ଝିଅ ଦୁହେଁ ନରୋତ୍ତମକୁ ଖୋଇଲେ ପେଇଲେ । ମନୋରମା ଯେଉଁ ଖାଦ୍ୟ ପଠାଇଥିଲେ, ଅତି ସାଧାସିଧା ହେଲେ ବି ଭାରି ରୁଚିକର । ମାଗୁର ମାଛର ବେଶର, ପାଣି କଖାରୁ ସାକର ତାଙ୍କୁ ତାଙ୍କର ବୋଉଙ୍କର ହାତରନ୍ଧା ପରି ଲାଗିଲା ।

 

ତରେ ରାନ୍ଧି ଆସେ କି ମା ?

 

ଅତସୀ ଲାଜ ଲାଜ ହେଲା । ଅଦିତି କହିଲା, ସବୁତ ଅପା ରାନ୍ଧିଛନ୍ତି ।

 

ସତେ ? ଆଉ ତୁ ?

 

ଅତସୀ କହିଲା, ତାକୁ ବେଶର ବାଟି ଆସେ ବଡ଼ବାପା ! ଆଉ ସେ ବେଶର ବାଟିଲାବେଳେ ବି ହଲିହଲିକା ଗୁଣୁ ଗୁଣୁ ହୋଇ ପଚିଶିକ ପଣିକିଆ ବୋଲେ । ବୋଉଙ୍କର ସେ ଏକାଉଣ୍ଟେଣ୍ଟ୍‌ ।

 

ଲାଜରା ହୋଉ ଅଦିତି ଅତସୀର କାନିରେ ମୁହଁ ଲୁଚାଇଲା । ଅତସୀ କହିଲା, ହିସାବରେ ତାର ପଇସାଟିଏ ବି ଭୁଲ ହୁଏ ନାହିଁ । ଦିନେ ସେ ବୋଉଙ୍କୁ ପଚାରୁଥିଲା - ବାପାଙ୍କର ବଡ଼ଭାଇଙ୍କୁ ଯଦି ବଡ଼ ବାପା ଡାକିବା, ତାଙ୍କର ସାନଭାଇମାନଙ୍କୁ ସାନବାପା ନ ଡାକିବା କାହିଁକି ?

 

ନରୋତ୍ତମ ପ୍ରୀତ ହୋଇ କହିଲେ, ଠିକ୍‌ ପ୍ରଶ୍ନ ସେ ପଚାରିଥିଲା ମା । ବୋଉ କି ଉତ୍ତର ଦେଲେ ?

 

ଅତସୀ କହିଲା, ବୋଉ ଉତ୍ତର ଦେଲେ ଯେ ତିନି ଦାଦି ଯେଉଁଦିନ ଗାଁକୁ ଆସିବେ ତାଙ୍କୁ ପଚାରି, ବୁଝି, ଯାହା ଡାକିବାର ଡାକିବୁ । ଅଦିତି କହିଲା, ତାଙ୍କୁ ମୁଁ କାହିଁକି ପଚାରିବି ? ଡାକିବି ସାନବାପା ଏକ, ସାନବାପା ଦୁଇ–

 

ମୁହଁ ଉପରୁ କାନିର ପରଦା ଆଡ଼େଇ ଅଦିତି ନାକରେ ସକେଇ କହିଲା, ଆଉ ଯଦି ତମେ କହିବ ଅପା, ମୁଁ ନିଶ୍ଚୟ କାନ୍ଦିବି ।

 

ଅତସୀ ତୁନି ହେଲା । କହିଲା, କାନ୍ଦିବା ଆଗରୁ ସେ ସମସ୍ତଙ୍କୁ ତିନିଥର ସତର୍କ କରିଦିଏ ବଡ଼ବାପା !

 

ନରୋତ୍ତମ ଆମୋଦିତ ହେଉଥିଲେ । ଅତସୀର କଥା ଶୁଣି ସେ ଅଦିତିର ହାଇଧରି ପାଖକୁ ନେଲେ । ଦୁଇ ହାତରେ ତାର ଟିକି ମୁଣ୍ଡଟି ଧରି ସ୍ନେହର ମୂର୍ଚ୍ଛନା ସମ୍ଭାଳି ନପାରି ତାର କପାଳ ଉପରେ ଗେଲଟିଏ କଲେ ।

 

ଛାଇଲେଉଟାବେଳେ ବୋଝେଇ ରିକ୍‌ସାର ପଛେ ପଛେ ସାଇକେଲ ଚଢ଼ି ସେ ଯେତେବେଳେ କଟକ ଫେରୁଥିଲେ ଅତସୀ ଓ ଅଦିତିଙ୍କର କଥା ମନେ ପକାଇ ସେ ପେଟ ଦୋହଲାଇ ହସୁଥିଲେ । ରତ୍ନଗୁଡ଼ିଏ ଦଳବେହେରାବଂଶକୁ ଉପହାର ଦେଇଥିବାରୁ ମନୋରମାଙ୍କୁ ସେ ପ୍ରଶଂସା କରୁଥିଲେ । ନିଜର ମନକୁ ସେ ପ୍ରବୋଧନା ଦେଇ ବୁଝାଉଥିଲେ– ବୋହୂ, ପରିକା ବୋହୂ ଖଣ୍ଡେ ତ ! ତାଙ୍କର ବିଚାରବୁଦ୍ଧି ପାଖରେ ହାରିଲେ ସମ୍ମାନ ବଢ଼େ ସିନା କମେ ନାହିଁ ।

କଟକ ଘରେ ବିନୋଦିନୀ ମନୋରମାଙ୍କର ଛୋଟ ଚିଠିଖଣ୍ଡି ପଢ଼ିଲେ– ଅପାମ, କର୍ପୂରିଆ ଆମ୍ବରୁ ପଣେ ଓ ଅମୃତପାଣି, ଶିଳପୁଆ ଆମ୍ବରୁ ଦଶଣ୍ଡା ମୋଟେ ପଠାଇଲି । ପିତୃପୁରୁଷଙ୍କ ହାତଲଗା ଗଛର ଫଳ ପାଟିରେ ବାଜିବାର ଆନନ୍ଦରୁ ବଳି ଅଧିକ ଆନନ୍ଦ ଆଉ କିଛି ନାହିଁ । ପିଲାଏ ନିଶ୍ଚୟ ଖୁସି ହେବେ । ଆଚାରରେ ତମର ଅତି ଶରଧା ମୁଁ ଜାଣେ । ଶିଳପୁଆ ଆମ୍ବ ତୋଳାଇ ଆଚାର କରିଥିଲି । ମେଟେ ଦି'ପୁଞ୍ଜା ଦେଲି । ସାଆନ୍ତେ ଫୁଲବଡ଼ି ଭଲ ପାଆନ୍ତି । ସେଥିରୁ କିଛି ପଠାଇଲି । ଆମ ସମସ୍ତଙ୍କର ପ୍ରଣାମ ନେବ । ସବୁ ପିଲାଙ୍କୁ କଲ୍ୟାଣ -

ସତେ, ଆମ୍ବର ରଜା ତ ସେ କର୍ପୂରିଆ ଆମ୍ବ । ଭଲହୋଇ ପାଚିବା ଆଗରୁ ପିଲାମାନେ ଧରାପରା ହୋଇ ଖାଇଲେ । ବିନୋଦିନୀ କହିଲେ ଆମର ନ’ଗଛିଆ ତୋଟାକୁ ଯଦି ଆଗରୁ ଆବୋର କରାଯାଇ ଥାନ୍ତା, ଏବର୍ଷ କେତେ ଆମ୍ବ ମିଳିଥାଆନ୍ତା । ମନୋରମାର ଘରକରଣା-ବୁଦ୍ଧି ଦେଖିଲେ ପ୍ରଶଂସା ନ କରି ରହି ହୁଏ ନାହିଁ । ଆମର ନ’ଗଛିଆ ଭିତରେ ଅବଶ୍ୟ ଗୋଟିଏ ହେଲେ କର୍ପୂରିଆ ଥିବ ଯେ !

ବିନୋଦିନୀଙ୍କର ମନ୍ତବ୍ୟ ନରୋତ୍ତମଙ୍କୁ ମାଡ଼ ମାରିଲା ପରି ଲାଗିଲା । ବିଚାରିଲେ, ବଡ଼ଘରର ଝିଅ ତାଙ୍କର ବୁଢ଼ୀ ଘରଣୀଙ୍କୁ ମୁହଁ ଝାଡ଼ି ଏପରି ଦି’ପଦ ଟାଣ ଟାଣ କରି ଶୁଣାଇ ଦେବେ ଯେ, ମୁହଁରେ ଚାପଡ଼ା ମାରିଲା ପରି ହେବ । ଲେକ୍‌ଚର ଦିଆ ଅକର୍ମା କାହାଁକା, ତାଙ୍କ ବାପ ଅଜାଙ୍କର ଜମି ଜମିଦାରୀ ଗଙ୍ଗାରୁ ଗଉତମ ଯାଏ ଲମ୍ବିଥିଲା, ତାଙ୍କୁ ସବୁ ଗର୍ଭଣୀ ଗାଈ ବାଟ ଛାଡ଼ୁଥିଲେ, ଏଇସବୁ କଥା ଝୁରି ଝୁରିକା, ପାଦରେ କାଳେ କଣ୍ଟା ଭୁକିବ, ନାକରେ କାଳେ ମଇଳା ଗଛ ବାଜିବ ଏଇ ସବୁର ଡରରେ ପଦାକୁ ଗୋଡ଼ ନ ବଢ଼ାଇ ସେ ବୟସ ବିତାଇ ବୁଢ଼ୀ ହେଲେ, ଏବେ ଚାତର କାଢୁଛନ୍ତି ! ଦେଖ ହୋ ।

ନରୋତ୍ତମ ନିଜର କ୍ରୋଧକୁ ନିଜେ ଢୋକିନେଇ ଓଠ ଚାଟିଲେ । ପ୍ରକୃତିସ୍ଥ ହୋଇ ସେ ପୁଣି ଭାବିଲେ, ପିଲାଛୁଆଙ୍କ ଆଗରେ ମୁହଁ ଅସମ୍ଭାଳକରି ପଦେ କଅଣ ପାଟିରୁ ଖସାଇ ଦେଲେ ତୁମୁଳ କାଣ୍ଡ ଘଟିବ । ସେ ତ କଥାକୁ କିପରି ବୁଲେଇ ବଙ୍କାଇ କହି ଜାଣନ୍ତି ନାହିଁ । ତକ କଲେ ବିନୋଦିନୀଙ୍କ ପାଖରେ ହାରିବା ସୁନିଶ୍ଚିତ, ତେଣୁ ସବସେ ଚୁପ୍ ଭଲା । ଯାହାହେଉ, ବିନୋଦିନୀ ପଦ୍ମିନୀ କନ୍ୟା ଥିଲେ । ତାଙ୍କର ହାତ ଧରିଲା ଦିନରୁ ନରୋତ୍ତମଙ୍କ ଜୀବନଯାତ୍ରା ସ୍ଵଚ୍ଛଳ ହୋଇଛି । ସୁଖମୟ ଓ ସମୃଦ୍ଧ ହୋଇଛି ।

ସେ ଅଳପ ହସି କହିଲେ, ତମେ ଠିକ୍‌ କହିଛ । ଏବହୁଁ ଅମର ନ’ଗଛିଆ ତୋଟାକୁ ଆବୋର କରାଇ ଦେବା, ଟଙ୍କା ଦଶ ପଚିଶ ଖରଚ ହେବ ତ ହେଉ । କିନ୍ତୁ ତା’ ଭିତରେ କର୍ପୂରିଆ ଆମ୍ବ ନ ଥାଇ ପାରେ । ଶୁଣିଛି ଅଜାମାନେ ବିଭିନ୍ନ ଜାତିର ଚାରା ନଗାଇ ତୋଟା କରିଥିଲେ । ତେବେ ଯାହାଥିବ ସବୁ ଉତ୍କୃଷ୍ଟ ଜାତିର ।

ବିନୋଦିନୀ କହିଲେ, ଆସନ୍ତା ବର୍ଷ ତ ଗଦାଏ ବାଟ ଅଛି, ସେ ତୋଟାକୁ ବଉଳ ଆସିବ କି ନାହିଁ ଏବହୁଁ କହିହେବ ନାହିଁ । ନଈ ନ ଦେଖି ନଙ୍ଗଳା ହେବାର ପ୍ରୟୋଜନ କଅଣ ଯେ, ଏବହୁଁ ଗୁଡ଼ାଏ ପଇସା ଖର୍ଚ୍ଚକରି ଏତେ ବଡ଼ ତୋଟାକୁ ବାଡ଼ାବନ୍ଦି କରିବ ? ଆଗରୁ ଯଦି କରିଥାନ୍ତ-!

ଏ ଉପଦେଶ ତମର ବେଶ୍‌ ମୁଲ୍ୟବାନ ଯେ ଆଗରୁ ଯଦି ସେତକ ଦେଇ ପାରିଥାନ୍ତ–

ଇଲୋ ଦେଖିଲେ, ୟେ ମୋର ଦୋଷ ଦେଲେଣି । ତମଠାରୁ କଅଣ ମୋର ଅଧିକ ବୁଦ୍ଧି ? ମୁଁ କଅଣ ଗାଁକୁ ଯାଇଥିଲି, ନା କେଉଁ ଗଛରେ କେତେ କସି ହୋଇଛି ଦେଖିଥିଲି ? ମୋଠାରୁ ବହେ ସାନ, ଲେଖାରେ ତୁମର ଭାଇବୋହୂ, ମନୋରମାର ବୁଦ୍ଧି ଠାରୁ ତମର ବୁଦ୍ଧି ବିବେକ ଯେ ଊଣା ଏହା କଣ ମତେ ଜଣାଥିଲା ? ମରେ ଥଟ୍ଟା କଲାପରି, ତମୁକୁ ବୁଦ୍ଧି ଶିଖାଇବା ପାଇ ମନୋରମା ଯେଉଁ ଆମ୍ବ ତମରି ହାତରେ ପଠାଇ ଦେଇଥିଲା, ଚାଖିଛ ତ ?

 

ବିନୋଦିନୀ ଯୁଦ୍ଧର କୁହାଟ ଛାଡ଼ିଲେଣି, ନରୋତ୍ତମ ଏହା ବୁଝିଲେ । କିନ୍ତୁ ଏ ବୟସରେ, ଅସମୟରେ ସେ ଜଣେ ସେକାଳର ଦେବଗଣରେ ଜନ୍ମ, ପଦ୍ମିନୀକନ୍ୟା, ‘ଦେହି ପଦପଲ୍ଲବ-ମୁଦାରଂ’ ଙ୍କ ସଙ୍ଗେ ବାକ୍‌ଯୁଦ୍ଧ କରି ଘରରେ ଶାନ୍ତିଭଙ୍ଗ କରିବାକୁ ପ୍ରସ୍ତୁତ ହେଲେନାହିଁ । ସେ ବିଚାରିଲେ–ବରଂ ମନୋରମା ପଠାଇଥିବା ଯେଉଁ ଆମ୍ବ ସେ ବହୁଦିନତଳେ ମନ ଖୁସିରେ ଖାଇଥିଲେ ଓ ଚବିଶ ଘଣ୍ଟାକାଳ କର୍ପୂର ହାକୁଟି ଛାଡ଼ିଥିଲେ, ସେତକ ଯଦି ସେ ବିନୋଦିନୀଙ୍କ ଆଗରେ ଉଗାରି ପାରନ୍ତେ ତାଙ୍କର ମନ ଉଶ୍ଵାସ ହୁଅନ୍ତା ।

 

ସେହି ସପ୍ତାହର ଶନିବାର ରାତିରେ ଗ୍ରାମର ବଗିଚା ଘରେ ନିଜ ହାତରେ ରନ୍ଧା ଭାତ ଓ ଡାଲ୍‌ମା ଖାଇ ଯେତେବେଳେ ସେ ମଶାରି ପକାଇ ଦଉଡ଼ିଆ ଖଟରେ ଶୋଇଥିଲେ ଓ କୋଠିଆ ରାବଣା ମଶାରୀ ଭିତରେ ମୁଣ୍ଡ ଗଳାଇ ଗୋଡ଼ ଚିପି ଦେଉଥିଲା, ରାବଣା ଡରି ଡରି କହିଲା - ଏ ପାଖରୁ ଗଣିଲେ ଆଠ, ସେପାଖରୁ ଗଣିଲେ ଆଠ, ମଝିରେ ଠିଆହୋଇ ଦି’ ପାଖରୁ ଗଣି ଆସିଲେ ବି ତ ଆଠ ହେଉଛି ସାଆନ୍ତେ ! ଆମ ତୋଟାର ନାମ ନ’ଗଛିଆ କାହିଁକି ହେଲା ?

 

କଅଣ କହିଲୁ ?

 

ଆମର ଗୋଟାଏ ଗଛ ଚୋରି ହୋଇ ଯାଇଛି ।

 

କେମନ୍ତ !

 

ଆଜ୍ଞା ହଁ, ପାଞ୍ଚଥର ଗଣିଲିଣି, କାଲି ପୁଣି ଗଣିଥିଲି । ଗୋଟାଏ ତିନିହାତ ଲମ୍ବର ବୋଡ଼ାସାପର ହାବୁଡ଼ରେ ପଡ଼ିଥିଲି । ଦେଖିଲା ସାପ ଗାତରେ ପୁରାନ୍ତି ନାହିଁ ସାଆନ୍ତେ । ତାକୁ ପିଟିପିଟି ମାରିଦେଲି ।

 

ଅଗସ୍ତି, ଅଗସ୍ତି । ରାତିରେ ସେ ନାମ ଧରନ୍ତି ନାହିଁରେ ମୂର୍ଖ ! କାଠି ଅବା ନହକା ବୋଲି କହିଲେ ଚଳିବ । ଗଛ ଗଣିଲୁ ତ କଅଣ ହେଲା ?

 

ଯୁଆଡ଼ୁ ଗଣିଲେ ଆଠ ହେଲା । ସାନସାଆନ୍ତାଣୀ ଆମର ସେହି କର୍ପୂରିଆ ଗଛକୁ ଚୋରିକରି ନେଇ ତାଙ୍କ ତୋଟା ଭିତରେ ପୁରାଇ ଆବୋର କରିଛନ୍ତି । ତାଙ୍କର ବାଡ଼ ଯଦି ଆଉ ଚାରିହାତ ଘୁଞ୍ଚାଇ ନେଇଥାଆନ୍ତେ, ଆମର ଗଛଟା ଆମର ନ ହୋଇ ହଜି ନ ଥାଆନ୍ତା !

 

ତାଙ୍କ ତୋଟାରେ କଅଣ ସାତଟା ଗଛଅଛି ?

 

ନାଇଁ ସାଆନ୍ତେ ! ଦଶଥର ଗଣିଲି । ତାଙ୍କ ତୋଟାରେ ମୋଟେ ଛଅଟା ଗଛ ଅଛି । ହେଲେ ଆମର କାହିଁକ ଆଠଟା ହେବ ? ଆମେ ଯଦି ଆମର ନ’ଗଛିଆକୁ ଆଗ ଆବୋର କରି ଥାଆନ୍ତେ–

 

ଆଉ କହନା ରାବଣା ! ତୁ ତୁନୀହ । ପୁଣି ଯଦି କାହା ଆଗରେ ତୁ ଏ ବିଷୟରେ ଚର୍ଚ୍ଚା କରିବୁ ତ ତୋର ଚାକିରୀ ଯିବ । ମୁଁ ନିଜେ ଗଣିବି । କେଉଁଠି ମଲାଗଛର ଅବା କଟାଗଛର ମୂଳ ଉଣ୍ଡିବି । ତୁ ବି ଉଣ୍ଡୁଥା । ଯା ଏଥର ଶୋଇବୁ, ରାତି ବେଶି ହେଲାଣି ।

 

ରାତିରେ ନରୋତ୍ତମଙ୍କୁ ନିଦ ନ ହୁଏ । ଖାଲି ଛଟପଟ ହେବାକୁ ଲାଗିଲେ । ଭାବିଲେ, ଭିନେ ହେଲା ଭାଇ ପଡ଼ୋଶୀପଣକୁ ଯୋଗ୍ୟ ନୁହେ । ମୀନକେତନ ତ ତିନିପୁରୁଷ ଛାଡ଼, ଦେଖ ହୋ, ଛାର ମାଇପିଟା ସେ ମନୋରମା; ତାଙ୍କ ପରିକା ଜଣେ ବୟସ୍କ, ମାମଲତକାରିଆ, ବେଶୀପାଠୁଆ, କେତେ ଘାଟିରେ ପାଣିପିଇଲା, ସରକାରୀ ସୁଦକ୍ଷ, ପ୍ରଶଂସିତ କର୍ମଚାରୀକୁ ସେ ବେକୁବ କରିଦେଲା ! ନିଜର ବେଆଇନ କାମ ସେ ନିଶ୍ଚୟ ଜାଣିଛି । ସେଇଥିପାଇଁ ଅତି ଭକ୍ତି ଚୋରର ଲକ୍ଷଣ ପ୍ରକାଶି ଭଲେଇ ହୋଇଛି ?

 

ମନକଥା ମନରେ ରଖି ନରୋତ୍ତମ ସବୁ କାମ ଛାଡ଼ି ନ’ଗଛିଆ ତୋଟାର କଣ୍ଟାବଣରେ ପଶିଲେ । ରାବଣାକୁ ସାଙ୍ଗରେ ନେଇଥିଲେ । ଗଣିଲେ, ଭଲକରି ଗଣିଲେ । ଯୁଆଡ଼ୁ ଗଣିଲେ ଆଠ ହେଉଛି । କେଉଁଠି ପୁରୁଣା କଟାଗଛ ଅବା ମଲାଗଛ ମୂଳର ସନ୍ଧାନ ସେ ପାଇଲେ ନାହିଁ । ତୋଟା ଭିତରେ ଠାଏ ଠାଏ ଖାଲି ବଡ଼ ବଡ଼ ହୁଙ୍କା ଠିଆ ହୋଇଛି । ଛ’ଗଛିଆ ତୋଟାର ବାଡ଼ରେ କେତେ ସ୍ଥାନରେ ଖୋଦା ମେଲା ହୋଇଛି । ସେସବୁ ରାବଣାର କାମ ବୋଲି ସେ ମାନିଲା । ଛ’ଗଛିଆ ତୋଟା ଭିତରେ ପଶି, ନରୋତ୍ତମ ଗଛଗୁଡ଼ିକୁ ଗଣିଲେ ଓ ବୁଲି ବୁଲି କେଉଁଠି ପୁରୁଣା ଗଛର ମୂଳର ସଙ୍କେତ ଖୋଜିଲେ । ହତାଶ ହେଲେ ।

 

ମନୋରମା ଛଅଟି ଗଛକୁ ଆବୋର କରିଛନ୍ତି, ସାତଟି ନୁହେ । ଜାଣି ଜାଣି ସେ ମିସ୍‌ଚିଫ୍‌ କରି ନାହାନ୍ତି । ତାଙ୍କର ଦୋଷ ଦେଇ ହେବ ନାହିଁ । ନରୋତ୍ତମ ଭାବିଲେ, ସେ ନିଜେ ଯଦି ଆଗ ତାଙ୍କର ନ’ଗଛିଆ ତୋଟାକୁ ବାଡ଼ାବନ୍ଦୀ କରାଇଥାନ୍ତେ କର୍ପୂରିଆ ଆମ୍ବଗଛକୁ ନିଜ ତୋଟାର ସାମିଲ୍‌ କରିଥାଆନ୍ତେ, ଏବେ ମନୋରମା ତାଙ୍କର ହଜିଲାଗଛ ଖୋଜୁଥାଆନ୍ତେ ।

 

ଲେଡ଼ିଗୁଡ଼ କହୁଣୀକୁ ବୋହିଯାଇଛି । ଯେଉଁ ଗଛକୁ ମନୋରମା ନିଜର ଦଖଲଭୁକ୍ତ କରି ସାରିଛନ୍ତି, ଗ୍ରାମର ମୁଖିଆ ଲୋକଙ୍କୁ କର୍ପୂରିଆ ଆମ୍ବ ଚଖାଇ ନିଜ ଦଖଲ ସାବ୍ୟସ୍ତ କରିଛନ୍ତି, ବିନା ଆଇନର ସାହାଯ୍ୟରେ ସେ ତାଙ୍କୁ ଦଖଲଉଚ୍ଛେଦ କରି ପାରିବେ ନାହିଁ । ନରୋତ୍ତମ ଅନୁଭବ କଲେ ଯେ ସେ ପଛବୁଦ୍ଧିଆ, ସେ ହାରି ଯାଇଛନ୍ତି !

 

ମନ କଥା ମନରେ ରହିଲା । ମନର ପ୍ରକ୍ରିୟା ସେ ବିନୋଦିନୀଙ୍କୁ ଜଣାଇଲେ ନାହିଁ । କିନ୍ତୁ ନିଜର ନୀରବ ପରାଜୟକୁ ସେ ସ୍ୱୀକାର କରିବାକୁ ଅମଙ୍ଗ ହେଲେ । ରେକର୍ଡ଼ ଦେଖିଲେ । ରିଭିଜନ ସେଟଲମେଣ୍ଟ ଓ ତା ପୂର୍ବରୁ ସେଟଲମେଣ୍ଟର ନକ୍‌ସା ଯୋଗାଡ଼ କଲେ । ସୁଦକ୍ଷ ପୁରୁଣା ଅମୀନ ଆଣିଲେ । ମୁସ୍ତାକିଲ ଚାନ୍ଦା ଦିଓଟିରୁ ଜରୀବ୍‌ କରାଇ ନ’ଗଛିଆ ତୋଟାର ସ୍ଥିତି ନିରୂପଣ କଲେ । ସେହି ପ୍ଳଟର ରକବା ଅନୁସାରେ ଚୌହଦୀରେ ଖୁଣ୍ଟି ପୋତି ନ’ଗଛିଆ ଚିହ୍ନୋଟ କଲେ ।

 

ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ପ୍ରକୃତରେ ମାପ ପ୍ରକାରେ କର୍ପୂରିଆ ଆମ୍ବଗଛ ତାଙ୍କର ତୋଟାରେ ସାମିଲ ହେବାର କଥା । ଆମ୍ବଗଛ ପାଖରୁ ଆହୁରି ଚାରିକଡ଼ି ଛାଡ଼ି ଛ’ଗଛିଆ ଆଡ଼କୁ ସରହଦ୍‌ ଲାଇନ୍‌ ପଡ଼ିଛି । କିନ୍ତୁ, ମନୋରମା ନ ଜାଣି ନ ବିଚାରି ସେହି ଗଛକୁ ଦଖଲ କରିଛନ୍ତି । ଭାଇବୋହୂଙ୍କ ସଙ୍ଗେ କଳି ତଳରାଳ କରିବା ଶୋଭନୀୟ ନୁହେ । ନିଜର ମାପ ପ୍ରକାରେ ସରହଦରେ ବାଡ଼ ପକାଇଲେ ଲୋକେ ତାଙ୍କୁ ନିନ୍ଦା କରିବେ । ତେଣୁ, ସବୁ କଥା ବୁଝାଇ ସୁଝାଇ ସେ ମୀନକେତନଙ୍କୁ ପତ୍ର ଲେଖିଲେ, ଆସିବାକୁ ତାଙ୍କୁ ଅନୁରୋଧ କଲେ । ଦିନେ ମୀନକେତନ ତାଙ୍କର ଚାକିରୀଗ୍ରାମରୁ ଆସି ସିଧାସଳଖ ନରୋତ୍ତମଙ୍କ ପାଖରେ ପହଞ୍ଚିଲେ । କାଗଜପତ୍ର ଓ ନକ୍‌ସା ଦେଖିଲେ । ଜରୀବର ପୂର୍ଣ୍ଣବିବରଣ ତନଖି କଲେ । ସେ ତ ନିଜେ ଜଣେ ରେଭିନ୍ୟୁ-ଅଫିସର, ମାପଚୁପ କାମରେ ଧୁରନ୍ଧର । ଶହ ଶହ ସରହଦର ବିବାଦ ସେ ସମାଧାନ କରିଛନ୍ତି । ଏଇଟା ଗୋଟାଏ ସାମାନ୍ୟ କଥା । ଯେଉଁ ମାପଚୁପ ହୋଇ ସାରିଛି ସେଥିରୁ ସଫା ପ୍ରମାଣ ମିଳିଛି ଯେ ଗଛଟି ତାଙ୍କ ଭାଇଙ୍କର ।

 

ମୀନକେତନ ତାଙ୍କର ଭାଇଙ୍କ ପାଖରୁ ନକସା ମାଗିନେଲେ । ଗ୍ରାମକୁ ଗଲାବେଳେ ବିନୋଦିନୀଙ୍କୁ କହିଲେ, ସବୁ ଜାଣିଲେ ଵିଚରା ମନୋରମା ଲାଜରେ ସଢ଼ିଯିବେ ଭାଉଜ ! ସେ ବୁଝିବେ ଯେ ତମରି ଦରବ ତମକୁ ଭେଟିଦେଇ ସେ ଯେଉଁ ଗଉରବ ଅଜିଛନ୍ତି ବୋଲି ମଣିଛନ୍ତି, ସେଇଟା ଗଉରବ ନୁହେ ଯେ ଚୋରୀ !

 

ବିନୋଦିନୀ ଆକଟି କହିଲେ, ସେମିତି କହନା । ମୁଁ ଜାଣେ ଯେ ମୀନ ! ଭଲ କରୁଣୁ ବେଳେ ବେଳେ ସଲ ହୋଇଯାଏ । ସେଥିକି କାହାର ଚାରା ନଥାଏ । ତମକୁ ମୋ ରାଣ, ତମେ ମନୁକୁ ପଦେ ଟାଣକଥା କହିବ ନାହିଁ ।

 

ପାଖରେ ବସି ନିଜେ ବିନୋଦିନୀ ମୀନକେତନଙ୍କୁ ଖୋଇଲେ ପେଇଲେ । ତାଙ୍କ ପାଟିରେ କୋଉଠି ଟିକିଏ କଅଣ ଘା ହୋଇଛି ବୋଲି ସାମାନ୍ୟ ରାଗୁଆ ମାଂସଝୋଳ ଖାଉଣୁ ସେ ସୁ ସୁ ହେଉଥିଲେ । ବହୁତ ଗୁଣ୍ଡିପାନ ସେ ଆଗେ ଚୋବାଉ ଥିଲେ । ସିଗାରେଟ ଟାଣୁଥିଲେ । ପାଟିର ଘାଆରେ ଚୂନଲାଗି ପୋଡ଼ିବ ବୋଲି ମୀନକେତନ ପାନଖିଆ ଛାଡ଼ି ଦେଇଥିଲେ । ବିଡ଼ି, ସିଗାରେଟ ସେ ଟାଣୁ ନାହାନ୍ତି । ଦାନ୍ତ ଦି ଧାଡ଼ି ଏବେ ଧଳା କଟ କଟ ଦିଶୁଛି । ସେ ଶୁଖିଲା ଦିଶୁଛନ୍ତି ।

 

ବିନୋଦିନୀଙ୍କ ହାତତିଆରି କେତକୀ-ଖଇର ପୁଞ୍ଜିଏ ମୀନକେତନ ମନୋରମାଙ୍କ ପାଇଁ ଗ୍ରାମକୁ ନେଇଥିଲେ । ଯେଉଁ ବଡ଼ ପୁଡ଼ାଟି ମଝିଆଁ ଝିଅ ସୁଚିତ୍ରା ତାର ମୀନ ଦାଦାଙ୍କ ହାତରେ ଅତସୀ, ଅନୁପା ଓ ଅଦିତିଙ୍କ ପାଇଁ ପଠାଇଥିଲା, ସେଥିରେ ଥିଲା ବିଭିନ୍ନ ପ୍ରକାର ରଙ୍ଗୀନ-କାଗଜର ଗୁଡ଼ାହୋଇଥିବା ସ୍ଵିଟ୍‌, ଦୁଇପ୍ୟାକେଟ୍‌ ପାମ୍ପଡ଼, ମିଠ ଗୁଆ, ଲାଲ-ଜରଦା, ମୁଣ୍ଡଫିତା ଓ ଚାରିଖଣ୍ଡି ଉପନ୍ୟାସ ।

 

ମୀନକେତନ ଗ୍ରାମରେ ଚାରିଦିନ ରହିଲେ । ନିଜେ ତୋଟା ଦିଓଟି ବାରମ୍ବାର ବୁଲି ଦେଖିଲେ । ବୁଢ଼ା ପାରଙ୍ଗମ ଜଣେ ଅମୀନଙ୍କ ସାହାଯ୍ୟରେ ଅନ୍ୟ ଗହୀରରେ ଥିବା ଦିଓଟି ମୁସ୍ତାକିଲ-ଚାନ୍ଦାରୁ ସାବଧାନତାର ସହିତ ଲାଇନ୍‌ ଆଣି ଜରୀବ୍‌ କରାଇଲେ । ନରୋତ୍ତମ କରାଇଥିବା ମାପକୁ ଆହୁରି ଥରେ ତନଖି କଲେ । ଦୁଇଟି ତୋଟାର ମଝି ସରହଦ ନିର୍ଣ୍ଣୟ କରି ଖୁଣ୍ଟି ବସାଇଲେ । କର୍ପୂରିଆ ଆମ୍ବଗଛଟି ଛ’ଗଛିଆ ସାମିଲ୍‌ ହେଉଛି । ମନୋରମା କିଛି ନ ଜାଣି ଯେଉଁ ବାଡ଼ ବସାଇଥିଲେ, ମାପ ପ୍ରକାରେ ସେ ବାଡ ନ’ଗଛିଆ ଆଡ଼କୁ ଆହୁରି ପାଞ୍ଚକଡ଼ି ଘୁଞ୍ଚିବାର କଥା ।

 

ସେ ବୁଝିଲେ ଯେ ବଡ଼ଭାଇ ନରୋତ୍ତମ ଯେଉଁ ଅମିନଙ୍କ ଦ୍ୱାର ମାପ କରାଇଛନ୍ତି, ସେମାନଙ୍କ ଜରୀବ୍‌ ହୁଏତ ଠିକ୍‌ ନ ଥିଲା । ଜାଣି ଜାଣି ନରୋତ୍ତମ ମାପ ଭୂଲ କରାଇଥିଲେ କେବଳ କର୍ପୂରିଆ ଆମ୍ବଗଛର ଲୋଭରେ, ଏପରି ବିଶ୍ଵାସ କରିବାକୁ ମୀନକେତନ ନିଜକୁ ପ୍ରବର୍ତ୍ତାଇ ପାରିଲେ ନାହିଁ । କାହିଁକି ତୋଟା ଦିଓଟି ବାରମ୍ବାର ମାପଚୁପ ହେଉଛି, ସେ ବିଷୟରେ ମନୋରମାଙ୍କୁ ସେ କିଛି କହିଲେ ନାହିଁ । ନକ୍‌ସା ଦି’ଖଣ୍ଡି ଭାଇଙ୍କୁ ଫେରାଇ ଦେବାକୁ ମନୋରମାଙ୍କୁ କହି ସେ ତାଙ୍କର ଚାକିରୀ ସ୍ଥାନକୁ ଫେରିଗଲେ ।

 

କେତେଦିନ ପରେ ନରୋତ୍ତମ ମୀନକେତନଙ୍କ ନିକଟରୁ ଯେଉଁ ପତ୍ରଖଣ୍ଡି ପାଇଲେ; ସେଥିରେ ବଗିଚା ସମ୍ବନ୍ଧରେ ସେ ଲେଖିଥିଲେ-ଅତି ସାବଧାନତା ସହକାରେ ମୁଁ ବାରମ୍ବାର ମପାଇଛି । ସର୍‌ଜମିନ୍‌ରେ ଖୁଣ୍ଟି ପୋତାଇଛି, ଦେଖିବେ । ଗଛଟି ଛ’ଗଛିଆ ସାମିଲ, ଏହା ନିର୍ଭୁଲ-। ମୋର ମାପରେ କେବେ ଭୁଲ ହେବନାହିଁ ଭାଇ ! ସେତକ ଯେ ମୋର ବେଉଷା । ସେଇ ସମ୍ବଳ ପାଇଁ ଅମିନରୁ ଉଠିଉଠିକା ମୁଁ ସର୍ଭେ-ଅଫିସର ହେଲିଣି–

 

ଚିଠିଖଣ୍ଡି ନରୋତ୍ତମଙ୍କର ଆତ୍ମମର୍ଯ୍ୟାଦାକୁ ଆଘାତ କଲାବୋଲି ସେ ମଣିଲେ । ଝୁଙ୍କ ଲାଗିଲା, ଜିଦି ବଢ଼ିଲା । ସେ ତାଙ୍କର ଅମିନ ଦୁହିଙ୍କୁ ଡକାଇ ମୀନକେତନଙ୍କର ପତ୍ର ପଢ଼ାଇଲେ । ଅମୀନ ନିଜକୁ ଅପମାନିତ ମନେକଲେ । ଆହୁରିଥରେ ଜରୀବ୍‌ ମାପ କରାଇ ସେମାନଙ୍କର ପୂର୍ବମତ ଓ ଚିହ୍ନୋଟ ଖୁଣ୍ଟିକୁ କାଏମ ରଖି ନିଶରେ ତାଉଦେଲେ ।

 

ନରୋତ୍ତମ ମୀନକେତନଙ୍କୁ ସବୁ ବିଷୟ ଜଣାଇଲେ ଓ ଶେଷକୁ ମନ୍ତବ୍ୟ ଲେଖିଲେ– ତୋର ଚାକିରୀ ଜୀବନରେ ଉତ୍ତରୋତ୍ତର ଉନ୍ନତି ହେଉ, ଏହା ମୋର ଆନ୍ତରିକ କାମନା, କିନ୍ତୁ ମୁଁ ବୁଝିପାରୁଛି ଯେ ତୋର ନିଜର ଦକ୍ଷତା ସମ୍ବନ୍ଧରେ ତୋର ଧାରଣା ନିର୍ଭୂଲ ନୁହେ । ମୁଁ ନିର୍ବୋଧ ନୁହେ, ଏହା ତୋର ଜାଣି ରଖିବା ଉଚିତ । ଗଛଟି ନ’ଗଛିଆ ତୋଟାର ଅନ୍ତର୍ଭୁକ୍ତ, ସିଭିଲକୋର୍ଟ ଏହି ନିଷ୍ପତ୍ତି ଦେଲେ ତୁ ବଳେ ତୋର ଭ୍ରାନ୍ତ ଧାରଣା ସଂଶୋଧନ କରିବୁ–

 

ନରୋତ୍ତମ ସିଭିଲ କୋର୍ଟରେ ମକଦ୍ଦମା ଦାୟର କଲେ । ମୀନକେତନ ତାର ଜବାବ ଦେବାକୁ ଅଣ୍ଟାଭିଡ଼ି ଠିଆହେଲେ । ଦୁହେଁ ନିଜ ନିଜର ଓକିଲ ନିଯୁକ୍ତ କଲେ । ଘଟଣା ଲୁଚି ରହିଲା ନାହିଁ । ଗ୍ରାମର ଆବାଳବୃଦ୍ଧବନିତା ଜାଣିଲେ । ଗ୍ରାମ ଟାଉଟରମାନେ କିଏ ଏପାଖକୁ ଆଉଜିଲେ ତ ଆଉ କିଏ ସେପାଖକୁ ଆଉଜିଲେ । କେହି କେହି ଦୋ ମୁହାଁ-ପାଇଟି ଚଳାଇଲା । ଗ୍ରାମର ମତ ହେଲା ଦି’ ପାଙ୍କିଆ । ଦିଓଟି କୁଟୁମ୍ବର ସମ୍ପକ ତିକ୍ତ ନ ହେଲେ ବି ଖାରିଆ ହେଲ। ।

 

ବିନୋଦିନୀ କହିଲେ ନରୋତ୍ତମଙ୍କୁ, କାହିଁକି ଏ ପାଲା ଲାଗିଛି ? ଦି’ଦି ବର୍ଷ ହେଲା ମକଦ୍ଦମା ଚାଲିଛି, ଗୁଡ଼ାଏ ଟଙ୍କା ଖରଚ କଲଣି, ଏ ଦି’ ବର୍ଷ ଭିତରେ ତୋଟା ଦୁଇଟାର ବଉଳ ଛୁଇଁଲା ନାହିଁ; ଗଛଟା ଏବେ ମୀନକେତନର ହେଉ ।

 

ନରୋତ୍ତମ ଉତ୍ତର ଦେଲେ, ମୁଁ କ’ଣ ମନା କରୁଛି ? ସିଭିଲକୋର୍ଟ ସେହି ରାୟ ଦେଉନ୍ତୁ । ନାହିଁ ଯଦି ସେ ଗଛଟା ମୋରବୋଲି ସିଭିଲକୋର୍ଟ ରାୟ ଦିଅନ୍ତି, ମୁଁ ତାକୁ ମୀନକେତନକୁ ଛାଡ଼ିଦେବି । ହେଲା ତ ?

 

ସେ ତମର ଦାନ ନେବାକୁ ହାତ ପାତି ବସିଛନ୍ତି ! ତମେ ଦୁଇଜଣ ନିର୍ଲ୍ଲଜ । ବୃଥାରେ ଲୋକହସା ହେଉଛ । ଜିଦିରୁ ଲାଭ କ’ଣ ମିଳିବ ? ମନୋରମା ଗ୍ରାମରେ ମୋର ହାତଧରି ବହେ କାନ୍ଦିଲା ।

 

କାନ୍ଦିଲା କାହିଁକି ?

 

କହିଲା, ସେ ତୋଟାକୁ ଆବୋର କରି ଆମ୍ବତକ ବଞ୍ଚାଇ ପାରିଲା ବୋଲି ଏ ଅଶାନ୍ତି ସୃଷ୍ଟି ହେଲା । ମକଦ୍ଦମା ନ ଲଢ଼ିବାକୁ ସେ ମୀନକେତନଙ୍କୁ ଯେତେ କହୁଛି, ସେ ଶୁଣୁନାହାନ୍ତି ।

 

ଦେଖିଲ, ଦେଖିଲତ ତାର ଟାଣପଣ ? ସିଭିଲକୋର୍ଟ ଅମୀନ ଯାଇ ମାପଚୁପକରି ରିପୋଟ ଦେଇଛି ଯେ କର୍ପୂରିଆ ଆମ୍ବଗଛଟା ଦୁଇଟି ପ୍ଳଟର ସର୍‌ହକ ଉପରେ ଠିଆ ହୋଇଛି । ସେଇଟା କୁଆଡ଼େ ଇଜିମାଇଲ ।

 

ଭଲ ରିପୋର୍ଟତ ସେ ଦେଇଛି ! ଦେଖ, ଇଜିମାଇଲ ଗଛଟା ମୂଳରୁ ହଣାଇ କାଠ ବାଣ୍ଟି ନେଲେ କଥା ଛିଣ୍ଡିଯିବ, ଏତେ ନାଟ ଲାଗିଛି କାହିଁକି ?

 

ଫଳନ୍ତି ଗଛକୁ ହାଣିବାକୁ କିଏ ଆଦେଶ ଦେବ ହଇହେ ! ସେଇଟା ମହାପାପ । ପୁଣି ସିଭିଲକୋର୍ଟ ଅମୀନଟା କଥା ଶୁଣିଲା ନାହିଁ । ଗଛକୁ ଇଜିମାଇଲ ବୋଲି ରିପୋର୍ଟ ଦେଇ ଆମ ଦୁହିଁଙ୍କୁ ନିର୍ବୋଧ ବୋଲି ପ୍ରମାଣ କରିବାକୁ ବସିଲା ?

 

ନିର୍ବୋଧ ନୁହେଁ ତମେ ଦିହେଁ ଆଉ କ’ଣ କି ?

 

ବିନୋଦିନୀ ମୁହଁ ଛିଞ୍ଚାଡ଼ି ନରୋତ୍ତମକୁ ଜବାବ ଦେଇ ଆଡ଼େଇଗଲେ । ଭାବିଲେ, ବୃଥାରେ ଟଙ୍କା ଗୁଡ଼ିଏ ନଷ୍ଟକରି ପିଲାଙ୍କ ତୁଣ୍ଡର ଆହାର ନେଇ କୁକୁରଙ୍କ ମୁହଁରେ ଅଜାଡ଼ୁଛନ୍ତି । ସେହିଁଦିନ ସେ ମନୋରମାଙ୍କ ପାଖକୁ ଚିଟାଉ ଲେଖିଲେ-ତୁ ମନ ଦୁଃଖକରି କାନ୍ଦୁଛୁ କାହିଁକି ? ତାଙ୍କର ସବୁ ବେଶୀ ପଇସା ହୋଇଛି । ଖୁସିରେ ଲଢ଼ାଲଢ଼ି ହୋଇ ବଳ କଷାକଷି ହେଉଛନ୍ତି । ହାଲିଆ ହେଲେ ବଳେ ଥକ୍‌କାମାରି ବସି ପଡ଼ିବେ । ଆମର କି ଥାଏ ମ ?

 

ସିଭିଲକୋର୍ଟର ମକଦ୍ଦମା, ସେଥିରେ ଚକେ ଗଲେ ବାର ହାତ । ପୁଣି ବର୍ଷଟିଏ କଟିଗଲା । ଯେଉଁଦିନ ମକଦ୍ଦମାର ଶୁଣାଣି, କୋର୍ଟଘରେ ମୀନକେତନଙ୍କ ତରଫରୁ କେହି ଠିଆହେଲେ ନାହିଁ କି ମକଦ୍ଦମା ଲଢ଼ିଲେ ନାହିଁ । ମହଲତ ପାଇଁ ତାଙ୍କର ପୁରୁଣା ଓକିଲ ଦରଖାସ୍ତ ଖଣ୍ଡେ ବି ଦାଖଲ କଲେନାହିଁ । ତାଙ୍କୁ ଡାକରା ହେଲା । ସେ କହିଲେ ଯେ ତାଙ୍କର ମହକିଲ ପନ୍ଦରଦିନ ତଳେ ତାଙ୍କୁ ଲେଖି ଜଣାଇଥିଲେ ଯେ ସେ ଆଉ ମକଦ୍ଦମା ଲଢ଼ିବାକୁ ଚାହାଁନ୍ତି ନାହିଁ ।

 

ନରୋତ୍ତମ ଏକତରଫା ଡ଼ିଗ୍ରୀ ହାସଲ କଲେ । ତାଙ୍କର ଚିହ୍ନୋଟ ଜମି ତାଙ୍କର ହେଲା । ସେ ଓ ତାଙ୍କର ସୁଦକ୍ଷ ଅମିନମାନେ ଯେଉଁ ସର୍‍ହଦ୍‍ ଠିକଣାକରି ଖୁଣ୍ଟି ପୋତିଥିଲେ, ତାହା କାଏମ ରହିଲା । କୋଟ-ଅମିନଙ୍କର ମାପ ଓ ରିପୋର୍ଟ ବାଏଁ ବାଏଁ ଉଡ଼ିଗଲା । ଟଙ୍କା ଅଢ଼େଇଶ ଖର୍ଚ୍ଚ ହେଲେ ହେଉ ପଛେ କର୍ପୂରିଆ ଆମ୍ବଗଛଟି ତାଙ୍କର ନ’ଗଛିଆ ତୋଟାର ସାମିଲ୍‌ ବୋଲି ପ୍ରମାଣିତ ହେଲା । ନରୋତ୍ତମଙ୍କର ସମ୍ମାନ ରହିଲା ।

 

ନରୋତ୍ତମ ମନଖୁସିରେ କାଳିମନ୍ଦିରରେ ଦଶଟଙ୍କାର ଭୋଗ କଲେ । କୁଟୁମ୍ବର ସମସ୍ତେ ବୀତସ୍ପୃହ ହୋଇ ପ୍ରସାଦ ସେବନ କଲେ । ଏକା ବିନୋଦିନୀ କେବଳ ସିନ୍ଦୂର ନେଇ ମୁଣ୍ଡରେ ଲଗାଇଲେ ନାହିଁ । ପ୍ରସାଦରୁ ଟିକିଏ ହେଲେ ଜିଭରେ ଥୋଇଲେ ନାହିଁ । ନରୋତ୍ତମ ତାଙ୍କ ଉପରେ ମନେ ମନେ କଡ଼ କଡ଼ ହୋଇ ତାଙ୍କର ତିନି ଭାଇଙ୍କୁ ଏକପ୍ରକାର ତିନିଖଣ୍ଡି ପତ୍ର ଲେଖିଲେ– X X ତମେ ସବୁ ଏ ଘଟଣାରେ ଅସଂପୃକ୍ତ ବୋଲି ମତପ୍ରକାଶ କରିଥିଲେ, କିନ୍ତୁ ତମର ବଡ଼ଭାଇ ଯେ ନିର୍ବୋଧ ନୁହନ୍ତି ଏକଥା ତମେ ବୁଝ । ସମ୍ମାନ ମିଳିଛି । ତମେମାନେ ବି ତାର ଭାଗୀ । ଶେଷ ମୁହୂର୍ତ୍ତରେ ମୀନକେତନ ତାର ଭୂଲ ବୁଝିଲା । ମନୋରମାଙ୍କର ଦୋଷ ଦେଇହେବ ନାହିଁ , କାରଣ ସେ ଛଅଟି ଗଛ ତ ଆବୋର କରିଥିଲେ । ସେ କୁଳର ବୋହୂ । ମୋର ଆଉ ତିନୋଟି ଭାଇବୋହୂଙ୍କ ପରି ସେ ମଧ୍ୟ ଦଳବେହେରା ବଂଶର କୁଳଲକ୍ଷ୍ମୀ । ସେ ବହୁ ଆଗରୁ ତାଙ୍କର ପ୍ରମାଦ ବୁଝି ପାରିଥିଲେ । ମୁଁ ଜାଣେ, ତିନିବର୍ଷ କାଳ ସେ ଅନୁତାପ କରୁଥିଲେ । ହୁଣ୍ଡା ମୀନକେତନ ସିନା ବୁଝିଲା ନାହିଁ । ଯାହାହେଉ ତାର ଗର୍ବ ଭାଙ୍ଗିଛି–+ +

 

ନରୋତ୍ତମ ପତ୍ର ପଢ଼ି ବିନୋଦିନୀଙ୍କୁ ଶୁଣାଇଲେ, କିନ୍ତୁ ବିନୋଦିନୀ କୌଣସି ମତାମତ ପ୍ରକାଶ କଲେନାହିଁ । ତାଙ୍କର ମତାମତକୁ ନରୋତ୍ତମ ଅପେକ୍ଷା ନ କରି ରାତି ଦଶଟାରେ ଚିଠି ତିନିଖଣ୍ଡି ପୋଷ୍ଟ-ବାକ୍‌ସରେ ଗଳାଇ ଦୀର୍ଘଶ୍ଵାସ ଛାଡ଼ିଲେ ଓ ବିଚାରିଲେ, ତାଙ୍କର ବିଜୟରେ କୋଠିଆ ରାବଣର ବି ଭାଗ ଅଛି ସେ ମିଠେଇ ଖାଇବ ଦୁଇଟଙ୍କାବକ୍‌ସିସ ପାଇବ ଓ ନିଶ୍ଚୟ ନୂଆ ଲୁଗା ଓ ଜାମା ପିନ୍ଧିବ ।

 

ନରୋତ୍ତମ ଶନିବାର ଦିନ ନାଥପଡ଼ାକୁ ଯିବେ ବୋଲି ସ୍ଥିର କରିଥିଲେ, କିନ୍ତୁ କଟକରେ କେତେ ଜରୁରୀ କାମ ଥିବାରୁ ଯାଇ ପାରିଲେ ନାହିଁ ତାଙ୍କର କୋଠିଆ ରାବଣା ଆଉ ଜଣେ ମୂଲିଆକୁ ସଙ୍ଗରେ ଧରି ବଗିଚାରୁ ଉତ୍ପନ୍ନ ପରିବାବୋଝ ମୁଣ୍ଡାଇ ରବିବାର ଦିନ ବସାରେ ପହଞ୍ଚିଲା-। ସେମାନେ ଖବର ଦେଲେ ଯେ ମକଦ୍ଦମା ଏକତରଫା ଡିଗ୍ରୀ ହେବାକଥା ଗ୍ରାମରେ ରାଷ୍ଟ୍ର ହେଇଗଲାଣି, ଗ୍ରାମଲୋକେ ମୀନକେତନଙ୍କୁ ଥଟ୍ଟାକରି କହୁଛନ୍ତି ଯେ ତାଙ୍କର ଗରବ ଭାଙ୍ଗିଲା, ଧର୍ମର ଜୟ ହେଲା–

 

ନରୋତ୍ତମ ସମ୍ମତି ଜଣାଇ ମୁଣ୍ଡ ଟୁଙ୍ଗାରିଲେ । ରାବଣା ଉତ୍ସାହିତ ହୋଇ କହିଲା, ଆଜ୍ଞା ସାଆନ୍ତେ ! ମାସେ କି ଦେଢ଼ମାସ ତଳେ ମୀନସଆନ୍ତେ ଦୁଇଦିନ ପାଇଁ ଗ୍ରାମକୁ ଆସିଥିଲେ ଯେ–

 

ମୁଁ ଜାଣେ ରେ ରାବଣା, ବୋଧହୁଏ ସେ ସାକ୍ଷୀ-ଗୁହା ସଜିଲ କରିବାକୁ ଆସିଥିଲା । ମିଛସାକ୍ଷୀ ହେବାକୁ କେହି ରାଜି ହୋଇ ନ ଥିବେ । ତେଣୁ ସେ ମକଦ୍ଦମା ନ ଲଢ଼ି ଏକତରଫା ଡିଗ୍ରୀ ହେବାକୁ ଛାଡ଼ିଦେଲା ।

 

ସେଇଆ ହୋଇଥିବ ସାଆନ୍ତେ, କିନ୍ତୁ ତାଙ୍କର ଦେହ ଭଲ ନ ଥିବାରୁ ସେ କାହା ପାଖକୁ ଯାଇ ନ ଥିଲେ । ମୁହଁରେ ଗୋଟାଏ ଚାଦର ଗୁଡ଼ାଇଥିଲେ । କିଏ ସବୁ କହୁଥିଲେ ଯେ ତାଙ୍କର ଦାନ୍ତମୂଳ ଧରିଛି । କଅଣ କଲେ କି ଆଜ୍ଞା ! ଦିନେ ତାଙ୍କର ଛ’ଗଛିଆରେ ପଶି ଦୁଇଟା ମୂଲିଆ ଲଗାଇ କେତେ ଥାନରେ ଆଣ୍ଠିଏ ଗହିଡ଼ାର ଗାଡ଼ ଖୋଳାଇଲେ । ତହିଁ ଆରଦିନ ଆମ ନ’ଗଛିଆ ଭିତରେ ପଶି ଗୋଚର ଆଡ଼କୁ ସୀମା ଉପରେ ଯେଉଁ ବଡ଼ ହୁଙ୍କା ଅଛି, ମୁଣ୍ଡିସାହାଡ଼ା ପାଖରେ, ତାକୁ ତଡ଼ାଇ ଜଙ୍ଘେ ଗହିଡ଼ାର ଗାଡ଼ କଲେ । ଆଗରୁ ଜାଣିପାରି ଥିଲେ ମୁଁ ନିଶ୍ଚୟ ବାଧା ଦେଇଥାନ୍ତି । ଯାହା ହେବାର ପଛେ ହୋଇଥାନ୍ତା, ମୁଁ ଫଉଜ୍‌ଦାରୀ କରିଥାନ୍ତି ।

 

ନରୋତ୍ତମ ଚିନ୍ତିତ ହେଲେ । ପଚାରିଲେ, ତୁ କହିପାରିବୁ କି, କାହିଁକି ସେ ଗାଡ଼ ଖୋଳାଇଥିଲେ ?

 

ବୁଝିଥିଲି ଆଜ୍ଞା ! ଜଣେ ମୂଲିଆ କହିଲା ଯେ ସାନ ସାଆନ୍ତେ ନଡ଼ିଆ ଗଛ ରୋପିବେ-। ଆର ମୂଲିଆ କହିଲା ମୀନବାବୁ କଲମୀ ଆମ୍ବଚାରା ଲଗାଇବେ ।

 

ନରୋତ୍ତମ ଭାବନାରେ ପଡ଼ିଲେ । ମୀନକେତନ ନିଜର ବଡ଼ତି ଭାଙ୍ଗିବ ବୁଝିପାରି ବାତୁଳ ହେଲା କି ? ଦାନ୍ତମୂଳା ଧରିଲେ ଯେଉଁ ଜୀବନଛଡ଼ା ବେଦନା ହୁଏ ସେ ନିଜେ ତ ଭୂକ୍ତଭୋଗୀ, ସେଥିରେ ସେ ବାଇଆବାତୁଳ ହୋଇ ଦଣ୍ଡାପାଖ ତଡ଼ାଉଥିଲା ? ରାତିରେ ସପନ ଦେଖି କେଉଁ ପୋତ ମାଲର ଅନୁସନ୍ଧାନ କରୁଥିଲା ? ଦଳବେହେରାଙ୍କ ଘର, ହାତୀ ପିଠିରେ କେଉଁ ପୂର୍ବପୁରୁଷରେ ଧନରତ୍ନ ବୋଝେଇ ହୋଇ ଆସିବାର ଲୋକ-କଥା ପ୍ରଚଳିତ ଅଛି । ମରହଟ୍ଟା ଓ ପଠାଣ ରାଜତ୍ୱକାଳରେ ସେସବୁ ଧନ ଅପନ୍ତରା ସ୍ଥାନରେ ସେମାନଙ୍କ ଡରରେ ପୋତି ଦେଉଥିବାର ଖବର ମିଳେ । କେଉଁ ପୁରୁଣା ନଥିପତ୍ରର ଲେଖା ମୀନକେତନର ହାବୁଡ଼େ ପଡ଼ି ଯାଇଥିବ ! କୁଆଡ଼ୁ ପୁଳାଏ ଶୂନ୍ୟରୁ କିପରି ହାବୁଡ଼ି ଯିବ, ସେହି ଆଶା କରିଛି ସେ ଛତରା । ମନକଲେ ମନୋରମା ତାକୁ ଟେହି ଦେଇଥିବେ । ପୁଣି ଓକିଲ ପରାମର୍ଶ କରିବାକୁ ପଡ଼ିବ ।

 

ମନେ ମନେ ବିରକ୍ତ ହୋଇ ସେ ପଚାରିଲେ, ହଇରେ ରାବଣା ! ତୁ ଖବର ରଖିଛୁକି, କଣ ସେ ପାଇଲା ?

 

ବିନୋଦିନୀ ସବୁ ଶୁଣୁଥିଲେ । ମନେ ମନେ ବେଶ୍‌ ମୋଦିତ ହେଉଥିଲେ । ସେ ଜାଣନ୍ତି, ତାଙ୍କର ସ୍ଵାମୀ ସହଜରେ ଲୋକଙ୍କ କଥାରେ ବିଶ୍ୱାସ କରନ୍ତି, ନିଜ ବିଶ୍ୱାସର ଡୋରକୁ ଧରି ସେ ପବନ ପହଁରନ୍ତି । କିନ୍ତୁ ସେ ଲୋକଙ୍କୁ ସହଜରେ ବିଶ୍ଵାସ କରନ୍ତି ନାହିଁ । ବିନୋଦିନୀ ଉପହାସ କରି କହିଲେ, ମକଦ୍ଦମା ତ ଜିତିଲ, ଗଡ଼ ଜିଣିଲ, ଛାର କୋଠିଆ ଟୋକାଟା ସଙ୍ଗରେ ଏତେ ଦୁଃଖ ସୁଖ କଣ ମ ? ମତେ ପଚାରୁନ, ମୁଁ କହିବି, ମୀନ ଲୋଟାଏ ଅସ୍‌ରପି ପାଇଛନ୍ତି । ହେଲା ?

 

ଉପହାସ କରନା ବିନ, ସତ ବି ହୋଇପାରେ ।

 

କାହିଁକି ସତ ନ ହେବ ? ଖାନଦାନୀ ଦଳବେହେରା ଘର, ଉଭା ଯେତେ ପୋତା ସେତେ । ଛି, ଛି ତମ ମୁହଁକୁ ସରମ ନାହିଁ । ହଇହୋ, ତମଠୁ ବଳି ଯେଡ଼େ ନିର୍ବୁଦ୍ଧିଆ ହେଲେ ବି କେହି କେବେ ଦିନ ଦିପହରେ ମୂଲିଆ ନେଇ ଅସରପି-ଲୋଟା ଖୋଳିବାକୁ ସାହସ କରି ଗୋଚର ଦଣ୍ଡା ତାଡ଼ିବାକୁ ଯାଏ ନାହିଁ । ବୁଢ଼ାଟିଏ ହେଲଣି, ପରଙ୍କ କଥାରେ ଏମିତି ଭୁଲିଯାଉଛ କାହିଁକି । ନିଜେ ଯାଇ ଦେଖ, ମୀନକ ଲେଖି ବୁଝ–

 

ନରୋତ୍ତମଙ୍କର ଟେମ୍ପର୍‌ ଉଠି ଆସୁଥିଲା; ନିଶ୍ଚେ ଗୋଟାଏ ଅଜା-ଯୁଦ୍ଧ ହୋଇଥାନ୍ତା, କିନ୍ତୁ କୋଠିଆ ଓ ମୂଲିଆଙ୍କୁ ବାରଣ୍ଡା କଡ଼ରେ ବସିଥିବାର ଦେଖି, ପିଲା କେଇଟା ପାଠପଢ଼ା ଛାଡ଼ି ବାଆଁରେଇ ହୋଇ ପାଖକୁ ଆସୁଛନ୍ତି ଜାଣି, ସେ ଟେମ୍ପରକୁ ଆୟତ୍ତ କରି ପଚାରିଲେ, ତେବେ ସେ ତାର ନିଜର ଜମି ତଡ଼ିଲା କାହିଁକି ? କଅଣ ତାର ଉଦ୍ଦେଶ୍ୟ ।

 

ବିନୋଦିନୀ କହିଲେ, ଦାନ୍ତମୂଳ ଧରିଛି; ବେତ, ଖଜୁରୀ ଅବା ଆଉ କେଉଁ କଦା, ଅବା ମୂଳ ଖୋଳିବାକୁ ଯାଇଥିବେ ।

 

କହୁ କହୁ ବିନୋଦିନୀଙ୍କର ମୁହଁ କଳାକାଠ ପଡ଼ିଗଲା ତାଙ୍କ ଆଖିରେ ସତେକି ମୀନକେତନଙ୍କର ବିମର୍ଷ ମୁହଁଟି ଦିଶିଗଲା । ସେହି ମୁହଁରେ ସତେକି କଥା ବାହାରୁଛି-ତାଳୁରେ ଟିକିଏ ଘା ହୋଇଛି ଭାଉଜ ! ରାଗୁଆ, ଲୁଣିଆ ଯାହା ଖାଇଲେ ସେ ଘାଆ ହାଉ କରି ପୋଡ଼ି ଉଠୁଛି । ବିନୋଦିନୀ ପୁଣି ଭାବିଲେ, କାହିଁକି ମୀନ ତାଙ୍କ ମୁହଁରେ ଓ ମୁଣ୍ଡରେ ଚଦର ଗୁଡ଼ାଇଛନ୍ତି-? ବିନୋଦିନୀ କହି ଉଠିଲେ, ଏଁ ଏଁ ଆହା !

 

ନରୋତ୍ତମ ଦେଖିଲେ, ସ୍ନେହ ଓ ଉଦାରତାର ଅବତାର ତାଙ୍କର ଗୃହିଣୀଙ୍କର ଆଖିରେ ଲୁହ ଛଳ ଛଳ ହେଉଛି । ସେ କହି ଉଠୁଛନ୍ତି, ନାଇଁ ନାଇଁ; ମୋ ନିଆଁଲାଗିର ମନକୁ କି ଅସନା ଭାବନା ଆସିଲା, ହେ ଠାକୁରେ ! ତାଙ୍କର ଦାନ୍ତମୂଳର ଘାଆ ଭଲ କରିଦିଅ ।

 

ବିନୋଦିନୀ ଦୁଇହାତ ଯୋଡ଼ି ମୁଣ୍ଡରେ ଲଗାଇଲେ । ବାଷ୍ପରୁଦ୍ଧ କଣ୍ଠରେ କହିଲେ, ହଇହୋ ଶୁଣୁଛ, ତମେ ଶନିବାର ସଞ୍ଜରେ ନାଥପଡ଼ା ଯିବ ନାହିଁ ।

 

କାହିଁକି ?

 

ରବିବାର ସକାଳେ ଯିବ । କେତେଦିନ ହେଲା ମୁଁ ମନୋରମାକୁ ଦେଖିନାହିଁ । ମୁଁ ବି ତମ ସାଙ୍ଗରେ ଯିବି । ତମେ ତମର ଆମ୍ବଗଛ ଦଖଲ ନେବ । ମୁଁ ଟିକିଏ ବୁଝିବି ମନୁଠାରୁ ମୀନଙ୍କର ଦାନ୍ତମୂଳ କାହିଁକି ଧରିଛି, ମନୁ ଚିଠିଖଣ୍ଡେ ନ ଦେଲା କାହିଁକି ?

 

ନରୋତ୍ତମ ହସି ହସି କହିଲେ, ଯିବ ତ ଯିବ, ଭଲ ହେବ । ଆମ ନ’ଗଛିଆର ସରହଦ ଆଉ ମୀନକେତନ ଆମ୍ବ କି ନଡ଼ିଆ ଲଗାଇବାକୁ ଆମ ଜମିରେ ଯେଉଁ ଗାତ ଖୋଳିଛି ତାକୁ ବି ଦେଖି ଆସିବ ।

 

ଶୁକ୍ରବାର ଦିନ ନରୋତ୍ତମ ଅସମୟରେ ସହଳ ସହଳ ଅଫିସରରୁ ଫେରିଲେ । ପୁଅଝିଅମାନେ ସ୍କୁଲ କଲେଜରୁ ବାହୁଡ଼ି ନଥାନ୍ତି । ନରୋତ୍ତମଙ୍କର ମୁହଁ କଳାକାଠ ପଡ଼ିଥାଏ । ବିନୋଦିନୀ ତାଙ୍କର ପାଖକୁ ଆସିଲେ । ନରୋତ୍ତମଙ୍କର ଆଖି ଲୁହରେ ଭରିଗଲା । ତାଙ୍କର ଓଠ ଦି’ଫାଳ ଥରୁଥିଲା । ସେ ଗଭୀର ବେଦନାଭରା ସ୍ୱରରେ କହିଲେ, ମୀନ ଚିଠି ଲେଖିଛି ।

 

ନରୋତ୍ତମଙ୍କର ଆଖିରୁ ଲୁହ ଦି’ଧାର ଗଡ଼ି ଆସୁଣୁ ସେ ପକେଟରୁ ଚିଠି ଖଣ୍ଡେ କାଢ଼ି ବିନୋଦିନୀଙ୍କ ହାତକୁ ବଢ଼ାଇ ଦେଲେ । କହିଲେ, ସେ ଏ ଚିଠି କଲିକତାରୁ ପଠାଇଛି ।

 

ବିନୋଦିନୀ କ୍ରସ୍ତ-ହାତରେ ଚିଠିଖଣ୍ଡି ଧରି ସାନ୍ତ୍ୱନା ଦେବାର ଭଙ୍ଗୀରେ କହିଲେ, ସେ ଛତରା ଟୋକା ତମକୁକ’ଣ ଅପମାନିଆଁ କରି ଲେଖିଛି ଯେ ବୁଢ଼ାବୟସରେ ତମେ କାନ୍ଦୁଛ ? ବାଳୁଙ୍ଗାର ସାହସ ବଢ଼ିଗଲାଣି ଦେଖୁଛି । ଆମ ତୋଟାତଡ଼ା ପାଇଁ ତାକୁ ଆଉ ପାନେ ନ ଦେଲେ ହେବନାହିଁ । ଯେତେ ଖରଚ ହେବାର ହେଉ । ତମେ ଧୈର୍ଯ୍ୟଧର ତୁନୀ ହୁଅ ।

 

ନରୋତ୍ତମ କିନ୍ତୁ ଧୈର୍ଯ୍ୟ ଧରି ପାରିଲେ ନାହିଁ, କି ତୁନୀ ରହି ପାରିଲେ ନାହିଁ । ସେ ସୁକୁସୁକୁ ହୋଇ ମୁହଁ ରେ ଦୁଇହାତ ଘୋଡ଼ାଇ ଆର ଘରକୁ ଚାଲିଗଲେ । ଆରାମ ଚୌକିରେ ବସି, ମୁଣ୍ଡ ଆଉଜାଇ, ସେ ମୁଣ୍ଡକୁ ଏପାଖ ସେପାଖ କରିବାକୁ ଲାଗିଲେ ।

 

ରାଗରେ ଫିଁ ଫିଁ ହୋଇ, ବିନୋଦିନୀ ଆଖିରେ ଚଷମା ଲଗାଇ, କାନ୍ଥକୁ ଆଉଜି ବସି ମୀନକେତନଙ୍କର ପତ୍ରଟି ଖୋଲି ମନେ ମନେ ପଡ଼ିଲେ–

 

‘‘ଭାଇ, ଆପଣଙ୍କର ନ’ଗଛିଆ ତୋଟା ଭିତରେ ଆପଣଙ୍କର ବିନାନୁମତିରେ ପଶି ଗାଡ଼ ଖୋଳି ଥିବାରୁ ମୁଁ ସହସ୍ରବାର କ୍ଷମା ପ୍ରାର୍ଥନା କରୁଛି । ଯାହା ମୁଁ ଆଗରୁ ଅନୁମାନ କରୁଥିଲି ତାହା ସତ୍ୟ ଫଳିଛି । ମୁଁ ବୁଝି ପାରିଲି ଓ ନିଜେ ଭୂମି ତଡ଼ାଇ ସନ୍ତୁଷ୍ଟ ହେଲି ଯେ ନ’ଗଛିଆ ତୋଟାର ହଜିଲା ଆମ୍ବ ଗଛଟି ଦିନେ ସେହିଠାରେ ଉଭା ହୋଇଥିଲା । ଆପଣ ନିଜେ ସେ ତଡା ସ୍ଥାନଟି ଦେଖିଲେ ବଳେ ବୁଝି ପାରିବେ ଓ ନିଜେ ସନ୍ତୁଷ୍ଟ ହେବେ ଯେ ଆପଣଙ୍କର ହତଭାଗ୍ୟ ସାନଭାଇ ମୀନ ଯେଉଁ ସର୍‌ହଦ ସ୍ଥିର କରିଥିଲା, ତାହା ହିଁ ନିର୍ଭୁଲ । ମୋର ଅସୁସ୍ଥ ବେଳରେ ମନରେ ସେତିକି ଟିକିଏ ଆନନ୍ଦ ଦେଇଥିଲା ।

 

ଭାଇ । ଏତକ ଲେଖିଲି ବୋଲି ଭାବିବେ ନାହିଁ ଯେ ମୁଁ ବଡ଼ପଣ ଦେଖାଇ ଗର୍ବ କରୁଛି-। ନା’ ମୋର ମନରେ ସେପରି ଧାରଣା ନ ଥିଲା, ଏବେ ବି ନାହିଁ । ମାଟି ତଡ଼ାଇ ଯେଉଁ ନୂଆ ତଥ୍ୟ ମୁ ପାଇଥିଲି, ସେଥିରେ ମକଦ୍ଦମା ଲଢ଼ିଥିଲେ ଫଳ ଭିନ୍ନ ପ୍ରକାର ହୋଇଥାଆନ୍ତା । ମୁ ଡରିଲି ଭାଇ । ମୋର ମନେ ହେଲା, କୋର୍ଟରେ ଯଦି ଆପଣ ହାରିଯାଆନ୍ତି, ଆପଣ ଦୁଃଖ କରିବେ । ଆପଣଙ୍କୁ ଯେଉଁ ଅପମାନ ହେବ, ସେ ହେବ ଆମ ସମସ୍ତଙ୍କର, ଜାଣ ଦଳବେହେରା ବଂଶର । କପୁରିଆ ଗଛଟା ଉପରେ ଆପଣଙ୍କର ସ୍ନେହ ବଳିଛି । କେତେଦିନ ମୁଁ ଆଉ ରହିବି ଯେ ଆପଣଙ୍କର ସ୍ନେହ ଊଣା କରିବି ?

 

ଭାଇ । କଅଣ ସବୁ ଲେଖିଲି ସେଥିକି ମୋର ଦୋଷ ଧରିବେ ନାହିଁ , ଜାଣି ତ ମୁଁ ଅଧାପାଠୁଆଟିଏ । ତିନି ବର୍ଷ ହେବ ମୋର ତାଳୁଉପରେ ଘାଆ ହୋଇଥିଲା । ସେହି ଘାଆ ଧୀରେ ଧୀରେ ମାଡ଼ି ଉପରପାଟିର ଦାନ୍ତ ଯାଏ ଆକ୍ରମଣ କଲାଣି । ମୋର ଦୁଃଖ ଓ ଯନ୍ତ୍ରଣା ଆମ କୁଟୁମ୍ବର କାହାକୁ ମୁଁ ଜଣାଇ ଦେଇ ନାହିଁ । କେତେଥର କଲିକତା ଆସି ଚିକିତ୍ସା କରାଇ ରୋଗକୁ ଦବାଇ ରଖିଥିଲି । ଏଥର ଆଉ ହେବ ନାହିଁ । ଡାକ୍ତର କହିଲେ, ଭାରି ସିରିଆସ୍‌ । ତେଣୁ , ମନୋରମା ବା ମୋର ପିଲାଙ୍କୁ କେବେ ମୋର ଦେହର ପ୍ରକୃତ ଅବସ୍ଥା ସମ୍ବନ୍ଧରେ ଜଣାଇନାହିଁ ।

 

ଭାଇ ! ମୋର ଦିନକାଳ ସରି ଆସିଲାଣି । ମୋର ଅନ୍ତିମ ଦୃଶ୍ୟକୁ ମୁଁ ଜଳଜଳ କରି ଦେଖି ପାରୁଛି । କ୍ୟାନସର୍‌ ରୋଗରୁ କେହି ପରିତ୍ରାଣ ପାଇନାହିଁ , ମୁଁ ବା ପାଇବି କିପରି ? ଆପଣଙ୍କୁ ଏହିଠାରୁ ମୁଁ ପ୍ରଣାମ କରୁଛି । ଆଉ କଣ ଲେଖିବି ଜାଣି ପାରୁନି । ଯନ୍ତ୍ରଣା ଅସହ୍ୟ ହେଉଛି । ମନୋରମାକୁ...

 

ବିନୋଦିନୀଙ୍କ ଆଖିର ଲୁହ ଓ ଛାତିର କୋହ ଏତେ ପ୍ରବଳ ହେଲା ଯେ ପତ୍ରଖଣ୍ଡି ଶେଷଯାଏ ସେ ପଢ଼ି ପାରିଲେ ନାହିଁ । ଆହା ଆହା ହୋଇ ସେ କେବଳ ନିର୍ଦ୍ଦୟ ଦୈବ ପାଖରେ ଅଭିଯୋଗ କଲେ । ଦୟା ଭିକ୍ଷା କଲେ, କଅଣ କଲୁରେ ଦଇବ ! ମୀନଙ୍କୁ ତୁ ଭଲ କରି ଦେ, ଭଲ କରି ଦେ ।

Image

 

ବିଲୁଆନନା

 

ଚାକିରୀରୁ ଅବସର ଗ୍ରହଣ କଲାପରେ କିପରି ପେନ୍‌ସନ୍‌, ଗ୍ରାଚ୍ୟୁଟି ଓ ପ୍ରୋଭିଡ଼େଣ୍ଟ୍‌ ଫଣ୍ଡ୍‌ ରେ ଜମାଥିବା ଟଙ୍କାତକ ମିଳିବ । ସେଥିପାଇଁ ଦଉଡ଼ାଦଉଡ଼ି ଓ ତଦ୍‌ଚିର୍‌ କରିବାରେ ସୁନାକରଙ୍କର ଦିନାକେତେ ସମୟ କଟିଗଲା । ନୂଆ ଘର ଖଣ୍ଡିଏ ତୋଳିଲେ, ପୁରୁଣା ଘରକୁ ମରାମତି କରି ଟିକିଏ ସୁସ୍ଥରେ ରହିବାର ଭାବନା ମୁଣ୍ଡକୁ ଆଣିଲେ, ତା’ ପରେ ଝିଅପୁଅମାନଙ୍କର ଭବିଷ୍ୟତ ଚିନ୍ତା ।

 

କାଳକ୍ରମେ ଏସବୁର ସମାଧାନ ହୋଇଗଲା । ତା’ ପରେ ସମୟ କଟିବ କିପରି ? ଦିନାକେତେ ପଢ଼ାପଢ଼ିର ଝୁଙ୍କ, ନିଜ ହାତରେ ବଗିଚା କରିବାର ପ୍ଳାନିଂ, ସଭାସମିତିରେ ବସି କିଏ କଣ କହୁଛି ମନକର୍ଣ୍ଣ ଦେଇ ଶୁଣିବା ଓ ସୁବିଧା ମିଳିଲେ ଚାରିପଦ କହି ପରଦିନ ଖବରକାଗଜକୁ ଚାହିଁବା । ଦିନ କେତେ ପରେ ଏ ଧନ୍ଦା ବି ମନ ଘେନିଲା ନାହିଁ ।

 

ତଥାପି, ଏ ସବୁତ କରିବାକୁ ହେବ । ନିଜର କୁଟୁମ୍ୱ ପ୍ରତି କର୍ତ୍ତବ୍ୟ ସଙ୍ଗେ ସଙ୍ଗେ ଦେଶ ଓ ସମାଜ ପ୍ରତି କର୍ତ୍ତବ୍ୟ ରହିଛି, କିନ୍ତୁ ସବୁ କର୍ତ୍ତବ୍ୟ ସମାଧାନ କରି ମଧ୍ୟ ସମୟ କଟୁ ନାହିଁ । ରୋଷଘରେ ପଶି ରନ୍ଧନ, ଘରଦ୍ୱାର ପରିଷ୍କାର ଓ ନଳା ସଫା କରିବା, କୁଟୁମ୍ବର ଅନ୍ୟମାନଙ୍କୁ ଉପଦେଶ ଦେବା ଓ ଅଭିଜ୍ଞତାରେ ଭରପୁର ଜୀବନରୁ ଅନୁଶୀଳ ଦେଇ ସେମାନଙ୍କୁ ଶୁଣିବାକୁ ବାଧ୍ୟ କରିବା । ବଜାର ସଉଦା । ବେଳେବେଳେ ସିନେମା ଓ ଥିଏଟର ।

 

ବେଳ ସରୁ ନାହିଁ । କୌଣସି ଫନ୍ଦା କରି ଅର୍ଥ-ଉପାର୍ଜ୍ଜନର ଯୋଜନା, ପୁଣି ମନ ଭିତରେ ନାହିଁ-ନାହିଁର ସମ୍ପର୍କ ଡାକରେ ପଶ୍ଚାଦ୍‌ପଦ, ବିରକ୍ତି ।

 

ସମୟ କିଛି କଟି ଯାଉଛି, କିନ୍ତୁ ପୂର୍ଣ୍ଣ-ନିଯୁକ୍ତି ଅଭାବରୁ ଛଟପଟ ।

 

ଆରେଇ ଯାଏ ।

 

ସକାଳେ ଓ ସଂଜରେ ପଦବ୍ରଜରେ ଭ୍ରମଣ, ଅନ୍ୟ ଅବସରିଆଙ୍କ ସଙ୍ଗେ ଭେଟ, ଗଳ୍ପ । ନିଜ ନିଜ କର୍ମମୟ ଜୀବନର ଘଟଣାବଳୀ ବର୍ଣ୍ଣନ, କାହର ପ୍ରଶଂସା, କାହାର ନିନ୍ଦା । ସେ ଯୁଗ ଓ ଏଯୁଗର ଇତିହାସ, ବିଜ୍ଞାନ, ରାଜନୀତି, ଧର୍ମ, ବ୍ୟକ୍ତି ବିଶେଷ । ବେଳକଟେ । କଟିବ ତ ନିଶ୍ଚୟ । ମୁଁ ଦେଶ ଓ ସମାଜର ଅନାବଶ୍ୟକ ବୃଦ୍ଧଟିଏ ନୁହେ, ମନରେ ଏ ଧାରଣାର ଦୃଢ଼ୀକରଣ ।

 

ବର୍ଷ, ମାସ, ଦିନର ଗଣନାରେ ବୟସ ଅଧିକରୁ ଅଧିକ ହେଉଥିଲେ ବି ବେଶି-ବୟସିଆମାନଙ୍କୁ ସ୍ମରଣ କରି ନିରୋଳାରେ ମୁଣ୍ଡଟୁଙ୍ଗାରି ନିଜକୁ ପ୍ରବୋଧନା-ମୁଁ ବୃଦ୍ଧ କିପରି ହେଲି-? ଅମୁକଙ୍କର ମୁଁ ପୁଅ ସମାନ । ସେ ସୁସ୍ଥ ସବଳ ଅଛନ୍ତି, ଆତଯାତ ହେଉଛନ୍ତି, କାହାରି ସାହାଯ୍ୟ ଲୋଡ଼ୁନାହାନ୍ତି । ମୁଁ ବୟସ୍କ ହୋଇପାରେ, ମୁଁ କଦାପି ବୃଦ୍ଧ ନୁହେ ।

 

ଚିକ୍‌କଣଚାକଣ ହୋଇ ଭଦର ହେବା, ଛାତି ଓସାରି, ବେକ ସଳଖି, ହାତ ହଲାଇ, ମନରେ ଲେଫ୍‌ଟ ରାଇଟ୍‌ ଉଚ୍ଚାରି, ମେଦିନୀ ଥରାଇ ଯୁବକଙ୍କ ଅନୁକରଣରେ ବାଟରେ ପାହୁଣ୍ଡ ପକାଇବାର ପ୍ରେରଣା ଆସେ । ପଞ୍ଚେନ୍ଦ୍ରିୟଙ୍କର ଶିଥିଳତାକୁ ଉପେକ୍ଷା କରିବାକୁ ପଞ୍ଚମନ ଓ ପଚିଶ ପ୍ରକୃତିଙ୍କର ଆଗ୍ରହ ତେଜେ; ସେମାନଙ୍କର କି ପ୍ରକାର ସେବା ଓ ପରିଚର୍ଯ୍ୟା କଲେ ସେମାନେ ପୁଣି ତାଜା ଓ ସକ୍ରିୟ ହେବେ ପଞ୍ଚମନ ସେ କଥା ହେଜେ ।

 

ଉଦ୍ୟମ । ବିଫଳତା । ଆହା, ମୁଣ୍ଡ ନୋଇଁ ଶରଣ ପଶିବାକୁ ହେବ ସେମାନଙ୍କର ଅଡ଼ଣି ପାଖରେ, ଏହି ଭାବନାରେ ଚୋରମାଆର ଛପିଛପିକା ବିଳାପ ! ଅନ୍ତିମର ବେଗିବେଗିକା ଆକର୍ଷଣ, ସେହି ବାଘର ଓଟରାରେ ଵିଚଳିତ ଭାବ । ରକ୍ଷାନାହିଁର ମନ ଖଗଡ଼ିଲା ନିଶ୍ଚିତତାରେ ଆଖିବୁଜା ଡରିଲା ପ୍ରସ୍ତୁତି । ହତାଶା । ଯାହା ହବାର ହେଉଥାଉ, ଅନ୍ତିମର ବିଶାଳ ଅଗ୍ନିଳଆଁର ରୂପଟା ମିଟି ମିଟି ଆଖିକୁ ବେଳେ ବେଳେ ଦିଶି ଯାଉଛି ।

 

ସେଣିକି ନ ଚାହିଁ ଦୁନିଆ ଆଡ଼କୁ ଚାହିଁଲେ ଶାନ୍ତି ମିଳିବ । କାହିଁ ଶାନ୍ତି ? ଆଖିରେ ଯାହା ପଡ଼େ ସେ ସବୁ ନୂଆ ନୁହେ । ପ୍ରତ୍ୟେକର ପଛରେ ଘଟିଲା ଘଟଣାର ଛାଇ ଲୁଚିଛି । ଅସ୍ପଷ୍ଟ ହୋଇପାରେ, କିନ୍ତୁ ସେ ଛାୟାର ଦିନେ ଜୀବ ଥିଲା । ତାଆର ପ୍ରେତରୂପ । କେତେ ପ୍ରକାର ଭାବନା, ଯାହାକୁ ସଜୀବ ରୂପ ଦେଲେ ସେଗୁଡ଼ିକ କେଡ଼େ ଅସନା ଓ ସମାଜ-ସଂସ୍କାର ବିରୋଧୀ ଭୟଙ୍କର ହୁଅନ୍ତା !

 

ସେହିସବୁ ପ୍ରକାଶି ନ ହେଲା ଅନର୍ଗଳ ଭାବନାରୁ ପରିତ୍ରାଣ ପାଇବାର ମହୌଷଧି ହରିନାମ ଓ ମାଳା-କୋଥଳି, କପାଳରେ ତିଳଖ ଚିତା ।

 

ସମସ୍ତେ କଣ ପାରିବେ ? ସେଥିପାଇଁ ମନରେ ଦୃଢ଼ତା ଲୋଡ଼ା, ଯାହା ଅନ୍ୟମାନଙ୍କ ହସିଲା ଦୃଷ୍ଟିରେ ନିର୍ଲଜପଣ ସେମାନେ ବୁଝିବେ ନାହିଁ । ସେମାନଙ୍କର ବୁଝିବାର ବୟସ ହୋଇ ନାହିଁ । ଅଭିଜ୍ଞତାର ତାପରେ ସେମାନେ ଭିତରେ ଭିତରେ ଦହି ହୋଇ ନାହାନ୍ତି । ହେବେ ଯେ, ଯିବେ କୁଆଡ଼େ, ସେଇଠୁ ସେମାନେ ବାଟକୁ ଆସିବେ, ଯେତେବେଳେ ଅନ୍ତିମର ଆତ୍ମା ପାଖେଇ ଆସିବ, ଆଉ ତାରି ଅଦେଖା ତପତ ନିଶ୍ଵାସରେ ପଞ୍ଚେନ୍ଦ୍ରିୟ ଆହୁରି ଆହୁରି ଅବଶ ନିସ୍ତେଜ ହେବେ-

 

ନରି ପାତ୍ରେ ମୁହଁ ରେ ଯେତେ ବାଲିଙ୍ଗି କାଢ଼ିଲେ କି ହେବ, ସୁନାକର ଭାବନ୍ତି, ପାତ୍ରେ ପରିତ୍ରାଣ ପାଇ ପାରିବେ ନାହିଁ । ଛୋଟ ପୁଲିସି ଚାକିରୀରୁ ଉଠି ଉଠିକା ସେ ଅଫିସର ହେଲେ । ପାଞ୍ଚ ବର୍ଷ ହେଲା ସେ ବି ପେନ୍‌ସନ୍‌ ନେଲେଣି । ତାଙ୍କ ଘରଣୀଙ୍କର ଲକ୍ଷ୍ମୀପୂଜା ଓ ସବୁ ଦେବାଦେବୀ ମୁନି-ସନ୍ୟାସୀମାନଙ୍କର ଫଟୋଗୁଡ଼ିକ ପ୍ରତି ଭକ୍ତି ପାଇଁ ହେଉ, ମିତବ୍ୟୟତା କାରଣରୁ ହେଉ, ଅନ୍ୟ କି ଉପାୟରେ କେଜାଣି, ପାତ୍ରେ ଚାକିରି ଜୀବନରେ ଭଲ ଚାରି ପଇସା ଉପାର୍ଜନ କରିଥିଲେ । ସେ ସଚ୍ଚୋଟ ଅଫିସର ବୋଲି ଡିପାଟମେଣ୍ଟରେ ତାଙ୍କର ସୁନାମ ଅଛି ବୋଲି ସେ ନିଜେ ପ୍ରଚାର କରନ୍ତି ।

 

ବୃଦ୍ଧ ସୁନାକର ସାନ୍ଧ୍ୟଭ୍ରମଣ କାଳରେ ଆଜି ସେହି ନରି ପାତ୍ରଙ୍କ ସମ୍ବନ୍ଧରେ ଚିନ୍ତା କରୁଥିଲେ । ନିଜେ ସେ ଶାସନ-ବିଭାଗରେ କାମ କରୁଥିଲେ । ସେ ମଧ୍ୟ ଅବସର ନେଲେଣି । ସ୍ୱାସ୍ଥ୍ୟ ଅତୁଟ ଅଛି । ବାର୍ଦ୍ଧକ୍ୟର ଅବସନ୍ନତାକୁ ଭ୍ରୂକ୍ଷେପ ନ କରି ସେ ଯୁବକ ସୁଲଭ ଦୃଢ଼ ପଦକ୍ଷେପଣ କରିବାକୁ ଚେଷ୍ଟା କରୁଛନ୍ତି ଓ ଭାବୁଛନ୍ତି ଯେ ସେ ସଫଳ ହେଉଛନ୍ତି, କିନ୍ତୁ ପ୍ରକୃତରେ ନିଜର ପ୍ରତି ପଦକ୍ଷେପରେ ସେ ଦୋହଲି ଯାଉଛନ୍ତି । ଦେହରୁ ଝାଳ ନିଗିଡ଼ି ପଡ଼ିଲାଣି ।

 

ଏବଯାଏ ସେ ଫୁଲ ଫ୍ୟାଣ୍ଟ ଓ ହାଓ୍ୱାଇନ ସାର୍ଟ ବ୍ୟବହାର କରୁଛନ୍ତି । ଅବସର ସେଲାବେଳେ ସେଥିରୁ ଗୁଡ଼ାଏ ଥିଲା, ସେ ଗୁଡ଼ିକ କାହିଁକି ନଷ୍ଟ କରିବେ ? ପ୍ୟାଣ୍ଟ ଛିଡ଼ିଲେ ହାଓ୍ୱାଇନ୍‌ର ସଦ୍‌ବ୍ୟବହାର ହୋଇ ପାରିବ ନାହିଁ ହାଓ୍ୱାଇନ୍‌ ଛିଡ଼ିଲେ ପୁଣି ପ୍ୟାଣ୍ଟଗୁଡ଼ା ଅକାମୀ ହେବ । ଏହି କାରଣରୁ ବେଳେ ବେଳେ ଏଥିରୁ ନୋହିଲେ ସେଥିରୁ କ୍ରୟ କରିବାକୁ ବାଧ୍ୟ ହୁଅନ୍ତି । ଧୋତି କାମିଜ ଅବା ପଞ୍ଜାବୀ ବ୍ୟବହାର କରିବାର ସୁଯୋଗ ମିଳୁ ନାହି ।

 

ରିକ୍‌ସା ଭଡ଼ାରୁ ଉଦ୍ଧାର ପାଇବାକୁ ଓ ରିକ୍‌ସାବାଲାଙ୍କ ସଙ୍ଗେ ଭଡ଼ା ପାଇଁ ତେରି ମେରି କଜିଆରୁ ରକ୍ଷା ପାଇବାକୁ ସେ ସାଇକଲ ବ୍ୟବହାର କରନ୍ତି, କିନ୍ତୁ ସକାଳ ଓ ସଞ୍ଜର ଭ୍ରମଣ ତ ପଦଯାନରେ ହୁଏ । ସେତକ ନ କଲେ ସମ ବୟସ୍କ ଅବସରପ୍ରାପ୍ତ ବନ୍ଧୁମାନଙ୍କ ସଙ୍ଗେ ଦେଖା ହୋଇ ପାରିବ ନାହିଁ ବିବିଧ ବିଷୟର ଆଲୋଚନା ଓ ନିଜର ଅତୀତ କାଳର ଘଟଣାବଳୀର ବର୍ଣ୍ଣନା ଏବଂ ନିଜ ନିଜର ବଡ଼ପଣ ପ୍ରକାଶ କରି ପ୍ରଚ୍ଛନ୍ନ ଆତ୍ମ-ଗୌରବ ଭକରି ହେବ ନାହିଁ । ଏଇଟା ଗୋଟାଏ ବଡ଼ ନିଶା ।

 

ସଞ୍ଜ ପବନରେ କାଠଯୋଡ଼ୀ ବନ୍ଧତଳୁ ଶୁଖିଲା ଓ ସଦ୍ୟଅସନାର ନାକଫଟା ଅଇଉଠଗନ୍ଧ ଭାସି ଆସୁଛି । ଟ୍ରକ ଓ କାର୍‌ ଗୁଡ଼ିକ ଏତେ ବେଗରେ ରାସ୍ତା ଉପରେ ଗତି କରୁଛନ୍ତି ଯେ ରାସ୍ତା ମଝିରେ ଯିବା ତ ସମ୍ଭବ ନୁହେ, ବାଲି ଧୂଳି ଜମିଥିବା ଖଣ୍ଡିଆ ଖାବରା ଫୁଟ୍‌ପାଥରୁ ତଳକୁ ଖସିଲେ ଜୀବନ ଯିବାର ସମ୍ଭାବନା । ମେ ମାସର ମଝିଆ ମଝି । ଧୂଳି ମିଶା ଗନ୍ଧିଆ ସୁଲୁ ସୁଲିଆ ପବନ ବେଶ୍‌ ଗରମ ଯେ ଝାଳୁଆ ଦେହକୁ ଶୀତଳ ଲାଗୁଛି ।

 

ସ୍ପର୍ଶେନ୍ଦ୍ରିୟଟି ଟିକିଏ ଆରାମ ଲଭୁଛି କିନ୍ତୁ ଘ୍ରାଣେନ୍ଦ୍ରିୟର ଅବସ୍ଥା ଶୋଚନୀୟ । ନଦୀର ଶୁଖିଲା ଗର୍ଭକୁ ଅନାଇଁ ହେଉନାହିଁ । ସେମାନେ ବାୟୁ ଦୂଷିତ କରୁଛନ୍ତି । ସେମାନେ ଅଶ୍ଳୀଳ ନୁହନ୍ତି-। ପ୍ରକୃତିର ପରବାନା ଏଡ଼ାଇବ କିଏ ? ଆଖେଇଲା ବ୍ୟକ୍ତି ହିଁ ଅଶ୍ଳୀଳ । ନୟନେନ୍ଦ୍ରିୟକୁ ଶାସନ କରି ରାସ୍ତା ଉପରେ ନିବଦ୍ଧ କରିବାକୁ ହେବ । କର୍ଣ୍ଣେନ୍ଦ୍ରିୟର ବି ଅବସ୍ଥା ଶୋଚନୀୟ । ଟ୍ରକ, ଜିପ୍‌, କାର୍‌ଗୁଡ଼ିକର ଶବଦକୁ ବୁଡ଼ାଇ ଦେଉଛି ଡାହାଣ ପାଖ ବନ୍ଧ ଉପରେ କେତେଜଣ ସ୍ତ୍ରୀଲୋକଙ୍କର କିଳିକିଳା ରଡ଼ି । ସେମାନେ କଳି କରୁଛନ୍ତି । ନୂଆ ଓଡ଼ିଶୀନୃତ୍ୟ, ନୂଆ ଓଡ଼ିଶୀ ସଙ୍ଗୀତ । ସେ ସଙ୍ଗୀତ ନୂତନ-ଭଞ୍ଜୀୟ ଗଦ୍ୟ କବିତା । ପାଦ ଓ ଉପଧା ନ ପଡ଼ିଲେ ନାହିଁ, ସେଥିରେ ଛନ୍ଦ ଅଛି । ଯେଉଁ ଦୃଶ୍ୟକଳ୍ପ ସେ ମାନସ-ଚକ୍ଷୁ ଆଗରେ ଉଭା କରାଉଛି, ତାନୁ ବାହର ଚକ୍ଷୁରେ ଦେଖିହେବ ନାହି ।

 

ନିର୍ବିକାର ସୁନାକର ଓଠ ଚାପି ରସନେନ୍ଦ୍ରିୟକୁ ବନ୍ଦକରି ଲେଫ୍‌ଟ ରାଇଟ ରୀତିରେ ଦ୍ରୂତପଦରେ ଆଗେଇ ଗଲେ । ଆଜି ଅନ୍ୟ କୌଣସି ବନ୍ଧୁଙ୍କ ସଙ୍ଗେ ସାକ୍ଷାତ୍‌ ହେଲା ନାହିଁ । ଏ ପଥରେ ଆସି ଦୂଷିତ ବାୟୁ ସେବନ ଓ ଆଦିମ ଯୁଗର ଲାଜହୀନ ଦୃଶ୍ୟ ଦେଖିବାକୁ ସେମାନେ ଆଗ୍ରହୀ ହେଲେ ନାହିଁ । ଆସିଥାନ୍ତେ ଯଦି ଶ୍ରୀଯୁକ୍ତ ମିତ୍ର, ଖଣ୍ଡେ ଭଲ ସିଗାରେଟ ଟାଣିବାକୁ ମିଳିଥାନ୍ତା ।

 

ହଁ, ନନୀ ମିତ୍ର ମଉଜିଆ ଲୋକ । ଗୋରା ତକତକ ବାଙ୍ଗର ଲୋକ । ଠିକ ଠ ବର୍ତ୍ତୁଳ ଚନ୍ଦ୍ରାନନ । ଏବଯାଏ ମୁଣ୍ଡର ଘଞ୍ଚ କେଶ ଯିଏ କପାଳ ମଝିରୁ ଦି ଫାଙ୍କ, ସେ କେଶ ପାଚି ନାହିଁ । ଦାନ୍ତ ଦି ଧାଡ଼ି ଯାଇଛି । ତା ପରିବର୍ତ୍ତେ ଦି ଧାଡ଼ି ମୂଲ୍ୟବାନ ନକଲି ଦାନ୍ତ ଖଞ୍ଜା ହୋଇଛି । ହୁଏତ ସେ ମିଛ ଗପନ୍ତି, (ସେଇଆ ସମ୍ଭବ, କାରଣ କଥିତ ଅଛି, ମିଛ କହିଲେ ଅଳ୍ପ ବୟସରେ ଦାନ୍ତ ଝଡ଼ିପଡ଼େ) ଅବା ତାଙ୍କର ହୃଦୟଟି ଭାରି ଖୋଲା । ସ୍ଵାସ୍ଥ୍ୟ ଭଲ ଅଛି, କେବଳ ଧୀରେ ଧୀରେ ସେ ବଡ଼ବୋଲା ହୋଇଛନ୍ତି । ପିଲାଦିନେ କେତେ ବେଙ୍ଗ ସେ ମାରିଥିଲେ କେଜାଣି !

 

ବଡ଼ ପାଟି କରି ତାଙ୍କ କାନ ପାଖରେ ବୋବାଳି ନ ଛାଡ଼ିଲେ ସେ ଶୁଣିପାରନ୍ତି ନାହିଁ । ପ୍ରାତଃ ଓ ସନ୍ଧ୍ୟାକାଳୀନ ଭ୍ରମଣ କାଳରେ ଏହା ସମ୍ଭବ ନୁହେଁ । ଧୀରେ କହିଲେ ସେ ବୁଝିଲା ରୀତିରେ ମୁହଁ ହଲାନ୍ତି; ଅଳପ ହସନ୍ତି; ଟ୍ରାଉଜର ପକେଟରୁ ରୂପାର ସିଗାରେଟ କେସ୍‌ ଓ ଚିକ୍‌ଚିକ୍‌ ମୂଲ୍ୟବାନ୍‌ ଲାଇଟର୍‌ କାଢ଼ନ୍ତି । ସଭିଙ୍କୁ ଦିଅନ୍ତି, ନିଜେ ବି ଟାଣନ୍ତି ।

 

ପୁଣି ଆରମ୍ଭ କରନ୍ତି ତାଙ୍କର ଗପ–ବୁଝିଲେ ନା, ଚାକିରୀ ଗୋଟାଏ ବ୍ୟବସାୟ । ଅବକାରୀ ବିଭାଗରେ ତଳ ପାହ୍ୟାରେ ଯେତେବେଳେ ଯୋଗ ଦେଲି, ସେ ବେଉସାରେ ବେଶ୍‌ ଦିନାକେତେ ନିର୍ମାୟା ଓ ସଚ୍ଚୋଟ ପୁରୁଷ ହୋଇ ପ୍ରୋବେଶନାରୀ କଲି । ଦିନରାତି ପରିଶ୍ରମ କରିଥିଲି, ଆଇନ୍‌ଭଙ୍ଗକାରୀଙ୍କୁ ଧରିଲି, ସଜା ଦିଆଇଲି । ଫଳ ହେଲା– ମୋ ଉପରେ ଅନ୍ଧାରିଆ ମାଡ଼, କଇଫତ୍‌ ତଲବ୍‌, ପନିସ୍‌ମେଣ୍ଟ୍‌ ।

 

ବୁଝିଲି, ଯେ ଏ ସବୁ ମଧ୍ୟ ଆମ ଚାକିରୀ ବେଉସାର ପ୍ରାକ୍‌ଟିକେଲ୍‌ ଟ୍ରେନିଂ । ଖଜୁରୀଗଛ ସଙ୍ଗରେ ଆମର ପ୍ରତ୍ୟକ୍ଷ ସମ୍ପର୍କ । ସେ ଗଛ ଆମ ଚାକିରୀର ପ୍ରତୀକ । ଏତକ ମୋର ଆରମ୍ଭରୁ ବୁଝିବା ଉଚିତ ଥିଲା । ଡେରିହେଲେ କ୍ଷତି ନାହିଁ । ଟ୍ରେନିଂ ନିଦା ହୋଇଗଲା । ଲାଜ, ସଂକୋଚ, ମାନ ଅପମାନ, ମୁହଁ-ମୁଲାଇଜା ନ ଛାଡ଼ିଲେ ବେଉସା ନ ଚଳେ । ଖାଲି ଗଧପରି ଖଟିଲେ, ବଢ଼ିଆ ଇଂରେଜୀ ଭାଷାରେ ରିପୋର୍ଟ ଲେଖିଲେ କଣ ଚଳିବ ? ମନ୍ତ୍ର ହେଲା-ନେବ ନିଆଇବ, ଦେବ ଦିଆଇବ ।

 

ଚଳିଲା, ବେଶ ଚଳିଲା; କିନ୍ତୁ ମୋଟେ ଷାଠିଏ ଭାଗ ସକ୍‌ସେସ । ଆଉ ଚାଳିଶି ଭାଗ ସକ୍‌ସେସ ପାଇଁ ଯେଉଁ ସାଧନା ଦରକାର ସେଥିପାଇଁ ଉଦ୍ୟମ କରାଯାଇ ପାରେ, କିନ୍ତୁ ଦିଅଁ ଗଢ଼ୁ ଗଢ଼ୁ ଯଦି ମାଙ୍କଡ଼ ହୋଇଯାଏ ତ ସର୍ବନାଶ । ମୋ ଜୀବନରେ ସେହି ଧକ୍‌କା ଦୁଇଥର ଆସିଥିଲା-। ଦୁଇଥର ମୁଁ ସସ୍‌ପେଣ୍ଡ ହୋଇଥିଲି । ଦରମା ସହ ପୁଣି ସ୍ୱସ୍ଥାନକୁ ଫେରିଲି । ମୋର ସ୍ପେଶାଲ ପ୍ରାକ୍‌ଟିକେଲ ଟ୍ରେନିଂ ହୋଇଗଲା । ଦେଖୁନାହଁ ଏହି ଲୋଟା-କମ୍ବଳିଆ ଥନ୍ତଲପେଟିଆ ବେପାରୀ ଦଳଙ୍କୁ । ନେଇ ଆଣି ଥୋଇ ପାରିବାର ଟ୍ରେନିଂରେ ଡକ୍ଟରେଟ୍‌ ହୋଇ, ନିଜ ହାତରେ କୁଟା ଖଣ୍ଡକ ଦି,ଖଣ୍ଡ ନ କରି, କଅଣ ସେମାନେ କରି ପାରିଛନ୍ତି !

 

ସେମାନେ ବି ତାଙ୍କମାନଙ୍କ ଜୀବନକାଳ ମଧ୍ୟରେ କେତେଥର ଲାଲବତୀ ଜଳାଇଛନ୍ତି । ସେତକ ଆମ ବେଉସାର ସସ୍‌ପେନ୍‌ସନ୍‌ ସଙ୍ଗେ ସମାନ । ହଁ ଆଜ୍ଞା, ମୋ କଥାରେ ବିଶ୍ଵାସ କରନ୍ତୁ-। ଦେଖନ୍ତୁ ସେମାନଙ୍କର ଧନସମ୍ପତ୍ତି, ପ୍ରତିପତ୍ତି । ପ୍ରତ୍ୟକ୍ଷରେ ନ ହେଉ, ପରୋକ୍ଷରେ ସେମାନେ ରାଜନୀତିର କାନ ଧରିଛନ୍ତି ।

 

ଯାହାର କ୍ଷେତ୍ର ଯେଡ଼େ; ଭଲ ଚାଷ କରାଇ ପାରିଲେ; ଭଲ ସାର ଠିକ୍‌ ସମୟରେ ପ୍ରୟୋଗ କଲେ ଓ ନିୟମ ପ୍ରକାରେ ଜଳ ମଡ଼ାଇଲେ ଭଲ ଫସଲ ନ ହେବ କାହିଁକି ? ମୋର ତ ଫଳିଛି ଆଜ୍ଞା ! ବଡ଼ତି କରି କହୁନାହିଁ, କହିବାକୁ ମୁଁ କୁଣ୍ଠିତ ହେଉନାହିଁ, କିଏ ମୋର କଣ କରି ପାରିବ ? ମୁଁ ସାତ ଚକଟା ପୋଳୁଅ ଘଣ୍ଟା !

 

ଶୁଣନ୍ତୁ ନା, ଶୁଣନ୍ତୁ–

 

ନନୀମିତ୍ର ଆହୁରି ଖଣ୍ଡେ ଖଣ୍ଡେ ସିଗାରେଟ୍‌ ଦିଅନ୍ତି, ଗପିଚାଲନ୍ତି ତାଙ୍କ କର୍ମମୟ ଜୀବନର କରାମତି । କିପରି ଧନ ସଙ୍ଗେ ସଙ୍ଗେ ସେ ତାଙ୍କର ଇନ୍ଦ୍ରିୟମାନଙ୍କର ସୁଖ ଆହରଣ କରିଥିଲେ । ବିଶ୍ଵାସ କରିବା ସହଜ ନୁହେଁ, କାରଣ ତାଙ୍କର ବର୍ଣ୍ଣନାର ଘଟନା କେବଳ ଅସନା ଅନୈତିକ ନୁହେଁ, ଅତି କିମ୍ଭୁତ, ଭୟଙ୍କର ଓ ପଶୁର କର୍ମଠାରୁ ଅଧିକ ଗର୍ହିତ । ସେ ବର୍ଣ୍ଣନା କରନ୍ତି, ଅନୁଶୋଚନା ନ ଥିଲା ପରି ଜଣାଯାଏ, ସନ୍ଦେହ ହୁଏ, ତାଙ୍କ ବର୍ଣ୍ଣିତ ଘଟଣାବଳୀରେ ସ୍ଥାନ କାଳ ପାତ୍ରର ପରିବର୍ତ୍ତନ ହୁଏ ।

 

ନିଜ ନାମରେ ଓ ବେନାମୀ ବିଭିନ୍ନ ସ୍ଥାନରେ କୋଠାବାଡ଼ି କରିଛନ୍ତି, ଚାଷ ଜମି କରିଛନ୍ତି-। ପୁଅମାନଙ୍କର ଅଧିକ ପାଠ ହେଲା ନାହିଁ । ସେମାନେ ବେପାର କରି ଧନ ଅର୍ଜନ କରୁଛନ୍ତି । ବୋହୁମାନେ କଲିକତିଆଣୀ, କିନ୍ତୁ ଝିଅମାନେ ଓଡ଼ିଶା ଦେଶର ବୋହୁ । ନିଜ ଇଚ୍ଛାରେ ବର ବାଛି ନେଇଛନ୍ତି, ଭଲରେ ଅଛନ୍ତି ।

 

ବୁଝିଲେ ଆଜ୍ଞା ! ମୋର କର୍ତ୍ତବ୍ୟ ମୁଁ କରି ଦେଇଛି, ସେମାନେ ତାଙ୍କର କର୍ମନେଇ ସୁଖ ପାଇବେ କି ଦୁଃଖ ପାଇବେ ତାଙ୍କୁ ଜଣା । ପନ୍ଦର ବର୍ଷ ତଳେ ଗୃହିଣୀ ସ୍ଵର୍ଗାରୋହଣ କଲେ । ଯାଉନ୍ତୁ ସେ, ତାଙ୍କର କାଲ ପୂରିଲା; ସେ ନ ଥିଲେ ନାହିଁ–

 

ନନୀବାବୁ କେତେଦିନ ହେଲା ଇଆଡ଼େ ଆସୁ ନାହାନ୍ତି । ନିରାକାରବାବୁ ଦିନେ ତାଙ୍କୁ ଉପଦେଶ ଦେଉଥିଲେ, ଦେବୀଗଡ଼ାଘାଟର ବାଳି ଉପରେ ନଈର ଶୁଖିଲା ଧାର କତିରେ-ଆଉ ସେଗୁଡ଼ା ଗପ ନାହିଁ ହେ ! ଗପି ଗପି ମୁଣ୍ଡ ଉଶ୍ୱାସ କରି ସାରିଲଣି । କାହିଁକି ତମର ପୋଖତା- ଘରଣୀ, ଏତେ ପିଲାଙ୍କର ମା, ପୁଅବୋହୁ, ଝିଅ ଜୋଇଁ କରି ସାରିଲା ପରେ ନିଜ ହାତରେ ନିଜେ ମଲେ, ସେତକ ତମେ ପ୍ରକାଶ କରିବ ନାହିଁ ସିନା, ତମର ପାପ ତମ ନିଜ ପାଖରେ ତ ପ୍ରକାଶ କରୁଥିବ । ଯାହା କରିଛ କରିଛ, ତୁନୀ ହୁଅ । ରାସବିହାରୀ ମଠ ଭିତରକୁ ପାଦ ପକାଅ ।

 

ନନୀବାବୁଙ୍କର ଆଖିକୁ ସତେକି, ମରଣର ଛାଇ ଘୋଟିଆସେ । ଭିତରେ ଭିତରେ କି ଯନ୍ତ୍ରଣା ସେ ଅନୁଭବ କରନ୍ତି ତାଙ୍କୁ ଜଣା । ନିରାକାର ଶର୍ମା ଜାଣିଥିବେ, ସେତେବେଳେ ସେ ଦିହେଁ ଗୋଟିଏ ସ୍ଥାନରେ କାମ କରୁଥିଲେ । ନିରାକାର ଯୋଗାଣବିଭାଗର ଜଣେ ଉପରିକ ଥିଲେ । ସେ ମୁହଁଚିପା ଲୋକ । ଅଧା କହି, ମନରେ କୁତୁହଳ ଜନ୍ମାଇ, ସେ ନୀରବ ରହନ୍ତି । ଚେତାଇ ଦେଇ ଚୁପ୍‌ ।

 

ନନୀବାବୁ ତାଙ୍କର ସିକ୍ରେଟ୍‌କୁ ପେଟରେ ପୂରାଇ ଛପି ଛପିକା ମଠ ଭିତରକୁ ଡରିଡ଼ରି ଥରିଲା ପାଦ ପକାଇଲେ କି, ଅବା ଚାଲିଗଲେ ଜଗନ୍ନାଥଧାମକୁ, ଯେଉଁଠି ବିରାଟ ପ୍ରାସାଦ ସେ ତାଙ୍କର ଗୃହିଣୀଙ୍କ ନାମରେ ତୋଳାଇ ଥିଲେ, ଏବେ ଭଡ଼ା ଲାଗିଛି ? ସେହି କୋଠାରେ ଦିଓଟି ରୁମ୍‌ ସେ ନିଜପାଇଁ ରିଜର୍ଭ ରଖିଥାଆନ୍ତି । ପୁଣ୍ୟ-ପର୍ବରେ ସେ ପୁରୀ ଯାଇ ସେଇଠି ରହନ୍ତି । ନିତି ଦୁଇଥର ଜଗନ୍ନାଥ ଦର୍ଶନ । ହାତଯୋଡ଼ି ଗୁଣୁଗୁଣୁ ହୋଇ ପ୍ରାର୍ଥନା । ଦୁଇବେଳା ମହାପ୍ରସାଦ ସେବନ । ସବୁ ପାପ କ୍ଷାଳନ କରିବାକୁ ମନ୍ଦିର ବାହାରେ ଭିଡ଼ ବାନ୍ଧିଥିବା ନକଲି ଓ ଅସଲି ଭିଖାରୀମାନଙ୍କୁ କିଛି କିଛି ଦାନ । କଟକ ଫେରିବା ଆଗରୁ ଅନ୍ତତଃ ଦି’ଯୋଡ଼ା ଶୁଖୁଆମଞ୍ଜି ସେ ନିଶ୍ଚୟ କିଣି ଆଣନ୍ତି ।

 

କହନ୍ତି ନିରାକାରବାବୁ, ସବୁ ଖବର ମୋ ପାଖରେ ଆସି ପହଞ୍ଚେ । ପୁରୀରେ ମୋ ସାନ ଭାଇର ଘର ଓ ସିମେଣ୍ଟ ଗୋଦାମ, କାଠ କାରଖାନା, କଣ୍ଟ୍ରୋଲ ଦୋକାନ; ସେହି କୁଣ୍ଢେଇବେଣ୍ଟ ସାହିରେ, ଯେଉଁଠି ସେ ଘର କରିଛନ୍ତି । ବେଶ୍‌ ବଡ଼ଘର ।

 

ନିରାକାରବାବୁ ପାତଳ ଲୋକଟିଏ । କଲିକ୍‌ ପେସେଣ୍ଟ । ଆଖି ଓ ଗାଲ ପଶି ପଶି ଗଲାଣି । କେତୋଟି ଦାନ୍ତ ପଡ଼ି ଗଲାଣି । ଅଳ୍ପ କଥା ସେ କହନ୍ତି; ଯେତେକ କହନ୍ତି ଓଠବାଟେ ପବନ ବାହାରି ଫସ୍‌ ଫସ୍‌ ଶୁଭେ । ବୁଝିହୁଏ । ମୁଣ୍ଡର କେଶ ଝୋଟ ହେଲାଣି । ତେଣିକି ତାଙ୍କର ଦୃଷ୍ଟି ନ ଥାଏ । ସବୁବେଳେ ଅଲରା । ପବନରେ ଉଡ଼ିଲାପରି ସେ ପତ୍‌ଲେନ ପିନ୍ଧି ଚାଲନ୍ତି । ଡୋରିଆ ପୂରାହାତ କମିଜର ଦୋହଲା ଅଂଶ ପ୍ୟାଣ୍ଟ ତଳେ ପଶିଥାଏ । ଅଣ୍ଟାରେ ସୂତାର ବେଲ୍‌ଟ-। ଦିଅଁ ଦର୍ଶନ କରିବାକୁ କେଉଁ ମନ୍ଦିର ଭିତରେ ପ୍ରବେଶ କଲେ ବେଲ୍‌ଟ ଖୋଲିବା ଆବଶ୍ୟକ ପଡ଼େନାହିଁ ।

 

ତାଙ୍କର କଥାରୁ ଜଣାଯାଏ ଯେ ସେ ଚାକିରୀ ଜୀବନରେ ନିଜର ସଚ୍ଚୋଟପଣ ପାଇଁ ବିଶେଷ କିଛି କରିପାରିଲେ ନାହିଁ । ସେ ସ୍ଵାଧୀନଚେତା ବ୍ୟକ୍ତି, ଖୁସାମତର ପାଖ ପଶନ୍ତି ନାହିଁ । କାହାଠାରୁ କିଛି ଗ୍ରହଣ କରନ୍ତି ନାହିଁ ତେଣୁ ଦି’ଗୋଡ଼ିଆ ଦେବତାମାନଙ୍କର ପୂଜା କରିବେ କିପରି-? ସେତିକି ସେ କରି ପାରିନାହାନ୍ତି ବୋଲି କେତେଥର ବିପଦରେ ପଡ଼ିଛନ୍ତି, ଏପରିକି ଜେଲର ଦୁଆରମୁହଁରୁ ଫେରି ଆସିଛନ୍ତି । ଅରକ୍ଷିତକୁ ଦଇବ ସାହା । ଧର୍ମବଳ ଥିଲେ ଅଗଗୋଡ଼ରେ କଣ୍ଟା ବାଜିବ ନାହିଁ ।

 

ପିଲାଗୁଡ଼ିକ ତାଙ୍କର ମଣିଷ ହୋଇ ପାରିଲେ । ଭଲ ଭଲ ଚାକିରିରେ ନିଯୁକ୍ତି ପାଇଲେ-। ଝିଅମାନେ ସୁପାତ୍ର ପାଇଲେ । ଭାରତୀୟ ସର୍ଭିସ୍‌ କରିଥିବା ଦି’ ଜଣ ପାତ୍ରଙ୍କୁ ସେ ଜୋଇଁ କରି ପାରିଲେ । ଏଥିକି ସେମାନଙ୍କର ମେରିଟ୍‌ ଦାୟୀ । ତିନିଭାଇ ସେମାନେ ଏକାଠି । ଆର ଦୁଇଜଣ ଛୋଟ ଚାକିରୀ କରୁଥିଲେ । ପେଟ ପୋଷି ହେଲା ନାହିଁ । ରିଜାଇନ୍‌ କରି ବେପାରରେ ମନ ଦେଲେ ।

 

ବାଣିଜ୍ୟେ ବସତି ଲକ୍ଷ୍ମୀ । ତାଙ୍କ ତଳଭାଇ କାନ୍ତରାଟି କରନ୍ତି । ଧୀରେ ଧୀରେ ଗୁଡ଼ିଏ ଟ୍ରକ କଣି ମାଲ୍‌ ଟ୍ରାନ୍‌ସପୋର୍ଟ କରନ୍ତି । ଗୋଡ଼ି, ବାଲି, ଇଟା ଘର ତୋଳାଳୀମାନଙ୍କୁ ଯୋଗାନ୍ତି । କଟକର ସେହି ବିରାଟ ନୂଆ କୋଠା ଓ ଖପୁରିଆ ପାଖ ବଗିଚାରୁ ସବୁ ତାଙ୍କର ରୋଜଗାରରେ ହୋଇଛି । ନିରାକାର ଶର୍ମା ସବା ବଡ଼ଭାଇ ବୋଲି ମାହାଳିଆରେ ତାଙ୍କ ନାମରେ ଡାକ । ଭିଜିଲେନ୍‍ସବାଲାଙ୍କର ଅନ୍ୟାୟ ଅନୁରୋଧ ରଖି ପାରିଲେ ନାହିଁ; ତାଙ୍କପରି ସଚ୍ଚୋଟ ଲୋକ ନୀତି-ବିରୁଦ୍ଧ କାମ କରି ପାରିଲେ ନାହିଁ; ଦଳଯାକ ଲାଗି ଯାଇଥିଲେ ତାଙ୍କ ପଛରେ ।

 

ଦରମା ତ ଏତିକି, ଏହି କେଇଟା ବର୍ଷ ଭିତରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି କଲ କିପରି ହେ ନିରାକାରବାବୁ ! ଦାଖଲ କର ତମର କଇଫତ୍‌ । ସନ୍ତୋଷଜନକ କଇଫତ୍‌ ନ ଦେଇ ପାରିଲେ ଚାକିରୀ ଯିବ, ନିଜେ ବି ମାମୁଁ ଘରେ ଦିନାକେତେ ଘଣା ପେଲି ଆସିବ ।

 

ଠାକୁରେ ଅଛନ୍ତି ଚଉ-ବାହାକୁ । ବାଇଆ ବାବାଙ୍କର ଭକ୍ତ ସେ ନିରାକାର, କରମଳା ମଠକୁ ହେଳା କରନ୍ତି ନାହିଁ । ଘରେ ରାମକୃଷ୍ଣ ପରମହଂସ ଓ ଶ୍ରୀମା’ଙ୍କର ଫଟୋ ଝୁଲୁଛି, ତହିଁରେ ଫୁଲଚନ୍ଦନ ଦିଆଯାଉଛି । ଭକ୍ତିଅଂଶର ଲୋକ ସେ ନିରାକାର ! ତାଙ୍କର ପରଦ୍ରବ୍ୟେଷୁ ଲେଷ୍ଟ୍ରବତ୍‌ ଜ୍ଞାନ । ତାଙ୍କର କାହିଁକି ଭଗବାନ ଅନିଷ୍ଟ କରିବେ ? ସେ ପ୍ରମାଣ ଦେଇ ପାରିଲେ ଯେ ତାଙ୍କର ଭାଇମାନେ ସମ୍ପତ୍ତି ଦେଇଛନ୍ତି । ରୀତିମତ ବିକ୍ରିକର ଓ ଆୟକର ହଜାର ହଜାର ଟଙ୍କା ସରକାର-ଘରେ ଗଣି ଦେଇଛନ୍ତି ।

 

ଭିଜିଲେନ୍‌ସ-ଯୋକ ମୁହଁରେ ନିରାକାର ଲୁଣଛିଟା ମାରି ପାରିଲେ ହେ ସୁନାକରବାବୁ ! ସବୁ ଅଭିଯୋଗ ଫସରଫାଟି ଗଲା । ମୁଁ ନରିପାତ୍ର, ପୋଲିସ-ଅଫିସର କହୁଛି-ଉପରିଙ୍କର ପ୍ରିୟା-ପ୍ରୀତି ତୋଷଣ ପାଇଁ ନିଜର ଜାତିଭାଇଙ୍କୁ ଯଦି ସେ ତଦନ୍ତ କାମରେ ନିଯୁକ୍ତ ନ କରି ମୋତେ କରିଥାଆନ୍ତେ, ନିରାକାର କଅଣ ଖସି ପାରିଥାନ୍ତେ ? ମୁଁ ମାନୁଛି, ସେ ଅତି ଚତୁର ଲୋକ; ସମସ୍ତଙ୍କ ମୁହଁରେ ମହୁ ବୋଳିବାରେ ସୁଦକ୍ଷ; ସବୁବେଳେ ସେ ଆଗହୁଁ ସାବଧାନ; କେଉଁ ମନ୍ତ୍ରୀଙ୍କର ସେ ଆତ୍ମୀୟ; ତଥାପି ମୁଁ ଛାଡ଼ି ନ ଥାନ୍ତି !

 

ଏବକା ଦୁନିଆର ଲୋକ, ସେମାନଙ୍କର ମୁହଁରେ ଗୋଟିଏ କଥାତ ପେଟରେ ଆଉ ଗୋଟିଏ କଥା ହେ ସୁନାକରବାବୁ ! ସେମାନେ ତମ ଆମ ଭଳିଆ ନୁହଁନ୍ତି ସେ ତାଙ୍କର ଭିତର ବାହାର ସବୁ ସମାନ ଓ ପରିଷ୍କାର । ନିରାକାରବାବୁଙ୍କ ପରି ଲୋକଙ୍କ କଥାରେ ବିଶ୍ୱାସ କରି ଆଗକୁ ଗୋଡ଼ ବଢ଼ାଇଲେ ଖାଲରେ ପଡ଼ିବା ନିଶ୍ଚିତ ।

 

ନରିବାବୁଙ୍କ କଥାରେ ସୁନାକର ହିଁ ନାହିଁ ଉତ୍ତର ଦିଅନ୍ତି ନାହିଁ । ଓଠ ନେଫଡ଼ି ହୁଁ-ଉଁ-ହୁଁ ଉଚ୍ଚାରି, ଆଗେଇ ଯାଆନ୍ତି ।

 

ଚାକିରୀକାଳ ମଧ୍ୟରେ ନରିବାବୁଙ୍କ ସଙ୍ଗେ କେତେଥର ବିଭିନ୍ନ ସ୍ଥାନରେ ଦେଖା ହୋଇଛି । ତଳେ ବୁଟ୍‌ ବାଡ଼େଇ, ଆଟେନ୍‌ସନ ହୋଇ ଠିଆହୋଇ, କପାଳରେ ଓଲଟ ପାପୁଲିର ମଝିଆଙ୍ଗୁଠି ଲଗାଇ ସେ ସମ୍ମାନ ଦେଖାନ୍ତି; ସେତିକି ସେ ଗୋଟିଏ ସ୍ପ୍ରିଂଲଗା ଜାପାନୀ-କଣ୍ଢେଇ । ଧର୍ମାବତାର ସୁନାକର ଡାୟାସ୍‌ ଉପରେ ରଖା ଚେୟାର ଉପରେ ବସି ବୁଟ୍‌ ବାଡ଼ିଆ ଶବ୍ଦରେ ମୁଣ୍ଡ ଟେକନ୍ତି, ଓଠରେ ସାମାନ୍ୟ ସ୍ମିତ ବିକଶାଇ ମୁଣ୍ଡ ଟୁଙ୍ଗାରନ୍ତି ।

 

ଉଭୟେ ଯନ୍ତ୍ର ଅଭ୍ୟାସ ଅଟେ।ମାଟିକ୍‌-ସ୍ପ୍ରିଂଙ୍ଗ୍‍ର କାମ କରେ । ସେହି ପ୍ରସେସ୍‌ରେ ବନ୍ଧୁତା, ସହୃଦୟତା, ଅବା ସେହ୍ନ ପ୍ରୀତିର ପରଖ ନ ଥାଏ । ଜଣକର ଆପ୍ରାଣ ଉଦ୍ୟମ ଯେ ଅଭିଯୁକ୍ତ ଆସାମୀକୁ ଦୋଷୀ ପ୍ରମାଣିତ କରି ଆଇନ-ନିର୍ଦ୍ଦିଷ୍ଟ ସର୍ବାଧିକ ଦଣ୍ଡ ଧର୍ମାବତାରଙ୍କ ଦ୍ୱାରା ଦିଆଇବା ଓ ଧର୍ମାବତାରଙ୍କ ଉଦ୍ୟମ ପ୍ରକୃତ ସତ୍ୟ ବୁଝି, ନିଜର ବିବେକ ପ୍ରୟୋଗ କରି ବ୍ୟବସ୍ଥା କରିବା । ସତ୍ୟ କ’ଣ କେବଳ ପକ୍ଷଙ୍କୁ ଜଣା, ସେଥିକି କାହାରି ଚିନ୍ତାନାହିଁ ।

 

ଉଭୟଙ୍କର ଦକ୍ଷତାକୁ ଉଭୟେ ପସନ୍ଦ କରନ୍ତି ।

 

ଚାକିରୀ ଜୀବନରେ ବହୁବର୍ଷ ତଳେ କାଁ ଭାଁ ସମ୍ପର୍କ, କାହାରି ମନେ ନ ରହିବାର କଥା-। ଅବସର ନେଲାପରେ ଅଳସ-ଜୀବନରେସମ୍ୱନ୍ଧ ଟିକିଏ ଘନେଇଁ ଆସିଥିଲା ।

 

କହନ୍ତି ନରିବାବୁ, ଆପଣମାନଙ୍କର ସୁସ୍ଥିୟା ଜୀବନ; ଗୋଡ଼ରେ ପାଣିକାଦୁଅ ଲାଗେ ନାହିଁ, ଜୀବନ ଉପରେ ଆପଦ-ବିପଦ ନାହିଁ, କିନ୍ତୁ ଅନୁମାନ କଲେ ଆମର ଅବସ୍ଥା ? ଖରା, ବରଷା, ଶୀତ, ଦିନ-ରାତି, ବଣ-ପର୍ବତ, ନଈ-ନାଳ ସମସ୍ତେ ଆମର ଶତ୍ରୁ । ସାପ, ବିଛା, ବାଘଭାଲୁ, କୁମ୍ଭୀର, ମଗର ଆମକୁ ମନେପାନେ ଦେବାକୁ ଟାକି ରହିଥାନ୍ତି । ଆମର ସବୁଠୁ ବଡ଼ ଶତ୍ରୁହେଲେ ମଣିଷ, ଯେଉଁମାନେ ଆଇନ ଭାଙ୍ଗନ୍ତି-ଚୋରି, ଡକାୟତି, ଜନାକାରୀ, ଖୁଣ୍‍, ଜାଲ-ଜାଲିଆତି, କଳାବଜାର, ସର୍ବଶେଷରେ ରାଜନୀତି ଯେଉଁମାନଙ୍କର ବ୍ୟବସାୟ ।

 

ସେମାନଙ୍କର ଧରା ପଡ଼ିବାର ସମ୍ଭାବନା ସେମାନେ ଦେଖି ପାରିଲେ ଖସିଯିବାକୁ ଆଗ ଧନର ମୋହ ଦେଖାନ୍ତି । ବେଶ୍‌ ନିରାପଦ । ଯାହା ମିଳିଲେ ସେତକ ପକେଟରେ ପୁରାଇ ପ୍ୟାକ୍‌ଟ ଟ୍ରୁ ନୋ କ୍ଳୁ କରାଯାଇ ପାରେ, କିନ୍ତୁ କର୍ତ୍ତବ୍ୟ ଖିଲାଫ୍‌ ପାଇଁ ମନକୁ ବିବେକ ଦଂଶନ କରୁଥିବା । ସେ ଜ୍ୱାଳାରୁ ଉଦ୍ଧରିବ କିପରି ? ଜଣା ପଡ଼ିଲେ ଚାକିରୀ ଛୁ କରିବ । ପିଲା କୁଟୁମ୍ବ ବଞ୍ଚିବେ କିପରି-?

 

ସେ ପ୍ରଲୋଭନକୁ ମୁଁ ଛି କରି ଦେଇ ଥିଲେ ଆଜ୍ଞା ! ତେଣୁ ବିପଦକୁ ଆ ବଢ଼ୀ ମତେ ହାଣ ବୋଲି ମନ ଦୃଢ଼କରି ନିମନ୍ତ୍ରଣ କରୁଥିଲି । ଆଇନ୍‌ଭଙ୍ଗକାରୀ ବାଗପାଇଲେ ତଣ୍ଟି କାଟି ଦେବେ, ବନ୍ଧୁକ ଗୁଳିରେ ମୁଣ୍ଡ ଛତର ଛାଉଳ କରିଦେବେ । ଏ ହେଲା ଜାଣ ବ୍ରହ୍ମହତ୍ୟା । କିଛି କହିବ ନାହିଁ, ଅଥଚ ଆଶା କରିଥିବି ‘ଯୋ ଆତା ହୈ ଆନେ ଦୋ’, ଏପରିକା ଓଠଟୋ, କାନକୁହା-ଶୁଣା ମାଲିକ ଯଦି ଉପରେ ଥିବେ, ଆଉ ସେ ଶୁଣିବେ ଯେ ନିର୍ବୋଧ ନରିପାତ୍ରେ ଦଶ ହଜାର ଗୋଡ଼ରେ ଆଡ଼େଇ ଦେଲା, ଆଜ୍ଞା, ଖବର ପହଞ୍ଚାଇ, ଗେହ୍ଲାପୁଅ ହୋଇ, ଥୋକାଏ ସହକର୍ମୀଙ୍କୁ ଡେଇଁ ପ୍ରମୋସନ୍‌ ପାଇବାକୁ କେତେ ମଧୁରବଚନିଆ, ଅତିଭକ୍ତିଆ ତ ରହିଛନ୍ତି, ତେବେ କର୍ତ୍ତବ୍ୟନିଷ୍ଠା ଓ ସଚ୍ଚୋଟପଣିଆଁ ର ପୁରସ୍କାର ମିଳେ–

 

ଇନ୍‌କ୍ରିମେଣ୍ଟ ବନ୍ଦ, ଅସାଧ୍ୟ କାମପାଇଁ ଅସ୍ଵାସ୍ଥ୍ୟକର ସ୍ଥାନକୁ ବଦଳି, ଛୁଟି ନାମଞ୍ଜୁର, ପ୍ରୋସିଡ଼ିଙ୍ଗସ୍‍, ପସ୍‌ପେନ୍‌ସନ୍‌ । ଏକ ସଲାମ୍‌ ପରିବର୍ତ୍ତେ ବିଶ୍‌ ସଲାମ୍‍ କଲେ ବି ରକ୍ଷା ମିଳୁନାହିଁ ।

 

ନ ହେଲେ ଗୋ ହତ୍ୟା ।

 

ମୋ ଚାକିରୀ ଜୀବନରେ ସବୁ ହୋଇ ଯାଇଛି ଆଜ୍ଞା । ମୁଁ ବୋଲି ଧୈର୍ଯ୍ୟଧରି ରହିଛି । ସିଧାହୋଇ ଚାଲିଛି, ଆଉ ହସି ପାରୁଛି । ଏବଯାଏ ମଧ୍ୟ ସରକାରଙ୍କ ଉପରେ ମୋର ଅନେକ ପାଉଣା ବାକି । ଲେଖି ଲେଖି ନୟାନ୍ତ ହେଲିଣି । ଦେଖାଯାଉ । ମୁଁ ଛାଡ଼ୁନାହିଁ–

 

ଅତି ଅବୋଧ୍ୟ ସେହି ନରିପାତ୍ରଙ୍କ ଢଙ୍ଗ । ସୁଧାକରଙ୍କର ଘରକୁ ସେ ଆସନ୍ତି ବେଳେ ବେଳେ । ବେଶ ଉତ୍ତେଜିତ ଦେଖା ଯାଆନ୍ତି । ସୁନାକରଙ୍କର ମନେହୁଏ ସେ ସେ ଅଳ୍ପମନ୍ଦିଏ କେଉଁଠି ପିଇଦେଇ ଆସିଛନ୍ତି । ଘରେ ପହଞ୍ଚି ଗଲେ ତାଙ୍କୁ ଆଉ ଆଭଏଡ଼୍‌କରି ହୁଏନାହିଁ । ସେ ମିଳାପୀ ଲୋକ । କଥା କହିଲା ବେଳେ ତାଙ୍କର ଭ୍ରୂଲତା ଟେକା, ଚାହାଣଧୋବ ଫରଫରୀ ନକଲି ଦାନ୍ତର ଦୋଳନ (ନୂଆ ଲଗାଇଛନ୍ତି, ଭଲ ଫଟ୍‌ କରୁନାହିଁ), ବେକହଲା, ବାହୁସ୍ଫୋଟ, ଦେହଚିହିଁକା ଆଟେନ୍‌ସନ୍‌ ଓ ରିଲାକସ୍‌ ତାଙ୍କୁ ଭଲମାନେ । ମୁଖଭଙ୍ଗୀ କରି ମୁହଁରେ ବିଭିନ୍ନ ପ୍ରକାର ଏକ୍‌ସପ୍ରେସନ୍‌ ଫୁଟାଇବାରେ ସେ ଏକ୍‌ସପାର୍ଟ ।

 

ସେ ଭଲ ଆକ୍‌ଟିଂ କରି ପାରନ୍ତି । ବହୁଦିନ ତାଙ୍କର ସମ୍ପର୍କରେ ନଆସିଥିଲେ, ତାଙ୍କର ବ୍ୟକ୍ତିଗତ ଚରିତ୍ର-ସ୍ଵଭାବ ଓ ଘର ଭିତରର କାରବାର ସମ୍ବନ୍ଧରେ ସମ୍ୟକ ଧାରଣ। ନ ଥିଲେ, ତାଙ୍କର ପ୍ରକୃତ ରୂପର ପରିଚୟ ପାଇବା ଦୁଃସାଧ୍ୟ । ବେଳେ ବେଳେ ସେ କାନ୍ଦ କାନ୍ଦ ହୁଅନ୍ତି ଓ ଦେହ ମୁଣ୍ଡ ଥରାଇ ଗୃହିଣୀଙ୍କ ଉପରେ ଗାଳି ବର୍ଷଣ କରନ୍ତି । କହନ୍ତି, କି ଦୁଃଖ ବର୍ଣ୍ଣିବି ସୁନାକରବାବୁ ସେଇଟା ଗୋଟାଏ ରାକ୍ଷସୀ, ସେଇଟା ସବୁବେଳେ ସମସ୍ତଙ୍କ ପାଖରେ ଅତି ଭଲ, ଅତି ନିରୀହ , କିନ୍ତୁ ମୋର ଛାଇ ପଡ଼ିଲେ ତାର ନାହି ଡିଏଁ । ଏଇଟା ଏକ ପ୍ରକାର ଇନ୍‌ସାନିଟି । ସହି ସହି ମୁଁ ପଥର ପାଲଟି ଗଲିଣି । ଆଉ କେହି ହୋଇଥିଲେ ସେ ଆତ୍ମହତ୍ୟା କରି ଦିଅନ୍ତା, ନୋହିଲେ ବଦ୍ଧପାଗଳ ହୋଇ ବୁଲନ୍ତା ।

 

ସେଉଠୁ ସେ ଯାହା ବର୍ଣ୍ଣନା କରନ୍ତି ଓ ବର୍ଣ୍ଣନା କଲାବେଳେ ମୁହଁକୁ ଯେଉଁ ଏକ୍‌ସପ୍ରେସନ୍‌ ଆଣନ୍ତି-ଭ୍ରୂଲତା ଟେକା, ମୁଣ୍ଡ ଦୋହଲା, ଘନ ନିଶ୍ଵାସ ଛଡ଼ା', ବାହୁଥରା–ଯେ କେହି ଜାଣିବ ତାଙ୍କର ବର୍ଣ୍ଣିଲା ଘଟଣା ଆଖି ଆଗରେ ଘଟି ଯାଉଛି । ମଝିରେ ମଝିରେ ସେ କହି ଉଠନ୍ତି–ଦେଖନ୍ତୁ, ଦେଖନ୍ତୁ, କେମିତି ମୋ ଲୋମ ଟାଙ୍କୁରି ଉଠୁଛି । ପୂଜା ପୂଜା ! ଫୋଟ ଗୁଡ଼ାଏ ଝୁଲାଇ ତହିଁରେ ଫୁଲଚନ୍ଦନ ଦେଲେ ସ୍ଵାମୀକୁ ଅବହେଳା କରିବାର ପାପରୁ ପରିତ୍ରାଣ ନ ମିଳେ ।

 

ତାଙ୍କର ସାତୋଟି ଝିଅ, ଚାରୋଟି ପୁଅ । ସବା ସାନ ଝିଅକୁ ବାର ବରଷ । ସମସ୍ତେ ଶିକ୍ଷିତ । କେଇଟି ଝିଅ ଭଲ ଭଲ ପାତ୍ରରେ ବାହା ହୋଇ ଗଲେଣି । କେଇଟି ଚାକିରି କରନ୍ତି ଦୂରଦୁରାନ୍ତରେ । ପୁଅ ବିଦେଶରେ । ବୋହୂଙ୍କର ତିନି ଝିଅରେ ଏବେ ପୁଅଟିଏ ହୋଇଛି । ମାସ ଦୁଇଟା ରହି ବୋହୂ ଓ ନାତି-ନାତୁଣୀମାନେ ପୁଅଙ୍କ ପାଖକୁ ଚାଲିଯିବେ ।

 

ସମସ୍ତେ ମାଆଙ୍କ ପକ୍ଷରେ । ମା ଉଠୁ କହିଲେ ଉଠିବେ, ବସ୍‌ କହିଲେ ବସିବେ, ଜାଣିଲେ ଆଜ୍ଞା ରୋଜଗାରିଆମାନେ ଯେଉଁ ଟଙ୍କା ପଠାନ୍ତି ସବୁ ମାଆଙ୍କ ନାମରେ । ପଢ଼ୁଆପିଲାଙ୍କର ନାମ ଲେଖ, ବହି କଣା, ପରୀକ୍ଷା ଫିସ୍‌ ପାଇଁ ତାଙ୍କୁ ଲଗାଇ ଦିଅନ୍ତି । ମେ ପିଛାରେ । ସରକାରଙ୍କ ଉପରେ ମୋର ବହୁତ ଟଙ୍କା ବାକି । ଶୀଘ୍ର ମିଳିଯିବ ଯେ । ସଙ୍ଗେ ସଙ୍ଗେ ଆପଣଙ୍କଠାରୁ ନେଇଥିବା ଧାର-ଟଙ୍କା ଦେଇଯିବି । କିଛି ମନେ କରିବେ ନାହିଁ ।

 

ସୁନାକର ଭାବନ୍ତି, ଇଥିପାଇଁ ତାଙ୍କର ଅଭିନୟ । ପ୍ରାୟ ଡଜନେ ପିଲାଙ୍କର ଜନନୀ ତାଙ୍କର ସ୍ତ୍ରୀ, ତାଙ୍କର ନିନ୍ଦା ରଟନା କରିବା ନରିପାତ୍ରଙ୍କର ଧାର ନେଇ ନ ଶୁଝିବାର ଗୋଟାଏ କୌଶଳ ହୋଇ ପାରେ । ନନିମିତ୍ର ଗୁପ୍ତରେ କହନ୍ତି, ଚାକିରି ଜୀବନରେ ଯେଉଁଠି ସେ ଅବସ୍ଥାପିତ ହୁଅନ୍ତି, କଥା କହି, ଶକ୍ତି ଓ ପ୍ରତିପତ୍ତି ଦେଖାଇ, ପାଣିରେ ସର ପକାଇ, କେବଳ ଧାର ଉଧାର କରି ଚଳନ୍ତି । ବଦଳି ହୁଏ । ଯେଉଁ ମାନେ ତାଙ୍କୁ ନିଜର ଚୂଟୀ ଧରାଇ ଦେଇଥିଲେ, ନିଜ ହାତରେ ନିଜର କାନ ମୋଡ଼ିହୁଅନ୍ତି । ଚିଠି ଦେଲେ ଉତ୍ତର ନ ମିଳେ ।

 

ଅକାଳେ ସକାଳେ ହାବୁଡ଼େ ପଡ଼ିଲେ, ଆଗହୁଁ ସାବଧାନ ହୋଇ ସେ ଏତେ ଗପନ୍ତି । ଆରେ ମୋର ଗୋଟାଏ ଜରୁରୀ କାମ ଅଛି, କାଲି ଦେଖାହେବ, ଏତିକି କହି ଦ୍ରୁତ ଗତିରେ ମାର ଚମ୍ପଟ । ମାଗବି ମାଗିବି ହୋଇ ନରିପାତ୍ରଙ୍କର ଲୋକଚର ଶୁଣୁ ଶୁଣୁ, ଆକ୍‌ଟିଂ ଦେଖୁଣୁ, ମନର ଉଯନ୍ତ୍ରିଭାବନା ଓଠବାଟେ ବାହାରିବାକୁ ସମୟ ପାଏ ନାହିଁ । ସାମାନ୍ୟ କେଇଟି ଟଙ୍କା, ଗଲେ ଯାଉ-। ଆହା ବିଚାରା ଦୁଃଖରେ ଅଛି । ନନିମିତ୍ର ପୁଣି କହନ୍ତି, ସହାନୁଭୂତିଟା ନିର୍ବୋଧପଣିଆର, ରବେଇ ଖଟେଇ ହେଉଥିବା ହାରିଲା-ମନର କର୍ଣ୍ଣଗଲା କର୍ଣ୍ଣଗଲା ନୀରବ ଉକ୍ତି । କୋଟ କଚେରୀକୁ ଯାଇ ଆହୁରି କିଛି ଖର୍ଚ୍ଚାନ୍ତ ହେବା ଓ ହଇରାଣ ହେବାଠାରୁ ଠକିଲେ ଠିକନ୍ତି ସାରବାକ୍ୟକୁ ମନକୁ ଆହୁରି ଥରେ ପଢ଼ାଇ ନଶ୍ଚିନ୍ତ ହେବା ଭଲ ।

 

ସୁନାକର ନିଜେ ଭୁକ୍ତଭୋଗୀ । ଟଙ୍କା ଶହେଟି ପାତ୍ରେ ଧାର ନେଇଥିଲେ । ଛଅ ମାସ ଡେଇଁଲାଣି । ଟିକିଏ ଅସୁବିଧାରେ ସେ ପଡ଼ିଛନ୍ତି, ନୋହିଲେ ସେ ଯେପରି ସନ୍ତୋଷ ଲୋକ, ତାଙ୍କ ମନକୁ ସେ ଦେଇଯିବେ ଯେ, ଦେଖିବ ରହ, ଏହି ଉତ୍ତର ବୁଢ଼ୀ ଘରଣୀଙ୍କୁ ଦେବାଛଡ଼ା ତାଙ୍କର ଅନ୍ୟ ଗତି ନାହିଁ ।

 

ସୁନାକର ଭାବନ୍ତି, ନେଲେ ସେ ନେଉନ୍ତୁ ଦେଲେ ଦେବେ ନ ଦେଲେ ନାହିଁ, ସେ ବିଷୟରେ ମୁଣ୍ଡ ଖେଳାଇ କି ଲାଭ ? ମନସ୍ତାପର ଯନ୍ତ୍ରଣା ଧନନାଶର ଦୁଃଖକୁ ବଳିବ । ଅନ୍ୟର ଦୁଃଖର କାହାଣୀ ଶୁଣି, ଅଭାବର ତୀବ୍ରତା ଉପଲବ୍‌ଧି କରି ଟିକିଏ ସହାନୁଭୂତି ଦେଖାଇ କିଛି ଧାର ନେଇ ସେ ଅନେକ କ୍ଷେତ୍ରରେ ଠକିଛନ୍ତି । ଦେଖା ହେଲେ ସେତେକ ତ ହାବୁଡ଼ା ଝଟକା କାରଣ ଦୂରରୁ ନଜର ପଡ଼ିଲେ ନ ଦେଖିଲା ପରି ଢଙ୍ଗ କାହିଁ କେଉଁ ଛଟକରେ ଧପପ ଦିଆ ବନ୍ଧୁ ବାଟ ଭାଙ୍ଗି ଛୁ କରନ୍ତି । ଧାରିଲା ବନ୍ଧୁ ହସି ହସି ଯଥା ବିଧିଠାରୁ ଅଧିକ ସମ୍ମାନ ଦେଖନ୍ତି ।

 

ଧାର କଥା ଉଠାଇବା ଆଗରୁ ନରିପାତ୍ରେ ଗଳ୍ପ ଆରମ୍ଭ କରି ଦିଅନ୍ତି-ନିଜ ଦୁର୍ଦ୍ଦଶାର କାହାଣୀ–କିପରି ତାଙ୍କର ନିର୍ବୋଧପଣିଆଁ ପାଇଁ ସେ ଗୋଟାଏ ଯାଗାରେ ଠକରେ ପଡ଼ି ହଇରାଣ ହେଉଛନ୍ତି ସେଇଠିକି ସେ ଟଙ୍କା ଆଦାୟ କରିବାକୁ ଯାଉଛନ୍ତି, କାଲି ସକାଳେ ପୁଣି ସେ ଭେଟ କରିବେ–

 

ସେଇଠୁ ବିଶ୍ୱାସଭରା ନକଲି ହସ, ନମସ୍କାର, ପ୍ରୟାଣ ।

 

ତାଜୁବ ହୋଇ ମୁହୂର୍ତ୍ତେ ଠିଆ ହୋଇ ସେହି ବିଜୟ-ବୀରଙ୍କର ପଛଆଡ଼କୁ ନିର୍ବୋଧ ଶିଶୁଠିଏ ପରି ଚାହିଁ ରହନ୍ତି ସେ ସୁନାକର । ମନେ ମନେ ରକ୍ତ ଚାଉଳ ଚୋବାନ୍ତି । ନିଜକୁ ଧିକ୍‌କାର କରନ୍ତି–କେବଳ ମହାଧୂର୍ତ୍ତି ମଦ୍ୟପ ନରିବାବୁଙ୍କର ଲେକ୍‌ଚର ଶୁଣି ତାଙ୍କର ନକଲି ଦାନ୍ତର ଦୋଳଣ, ମୁଖଭଙ୍ଗୀ ଓ ଆକ୍‌ଟିଂ ଦେଖି, ଲେକ୍‌ଚର ସରିଲେ ସେ ଆଜି ନିଶ୍ଚୟ ଟଙ୍କା ମାଗିବେ ଏହା ସ୍ଥିର କରି, ମନରେ ସାହସ ଓ ଛାତିରେ ଦମ୍ଭ ସଞ୍ଚୟ କରୁଣୁ ସେ ଅଚୁର୍ତ୍ତ ଚିଲଆନନା ଯାହା କହନ୍ତି ଲାଙ୍ଗୁଡ଼ ଡାକି ଛୁଉ

 

ସୁନାକରଙ୍କର ମନ କ୍ରୋଧରେ ଜଳି ଉଠେ କିନ୍ତୁ ବିଲୁଆନନା ଆଉ ପଛକୁ ନ ଅନାଏଁ । ନିଜର ଛାତିଦୋହଲା ନିଶ୍ଵାସର ତୋଫାନରେ ମନର ଜଳନ୍ତା-ନିଆଁକୁ ହାକୁ ହାକୁ ଜଳାଇ ସୁନାକର ଦ୍ରୁତ ପଦରେ ନଈବନ୍ଧ ରାସ୍ତାଉପରେ ମୁଣ୍ଡ ହଲାଇ ହଲାଇ ଆଗେଇ ଚାଲନ୍ତି ।

Image

 

Unknown

ଯେତେ ଭାଇ ସେତେ ଘର

 

ସୁଧାକରଙ୍କ ପାଇଁ ନିଜେ ପ୍ରଭାକର ଦିବ୍ୟସୁନ୍ଦରୀ ଝିଅଟିଏ ଖୋଜି ସ୍ଥିର କରିଥିଲେ । ଭଲ ଘରର ପାଠୁଆ ଝିଅ । ନାମଟି ଗୌରୀ ଓ ସତରେ ସେ ଗୌରୀ ସ୍ୱରୂପା । ନିମ୍ନ ମଧ୍ୟବିତ୍ତ ଘରର ଝିଅ, ରୂପ ଗୁଣ ଦେଖି ପ୍ରଭାକର ଯୌତୁକର ପ୍ରଶ୍ନ ଉଠାଇ ନ ଥିଲେ ।

 

ଦିଓଟି ବର୍ଷ ନ ପୁରୁଣୁ ଗୌରୀ ପୁତ୍ରବତୀ ହେଲେ । ପ୍ରଥମ ସନ୍ତାନ ଘରକୁ ଆସିଲା । କଳାବତୀ ତାକୁ କୋଳକୁ ନେଲେ । କିଏ କହିବ ଯେ ଦେବଶିଶୁପରି ପୁଅଟି ବଡ଼ ଜାଆ କଳାବତୀଙ୍କର ପେଟରୁ ଓହ୍ଲାଇ ନାହିଁ ? ବର୍ଷ ପୂରିବା ସଙ୍ଗେ ପ୍ରଥମେ କଳାବତୀଙ୍କର କନ୍ୟାଟିଏ ହେଲା । ତା ପଛକୁ ଗୌରୀଙ୍କର ଦ୍ୱିତୀୟ ପୁତ୍ର ।

 

ସଂସାରର ବନ୍ଧନ ବଢ଼ିଲା । ସେ ସଂସାର ପିଲାଛୁଆଙ୍କର ଆଗମନ ପାଇ କୋଳାହଳମୟ ହେଲା । ବାହାର ଦେଖାଣକୁ ସେ ହେଲା ସୁନ୍ଦର କିନ୍ତୁ ଗୋଟିକ ପରେ ଗୋଟିଏ ଶିଶୁର ଶୁଭାଗମନରେ ସଂସାର ଜଟିଳ ମଧ୍ୟ ହେଲା ।

 

ନିଜର ଅସୁବିଧା ହେଉଛି ଆଳରେ ସୁଧାକର ଆଗ ତାଙ୍କର ପତ୍ନୀ ଓ ପୁତ୍ରକନ୍ୟାମାନଙ୍କୁ ତାଙ୍କର ଚାକିରୀ-ସ୍ଥାନକୁ ନିଜ ପାଖକୁ ନେଇଗଲେ । କଳାବତୀ ଓ ପ୍ରଭାକର ମନେ ମନେ ତାହା ହିଁ ଖୋଜୁଥିଲେ । ପ୍ରଭାକର ନିଜେ ବୁଝି ପାରିଥିଲେ ଯେ ଘରେ ମୋ ପିଲା ଓ ତା ପିଲାର ଧାରଣା ଦୁଇ ଜାଆଙ୍କ ମନରେ ପଶି ସାରିଥିଲା । କଳାବତୀ ଗୌରୀଙ୍କର ଦୋଷ ଗୁଣ ବାଛିବାକୁ ଆରମ୍ଭ କଲେ । ବୋଧହୁଏ ଗୌରୀ ମଧ୍ୟ ତାହାହିଁ କରୁଥିବେ ।

 

ଦିନ କେଇଟା ପରେ କଳାବତୀ ତାଙ୍କର ପୁଅଝିଅଗୁଡ଼ିକୁ ନେଇ ପ୍ରଭାକରଙ୍କ ପାଖକୁ ଚାଲିଗଲେ । ଆପେ ଆପେ ସେମାନେ ପରସ୍ପର ପାଖରୁ ଦୂରେଇ ଗଲେ ।

 

ଜେଜେ’ପା ଯେଉଁ ଭୂ-ସମ୍ପତ୍ତି ଛାଡ଼ି ଯାଇଥିଲେ, ତାକୁ ବଢ଼ାଇବାକୁ ଭଲ ଦିହେଁ କେବେ ଚେଷ୍ଟା କରି ନ ଥିଲେ । କିଏ କେତେ ଦେବ ସେହି ମାନସିକ ଦ୍ୱନ୍ଦ ହିଁ ହୋଇଥିଲା ଅତି ବଡ଼ ଅକୁହା ପ୍ରଶ୍ନ । ଦୁଇ ଭାଇଙ୍କର ରୋଜଗାର ସମାନ ନ ଥିଲା । ସେମାନଙ୍କର ସନ୍ତାନଙ୍କର ସଂଖ୍ୟା ତ ଜାଣି ଅସମାନ । ପ୍ରଭାକରଙ୍କର ଝିଅ ସଂଖ୍ୟା ଅଧିଳ ଓ ସୁଧାକରଙ୍କର ପୁଅ ସଂଖ୍ୟା ବେଶୀ । ଠାକୁରେ ସମସ୍ତଙ୍କୁ ଆଇଷ-ନିହତ ଦେଉନ୍ତୁ !

 

ସେମାନଙ୍କୁ ମଣିଷ କରିବାର ଦାୟିତ୍ଵ ଅଲଗା ଅଲଗା ହେଲା ।

 

ଚାକିରୀ-କ୍ଷେତ୍ରରେ ଉନ୍ନତି ସଙ୍ଗେ ସଙ୍ଗେ ଜେଜେ’ପାଙ୍କ ସମ୍ପତ୍ତି ବରବାଦ୍‌ ହେବାକୁ ଲାଗିଲା । ଏବେ ଖାଲି ଘରଡ଼ିହ ଅରମା ହୋଇ ପଡ଼ିଛି । ଗ୍ରାମ ଲୋକଙ୍କର ନାକଧରା ସଞ୍ଜ ସକାଳ କାମରେ ଲାଗୁଛି । ଜମି ସବୁ ଧୀରେ ଧୀରେ ବିକ୍ରୀବଟା କରି ବାହା-ନିମିତ୍ୟର ଚାହିଦା ପୂରଣ ପାଇଁ ସବୁ ପ୍ରାୟ ସରିଛି । ସେଥିକି ଚିନ୍ତା ନାହିଁ । ଗୋଟିଏ ଘର ଭାଙ୍ଗୀ ଦିଓଟି ହୋଇଛି ଦୁଇ ସହରରେ । ସେମାନେ ନିଜ ନିଜର ପୁଞ୍ଜି କରି ପାରିଛନ୍ତି । କାହାର କେତେ ତାର ହିସାବ କେହି ଜାଣନ୍ତି ନାହିଁ ।

 

ଝିଅମାନେ ଶାଶୁଘରକୁ ଗଲେଣି । ପୁଅମାନେ ପାଠପଢ଼ି କିଏ କେଉଁଠି ନିଯୁକ୍ତି ପାଇ ସୁଖରେ ରହିଲେଣି । ଦୁଇଭାଇ ନିଜ ନିଜର ସଂସାରରେ ନାତି ନାତୁଣୀ ଖେଳାଇ ଅବସର ପରେ ନିଶ୍ଚନ୍ତରେ ବେଳ କାଟୁଛନ୍ତି । ଯିବା ଆସିବା, ପଚରା ଉଚରା ଚାଲିଛି । ସ୍ଵାଧୀନ ସଂସାରର ଗୃହକର୍ତ୍ତୀ ହେଲା ପରେ ଦୁଇ ଜାଆ ପରସ୍ପରକୁ ଓ ସେମାନଙ୍କର ସନ୍ତାନମାନଙ୍କୁ ସେହ୍ନଶ୍ରଦ୍ଧା କରୁଛନ୍ତି । କିନ୍ତୁ ସେମାନଙ୍କର ନିରୋଳା ସ୍ନେହରେ ଦେବା ନେବାର ବିଶେଷ କାରାବାର ନାହିଁ । ସେ ସବୁ ଭଲ ନୁହେଁ, କାରଣ ତୁଣ୍ଡରେ ପ୍ରକାଶ ନ କଲେ ବି ମନ ଭିତରେ ଉଣେଇଶ ବିଶର ଘାଣ୍ଟଚକଟା ଲାଗିବ । ଜୟ ପରାଜୟର ପ୍ରଚ୍ଛନ୍ନ ପ୍ରଶ୍ନ ଉଲ୍ଲାସ ବିଷାଦ ଆଣିବ ।

 

ପ୍ରଭାକର ଅନେକ ସମୟରେ ଭାବନ୍ତି, ବୋଧହୁଏ ଏହି ଚଳନ ସର୍ବୋତ୍‌କୃଷ୍ଟ-ଲୋକଦେଖାଣକୁ ସେମାନେ ମଇଁଷି ଶିଙ୍ଗ, ଯୁଝିଲା ବେଳକୁ ଗୋଟାଏ । ଦୁଇଟି ପରିସ୍ଥିତିରେ, ଦୂରରେ ନିଜ ନିଜର ଚରା-ଭୂଇଁରେ ପିଲାକବିଲା ଧରି ଚରୁଥିବାରୁ ଦୁଇ ମଇଁଷିଙ୍କର ମୁହାଁ ମୁହିଁ ସଂଗ୍ରାମର ପ୍ରଶ୍ନ ଉଠେ ନାହିଁ, କିନ୍ତୁ ସବୁ ବିଷୟରେ ପରସ୍ପରର ଊଣା ଅଧିକ ସମ୍ବାଦରେ ପରୋକ୍ଷରେ ଆନନ୍ଦ ଅବା ଈର୍ଷା ସେମାନଙ୍କର ଢଙ୍ଗରେ ପରିଷ୍ଫୁଟ ହୁଏ ।

 

ସେମାନେ ପରସ୍ପର ଝିଅ । ନିଜ ନିଜ କୁଟୁମ୍ବର ଚଳଣି ଭିତରେ ବଡ଼ ଏକାଠି ସଂସାର କରିବାକୁ ଆସିଥିଲେ । କେହି କାହାର କେଉଁ ବଡ଼ପଣକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ହେଉ ନ ଥିଲେ ।

 

କଳାବତୀ ଧନୀଘରର ଝିଅ । ଯେତେଥର ସେ ବାପ ଘରକୁ ଯାଆନ୍ତି, ଫେରିଲା ବେଳକୁ ନୂଆ ନୂଆ ଗହଣା ପିନ୍ଧି ଆସନ୍ତି । ବୋଧହୁଏ ସେ ସେଥିପାଇଁ କାନ୍ଦି ବୋବାଇ ଭାଇ ଭାଉଜ ଓ କାଳକ୍ରମେ ବିଧବା ହୋଇଥିବା ଜନନୀଙ୍କୁ ଦେଖିବାକୁ ଯାଆନ୍ତି ।

 

ଗୌରୀଙ୍କୁ ନିଜ ଦଉଲତର ଭାଗୀ ସେ କେବେ କରି ନାହାନ୍ତି । ସ୍ନେହରେ ଯେବେ ସେ ନିଜର ମୂଲ୍ୟବାନ୍‌ ଗହଣାରେ ଗୌରୀଙ୍କୁ ସଜାଇ ଦିଅନ୍ତି, ଗର୍ବରେ ତାଙ୍କର ଗୋଡ଼ ତଳେ ଲାଗେ ନାହିଁ ।

 

ପର ଲୁଗା ପିନ୍ଧି ଯାତକୁ ଯିବାର ଡର ଡର ସଙ୍କୁଚିତ ଆନନ୍ଦର ଯନ୍ତ୍ରଣା ବୋଧହୁଏ ଗୌରୀ ବେଶିଦିନ ଦେଖିବାକୁ ଚାହାନ୍ତି ନାହିଁ । ତେଣୁ, ବୁଦ୍ଧିମତୀ ଝିଅ ତ, କାମ କରିବାକୁ ଅସଜ ହେଉଛି, ଅଭ୍ୟାସ ତ ନାହିଁ, କାଳେ ଅସାବଧାନତାରୁ ମୁଲ୍ୟବାନ୍‌ ଗହଣାରୁ ଗୋଟିଏ କେଉଁଠି ଖସି ପଡ଼ିବ, ଏହିପରି କେଉଁ ଆରାରେ ହସି ହସିକା ଗୌରୀ ସେ ସବୁ ଉତାରି କଳାବତୀଙ୍କୁ ଫେରାଇ ଦିଅନ୍ତି ।

 

କଳାବତୀ ସନ୍ତୁଷ୍ଟ ହୁଅନ୍ତି । ବାହାର ମୁହଁରେ ଅଭିମାନ କରି କହନ୍ତି, ଏମିତି ଅସାବଧାନ ହେଲେ ସଂସାର ଚଳିବ କିପରି ? ତିନିଭରିଆ ଜୟପୁରୀ ସୁନାର କଣ୍ଠୀମାଳଟି ଭାଗକୁ ସେଦିନ ସାତଦିନ ପରେ ଆଲମାରୀ ତଳୁ ମିଳିଲା ବୋଲି ସିନା ! ମୋ ହାବୁଡ଼ରେ ନ ପଡ଼ି ଯଦି ଅନ୍ୟ କାହା ହାବୁଡ଼ରେ ପଡ଼ିଥାନ୍ତା ଆଉ ତାର ଦେଖା ମିଳି ନ ଥାନ୍ତା । ସୁନା ହଜିଲେ ଭାରି ଦୋଷ-!

 

ଗୌରୀ କହିଥିଲେ, ମୁଁ ସେକଥା ଜାଣେନା ଅପା ! ଏ ଅବେଇଜ ପିଲାଗୁଡ଼ାକ ହାରକୁ ଟାଣିଲେ, ସାନପୁଅ କୋଳରେ ବସି ସେ ହାର ସଙ୍ଗେ ଖେଳୁ ଖେଳୁ ଗୋଟାଏ କଣ୍ଠୀକୁ ପାଟିରେ ପୁରାଇ ଦାନ୍ତେଇ ଦେବାରୁ ସେଇଟା ଚେପା ହୋଇଗଲା । ଚାପୁଡ଼ାଏ ଦେଲି ସିନା, ଚେପା କଣ୍ଡୀତ ଥାଉ ସିଧାକରି ପାରିଲି ନାହିଁ ! ତାକୁ ବେକରୁ ଖୋଲି ତକିଆତଳେ ଲୁଚାଇ ଦେଲି । ଆମ ଗାଆଁର ଭଣ୍ଡାରୀକୁ ଚିଠି ଦେଇ ବିଦା କରିବାକୁ ଦାଣ୍ଡ ଘରକୁ ଗଲି । କଣ୍ଠୀକଥା ଭୁଲିଯାଇ କାମରେ ଲାଗିଲା-। ପରେ ମନେ ପଡ଼ିବାରୁ ଯେତେବେଳେ ଖୋଜିଲି, ମୋ ହାଲୁକ ଶୁଖିଗଲା ।

 

ମନେ ପଡ଼େ ପ୍ରଭାକରଙ୍କର ସେହି ଅତୀତ କାଳର ଘଟଣା । କଳାବତୀ କହିଥିଲେ ଅତି ଗୁପ୍ତରେ, ରାତି ଅଧରେ । ଭଣ୍ଡାରୀ ହାତରେ ବାପଘରକୁ ସେ ପଠାଇ ଦେଇଥିବ । ନୋହିଲେ କଣ ହାରଟା ପବନ ହୋଇ କୁଆଡ଼େ ଉଡ଼ିଗଲା ?

 

ତମେ ସେପରି କହନା କେକୀ ! ସେ ତମର ସାନଭଉଣୀ, ସେ କାହିଁକି ଚୋରୀ କରିବ-?

 

କଳାବତୀ ଦେଖିବାକୁ ସୁନ୍ଦର ହେଲେ ବି ତାଙ୍କର ଦେହର ରଙ୍ଗଟି କଳା ଥିଲେ । ସେ ବୋହୂ ହୋଇ ପ୍ରଭାକରଙ୍କ ଘରେ ପାଦ ଦେଲାଦିନୁ ସମସ୍ତେ ତାଙ୍କର ଦେହର ଗଠନ ଓ ସେ ଦେହରେ ଖଞ୍ଜା ହୋଇଥିବା ଚିକ୍‌ଚିକ୍‌ ସୁନା ଗହଣାକୁ ପସନ୍ଦ କରିଥିଲେ ଓ ପ୍ରଶଂସା ମଧ୍ୟ କରିଥିଲେ । ପ୍ରଭାକରଙ୍କର ବିଧବା ଜନନୀ ସ୍ନେହରେ କଳାବତୀଙ୍କ ନାମ ତାଙ୍କ ଘରେ ଦେଲେ କେତକୀ । ସତେ ତାଙ୍କର ଆଖିକୁ କଳାବତୀ କେତକୀ ଫୁଲପରି ଦିଶୁଥିଲେ । ଗାଁ ମାଇପେ ଓ ଭାଇଆଳୀ ପୋଖତା ଘରଣୀମାନେ ମନେ ମନେ କେତକୀ ନାମକୁ ସ୍ଵାଗତ କରିପାରିଲେ ନାହିଁ । ପ୍ରଭାକରଙ୍କର ମାତାଙ୍କ ମନରେ ସେମାନେ ଦୁଃଖ ଦେବାକୁ ମଧ୍ୟ ଚାହିଁଲେ ନାହିଁ । ତେଣୁ ବଡ଼ ନାମକୁ ଛୋଟ କରିବା ରାତିରେ କେତକୀକୁ ‘କେକୀ’ ବୋହୂ ବୋଲି ଡାକିଲେ ।

 

ସୁଧାକର ତାଙ୍କ ଭାଉଜ କେକୀଙ୍କୁ ‘କୋକୀ’ ଭାଉଜ ବୋଲି ଗେଲରେ ଡାକିବାକୁ ଲାଗିଲେ ଓ ତାଙ୍କ ଦେଖାଦେଖି ସେହି ଛୋଟ ନାମଟିକୁ ଆଉ ଟିକିଏ ବଢ଼ାଇ ଗାଁ ନଣନ୍ଦ ଡାକିଲେ, କୋକୀଶିଆଳି ଭାଉଜ । ନ ଚିଡ଼ିବାର ଲୋକ ତ ଚିଡ଼ିବ ! କଳାବତୀ କ୍ରୋଧରେ ଭିତରେ ଭିତରେ କୁହୁଳିବାକୁ ଲାଗିଲେ । ତାଙ୍କର କ୍ରୋଧ ସୁଧାକରଙ୍କ ଉପରେ । ସ୍ଵାମୀ କେବେ ଚାକିରୀ ଗାଁରୁ ଘରକୁ ଆସିଲେ, ସେ ଆଖିରେ ଲୁହ ଢଳ ଢଳ କରି ପ୍ରଭାକରଙ୍କ ଆଗରେ ସୁଧାକରଙ୍କ ବିରୁଦ୍ଧରେ ଅଭିଯୋଗ କଲେ ।

ପ୍ରଭାକର ତାଙ୍କୁ ସ୍ଵାନ୍ତନା ଦେଉଥିଲେ ଓ କହୁଥିଲେ ସେ ସୁଧାକରଟା ନିର୍ବୁଦ୍ଧିଆ, ତା’ କଥାରେ ଛଳ କରନାହିଁ, ଚିଡ଼ିଲା ଲୋକଙ୍କୁ ସମସ୍ତେ ଚିଡ଼ାନ୍ତି, ତମେ ଖାଲି ହସିଦିଅ ।

ସୁଧାକରଙ୍କ ଉପରେ କଳାବତୀଙ୍କର ଆଦ୍ୟ ଜୀବନର କ୍ରୋଧ ତାଙ୍କ ମନତଳେ ଛପି ରହିଲା ଓ ଧୀରେ ଧୀରେ କୁହୁଳୁ ଥିଲା । ପରଜୀବନରେ ସେ ଛପିଲା କ୍ରୋଧ, ମୁହଁରେ ପ୍ରକାଶ ନ କଲେ ବି ସୁଧାକର ଓ ଗୌରୀଙ୍କ ଉପରେ ବିଦ୍ୱେଷର କାରଣ ହେଲା ।

କାହାରି ଦୋଷ ଦେଇହେବ ନାହିଁ । ସମସ୍ତେ ନିଜ ନିଜର ଘରଣୀମାନଙ୍କୁ ସ୍ନେହ ନ କଲେ, ବିଶ୍ୱାସ ନ କଲେ, ନିଜ କୁଟମ୍ବର ଶାନ୍ତି ବ୍ୟାହତ ହେବ । ଗୃହିଣୀକୁ ସଦୁପଦେଶ ଦେଇ ଉଦାର ହେବାକୁ ଅଳିକଲେ ସେ ନିଶ୍ଚୟ ଉଦାର ହେବେ ଯେ, ଛୋଟ ଛୋଟ ଘଟଣାର ଉଦାହରଣ ଦେଇ ସେ ପ୍ରମାଣ କରିବେ ତାଙ୍କ ଉଦାରତା ଓ ସର୍ବସହଣୀପଣ ଏକପାଖିଆ ହେଉଛି ।

ଶାସନ କରାଯାଇ ପାରେ, କିନ୍ତୁ ସେ ଶାସନ ତ ଠେଙ୍ଗାବାଡ଼ି ଧରି କରିହେବ ନାହିଁ-କରି ହେବ କେବଳ ଅସହଯୋଗ, ମଉନବ୍ରତ, ଅନଶନ, କାର୍ଯ୍ୟର ବାହାନାରେ ଗୃହଛାଡ଼ି ପଳାୟନ, ଉଦ୍ଦେଶ୍ୟହୀନ ପଦଚାରଣ, ପୁଣି ଆପେ ପ୍ରକୃତିସ୍ଥ ହୋଇ, ‘ଆରେଢ଼ମଣା, ବୁଲି ବୁଲି କରି ସେହି ଅଗଣା’ର ପ୍ରହସନ । ଆରପକ୍ଷରୁ ମଧ୍ୟ ଗୁମାନର ବିବିଧ ପ୍ରକାର ଅସ୍ତ୍ରଚାଳନାର ସମ୍ଭାବନା ଅଛି ।

ଦାରୁଭୁତୋ ମୁରାରି ହୋଇ କେତେଦିନ କିଏ ରହିପାରିବ ? ଝଡ଼ର ତ ନଶ୍ଚିୟ ଉପଶମ ହେବ, କିନ୍ତୁ ତାର ପ୍ରଭାବ ମନତଳେ ପଦଚିହ୍ନ ଛାଡ଼ିଯିବ । ଭବିଷ୍ୟତରେ ଦୁଇଜଣଙ୍କୁ ଚେତାଇ ଦେଉଥିବ । ବାହାର ଦୁନିଆର ସଂଗ୍ରାମରେ ଅହରହ ଲିପ୍ତଥାଇ ଘର ଭିତରର ସଂଗ୍ରାମ ପାଇଁ ପ୍ରସ୍ତୁତ ହେବାକୁ କିଏ ବା ମନ କରିବ ?

ତେଣୁ, ପ୍ରଭାକର ଦେବୀ-କଳାବତୀଙ୍କର ଶରଣ ପଶିବା ହିଁ ଶେୟଃ ମନେ କରୁଥିଲେ ଓ ଅତି ସ୍ନେହରେ ତାଙ୍କୁ କେକୀ ବୋଲି ଡାକୁଥିଲେ ।

ସେଦିନ ସେ କଳାବତୀଙ୍କୁ ବୁଝାଇ କହିଥିଲେ । କଳାବତୀ ମନେ ମନେ ରକ୍ତଚାଉଳ ଚୋବାଉ ଥିଲେ ମଧ୍ୟ ସ୍ଵାମୀଙ୍କର ବଚନ ଉପରେ କଥା ବଢ଼ାଇଲେ ନାହିଁ । କିଛିଦିନ ପରେ ପୁଣି ସେ କାନ ପାଖରେ କହିଲେ, ହଇ ହୋ ! ମୋ କଥା ସେଦିନ ତମମନକୁ ପାଇଲା ନାହିଁ । ବେଶୀ ଘାଣ୍ଟଚକଟା ହେଲାରୁ କାଳେ ସେ ଭଣ୍ଡାରୀ ନେଇ ଯାଇଥିବ ବୋଲି ମନକୁ ମନ କହି ଦେଲାରୁ ସାତ ଦିନ ପରେ ଆଲମାରୀ ତଳ ଅଳିଆ ଭିତରୁ ସେ ହାର ମିଳିଲା କେମିତି ?

ତମେ ତୁନି ହୁଅ କେକୀ ! ମୁଁ ବୁଝିପାରୁଛି, ଆମର ସଂସାର ନିଶ୍ଚୟ ଦି’ଭାଗ ହେବ । ଭଲରେ ଭଲରେ ଯଦି ହୋଇ ପାରନ୍ତା, ଆମେ ଯଦି ଲୋକହସା ନ ହୁଅନ୍ତୁ ମୁଁ ଆଶ୍ୱସ୍ତ ହୁଅନ୍ତି । ଦିଓଟି ଜାଆ ଯେତେବେଳେ ପରସ୍ପରକୁ ଅବିଶ୍ୱାସ କଲଣି–

ସେଥିପାଇଁ ତମେ ମୋର ଦୋଷ ଦେବେ ?

ନାହିଁ, ନାହିଁ । ଦୋଷଟା ମୋର !

ଉଲୁଗୁଣା ହେଉଛ ? ବର ଫେରି ଯାଇଥିଲା, ଆଉ ଦୟାକରି ତମେ ସାତ ହଜାର ଟଙ୍କା ମୋ ବାପାଙ୍କଠାରୁ ଗଣି ନେଇ ମୋତେ ବାହା ହେଲ ବୋଲି ନିଜ ଦୋଷ ଦେଉଛ ? ମୁଁ ଏ ଘରର ବଡ଼ବୋହୂ ହୋଇ ନ ଆସି ଆଉ ଯଦି କିଏ ଆସିଥାନ୍ତା ତମର ସଂସାର ଦି’ଭାଗ ହୋଇ ନ ଥାନ୍ତା ? କରିବାକୁ କ’ଣ ମୁଁ କହୁଛି ? ତମେ ଯଦି କଥାଟା ନ ବୁଝିଲ, ଖାଲି ମୋ ଦୋଷ ଦେଲ, ମୋ ପିଲାଛୁଆକୁ ଧରି ମୁଁ ମୋ ବାପ ଘରକୁ ଚାଲିଯିବି ।

ତମେ ଉତ୍ୟକ୍ତ ହୁଅନା କେକୀ ! ଗୌରୀର ରୂପଗୁଣ ଓ ବିଦ୍ୟା-ବୁଦ୍ଧିର ପ୍ରଶଂସା ଶୁଣିଲି-। ତାକୁ ଆଖିରେ ଦେଖିଲି । ସୁଧାକରର ଜାତକ ସଙ୍ଗେ ତାର ଜାତକ ମିଳାଇ ଦେଖିଲି ଯେ ଦୁହିଁଙ୍କର ଏକା ରାଶି, ରାଜଯୋଟକ । ଖୁସିହୋଇ ଜବାବ୍‌ ଦେଲି । ତାକୁ ବୋହୁକରି ଏ ଘରକୁ ଆଣିଲି । ବାପା, ଜେଜେପା, ଅବା ବୋଉ ଯଦି ବଞ୍ଚି ଥାଆନ୍ତେ, ଭଲ କରୁ କରୁ ମୋର ଭୁଲ୍‌ ହୋଇ ନ ଥାନ୍ତା । ସୁଧାକର ପରି ଭାଇ, ଆଜି ଯାଏ ଯିଏ ଗୋଡ଼ ସିଧା କରି ମୋ ଆଗରେ ଠିଆ ହୋଇ ନାହିଁ, ଉଠ୍‌ କହିଲେ ଉଠିଛି, ବସ୍‌ କହିଲେ ବସିଛି, ମୁଁ ମୁହଁ ଫଣ ଫଣ କଲେ ଭୟରେ ଯିଏ ଥରିଛି, ଭାଇ ରାଗିଲେ ଭାବି ଯିଏ ଉପାସରେ ଶୋଇଛି-

କହୁନା, କହୁନା, ତମ ଭାରିଯାକୁ ଯିଏ କୋକୀ, କୋକିଶିଆଳି-ମୁହୀଁ ବୋଲି ଥଟ୍ଟା କରି ପ୍ରଚାର କରାଇ ଅପମାନ ଦେଇଛି, ଏବେ ବି ଡାକୁଛି କୋକୀ-ଭାଉଜ । ପେଟରୁ ଜନମିଲା ଛୁଆଗୁଡ଼ାକ ଏବେ ପଚାରିଲେଣି–

ସୁଧାକରଟା ନିର୍ବୁଦ୍ଧିଆ । ଥଟ୍ଟା କେମିତି କରନ୍ତି ସେଇଟାକୁ ଯଦି ଜଣା ଥାଆନ୍ତା–

ଜଣା ଅଛି ମ, ଜଣା ଅଛି । ମତେ ଅପମାନ ଦେବାକୁ ସେ ସୁଖ ପାଉଛି । ସୁନ୍ଦରିଆ ପାଠୁଆ ବୋହୁ ବୋଲି ଏବେ ତ ସେ ଲକ୍ଷ୍ମୀ-ପାଗତୀଙ୍କଠେଇଁ ଖୁଣ ଦେଖୁଛି ହୋ ।

ସେଇକଥା ମୁଁ କହୁଛି କେକୀ ! ଯଦି ତମର ବରଗର ଝିଅଟିଏ ଆଣି ତା ବେକରେ ଛନ୍ଦି ପାରିଥାନ୍ତି !

କେତେ ଉଲୁଗୁଣା ଦେଉଛ ଦେଉଥା, କହି ମୁହଁ ଫଣ ଫଣ କରି କଳାବତୀ ପ୍ରଭାକରଙ୍କ ଆଗରୁ ଚାଲି ଯାଇଥିଲେ । ପ୍ରଭାକର ଭାବିଲେ, କେକୀ ରବେଇ ଖବେଇ ହେଉଥିବେ ଆଉ ଭାବୁଥିବେ-ଯେତେଦିନ ଯାଏ ସେମାନେ ଏକାଠି ଥିବେ, ସୁଧାକର ତାଙ୍କୁ ଉପହାସ କରୁଥିବ ଓ ତାଙ୍କ ବଡ଼ଭାଇ, ଯିଏ ତାଙ୍କର ତିନୋଟି ଝିଅର ବାପ, ସିଏ ଉଲୁଗୁଣା ଦେଇ ତାଙ୍କର ଅସୁନ୍ଦର ରୂପକୁ ପ୍ରକାରାନ୍ତରେ ତାଙ୍କର ମନେ ପକାଇ ଦେଉଥିବେ ।

ବୃଦ୍ଧ ପ୍ରଭାକର ଅତୀତକୁ ସୁମରଣା କରୁଥିଲେ । ବର୍ତ୍ତମାନର ଜୀବନ ସଙ୍ଗେ ମିଳାଇ ମିଳାଇ ଦେଖୁଥିଲେ । ବିଷାଦରହିତ ଚିତ୍ତରେ ବିଚାର କରୁଥିଲେ-ଏକା ନାହିଁ ଦି’ଖଣ୍ଡ, ଏକା ରକ୍ତ ଦି’ଧାର ହେଲେ ବି ଘଟଣାଚକ୍ରର ଘୂର୍ଣ୍ଣନରେ, ପରଘରୁ ଆସି ଦୁଇଟି ନାରୀଙ୍କର ମୁହାଁମୁହିଁ ଚଳନରେ, ବାହାର ମୁହଁର ହସ ତଳେ, ଲୋକଦେଖାଣିଆ ଭଦ୍ରତା ଓ ମମତାର ମୁଖା ଉହାଡ଼ରେ, ଉଣେଇଶ-ବିଶ୍‌ ଧାରଣାର ତାଡ଼ନାରେ, ମନ ଫଟାଫଟି ହୁଏ । ଫାଟିଲା ହାଣ୍ଡି ପରି ସେହି ଦୁଇଟି ମନ, (ନିଜ ନିଜର ବିଚାରରେ ଓ ହାତ ଧରିଥିବା, ପାଖରେ ଶୁଏ କାନରେ କୁହେ ଗେରସ୍ତମାନଙ୍କ ବିଚାରରେ ନିର୍ମଳମନ) ଯୋଡ଼ିହୁଏ ନାହିଁ, ହୁଏ ଯେତେ ଭାଇ ସେତେ ଘରର କାରଣ । ଅତୀତରେ ହୋଇ ଆସିଥିଲା, ତାଙ୍କ ଜୀବନରେ ବି ହୋଇଛି ।

Image

 

ସେହି ଖଜୁରୀ ଗଛଟି

 

ମୂଳରୁ ତ ପାହାଚ ପାହାଚ, କି ଗୁଣ ତା’ର କିଏ ବର୍ଣ୍ଣିବ ? ସେ ବଧିର ଓ ମୂକ, ସେ ସର୍ବସହଣୀ । ସେ ବଲବଲ କରି ଚାରିଆଡ଼କୁ ସଦାସର୍ବଦା ଅନାଇଁ ଥାଏ; କିଛି ଦେଖେନାହିଁ, କିନ୍ତୁ ସେ ସବୁ ଅନୁଭବ କରେ,ସେଥିପାଇଁ ତାକୁ ଅନ୍ଧ ବୋଲି କହି ହେବ ନାହିଁ । ଗଜାଟିଏ ହେଲା ଦିନରୁ ସେ କେତେ ପ୍ରକାର ଅତ୍ୟାଚାର ସହିଛି, ସହି ସହି ରହିଛି, ବଡ଼ ହୋଇଛି । ମୁଣ୍ଡ ଟେକି ଟେକିକା ଧୀରେ ଧୀରେ ଉପରକୁ ଉଠିଛି । ରାସ୍ତାର ଦୁଇ କଡ଼ରେ ଦୁଇଧାଡ଼ି ଆମ୍ବ, ଓସ୍ତ ଓ ମୋଟା ମୋଟା ଚାକୁଣ୍ଡା ଗଛଗୁଡ଼ିକ ସଙ୍ଗରେ ପ୍ରତିଯୋଗିତା କରି ମୋଟରେ ଓ ଉଚ୍ଚରେ ତାଙ୍କୁ ଟପିଯିବାକୁ ସେ କେବେ ସାହସ କରିନାହିଁ । ସେ ଜାଣେ ସେ ଅଳ୍ପକ-ସ୍ୱଳ୍ପକ ଗଛ ।

 

ତଥାପି ତାର ବି ଗର୍ବ ଥାଏ । ତା ମୂଳର ଗୋଲେଇ ତିନିହାତ, ଉଚ୍ଚତା କୋଡ଼ିଏ ହାତରୁ ଅଳ୍ପ ଊଣା ହୋଇପାରେ । ବେକର ଗୋଲେଇ ଦେଢ଼ହାତ ହେବ । ମୁଣ୍ଡରେ ଛତାଳିଆ ବାହୁଙ୍ଗାଗୁଡ଼ିକ ମେଲିଛି । କେତୋଟି ବାହୁଙ୍ଗାରେ ବାଇଆ ଚଢ଼େଇ ବସାଗୁଡ଼ିଏ ଓହଳିଛି, ଧୀର ପବନରେ ଦୋହଲୁଛି । ଆମ୍ବ ଓ ଚାକୁଣ୍ଡାଗଛ ଧାଡ଼ିରୁ ସେ ରାସ୍ତା ଉପରକୁ ଦୁଇହାତ ଆଗେଇ ଠିଆହୋଇ ଗଲା-ଆଇଲାଙ୍କର ଦୃଷ୍ଟି ଆଗ ଓଟାରୁଛି । ତା’ର ପାହାଚିଆ ଦେହରେ ମୂଳରୁ ବେକେ ଉଚ୍ଚଯାଏ କେବେ କିଏ କଲିଚୂନ ପଲସ୍ତରା କରିଥିଲା, ଏବଯାଏ ଧୋବଲା ଦିଶୁଛି ।

 

ଜାଣି ଜାଣି ସେ ବଡ଼ରାସ୍ତା ଉପରେ ଗଜୁରି ନ ଥିଲା, ଅବା ସେଠାକୁ ଡେଇଁପଡ଼ି ନ ଥିଲା । ତା’ର ଜନ୍ମବେଳେ ସେ ରାସ୍ତା ପାଖରୁ ବେଶ୍‌ ଦୂରରେ ଥିଲା, ଅରମା ଭିତରେ, ବଡ଼ ଉଇହୁଙ୍କା ମୂଳରେ, ଯେଉଁ ହୁଙ୍କାର ଗାଡ଼ ମାଳରେ କେତେ ନାଗସାପ ବାସ କରୁଥିଲେ । ଭଲ ହୋଇଥିଲା । କାନକୋଳି କଣ୍ଟା ଓ ସାପ ଡରରେ ଦି’ଗୋଡ଼ିଆ ଜନ୍ତୁ ତାର ପାଖ ପଶୁ ନ ଥିଲେ । ସେ ନିଶ୍ଚିନ୍ତରେ ଡାଳପତ୍ର ମେଲାଇ ବଢ଼ିଲା, ଆଖି ଦୁରୁଶିଆ ହେଲା ।

 

କେବେ ଦିନେ କାହାର ଦୁଇଟା ଛେଳିଙ୍କୁ ତା’ ମୂଳରେ କାଠି ଛୁଇଁଥିଲା । ମଣିଷର କ୍ରୋଧକୁ କିଏ ପାରିବ ? କିଏ କେଉଁଠୁ କୋଡ଼ି-କାଙ୍କ-କଟୁରୀ ଧରି ଆସିଲେ । ଅରମା ସଫାକଲେ, ହୁଙ୍କା ଭାଙ୍ଗିଲେ, ସାପ ମାରିଲେ, ସେଥିରୁ କେଇଟା ଅନ୍ୟଆଡ଼େ ପ୍ରାଣବିକଳରେ ପଳାଇଲେ । ସେହି ମଣିଷମାନେ ତାର ଡାଳଗୁଡ଼ିକ କାଟି ପକାଇଲେ, ଖଜୁରୀପତ୍ରରେ ପଟି ବୁଣିବାକୁ ସେ ସବୁ ବୋହିନେଲେ । ତାର କପାଳ ଭଲ ଯେ ସେମାନେ ତାର ବେକ କାଟି ଛିଡ଼ାଇ ନାହାନ୍ତି । ଦେହ କାଠକରି ସେ ପୁଣି ଡାଳପତ୍ର ମେଲାଇ ବଢ଼ିବାକୁ ଲାଗିଲା ।

 

ବେକ ସିନା କାଟିଲେ ନାହିଁ, ତା’ ବେକ କତିରୁ ଛେଲି ଛେଲିକା ଠେକି ବାନ୍ଧି ତା’ ଦେହରୁ ରସ ନିଗାଡ଼ିଲେ । ସେ ଯେଉଁ ଜୀବନ ଛଡ଼ା କଷ୍ଟ ! ଦେହରେ ତାକତ ଥିବାରୁ ସେ ସବୁ ଦୁଃଖ ସହି ବଞ୍ଚି ରହିଲା । ଦୂରେଇ ଦୂରେଇ ତା’ ପଛର ଅନାବାଦୀ ଅରମା ଭୂଇଁରେ ଠିଆ ହୋଇଥିଲେ ତା’ ଜାତିଆ ଆଉ ଯେତେ ଗଛ, ସେମାନେ ଦିନାକେତେ ପରେ ଛଟପଟ ହୋଇ ମଲେ । ଆଉ ଦୁଇ ଚାରିଟା ମିଁ ମିଁ ହୋଇ ଏବଯାଏ ବଞ୍ଚିଛନ୍ତି । ଫଳିବାର ଶକ୍ତି ହରାଇଛନ୍ତି । ସେ କିନ୍ତୁ ଫଳୁଛି, ଫଳ ପଚାଉଛି । ତା’ର କୋଳି ଯେଡ଼େ, ଜାଣ ମଞ୍ଜି ବି ସେଡ଼େ, ଉପରେ ଖାଲି ଚୋପା ଛାଉଣି । ଏଇ ଦି’ଗୋଡ଼ିଆ ସବାଖିଆ ରାକ୍ଷସମାନେ କଞ୍ଚା ଦରପାଚିଲା ଅବସ୍ଥାରେ ତାର କୋଳିତକ ସବୁ ନେଇ ଯାଆନ୍ତି । କେଉଁ ପୂଜା-ପରବରେ ଲୋଡ଼ା ହୁଏ ପରା !

 

ସହି ସହି ସେ ବଞ୍ଚି ରହିଥିଲା । ତଥାପି, ତା’ କପାଳ ଫାଟିଲା କାହିଁକି ? କେତେ ଝଡ଼ ତୋଫାନ ଆସିଛି । ଡେଙ୍ଗା ମୁଣ୍ଡରେ ଠେଙ୍ଗା ପରି, ରାସ୍ତା କଡ଼ର ଆକାଶର ମଥାନଛୁଆଁ ଆମ୍ବ, ବର, ଚାକୁଣ୍ଡା ଗଛର ବଡ଼ ବଡ଼ ଡାଳ ଭାଙ୍ଗି ରାସ୍ତା ଉପରେ କଚାଡ଼ି ଦେଇଛନ୍ତି । କିନ୍ତୁ ସେ ଅଳପ ଦୋହଲି ବାହୁଙ୍ଗା ଓ ପତ୍ର ହଲେଇ ଜୁହାରି ଗୁହାରି ବଞ୍ଚନ୍ତି । ତା’ ମୁଣ୍ଡ ଉପରେ ରଡ଼ି ରଡ଼ିକା ଚଡ଼ଚଡ଼ି ଭିଡ଼ିମୋଡ଼ି ହୋଇ ଉଡ଼ି ଯାଇଛି; ଦେହ ଛୁଇଁ ନାହିଁ, ଖାଲି ଟିକିଏ ଚମକାଇ ଦେଇଛି, ଚିହିଙ୍କାଇ ଦେଇଛି । ଆଉ ଦୁଇଜଣ ଲୋକ ଆସି କୁରାଢ଼ୀରେ ତା’ ମୂଳରେ ଚୋଟ ହାଣୁଛନ୍ତି । ସେ ବୁଝି ସାରିଲାଣି ଯେ ସେମାନେ ତାଡ଼ି ନେବାକୁ ଆସି ନାହାନ୍ତି, ସେମାନେ ତାର ମୂଳପୋଛ କରି କାଟିବାକୁ ଆସିଛନ୍ତି । ଆଉ ରକ୍ଷାରକ୍ଷଣ ମିଳିବ ନାହିଁ ।

 

ତା’ ବେଳକାଳ ସରିଲା ବୋଲି ସେ ଜାଣିଲାଣି । ଏଇଠି ଠିଆହୋଇ ତା’ର ଭାଇମାନଙ୍କ ଅବସ୍ଥା ସେ ଦେଖିଛି । ଦି’ ଗୋଡ଼ିଆଙ୍କୁ ବିଶ୍ୱାସ ନାହିଁ । କୁରାଢୀ ଚୋଟରେ କେତେ ଦାରୁ ଟଳାଇ ଦେଇଛନ୍ତି । ଅନାବାଦୀ ଅପନ୍ତରାକୁ ସେମାନ ପଦାକରି ସାରିଲେଣି । ସେ ବି ଯିବ । ପ୍ରତିବାଦ ସେ କରିପାରିବ ନାହିଁ । ସେ ମୁଣ୍ଡ ହଲାଇ, ଦେହ ଉଲୁସାଇ ଦଶ ଦିଗକୁ ଚାହିଁଲା । ତାର ମୂଳରେ କୁରାଢ଼ୀ ଚୋଟ ବାଜୁଛି ! ଭାରି କାଟୁଛି । ସେ ମୂକ ଓ ବଧିର; କିନ୍ତୁ ତାର ସାରାଦେହ ଜଳଜଳ କରି ଚାହିଁଛି ।

 

ଦେଖୁଛି–

 

ତା’ ପାଖରୁ ଖଣ୍ଡେ ଦୂରରେ ଚାରିଚକିଆ ମଟରଗାଡ଼ି ଖଣ୍ଡ ଚକ ଉପରକୁ ପିଠି ତଳକୁ କରି ପଡ଼ିଛି । ଗାଡ଼ିର ମୁଣ୍ଡ ଓ ଦେହ ଭାଙ୍ଗିରୁଜି ଯାଇଛି । ଚେପା ହୋଇଛି । ମାସକ ତଳେ, କଅଁଳ ଖରାକୁ ସକାଳର କୁହୁଡ଼ି ଉହାଡ଼ କରିଥାଏ, ତା’ ବାହୁଙ୍ଗା ଓ ପତରମାଳରୁ କାକର ଠୋପାମାନ ଟପ ଟପ ହୋଇ ତଳେ ପଡ଼ୁଥାଏ, ସେହି ମଟରଗାଡ଼ିଟା ତୋଫାନ ବେଗରେ ଆଲୁଅର ଆଖି ଦୁଇଟି ଘଞ୍ଚ କୁହୁଡ଼ି ଭିତରେ ମିଟି ମିଟି କରି ଧାଇଁଆସୁଥିଲା । ବିପରୀତ ଦିଗରୁ ଆହୁରି ଅଧିକ ବେଗରେ ଧାଇଁ ଆସୁଥିଲା ବଡ଼ ଟ୍ରକ୍‌ଟିଏ ସେଥିରେ ପଥର ବୋଟେଇ ହୋଇଥିଲା । ତାର ଫିକା ଆଲୁଅ ଦୁଇଟା ସେମିତି ଜଳୁଥାଏ ! ମନେ ହେଉଥାଏ, କେହି କାହାକୁ ବାଟ ଛାଡ଼ିବାକୁ ରାଜି ନୁହନ୍ତି । ସେ ଦିହେଁ ନିଜ ନିଜର ବଡ଼ପଣର ଟେକ ରଖିବାକୁ ତତ୍ପର ।

 

ସେହି ଖଜୁରୀ ପାଖରେ–

 

ଷଣ୍ଢପରି ସେହି ଟ୍ରକ୍‌ଟି ନିଜର ଟେକ ରଖି ରାସ୍ତାର ମଝିରେ ଛୁଟି ପଳାଇଲା । ଠିକ୍‌ ସେତିକିବେଳେ ଖଜୁରୀଗଛଟି ଅନୁଭବ କଲା ସତେକି ତା’ ଦେହରେ କିଏ ପର୍ବତ ଛେଚିଲା । ଏତେବଡ଼ ଆଘାତ ଜନ୍ମରୁ ସେ କେବେ ପାଇ ନ ଥିଲା । ସେ ଦୋହଲି ଉଠିଲା । ସେ ଖଣ୍ଡିଆ ଖାବରା ହେଲା । ଧକକାକୁ ସମ୍ଭାଳି ଥକ୍‌କା ହୋଇ ଚାହିଁଲା -

 

ଛୋଟ ମଟରଗାଡ଼ି ଭାଙ୍ଗି ରୁଜି ଦୁଇ ଗଡ଼ଗଡ଼ା ଦେଇ ସଡ଼କ କଡ଼ର ସନ୍ତସନ୍ତିଆ ନାଳରେ ଉପରକୁ ଚାରିଚକ ଟେକି ପଡ଼ିଛି । ତା’ଭିତରୁ ନାଲିଆ ରକ୍ତର ଧାର ଧାର ହୋଇ ଛୁଟିଛି ଭୂଇଁ ଉପରେ ।

 

କୁହୁଡ଼ି ଅପସରି ଗଲା । ଚାରିଆଡ଼େ ଖରା ବିଞ୍ଚିହୋଇ ପଡ଼ିଲା । ତାଆରି ପାଖରେ ଲୋକଭିଡ଼ । ଦୁଇ ପାଖରୁ ଆସୁଥିବା ଯାନବାହାନ ତାଆରି ଆଗରେ ରାସ୍ତା ଉପରେ ଅଟକି ରହିଲେ ! କେତେଲୋକ ଓହ୍ଲାଇଲେ । ଭଙ୍ଗାରୁଜା ମଟରଗାଡ଼ି ଚାରିପାଖରେ ବେଢ଼ିଗଲେ । ଗାଡ଼ି ଭିତରୁ ସେମାନେ ଖଣ୍ଡିଆଖାବରା ପାଞ୍ଚଜଣ ଲୋକଙ୍କୁ ପଦାକୁ କାଢ଼ିଲେ । ଘାସ ଉପରେ ସେମାନଙ୍କର ରକ୍ତବୋଳା ଦେହଗୁଡ଼ିକୁ ଶୁଆଇ ଦେଲେ ।

 

ତିନୋଟି ପୁରୁଷ ଓ ଦିଓଟି ନାରୀ ! ମରିଛନ୍ତି ଅବା ହତଜ୍ଞାନ ହୋଇ ପଡ଼ିଛନ୍ତି । ଗାଡ଼ି ଉପରେ ବନ୍ଧାହୋଇଥିବା ଜିନିଷ ଓ କାଚ-ଭଙ୍ଗା ଖୋଲାଦରଜା ବାଟେ ଛିରିକି ଆସିଥିବା ପଦାର୍ଥଗୁଡ଼ିକ ଏଣେତେଣେ ବିଞ୍ଚିହୋଇ ପଡ଼ିଛି । ଲୋକେ ତାକୁ ବି ଦେଖିଛନ୍ତି । ଆଙ୍ଗୁଠି ବଢ଼ାଇ ସେହି ଖଜୁରୀଗଛଟିକୁ ଦେଖାଇ ଦେଉଛନ୍ତି ।

 

ସେ କିନ୍ତୁ ନିର୍ବିକାର, କେବଳ ବଲବଲ କରି ଚାହିଁଛି । ଡାଳପତ୍ର ହଲାଉଛି । ଖଣ୍ଡିଆ ଦେହରୁ ରସ ଝରାଉଛି । ତା’ ଉପରେ ବସି କେତୋଟି କାଉ ରକ୍ତରେ ଜୁଡ଼ୁବୁଡ଼ୁ ଅଜ୍ଞାନ ହୋଇ ପଡ଼ିଥିବା ଦେହଗୁଡ଼ିକ ଚାହିଁ ରହିଛନ୍ତି, ବେଳେବେଳେ ଏ ଡାଳରୁ ସେ ଡାଳକୁ ଡେଇଁ ନାଟ କରୁଛନ୍ତି-। ବାହୁଙ୍ଗାମାନଙ୍କରୁ ଓହଳି-ଥିବା ବାଇଆ-ଚଢ଼େଇଙ୍କର ବସାଗୁଡ଼ିକ ଧୀର ପବନରେ ଦୋହଲୁଚି । ବସା ଭିତରୁ ଚଢ଼େଇଗୁଡ଼ିଏ ପଦାକୁ ଉଡ଼ି-ଆସୁଛନ୍ତି । ତାର ବାହୁଙ୍ଗା ଉପରେ ଡେଇଁ, ପୁଣି ବସାରେ ପଶୁଛନ୍ତି ।

 

କେତେଦିନ କେତେ ରାତି ବିତି ଗଲାଣି । ଆଜି ତାର ଆଇଷ ପୂରିବ । ତା’ ମୂଳରେ ଟାଙ୍ଗିଆ ପାହାର ବାଜୁଛି, ସେ ହଲିଲାଣି, ସେ ଟଳମଳ ହେଲାଣି–

 

ସେହି ଖଜୁରୀଗଛ । ଓଲଟି ପଡ଼ିଥିବା ମଟରଗାଡ଼ି ଓ ତା’ ପାଖରେ ରକ୍ତ-ଜୁଡ଼ୁବୁଡ଼ୁ ପାଞ୍ଚଟି ଦେହର ଫଟୋ ଖବର କାଗଜମାନଙ୍କରେ ବାହାରିଥିଲା ।

 

ସମ୍ବାଦ ଛାପା ହୋଇଥିଲା ଯେ ଘଟଣାସ୍ଥଳରେ ଚାଳକର ମରଣ ହୋଇଥିଲା । ତାର ମୁଣ୍ଡ ଫାଟି ଛତରଛାଉଳ ହୋଇଥିଲା ଓ ମୁଣ୍ଡ ଭିତରର ଦହିରୁ ପୁଳାଏ ପଦାକୁ ବାହାରି ଆସିଥିଲା ।

 

ପୁଣି ଲେଖା ହୋଇଥିଲା ଯେ ଡାକ୍ତରଖାନାକୁ ଅଣା-ହେଉଥିବା ଅବସ୍ଥାରେ ବାଟରେ ଆଉ ଜଣକର ମୃତ୍ୟୁ ହୋଇଥିଲା । ସେ ଜଣେ ଛାତ୍ର, ଡ୍ରାଇଭର ପାଖରେ ଆଗ ସିଟ୍‌ରେ ବସିଥିଲେ । ଖଣ୍ଡିଆ ଖାବରା ତ ହୋଇଥିଲେ, ତାଙ୍କର ବେକତଳର ବେଁଶିରା ହାଡ଼ ଭାଙ୍ଗି ଦି’ଗଡ଼ ହୋଇଥିଲା । କାନ୍ଧରୁ ଝୁଲୁଥିଲା ଗୋଟିଏ କାମେରା ।

 

ସେହି ଆଗ ସିଟ୍‌ରେ ଖୋଲାଦରଜା ଉପରେ ବାଁ ହାତର କହୁଣୀ ରଖି ବସିଥିଲେ । ଯେଉଁ ଛାତ୍ରୀ ଜଣକ ତାଙ୍କର ସେହି ହାତଟି କହୁଣୀ ପାଖରୁ ଦିଗଡ଼ ହୋଇ ଛିଡ଼ିପଡ଼ିଥିଲା ଓ କପାଳ ଉପରେ କଟାଦାଗ ହୋଇଥିଲା । ଉପରପାଟିର ଛାମୁଦାନ୍ତ ଦିଓଟି ଭାଙ୍ଗି ଯାଇଥିଲା । ସୋପ୍‍-କେସ୍ ଆକାରର ଟ୍ରାନ୍‌ଜିଷ୍ଟରଟିଏ, ଯାହାକୁ ସେ ଡାହାଣ ହାତରେ ଧରିଥିଲେ, ସେଥିରେ ଜାବ ପଡ଼ିଯାଇଥିଲା ।

 

ପଛରେ ବସିଥିଲେ ଯେଉଁ ଛାତ୍ର ଓ ଛାତ୍ରୀ ଦୁଇଜଣ, ସେମାନଙ୍କର ଅବସ୍ଥା ମଧ୍ୟ ସାଂଘାତିକ । ଗାଡ଼ି ଭିତରେ ବଣ-ଭୋଜି ପାଇଁ ଖୁନ୍ଦା ହୋଇଥିଲା କେତେ ସରଞ୍ଜାମ । ପଛସିଟ୍‌ ପାଖରେ ବାଁ ପାଖ ଦରଜା ଖୋଲିଯାଇଥିଲା, ଛାତ୍ରଙ୍କର ଆଣ୍ଠୁତଳ ଯାଏ ଗୋଡ଼ ସେଥିରେ ଚାପିହୋଇ ନଳୀ-ହାଡ଼ କେତେଖଣ୍ଡ ହୋଇ ଭାଙ୍ଗି ଯାଇଥିଲା । ତାଙ୍କର ବୁସ୍‌-ସାର୍ଟରୁ ଯେଉଁ ପକେଟ୍‌-ସାଇଜ୍‌ର ସଚିତ୍ର ଓମର-ଖାଏମ୍‌ ବହିଟି ବାହାରିଲା, ତା’ ଭିତରେ ଖଣ୍ଡେ ଫଟୋ ଥିଲା, ସେଇଟି ସିପ୍ରା ଦେବୀଙ୍କର, ଯିଏ ଆଗସିଟ୍‌ରେ ବସିଥିଲେ ।

 

ତାଙ୍କ ପାଖରେ ବସିଥିଲେ ଯେଉଁ ଛାତ୍ରୀ ଜଣକ, ତାଙ୍କର ଡାହାଣ ଆଖିରେ କରଛୁଲିର ନାଡ଼ ପଶି ଡୋଳାଟିକୁ ନଷ୍ଟ କରିଥିଲେ । ପୁଣି, ଆଉ କଅଣ ଛାତିରେ ବାଜି ଡାହାଣ ପାଖର ଦିଓଟି ପଞ୍ଜରା-ହାଡ଼ ଭାଙ୍ଗି ଯାଇଥିଲା । ତାଙ୍କର ନାମ କ୍ଷିପ୍ରା । ସିପ୍ରାଙ୍କର ସେ ସାନ ଭଉଣୀ ନୁହଁନ୍ତି ।

 

ଯାହାହେଉ ତିନୋଟି ପ୍ରାଣୀ ବଞ୍ଚିଗଲେ, ଭଗବାନଙ୍କର ଅପାର କରୁଣା ! ଚଞ୍ଚଳ ମହାପାତ୍ର ମରିଗଲେ ସିନା, ଯଦି ବଞ୍ଚିଥାନ୍ତେ ଅବଶ୍ୟ ସେ ଜଣେ ଜନନାୟକ ହୋଇଥାନ୍ତେ । ଭଲ ଛାତ୍ର ନ ହେଲେ ନାହିଁ, ସେ ଜଣେ ଖେଳୁଆଡ଼, ଆକ୍ଟର୍‌, ରାଜନୈତିକ ଓ ବକ୍ତା ଥିଲେ । ବିଜୟ ଦାସ ମେଧାବୀ ଛାତ୍ର, ଗମ୍ଭୀର, ବୁଡ଼ି ବୁଡ଼ି ପାଣି ପିଅନ୍ତି ଓ ରସରସିଆ ସରଳ କବିତା ଲେଖନ୍ତି । ତାଙ୍କର ନିଶ୍ଚିତ ଆଶା ଥିଲା ଯେ ସେ ଜଣେ ବଡ଼ ଅଫିସର ହେବେ । ଅନ୍ୟମାନେ ବି ସେହିପରି ଭାବୁଥିଲେ । ଆଣ୍ଠୁ ଉପରୁ ଗୋଡ଼ଟି କଟିଲା ପରେ ପରେ ତାଙ୍କର ଓ ଅନ୍ୟମାନଙ୍କର ସେ ଆଶା ଆକାଶ-କୁସୁମ ହେଲା । କେଉଁ ଉତ୍ସାହୀ ଜନନୀ ତାଙ୍କର ଅଲିଅଳର ଆଖିରେ ସରୁ-କଜଲ, ଓଠରେ ପାତଳ ଗୋଲାପୀ ବୋଳଦେଇ ତାଙ୍କର ମନ-ମୀନକୁ ଆକର୍ଷିବାକୁ ଆଉ ଛାଡ଼ିଦେବେ ନାହିଁ । ତାଙ୍କର ଭବିଷ୍ୟତ୍‌?

 

ସିପ୍ରା ଚଉଧୁରୀ ପାଠ ପଢ଼ୁଥିଲେ ଦିଓଟି ଉଦ୍ଦେଶ୍ୟରେ-ସଂସାର ପାତିବା, ନ ହେଲେ ସ୍ଵାଧୀନ ଜୀବନ ଯାପିବା । ରଙ୍ଗ ତୋଫା ନ ହେଲେ ନାହିଁ, ମୁହଁ ଗୋଲଗାଲିଆ ଓ ସୁନ୍ଦର । ସବୁବେଳେ ପରିଷ୍କାର ପରିଚ୍ଛନ୍ନ । ସେ ଅପ୍‌-ଟୁ-ଡେଟ୍‌। ବେଶ୍‌ ମିଶିପାରନ୍ତି । ତାଙ୍କ ସଙ୍ଗେ ମିଶିବାକୁ ପୁଅମାନେ ସୁଖ ପାଆନ୍ତି, ଯେହେତୁ ସେ, ସୁନ୍ଦର ଗୀତ ବୋଲି ପାରନ୍ତି ।

 

କ୍ଷିପ୍ରା ସାମନ୍ତରା ଧର୍ମ ଘରର ଝିଅ । ତନୁ-ପାତଳୀ । ରଙ୍ଗ ସଫା । ଲମ୍ବାଳିଆ ମୁହଁ ସବୁବେଳେ ହସ ହସ । ଆଖି ଦିଅଟି ପୋଟଳ-ଫାଳିଆ । ଅଳ୍ପ କଥା କହନ୍ତି । ଛବି ଆଙ୍କିବା ଥିଲା ତାଙ୍କର ସଉକ୍‌ । ବେଶ୍‌ ମିଶୁକ । ତାଙ୍କର ଧାରଣା ଥିଲା ଯେ ମେଧାବୀ ବିଜୟ ଦାସ ତାଙ୍କୁ ପସନ୍ଦିଲା-ଦୃଷ୍ଟିରେ ଚାହାନ୍ତି । କେତେ ଆଶା, କେତେ ସ୍ଵପ୍ନ !

 

ନିଉଁଛଣା ଡ୍ରାଇଭର ଦରବୁଢ଼ା ଦିଜନାୟକ, ନିଜେ ତ ମଲା, ଦିଅଟି ଝିଅ, ତିନୋଟି ପୁଅ ଓ ବୁଢ଼ା ଅଚଳ ବାପ, ଏବଂ ବାତ- ରୋଗଣୀ ମାଆଙ୍କୁ ଅନାଥ କରି ବାଟରେ ବସାଇଲା । ପିଲା ତିନୋଟିଙ୍କର ଜୀବନ ବରବାଦ କରିଦେଲେ । ତାଙ୍କର ଭବିଷ୍ୟତକୁ ପୋଡ଼ିଜାଳି ପାଉଁଶ କଲା । ଚଞ୍ଚଳ ମହାପାତ୍ରଙ୍କ ପରି ଏ ତିନିଟା ଯଦି ମରି ଯାଇଥାନ୍ତେ ତ ତରି ଯାଇଥାନ୍ତେ । ଡ୍ରାଇଭର ସିଟ୍‌ରେ ବସି ଷ୍ଟିଅରିଂରେ ହାତ ପକାଇଲେ ତ ନିଜକୁ ନବାବ୍‌ ବୋଲି ସେମାନେ ମଣନ୍ତି !

 

ଅନ୍ଧାରିଆ ଶୀତଦିନିଆ ସକାଳ । ହାତଗୋଡ଼ ଥରି ଯାଉଥିବ । କୁହୁଡ଼ି ଛାଇଛି ଯେ ଦଶହାତ ଦୂରରେ କଣ ଅଛି ଆଖିକୁ ଦିଶୁ ନ ଥିବ । ବଣଭୋଜି କରିବାକୁ, ଟିକିଏ ଫୁର୍ତ୍ତି ଆନନ୍ଦରେ ବେଳ କଟାଇ ସେଦିନ ରହି ତହିଁଆରଦିନ କୋଣାର୍କରୁ ଫେରି ଆସିବାର ପ୍ରୋଗ୍ରାମ୍‌ କରି, ଚାରୋଟି ବନ୍ଧୁ ଗାଡ଼ି ଭଡ଼ାକରି, ହକ ଆଗତୁରା ଅଧେ ଟଙ୍କା ଗାଡ଼ିର ମାଲିକକୁ ଟାଣିଦେଇ କେଡ଼େ ଉତ୍ସାହରେ ବାହାରିଥିଲେଟି ! ବେଶି ବାଟ ତ ନୁହେଁ, ରହିସମ୍ଭାଳି ଗାଡ଼ି ଚଳାଇ ଥିଲେ କ’ଣ ଗୁଡ଼ଘର ପିମ୍ପୁଡ଼ି ଖାଇ ଯାଇଥାନ୍ତେ ?

 

ଡ୍ରାଇଭର ବେଉସା ତ ! କେଜାଣି, ଶୀତର କୋପ ନ ବାଧିବାକୁ, ଅବା ଅଭ୍ୟାସବଶତଃ ପେଟେ ମଦ ପିଇ ଦେଇଥିବ । ମରୁ, ମରୁ ସେ ଅବେଇଜ । ତିନିପୁରରେ ତାର ଦାୟିତ୍ୱହୀନ ଆତ୍ମାକୁ ଠାବ ମିଳିବ ନାହିଁ । ତା’ର ଅମୋକ୍ଷ ଅବାଧ୍ୟ ଆତ୍ମା ସେ ଯେଉଁ ଖଜୁରୀ ଗଛ, ତାଆରି ଦେହରେ ନିଶ୍ଚୟ ଆଶ୍ରା ନେଇଥିବ । ରସ ଟିକିଏ ଚାଟିବାକୁ ତା’ ମନ ହାଇଁ ପାଇଁ ହେଉଥିବ । ଖାଲି ହାଇଁପାଇଁ, ଡହଳବିକଳ ! ପ୍ରେତଲୋକଟା, ଆଶା ତାକୁ ଛଟପଟ କରୁଥିବ ହେ, ଜିଭ କାହୁଁ ପାଇବ ଯେ ରସ ଚାଟିବ ? ସରିଗଲା ତା’ ପାଇଟି ।

 

ଖାଲି ଡହଳ ବିକଳ ? ଖେଳୁଆଡ଼, ଛାତ୍ରନେତା ଚଞ୍ଚଳ ମହାପାତ୍ରଙ୍କର ନିଷ୍ପାପ ଆତ୍ମା କ’ଣ ଦିଜ ଡ୍ରାଇଭରର ପାପ-ଆତ୍ମାକୁ ସହଜରେ ଛାଡ଼ିଦେବ ? କୋରୁଥିବ, ଖାଲି ଯାଉଁଣୁ ଆସୁଣୁ ତା’ ପଛେ ପଛେ ଧାଇଁ, କୋରୁଥିବ । ଚଞ୍ଚଳ ମହାପାତ୍ରଙ୍କର ବୃଦ୍ଧଆତ୍ମା । ବି ସେଇ ଖଜୁରୀଗଛରେ ଆଶ୍ରା ନେଇଛି । କିଏସବୁ କହୁଥିଲେ, ରାତି ଅଧରେ ସେମାନେ ସେହି ଗଛଆଡ଼ୁ ଭାସି ଆସୁଥିବା କିଳିକିଳା ରଡ଼ି, ଅତି ବିକଳ କାନ୍ଦଣା, ଆଉ ଠୋ ଠୋ ହସ ଶୁଣିଛନ୍ତି । ଥରେ ନୁହେଁ, କେତେଥର; ରାତିଏ ନୁହଁ, କେତେ ରାତି । କାହାର ସେ କାନ୍ଦ ଓ କାହାର ସେ ଟହଟହ ହସ ଅନୁମାନ କରରେ ଭାଇ !

 

ଅସଂପୃକ୍ତ ଲୋକେ ଦୁର୍ଘଟଣାର ତାଜାଖବର ପାଇ ଖୋଳିତାଡ଼ି ପ୍ରକୃତ ଘଟଣା ଜାଣିବାକୁ ଚେଷ୍ଟା କରି ଏହିପରି କେତେ ଅନୁମାନ କରୁଥିଲେ । ନିଜ ନିଜ ଭିତରେ ବାଦପ୍ରତିବାଦ କରି ହାଇ ଟେକାଟେକି ହେଉଥିଲେ ।

 

କିଏ କହୁଥିଲେ, ବଡ଼ ରାସ୍ତାର ରକ୍ଷଣାବେକ୍ଷଣର ଦାୟିତ୍ଵ ଯେଉଁ ବ୍ୟକ୍ତିଟି ଉପରେ ନ୍ୟସ୍ତ, ତାକୁ ସେହି ଖଜୁରୀ ଗଛରେ ବାନ୍ଧି, ପିଟି ପିଟି ହାତଗୋଡ଼ ଭାଙ୍ଗି, ତାର ଗୋଟାଏ ଆଖି ତାଡ଼ି ଦେବାର କଥା । କେଉଁ ଅକଲରେ ରାସ୍ତା ଉପରେ ଗଛଟାକୁ ରଖିଥିଲା ? ଆଗରୁ କଟାଇ ନ ଦେଲା କାହିଁକି । ଶୁଣାଶୁଣିରେ ଦିଜ ଡ୍ରାଇଭର୍‌ ଭାରି ସତର୍କ, ସାବଧାନ ଲୋକ । ମଦ ପାଣିର ପାଖ ପଶେନାହିଁ । ଦିନୁଦିନ ଟ୍ରାଫିକ୍‌ ଯେପରି ବଢ଼ୁଛି ନା, ରାସ୍ତାର ଚାର୍ଜ ଯାହା ଉପରେ–

 

ଆଉ କିଏ ବୁଝି ବିଚାରି କହନ୍ତି, କିନ୍ତୁ ମୁଁ ତ କହିବି ପ୍ରକୃତ ଦୋଷୀ ସେହି ଟ୍ରକ୍‌ ଚାଳକ, ନିଶ୍ଚେ ଦାଢ଼ିଓ୍ୱାଲା ପଞ୍ଜାବୀ-ହୋଇଥିବ, ଯିଏ ଡାହାଣ ଆଡ଼କୁ ମାଡ଼ି, ଆଖିକାନ ବୁଜି, ଭାରି ବେଗରେ ଗାଡ଼ି ଛୁଟାଇ ଚାଲିଗଲା । ନିଜର କାର୍‌କୁ ବଞ୍ଚାଇବାକୁ ସେହି ଖଜୁରୀଗଛ ପାଖରେ ଦିଜ ଡ୍ରାଇଭର ଗାଡ଼ିକୁ ଟିକିଏ ବାଁଆଡ଼କୁ ମୋଡ଼ି ଦେଇଥିବ । ନିଜେ ସେ ଆତ୍ମବଳି ଦେଲା, ଖଣ୍ଡିଆଖାବରା ହେଉନ୍ତୁ ପଛକେ ଅନ୍ତତଃ ଆଉ ତିନୋଟି ପ୍ରାଣୀଙ୍କୁ ବଞ୍ଚାଇଦେଲା ତ ! ବୀରତ୍ୱ ପାଇଁ ଦିଜକୁ ପ୍ରେସିଡେଣ୍ଟଙ୍କ ସ୍ୱର୍ଣ୍ଣପଦକ ଦେବାର କଥା ! ଟ୍ରକ୍‌ ସଙ୍ଗେ ମୁହାଁମୁହିଁ ଧକ୍‌କା ଲାଗିଥିଲେ ଜଣେ କେହି ବର୍ତ୍ତି ନ ଥାନ୍ତେ ।

 

ଛାଡ଼ରେ ଭାଇ ! ଦୁର୍ଘଟଣାର ହାତଗୋଡ଼ ନାହିଁ । କିନ୍ତୁ କାରଣ ତ ନିଶ୍ଚୟ ଅଛି । ଅନୁସନ୍ଧାନ କରି ସେହି କାରଣକୁ ନିର୍ଣ୍ଣୟ କରି ସୁଧାରିଲେ ଭବିଷ୍ୟତରେ ଆଉ ଦୁର୍ଘଟଣା ହେବାର ସମ୍ଭାବନାକୁ ଦୂରକରି ହେବ ।

 

କାରଣ ତ ଜଣାଶୁଣା– ରାସ୍ତା ଉପରେ ସେହି ଖଜୁରୀ ଗଛର ସ୍ଥିତି ! ସେଇଟାର ଆଇଷ ପୂରିଲା । କିନ୍ତୁ, ସବୁବେଳେ ସର୍ବତ୍ର ନୂଆ କାରଣମାନ ବିଦ୍ୟମାନ ଯେଉଁମାନେ ମୁଣ୍ଡଟେକି ଠିଆ ହୋଇଛନ୍ତି, ତମର ସର୍ବନାଶ କରିବାକୁ ଟାକି ରହିଛନ୍ତି ! ଆଉ, ଯେଉଁମାନେ ଆଖିକୁ ଦିଶୁ ନାହାନ୍ତି, କେଉଁଠୁ ସହସା ଆସି ତମ ଆମ ଉପରକୁ ଝାମ୍ପ ମାରୁଛନ୍ତି । କାରଣମାନେ ଦେଖା ଓ ଅଦେଖା, ପୁରୁଣା ଓ ନୂଆ ଯାହା ହେଉନ୍ତୁ, ସେମାନେ ଅମର । ସେମାନେ କାହାର କେବେ କେଉଁଠୁ ସତ୍ୟାନାଶ କରନ୍ତ, ପୁଣି ପାତାଳରୁ ଟେକି କାହା କାହାକୁ ସ୍ୱର୍ଗରେ ବି ଥୁଅନ୍ତି ।

 

କପାଳରେ ଭାଇ, କପାଳ ! ଯେତେବେଳେ ହେବାର କଥା, ମନେ ହେଉଛି, ତାହା ଯେପରି ଆଗରୁ ସ୍ଥିର-ହୋଇ ରହିଛି । ସମସ୍ତେ ତାଙ୍କର ନିଜ ନିଜ ବାଗରେ ସାବଧାନ ହେବାକୁ, ବୁଝି ବିଚାରି ପାଦ ଚିପି ଚିପି, ଆଗେଇବାକୁ ଚେଷ୍ଟା ତ କରୁଛନ୍ତି, କିନ୍ତୁ ସବୁପ୍ରକାର ଚେଷ୍ଟାରେ ଗୋଟାଏ ଆଶା, ସୁଖ ସୌଭାଗ୍ୟର ଆଶା ବୋଳା ହୋଇଚି । ସେହି ଚେଷ୍ଟାକୁ ଅଡ଼ାଇ ଅଡ଼ାଇ ନେଉଛି ତମ ଆମର ଉଦ୍‌ବିଗ୍ନତା । କେବେ କେବେ ପଘା ଟିକିଏ କୋହଳ ହୋଇ ଯାଉଛି, ବାଟର ବାଟୋଇ ଖାତରେ ପଡ଼ୁଛି ହେ !

 

ଦୁର୍ଘଟଣା !

 

ଖଣ୍ଡିଆହାତରୁ ଏବେଯାଏ ବ୍ୟାଣ୍ଡେଜ୍‌ ଖୋଲା ହୋଇନାହିଁ । କହୁଣୀ ଉପରୁ ବାଁ ହାତଟି କଟା ହୋଇଛି । ମୁଣ୍ଡରୁ ଓ ପାଟି ଉପରୁ ପଟି ଖୋଲା ସରିଲାଣି । ପାଟି ଭିତରେ ଜିଭ ବୁଲାଇଲେ ଲାଗୁଛି, ତଳ ଓ ଉପର ପାଟିରୁ ଅନେକଗୁଡ଼ିଏ ଦାନ୍ତ ନାହିଁ । ଦର୍ପଣରେ ଚାହିଁଲେ ମୁହଁଟା ବିକୃତ ଦିଶୁଛି ।

 

ଆତ୍ମୀୟ ସ୍ୱଜନମାନେ ବାରମ୍ବାର ସାନ୍ତ୍ୱନା ଦେଇଛନ୍ତି ଭଗବାନଙ୍କୁ ଧନ୍ୟବାଦ, ଏତେବଡ଼ ଦୁର୍ଘଟନା ଘଟିଗଲା, ଜୀବନଟା ତ ରହିଲା । ପାଟିରେ ନକଲି ଦାନ୍ତ ଖଞ୍ଜାଯାଇ ପାରିବ, ପ୍ଲାଷ୍ଟିକ୍‌ର ହାତ ବି ଯୋଡ଼ିହେବ । ଚିନ୍ତା କାହିଁକି ? ଡାହାଣ ହାତ ଅକ୍ଷତ ରହିଛି, ଲେଖିବାରେ ଅସୁବିଧା ହେବନାହିଁ । ଅସାବଧାନ, ମଦୁଆ ଡ୍ରାଇଭର ସଙ୍ଗେ ସଙ୍ଗେ ତାର ବଦ୍‌ଖୋଇ ପାଇଁ ଅସାବଧାନତାର ଦଣ୍ଡ ପାଇଯାଇଛି । ଦୁଃଖ ହେଉଛି ଖାଲି ସେହି ଚଞ୍ଚଳ ମହାପାତ୍ରଙ୍କ ପାଇଁ । ସ୍ଵାସ୍ଥ୍ୟ, ରୂପ, ଢଙ୍ଗ–

 

ଆଖିରୁ ଦୁଇଧାର ଲୋତକ ଗଡ଼ାଇବା ବ୍ୟତୀତ ସମସ୍ତଙ୍କର ସବୁ ପ୍ରକାର ସାନ୍ତ୍ୱନାର ଆଉ କୌଣସି ଉତ୍ତର ସିପ୍ରା ଚଉଧୁରୀ ଦିଏ ନାହିଁ, ଦେଇପାରେ ନାହିଁ । ଏମିତି ଖଣ୍ଡିଆଖାବରା ଅକର୍ମଣ୍ୟ ହୋଇ ବଞ୍ଚି ରହିବାର ଦୁଃଖ ଅପେକ୍ଷା ମରଣ ସହସ୍ର ଗୁଣରେ ଭଲ । ଦେହରେ ପ୍ରାଣ ଥିବାଯାଏ ଲୋକଙ୍କର କୁତୁହଳୀ ଦୃଷ୍ଟି ତାର ଅନାବଶ୍ୟକ ଦେହଟା ଉପରେ ପଡ଼ୁଥିବ । ସେହି ଦୃଷ୍ଟି ସମ୍ବେଦନଶୀଳ ହୋଇ ଜାଣିବାକୁ ଆଗ୍ରହୀ ହେଉଥିବ- କେଉଁଠି କିପରି ଏହା ଘଟିଲା, କାହିଁକି ଏପରି ହେଲା ? ଦୃଷ୍ଟିର ଭାଷାହୀନ ପ୍ରଶ୍ନକୁ ନିଜର ଦୃଷ୍ଟି ଆଡ଼େଇ ଉପେକ୍ଷା କରାଯାଇ ପାରିବ, କିନ୍ତୁ ଯେଉଁଠି ଅନ୍ୟର ସମ୍ବେଦନ ହେବ ମୁଖର, ପ୍ରଶ୍ନର ଉତ୍ତର ତ ଦେବାକୁ ପଡ଼ିବ !

 

ମର ମର ହୋଇ ହସ୍‌ପିଟାଲରେ ପଡ଼ିଥିବା ଅବସ୍ଥାରେ ଯେତେବେଳେ ତାର ଜ୍ଞାନ ଫେରିଲା, ସେ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ମୃତ୍ୟୁକାଳୀନ ବିବୃତ ଦେଇଥିଲା- କୁହୁଡ଼ିର ଝାପ୍‌ସା ଅନ୍ଧାର ଭିତରେ ଗାଡ଼ିର ଆଲୁଅଦିଓଟି ଖଣ୍ଡେ ଦୂରଯାଏ ଆଲୁଅର ଯେଉଁ ସ୍ତମ୍ବ ସର୍ଜିଥିଲା, ସେ ଚିନ୍ତାଶୂନ୍ୟ ଦୃଷ୍ଟିରେ ତାକୁ ହିଁ ଅନାଇ ଥିଲା; ଆଗରୁ ଦିଶିଲା ବିଜୁଳୀ ବେଗରେ ମାଡ଼ି ଆସୁଥିବା ଦୁଇଟି ଫିକ୍‌କା ଆଲୁଅ; ଏ ଗାଡ଼ିର ଆଲୁଅ ମିଟି ମିଟି ହେଲା; ସେଇଠୁ ମୁଣ୍ଡରେ ଗୋଟାଏ ବଜ୍ର-ପାହାର ! ଆଉକିଛି ମୁଁ ଜାଣେ ନାହିଁ ।

 

ସେ ସତ୍ୟ ପ୍ରକାଶ କରିଥିଲା, କିନ୍ତୁ ତାର ମରଣମୁଖୀ ଆତ୍ମା ଯେତକ ପ୍ରକାଶ କରି ନ ଥିଲା, ମୁହଁଖୋଲି ସେତକ ସେ କାହାରି ଆଗରେ ପ୍ରକାଶ କରି ପାରିଲା ନାହିଁ । କ୍ଷିପ୍ରା ଧନୀଘରର ଝିଅ, ତାର ସହପାଠିନୀ । ତାର ଦେହର ରଙ୍ଗ ସଫା । ସେ ପଛ ସିଟ୍‌ରେ ବିଜୟ ଦାସଙ୍କ ପାଖରେ ଆଗ ଯାଇ ବସିପଡ଼ିଲା କାହିଁକି ? କ୍ଷିପ୍ରା ସାମନ୍ତରାକୁ ସେ ଭଲକରି ଜାଣେ । ମଉଁନମୁହୀଁ ବୁଡ଼ି ବୁଡ଼ି ପାଣିପିଏ । ଧନର ଅଭାବ ନାହିଁ ତାର, ସ୍ଵାଧୀନତାର ଅଭାବ ନାହିଁ ।

 

ଅଭିଯାନର ପ୍ରସ୍ତାବ ବାଢ଼ି ଥିଲା ଚଞ୍ଚଳ ମହାପାତ୍ର । ଅଧେ ଖର୍ଚ୍ଚ ବହନ କରିବାକୁ କ୍ଷିପ୍ରାକୁ ସେ ଅନୁରୋଧ କରିଥିଲା । ସିପ୍ରା ବି ଯିବ, ଏ ଖବର ଜାଣି କ୍ଷିପ୍ରାର ମା ରାଜି ହୋଇଥିଲେ-। ବିଜୟକୁ ହସ୍ତଗତ କରିବାକୁ ସେ ଯେ ଆଗ୍ରହୀ ଥିଲେ, ସିପ୍ରା ଏହା ଜାଣିଥିଲା । ସେ ଆହୁରି ମଧ୍ୟ ଜାଣିଥିଲା ଯେ କ୍ଷିପ୍ରା ଆକର୍ଷିପାରେ, କିନ୍ତୁ ଭଲପାଇବାର ପଦ୍ଧତି ଜାଣେ ନାହିଁ । ଖାଲି ଛବି ଆଙ୍କିଲେ, ଚା’ ବିସ୍କୁଟ ଖୁଆଇଲେ ଓ ମୂଲ୍ୟବାନ ଶାଢ଼ୀ-ବ୍ଲାଉଜ୍‌ ପିନ୍ଧି ଆଗକୁ ଆସିଲେ ମନ କିଣି ହୁଏନାହିଁ । ସେ ହସି ଜାଣେ ନାହିଁ, କଥା କହି ଜାଣେ ନାହିଁ, ଚାଲିବାର ରୀତି ବି ଜାଣେ ନାହିଁ-। ଚାହିଁବା ଓ ଭ୍ରୁଲତା ନଚାଇ ମୁଖଭଙ୍ଗୀ କରିବାର କାଇଦା ତାକୁ ଜଣା ନାହିଁ । କାଠ-ପିତୁଳାଟା !

 

ତଥାପି ସେ ଧନୀର ଦୁଲାଳୀ, ଆଉ ବିଜୟ ଦାସ ମେଧାବୀ ଛାତ୍ର । ମଧ୍ୟବିତ୍ତ ଘରର ପୁଅ ! ହଁ, ବିଜୟ ଦାସଙ୍କୁ ସେ ସିପ୍ରା ପ୍ରାଣଦେଇ ଭଲପାଇଛି; ତାଙ୍କର ମନକୁ କିଣି ନିଜର କରି ସାରିଛି ବୋଲି ସେ ମଣିଛି, ତାଙ୍କର ଦାୟିତ୍ଵଜ୍ଞାନକୁ ବନ୍ଧନ କରିବା ପାଇଁ ଅସନା ଅପପ୍ରଚାର ହେବାର ମାପଚୁପିଆ ସୁଯୋଗ ନେଇଛି; ଧରାଦେଇ ଧରି ନ ଦେବାର ଅଭିନୟ । ବିଜୟ ଦାସ ତାର, ଗୋଟାଛାଏଁ ତାର । କ୍ଷିପ୍ରା କାହିଁକି ତାଙ୍କ ପାଖରେ ପଛ ସିଟ୍‌ରେ ବସିଲା ? କି ରହସ୍ୟ, କି ଚକ୍ରାନ୍ତ ଲୁଚି ରହିଚି ଏହାରି ଭିତରେ ? ବିଜୟ ଦାସ ଆଗ ସିଟ୍‌କୁ ଆସିଲେ ନାହିଁ କାହିଁକି ? ଚଞ୍ଚଳ ମହାପାତ୍ର ଦିଜ ଡ୍ରାଇଭର ପାଖରେ ଆଗ ସିଟ୍‌ରେ ବସିଛନ୍ତି । ଦରଜା ଖୋଲି ସେ ନିମନ୍ତ୍ରଣ କରୁଛନ୍ତି, ଆପଣ ଏଇଠିକୁ ଆସନ୍ତୁ, ମୋ ପାଖକୁ । କାଚ ଟେକିଦେଲେ ଭିତରକୁ ଥଣ୍ଡା ଓ କୁହୁଡ଼ି ପଶିପାରିବ ନାହିଁ । ଆସନ୍ତୁ–

 

ଅଗତ୍ୟା ସିପ୍ରା ଆଗକୁ ଆସିଲା । ତାର ଘରବାଟେ ଚଞ୍ଚଳ ମହାପାତ୍ର ଗାଡ଼ିକୁ ଆଗ ଆଣି ପାରିଥାନ୍ତେ, ସର୍ବଶେଷରେ ଆଣିଲେ । ଏଥିପାଇଁ ତାଙ୍କୁ ମୁହଁଖୋଲି ଦୋଷ ଦେଇ ହେବନାହିଁ-। ଝିଅ ଦିହେଁ ପଛରେ ଓ ପୁଅ ଦିହେଁ ଆଗରେ ବସିଥିଲେ ଭଦ୍ରୋଚିତ ହୋଇଥାନ୍ତା; କିନ୍ତୁ କିପରି ଏହା ଏବେ ସମ୍ଭବ ହୋଇ ପାରିବ, ଗାଡ଼ି ତ ଚାଲିଲାଣି । ଦରଜା ବନ୍ଦ କରି ସିପ୍ରା ଚଞ୍ଚଳ ଦେହକୁ ନ ଲାଗି ଦରଜାକୁ ଆଉଜି ବସିଲାଣି ।

 

ମନ ଚିଡ଼ି ଚିଡ଼ି ହେଉଛି । ଈର୍ଷାରେ ଛାତି ତଳେ ନିଆଁ କୁହୁଳୁଛି । ଚଞ୍ଚଳ ମହାପାତ୍ର ଛାତ୍ରନେତାଙ୍କ ପାଖରୁ ସେ ଚିରଦିନ ଦୂରେଇ ରହିଛି । ସେ ଓ ସିପ୍ରା, କେଜାଣି ବା ବିଜୟ ଦାସ ଶିଖାଶିଖି ହୋଇ ମଜା ଦେଖିବାକୁ ଏପରି ଚକ୍ରାନ୍ତ କରିଛନ୍ତି ପରା ! କେବଳ ତାକୁ ଚିଡ଼େଇବାକୁ ? ସେ ଚିଡ଼ିବ ନାହିଁ । ସେ ବି ମଜା ଦେଖିବ, ହେଉ ପଛେ ନିଜକୁ ଟିକିଏ କଷ୍ଟ ।

 

ପଛସିଟ୍‌ରେ ବିଜୟ ଓ ସିପ୍ରା ବସି କଅଣ କଥାଭାଷା ହେଲେଣି । ସିପ୍ରା କାନ ଡେରିଲା । ଦୁହିଁଙ୍କର ସ୍ଵର ଶୁଭୁଛି । ପଦକୁ ପଦ । କଅଣ ସେମାନେ କୁହାକୁହି ହେଉଛନ୍ତି ବୁଝି ହେଉନାହିଁ । ମୁଣ୍ଡ ବୁଲାଇ ପଛକୁ ଥରେ ଅନାଇ ଦେବାକୁ ଇଚ୍ଛା ହେଉଛି । ଝାପ୍‌ସା ଅନ୍ଧାର, ପୁଣି ନିଜ ଭିତରେ କିଏ ଯେପରି ବାରଣ କରି କହୁଛି - ଛି, ବିଜୟ କଅଣ ମନେ କରିବେ ? ତା’ ମନର ଆବିଳତା, ସନ୍ଦେହ, ଈର୍ଷା ଓ ହୀନତାର ଆଭାସ ପାଇବେ । ପ୍ରଶ୍ଳଳ ହେବ ତାଙ୍କର ମନ- ସିପ୍ରାର ସ୍ନେହ କ’ଣ ଟଳମଳ, ସେଥିରେ ସ୍ଥିରତା ନାହିଁ, ଦୃଢ଼ତା ନାହିଁ ? ସେତକ ଥିଲେ ତା’ମନରେ ଅ-ପରତେର ଅସ୍ଥିରତା ଆସନ୍ତା ନାହିଁ ।

 

ବିଜୟଙ୍କର ମନରେ ଏପରି ଧାରଣାର ରେଖାପାତ ସେ କରିବାକୁ ଚାହେନାହିଁ ।

 

ଚଞ୍ଚଳ ମହାପାତ୍ର ଘୁଞ୍ଚି ଆସିଲେଣି । ଦେହକୁ ଦେହ ଲାଗିଗଲାଣି । ଗାଡ଼ି ବେଗରେ ଚାଲିଛି । ବେଳେ ବେଳେ ଦୋହଲୁଛି, ଉଠୁଛି ପଡ଼ୁଛି । କୁହୁଡ଼ି ମଝିରେ ଆଲୁଅର ସ୍ତମ୍ଭ ଥରୁଛି । ସିପ୍ରାର ମନେ ହେଉଛି– ଗପ କରୁଣୁ କ୍ଷିପ୍ରା ଓ ବିଜୟ ଲାଗି ଲାଗି ବସିଲେଣି । ଥଣ୍ଡାତ ହେଉଛି, ଲାଗି ଲାଗି ଠେଲାପେଲା ହୋଇ ବସିଲେ ଗରମ ଲାଗିବ । କ୍ଷିପ୍ରା ଧନୀଘରର ଝିଅ । ଦେହର ରଙ୍ଗ ପରିଷ୍କାର । ଦେହର ପରଶ ବିଜୟଙ୍କ ମନର ହରଷ ବଢାଇବ । ବୋଧହୁଏ କେଉଁ ମଜାଗପ ଚାଲିଥିବ । ହସାହସି । ସ୍ନେହକୁ କେହି ଏକଚାଟିଆ କରି ରଖିପାରେ ନାହିଁ । ସୁବିଧା ଓ ସୁଯୋଗ ପାଇଲେ ସେ କେତେବେଳେ କେଉଁଠିକୁ ଡେଇଁପଡ଼େ । ହାତ ହାତର ବନ୍ଧନର ଦାୟିତ୍ଵ ନାହିଁ, ଖାଲି ବୁଝାମଣାର ଘେନାଘେନି । ବାନ୍ଧି ନ ହେବାଯାଏ ଯା ଲାଗିଯା ଯା ଛିଡ଼ିବାର ଡର । ବିଜୟ ଦାସଙ୍କର ଭବିଷ୍ୟତ୍‌ ଉଜ୍ଜ୍ୱଳ ହୋଇପାରେ, କିନ୍ତୁ ସେ ଧନୀଘରର ପୁଅ ନୁହେଁ । କ୍ଷିପ୍ରାର ଅଭାବ ନାହିଁ । ଧନର ମୋହ ବେଶ୍‌ ମହୁଆ !

 

ଚଞ୍ଚଳ ମହାପାତ୍ର ଆହୁରି ଲାଗି ଆସିଲେଣି । ପଛରେ ଥାଇ ବିଜୟ ଦାସ ଲକ୍ଷ୍ୟ କରୁଥିବେ । ଚଞ୍ଚଳ ଅନୁରୋଧ କରୁଛନ୍ତି, ତମେ ଗୋଟିଏ ଗୀତ ଗାଅ ସିପ୍ରା ! ଚଳନ୍ତା ଗାଡ଼ିରେ ଗୀତର ଲହର ଭଲ ଜମିବ । ଗାଡ଼ି ଭିତରେ ବେଶ୍‌ ଗରମ ହେଉଛି । ସ୍ୱର ଥରିବ ନାହିଁ । ଗାଅ ମ ସିପ୍ରା !

 

କର୍ତ୍ତବ୍ୟନିଷ୍ଠ ଅବିଚଳିତ ଡ୍ରାଇଭର୍‌ ଆଗକୁ ଚାହିଁ ଗାଡ଼ି ଚଳାଉଛି । ଷ୍ଟିଅରିଂ ଉପରେ ହାତ । ଯନ୍ତ୍ର ସଙ୍ଗେ ସେ ବି ଯନ୍ତ୍ର ପାଲଟିଛି । ତାର ନେତ୍ର, ମନ ଓ କର୍ଣ୍ଣ ରାସ୍ତା ଉପରେ । ସୁଦକ୍ଷ ଚାଳକ । ସିପ୍ରା ଆଡ଼ଆଖିରେ ଚାହିଁଲା, ଚଞ୍ଚଳ ମହାପାତ୍ରଙ୍କୁ ଉତ୍ତର ଦେଲା, ବେଶ୍‌ ଗରମ ହେଉଛି ସତେ ! ସେ ଦରଜା ଆଡ଼କୁ ଆହୁରି ଠେଲିହୋଇ ବସି, ଛୋଟ ହାଣ୍ଡଲ୍‌ ଘୂରାଇ କାଚକୁ ତଳେଇ ଦେଲା, ବାଁ ହାତକୁ ଝରକା ଉପରେ ରଖିଲା । ଥଣ୍ଡା ପବନ ସଙ୍ଗେ ମେଞ୍ଚାଏ କୁହୁଡ଼ି ଗାଡ଼ି ଭତରକୁ ପଶି ଆସିଲା ।

 

ଚଞ୍ଚଳ ମହାପାତ୍ର ଶିହରି ଉଠିଲେ । କହିଲେ, ୟେ କ’ଣ କଲ ସିପ୍ରା, କାଚ ଖୋଲିଲ କାହିଁକି, ଗରମ ପରିବେଶକୁ ଶୀତଳ କଲ ?

 

ଅଣନିଶ୍ୱାସୀ ଲାଗିଲା ଯେ ।

 

ହଉ ତେବେ, ଥଣ୍ଡା ଲାଗିବ, ଏଣିକି ଘୁଞ୍ଚିଆସ, କହି ଚଞ୍ଚଳ ମହାପାତ୍ର ବାମହାତଟି ଲମ୍ବାଇ ସିପ୍ରାର ପିଠିଆଡ଼େ ବୁଲାଇଲେ । ତାର ବାମବାହୁକୁ ଧରି ପାଖକୁ ଘୁଞ୍ଚାଇ ନେଉଣୁ ସିପ୍ରାର ମନେହେଲା ଯେପରି ପଛସିଟ୍‌ରେ କ୍ଷିପ୍ରା ଖିଲି ଖିଲି ହୋଇ ହସି ଉଠୁଛି । ସିପ୍ରା ବିରକ୍ତ ହେଲା । ମୁହଁ ନ ଖୋଲି ଡାହାଣ ହାତର କହୁଣୀରେ ସଜୋରେ ଚଞ୍ଚଳ ମହାପାତ୍ରର ବାହୁକୁ ଠେଲିଦେଲା । ସେ ବଳିଷ୍ଠ ଯୁବକ, କିନ୍ତୁ ସହସା ସିପ୍ରାର କହୁଣୀର ଆଘାତ ଓ ବନ୍ଦ-ଦରଜାରେ ତାର ଢିରାଦିଆ ପୃଥୂଳଦେହର ଓଲଟ-ଚାପର ଅଚାନକ ଢାଇ ସେ ଆଶାକରି ନ ଥିଲେ । ଚମକି ଉଠି ସେ ଦିଜ ଡ୍ରାଇଭର୍‌ର ହାତଉପରେ ପଡ଼ିଲେ ପରା, ଯେଉଁ ହାତଟି ଗାଡ଼ିର ଷ୍ଟ୍ରିଅରିଂକୁ ନୟନ୍ତ୍ରଣ କରୁଥିଲା !

 

ଆଖିର ପଲକପାତରେ କଅଣ ହୋଇଗଲା ସତେ ! ପାଞ୍ଚଟି ପ୍ରାଣୀଙ୍କର ସଂସାର ଉଚ୍ଛନ୍ନ ହୋଇଗଲା । ଆହା ! ଟିକିଏ ଈର୍ଷା, ଅନାବଶ୍ୟକ ଉତ୍ତେଜନା ପାଇଁ-

 

ସିପ୍ରାର ଆଖିରୁ ଧାର ଧାର ଲୋତକ ଝରିପଡ଼େ । ଅନୁତାପର ନିଆଁରେ ମନ ଜଳିଉଠେ, ଛଟପଟ ହୁଏ । ସେହିମନ ବୋବାଳି ଛାଡ଼େ- ତାର ମୁହୂର୍ତ୍ତକର ଅବିଚାରିତ କର୍ମପାଇଁ ସେ ନରହତ୍ୟା କରିଛି, ସେହି ପାପର କ୍ଷମା କ’ଣ ନାହିଁ ଭଗବାନ ? ମୁହଁ ଖୋଲି ହେବନାହିଁ, ସତ୍ୟ ପ୍ରକାଶ ସେ କରି ପାରିବ ନାହିଁ । କଅଣ କଲେ ତାର ପାପର ପ୍ରାୟଶ୍ଚିତ ସେ କରିପାରିବ ?

 

ସିପ୍ରା ହାତ ପିଠିରେ ଲୁହ ପୋଛେ । ଯେଉଁମାନେ ତାର ସେବା କରନ୍ତି, ଯତ୍ନ ନିଅନ୍ତି, ତାର ମୁଣ୍ଡର କେଶ ସାଉଁଳି ଦିଅନ୍ତି, ତାକୁ ସାନ୍ତ୍ୱନା ଦେବାକୁ ମମତାବୋଳା କଅଁଳ କଣ୍ଠରେ କହନ୍ତି, କାନ୍ଦୁଛ କାହିଁକି ସିପ୍ରା ! ଖୁସୀ ହୁଅ, ଠାକୁରଙ୍କୁ ଧନ୍ୟବାଦ ଦିଅ ଯେ ସେ ତମର ଜୀବନ ରକ୍ଷା କରିଛନ୍ତି । ଅସାବଧାନ ମଦୁଆ ଡ୍ରାଇଭରଟା ପାଇଁ–

 

ସିପ୍ରା ମୁଣ୍ଡ ଏପାଖ ସେପାଖ କରେ । କିଏ ଭାବେ ଯେ ସେ ଯନ୍ତ୍ରଣାରେ ଅସ୍ଥିର ହେଉଛି । ଆଉ କିଏ ଭାବେ ଯେ ଡ୍ରାଇଭରର ମୁକ୍ତ-ଆତ୍ମାକୁ ଦୋଷଦେବା ସିପ୍ରା ପସନ୍ଦ କରୁନାହିଁ । ସେ କହେ, ଦୁର୍ଘଟଣା ତ, କାହାର ଦୋଷ ଦେଇହେବ ନାହିଁ । ବିନା କାରଣରେ ମଣିଷ ମାରିବାକୁ ଅବା ନିଜେ ମରିବାକୁ କିଏ ବା କାହିଁକି ମନ କରିବ ? ରାସ୍ତା ଉପରେ ଯଦି ସେହି ଖଜୁରୀ ଗଛଟା ଠିଆହୋଇ ନ ଥାନ୍ତା–

 

ବିଜୟ ଦାସ ରୋଗଶଯ୍ୟାରେ ଦିନାକେତେ ମୂକ ହୋଇ ପଡ଼ି ରହିଲେ । ସେ କେବଳ ଆଖି ଖୋଲି ଜୁଳୁ ଜୁଳୁ କରି ସମସ୍ତଙ୍କର ମୁହଁକୁ ଚାହୁଁଥିଲେ; ଆଉ ବିଚାରୁଥିଲେ, କାହିଁକି ଭଗବାନ ତାଙ୍କୁ ଅକର୍ମଣ୍ୟ କରି ବଞ୍ଚାଇ ରଖିଲେ ? ଚଞ୍ଚଳ ମହାପାତ୍ର ତ ମରିଗଲେ, ତରିଗଲେ । ସାରାଜୀବନ ତାଙ୍କ ପରି ଚଞ୍ଚଳ ମହାପାତ୍ରେ ହନ୍ତସନ୍ତ ଦହଗଞ୍ଚ ହୋଇ ବେଳ କାଟିବେ ନାହିଁ । ମୃତ୍ୟୁକାଳୀନ-ବିବୃତିରେ ମାଜିଷ୍ଟ୍ରେଟଙ୍କର ପ୍ରଶ୍ନଗୁଡ଼ିକର କି ଉତ୍ତର ସେ ଦେଇଥିଲେ ତାଙ୍କର ମନେ ନାହିଁ । ଜ୍ଞାନ ହେଲାପରେ ଯନ୍ତ୍ରଣାରେ କଲବଲ ହୋଇ ମରଣକୁ ପ୍ରତି ମୁହୂର୍ତ୍ତରେ ଅପେକ୍ଷା କରୁଥିବା ଅବସ୍ଥାରେ ସେ ଅବଶ୍ୟ ସତ୍ୟ ପ୍ରକାଶ କରିଥିବେ–

 

ପଛସିଟ୍‌ର ବାଁ ପାଖରେ ଦରଜାକୁ ଲାଗି ସେ ବସିଥିଲେ, ସେହିପରି ଡାହାଣ ପାଖରେ କ୍ଷିପ୍ରା, ଦୁହିଁଙ୍କ ମଝିରେ କ୍ଷିପ୍ରାଙ୍କର ଛୋଟ ଚମଡ଼ା-ସୁଟ୍‌କେସ୍‌ ଓ ତା’ ଉପରେ କେତେ ଖଣ୍ଡି ବହି ରଖା ହୋଇଥିଲା । ଭିତରେ ଏତେ ଜିନିଷ ଖୁନ୍ଦା ହୋଇଥିଲା ଯେ ଗୋଡ଼ ସଳଖି ବସିବାର ଉପାୟ ନ ଥିଲା ।

 

ମଉଁନମୁହୀଁ କ୍ଷିପ୍ରାଙ୍କୁ ହସାଇବା ପାଇଁ ସେ କଅଣ ନବଜିଆ ହସକଥା କହୁଥିଲେ । କ୍ଷିପ୍ରା ନିଜର ମୌନ ପ୍ରକୃତି ଭୁଲି ଖିଲିଖିଲି ହସୁଥିଲେ । ନିଜେ ସେ ହସର ଉତ୍ତର ଦେଉଥିଲେ । ମନରେ ଫୁର୍ତ୍ତି, ସେ ଫୁର୍ତ୍ତିରେ ଉଷୁମ ଉତ୍ତେଜନାର ଶିହରଣ ।

 

ଜାଣି ଜାଣି ସେ ଡାହାଣ ହାତରେ ସୁଟ୍‌କେସ୍‌କୁ ତଳକୁ ଠେଲିଦେଲେ । ମୁହଁ ଖୋଲିଲେ, ଆହା ପଡ଼ିଗଲା ?

 

କ୍ଷିପ୍ରା ନଇଁପଡ଼ି ତାକୁ ତଳୁ ଉଠାଉଣୁ ଆଗ ସିଟ୍‌ଆଡୁ ଥଣ୍ଡା ପବନ ମାଡ଼ି ଆସିଲା । ସେ ଯେଉଁ ମୁହୂର୍ତ୍ତରେ ତେଣିକି ଦୃଷ୍ଟି ନିକ୍ଷେପିଲେ, ଦେଖିଲେ, ଚଞ୍ଚଳ ମହାପାତ୍ର ଷ୍ଟିଅରିଂ ଉପରକୁ ଢଳି ପଡ଼ିଛନ୍ତି । କ୍ଷଣକର ବ୍ୟବଧାନରେ ବଜ୍ରଘାତର ଶବ୍ଦ । ଆଖିରେ ହାଲୋଳମୟ ଆଲୁଅ, ସେଇ ନିଘଞ୍ଚ ଅନ୍ଧାର–

 

ଏବେ ସେ ଭାବୁଛନ୍ତି, କାହିଁକି ସେପରି ହେଲା । ଚଞ୍ଚଳ ସହସା ଢଳି ପଡ଼ିଲେ କାହିଁକି-? ପାଖକୁ ଲାଗି ସିପ୍ରା ବସିଥିଲା, ଆପେ ସିପ୍ରା ଆଗସିଟ୍‌ରେ ଆସନ ବାଛି ନେଇ ନ ଥିଲା-। କ୍ଷିପ୍ରାର ମା ଚାହିଥିଲେ ଯେ ପଛ ସିଟ୍‌ରେ କ୍ଷିପ୍ରା ସୁସ୍ଥରେ ବସିବ । ଚଞ୍ଚଳ ଆଗ ସିଟ୍‌ରେ ଆସନ ଜମାଇ ଦେଇଥିଲା । ଭାବୁଛନ୍ତି ବିଜୟ ଦାସ, କ’ଣ ଏପରି ଘଟିଲା ଯେ ସୁଦକ୍ଷ ଡ୍ରାଇଭରର ହାତ ଚହଳିଲା ? କିଏ ଏହାର କଇଫତ୍‌ ଦେବ ? ସିପ୍ରା ? ସେ ବଞ୍ଚିଲେ ତ ?

 

ସିପ୍ରା ଅନ୍ୟ କେଉଁ ପ୍ରକୋଷ୍ଠରେ ଅଛି, ବାମ ହାତଟି ତାର କଟା ହୋଇଛି, ଦାନ୍ତଗୁଡ଼ିଏ ଓପଡ଼ା ହୋଇଛି, ତଥାପି ସେ ବଞ୍ଚିଛି ଓ ତାର ମରିବାର ସମ୍ଭାବନା ନାହିଁ । ଏ ସବୁ ସମ୍ବାଦ ପାଇ ନିଜକୁ ଆହୁରି ବ୍ୟଥିତ ଦେବା ସଙ୍ଗେ ଆଶ୍ୱସ୍ତ ବି ହେଲେ । କ୍ଷିପ୍ରାଙ୍କର ଆଖିଟିଏ ତଡ଼ା ହୋଇଛି, ଦିଓଟି ପିଞ୍ଜରାକାଠି କଢ଼ା ହୋଇଛି, ସେ ନିଜ ଘରକୁ ଚାଲିଗଲେଣି ଓ ସେ ସୁସ୍ଥହୋଇ ଆସୁଛନ୍ତି । ବିଜୟ ଦାସ ଏ ଖବର ଶୁଣି ମନେ ମନେ ଖୁସି ହୋଇଛନ୍ତି ।

 

ତାଙ୍କର ମୌନବ୍ରତ ଭାଙ୍ଗିଛି । ବନ୍ଧୁ ମାନଙ୍କର ମୁହଁକୁ ସେ ଚାହିଁ, ସେମାନଙ୍କର ସାନ୍ତ୍ୱନା-ବାଣୀ ଶୁଣି ସେ ହସୁଛନ୍ତି, ଉତ୍ତର ବି ଦେଉଛନ୍ତି–ଦୁର୍ଘଟଣା ଘଟି ସାରିଲା ପରେ ଦୋଷାଦୋଷର ବିଚାର କରିବା ଗୋଟାଏ ଗତାନୁଗତିକ ରୀତିରେ ଭାଇ, ସେଥିରେ ମୃତ ଓ ଆହତଙ୍କର ଲାଭକ୍ଷତି ହୁଏ ନାହିଁ । ଦୁର୍ଘଟଣାକୁ ଫେରାଇ ଆଣି ହେବଦାହିଁ । ମଣିଷ ନିଜେ ନିଜର ଦୁର୍ଗତିକୁ ସର୍ଜନା କରେ, ତୁମର ଏ ମନ୍ତବ୍ୟ ସତ ହୋଇପାରେ, କିନ୍ତୁ ଜାଣିଜାଣିକା ସେ ଦୁର୍ଗତିକୁ ନିମନ୍ତ୍ରଣ କରେନାହିଁ । ସମସ୍ତେ ନିଶ୍ଚିନ୍ତ ହେବେ, ଦୋଷ ଯଦି ଟାଳି ଦିଆଯାଇପାରେ ରାସ୍ତାକଡ଼ର ସେହି ଖଜୁରୀ ଗଛଟି ଉପରେ, କାଗଜରେ ଯାହାର ଫଟୋ ବାହାରିଛି ।

 

ତାହା ହିଁ ହୋଇଛି । ମୂଳ ଖଜୁରୀଗଛଟି ସବୁ ଦୋଷ ମୁଣ୍ଡାଇ ମଣିଷ ହାତର କୁରୀଢ଼ୀଚୋଟରେ ରାସ୍ତାକଡ଼ର ସନ୍ତସନ୍ତିଆ ଅରମା ଉପରେ ମୁଣ୍ଡକୋଡ଼ି କଚାଡ଼ି ପଡ଼ିଛି । କେତେ ବାହୁଙ୍ଗା ତାର ଭାଙ୍ଗିରୁଜି ଛତରଛାଉଳ ହୋଇଛି, କେତେ ପୁଣି ଓଦା ମାଟିରେ ଗେବି ହୋଇଯାଇଛି-। ଉପରକୁ ଉଠିଥିବା ବାହୁଙ୍ଗା ଉପରେ ଫୁକୁର୍‌ ଫୁକୁର୍‌ ଡେଇଁ ବାଇଆ ଚଢ଼େଇ ଗୁଡ଼ିକ ଚିଁ ଚିଁ ରାବି ଦୁଃଖ ପ୍ରକାଶ କରୁଛନ୍ତି । ବସା ଭିତରୁ ଛିର୍‌କି ପଦାରେ ପଡ଼ିଛନ୍ତି । ଛୋଟ ଛୋଟ ଶାବକଗୁଡ଼ିଏ, ଆଖି ଫିଟୁନାହିଁ ,ପକ୍ଷୀ ଉଠିନାହିଁ । ତାଙ୍କୁ ଗୋଟେଇ ନେବାକୁ ପାଖର ଆମ୍ବଗଛ ଉପରୁ ବାଦବୁଦିଆ ହୋଇ ପଲେ କାଉ ରାବ ଛାଡ଼ି ଝପଟି ଆସୁଛନ୍ତି ।

 

ରାସ୍ତାକଡ଼ରେ ଠିଆ ହୋଇ ଚାହିଁ ରହିଛନ୍ତି କେତେ ଦି’ଗୋଡ଼ିଆ ବୁଦ୍ଧିଆ ଜୀବ, ମଣିଷ-। ଭାବୁଛନ୍ତି ପରା, ଗଲା, ବିପଦ ଗଲା ଟଳିପଡ଼ିଲା ସେଇ ଆବେଇଜ ଖଜୁରୀଗଛଟା; ଏଥର ଆଉ ଦୁର୍ଘଟଣା ଘଟିବ ନାହିଁ !

Image

 

ଅପଦେବତା

 

ମୋ ଧାରଣା ମୋ ଅନୁଭୂତିର । ଆଉ ତାଙ୍କ ଧାରଣା ତାଙ୍କର । ଅନୁଭୂତିର ଉପାଦାନ ଅନେକ । କଳନା କରିବା ସହଜ ନୁହେଁ, କେତେ ତ ବ୍ୟକ୍ତିତ୍ୱରେ ଲୀନ ହୋଇ ସତ୍ତା ହରାଇଛନ୍ତି । ସେସବୁ ଯେ ଦିନେ କେବେ ସମ୍ଭବ ଥିଲା ଓ ସେତେବେଳର ବ୍ୟକ୍ତିଟିର ମନରେ ଗଭୀର ରେଖାପାତ କରିଥିଲା ତାହା ନିରାଟ ସତ୍ୟ ହେଲେ ବି ଆଜି ସେସବୁ ସ୍ୱପ୍ନ ପରି ଲାଗେ ।

 

ଘଟଣାର ବାହାର ରୂପର ଫଟୋ ନିଆଯାଇ ପାରେ । ଚଳିଚିତ୍ର ଉଠାଯାଇ ପାରେ । ଅବୀ ସିଦ୍ଧ-ଲେଖକ ତାର ତଥା-କଥିତ ନିଖୁଣ ଚିତ୍ର କଲମମୁନରେ ଲିପିବଦ୍ଧ କରିପାରେ । ଦର୍ଶକ ପାଠକ ଆଗରେ ତା’ର ଜୀବନ୍ତ-ଚିତ୍ର ଥୋଇପାରେ; କିନ୍ତୁ ସେ ଘଟଣା ତାତ୍କାଳିକ ସଂପୃକ୍ତ ଓ ଅସଂପୃକ୍ତ ବ୍ୟକ୍ତିମାନଙ୍କ ମନରେ ଯେଉଁ ଆଲୋଡ଼ନ ଆଣେ, ସ୍ନାୟୁରେ ଯେଉଁ କମ୍ପନ ସର୍ଜନା କରେ ତା’ର ଫଟୋ ଉଠାଇବା ସମ୍ଭବ ନୁହେଁ, କି ତା’ର ନିଖୁଣ ଚିତ୍ର କଲମ ମୁନରେ ଚିତ୍ରଣ କରିବା ସମ୍ଭବ ନୁହେଁ ।

 

ସବୁ ଆଲୋଡ଼ନ, ସବୁ କମ୍ପନ କାଳକ୍ରମେ ବ୍ୟକ୍ତିର ମନରେ ଲୀନ ହୁଏ । ଘଟଣାଟି ସ୍ମୃତି ହୋଇ କିଛିକାଳ ରହେ । ଦିନେ କେତେ ସ୍ମୃତି ହଜିଯାଏ । କିନ୍ତୁ ଅଲକ୍ଷରେ ସେ ଅନୁଭୂତିର ଗନ୍ତାଘରେ ନିଜକୁ ସାଇତେ ଓ ତା’ର ଧାରଣାକୁ ଟିକେ ବଢ଼ାଏ । ଆକୃତି, ରୂପ, ରସ, ଗନ୍ଧକୁ ପ୍ରଭାବିତ କରେ ।

 

ଗଛ କହିଲେ ବ୍ୟାପକ-ଦୃଷ୍ଟିରେ ଅତି କ୍ଷୁଦ୍ର ଘାସରୁ ଆରମ୍ଭ କରି ଯେପରି ମହାଦ୍ରୁମମାନଙ୍କୁ ବି ବୁଝାଏ, ପ୍ରାଣୀ କହିଲେ ବୁଝାଏ କ୍ଷୁଦ୍ରତମ କୀଟରୁ ହାତୀ ଓ ମଣିଷ ଯାଏ । ପ୍ରକୃତିର କ୍ରମବିବର୍ତ୍ତନ ପ୍ରକ୍ରିୟାରେ କିଏ କେଉଁ ରୂପ ଧରିଛି । ବିଭିନ୍ନ ଶ୍ରେଣୀର ଗଛର ପ୍ରକୃତି ପ୍ରକାରେ ଯେପରି ସେମାନଙ୍କୁ ଭିନ୍ନଭିନ୍ନ ନାମରେ ସୂଚାଇ ଦିଆଯାଉଛି, ପ୍ରାଣୀ ଜଗତକୁ ମଧ୍ୟ ସେହି ରୀତିରେ ସୂଚାଇ ଦିଆଯାଉଛି । ପ୍ରତି ଶ୍ରେଣୀର ସବୁ ପ୍ରକୃତି ସମାନ ନୁହେଁ ।

 

ମଣିଷ ଗୋଟିଏ ଶ୍ରେଣୀର ଜୀବ । ଆହାର, ନିଦ୍ରା, ମୈଥୁନ, ବିସ୍ମୟ, ଭୟ, ଆନନ୍ଦ, ଆତ୍ମରକ୍ଷାର ଉଦ୍ୟମ, ସନ୍ତାନ-ସନ୍ତତି, ନିଜ କୁଟୁମ୍ବ ଏବଂ ହୁଏତ ଗୋଷ୍ଠୀର ପରିଚିତ ଅନ୍ୟାନ୍ୟମାନଙ୍କ ପ୍ରତି ସହାନୁଭୂତି, ସାହାଯ୍ୟ, ଦୟା, ଈର୍ଷା, କ୍ରୋଧ, ପ୍ରତିଶୋଧ-ପରାୟଣତା ଇତ୍ୟାଦି କେତେ ପ୍ରଳ୍ପତି ମଣିଷ-ଜୀବର ପ୍ରକୃତି ପାଲଟା ହୋଇ ସାରିଛି । କେଉଁ ଗୋଷ୍ଠୀ ଭିତରେ କେଉଁ କେଉଁ ବ୍ୟକ୍ତିଠାରେ ଏହିସବୁ ପ୍ରବଣତା କେତେ ପରିମାଣରେ ପ୍ରକୃତିଗତ ହୋଇଛି ନିର୍ଣ୍ଣୟ କରିବା ଦୁରୂହ । ସେହିପରି ମଣିଷର ବୁଦ୍ଧି, ମନେ ରଖିବାର ଶକ୍ତି, ବିଚାର ବିବେଚନା କରି କୌଣସି ବିଷୟରେ ସିଦ୍ଧାନ୍ତରେ ଉପନୀତ ହେବାର ଦକ୍ଷତା, ବିଭିନ୍ନ ବ୍ୟକ୍ତିଙ୍କର ସୁଚିନ୍ତିତ ସିଦ୍ଧାନ୍ତ ଭିନ୍ନ ଭିନ୍ନ ହୋଇପାରେ ।

 

ବିଭିନ୍ନ ବିଭିନ୍ନତା ମଧ୍ୟରେ ସମତା ଆଣିବାକୁ ବ୍ୟକ୍ତି, ଅବା ସିଦ୍ଧାନ୍ତଗୁଡ଼ିକୁ ଗ୍ରହଣ କରିଥିବା ଗୋଷ୍ଠୀମାନେ ନିଜ ନିଜର ସମ୍ମାନ (ଯାହାର ଅନ୍ୟ ନାମ ଆତ୍ମାଭିମାନ, ଯିଏ ଅହଂର ବଡ଼ିମାରେ ବଳୀୟାନ, ଯାହା ପଛରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ଵାର୍ଥପରତାର ଫଉଜ ବି ଥାଇ ପାରନ୍ତି) ନୁଆଇଁ ସିଦ୍ଧାନ୍ତଗୁଡ଼ିକ ଭିତରେ ସମନ୍ୱୟ ନ ଆଣନ୍ତି ତେବେ ତ ସଙ୍ଘର୍ଷ ଅନିବାର୍ଯ୍ୟ ।

 

ଏ ପ୍ରସଙ୍ଗ ଏଇଠି ରହୁ । ମୁଁ ବ୍ୟକ୍ତି ଓ ବ୍ୟକ୍ତି ମଧ୍ୟରେ ବିଭିନ୍ନତା, ଯାହାକୁ ସ୍ଵତନ୍ତ୍ରତା କୁହାଯାଏ, ସେହି ସମ୍ବନ୍ଧରେ ବିଚାର କରୁଥିଲି । ଏହି ସ୍ୱତନ୍ତ୍ରତା ତା’ର ଅନୁଭୂତିର ଉପାଦାନରେ ଗଢ଼ା । ସେହି ଅନୁଭୂତି ଗୋଟିଏ ଜନ୍ମର ନୁହେଁ । ଏ ଜନ୍ମର ଅନୁଭୂତିଗୁଡ଼ିକ ତ ମନରେ ନିଃସନ୍ଦେହରେ ଭେଦୁଛି । ସମ୍ପାଦିତ ହୋଇ ରହୁଛି । ସେତକ ଏ ଜନ୍ମର ଅର୍ଜିତ । ଯାହାଙ୍କର ଔରସରେ ବ୍ୟକ୍ତି ତାର ମାତାଙ୍କ ଗର୍ଭରେ ଅଙ୍କୁରିତ ହେଲା, ସେହି ପିତା ଓ ମାତାଙ୍କର ଅର୍ଜିତ-ଅନୁଭୂତି ଏବଂ ସେ ଦୁହିଁଙ୍କ ମନରେ ସଞ୍ଚିତ ପୂର୍ବଜନ୍ମର ଅନୁଭୂତି ଓ ତା ପୂର୍ବଜନ୍ମମାନଙ୍କର ହେତୁଭୂତ ଅନୁଭୂତି, ଯାହାକୁ ପ୍ରାରବ୍‌ଧ ବୋଲି କୁହାଯାଇପାରେ, ଏ ସବୁର ପ୍ରଭାବର ଉପାଦାନରେ ଅଙ୍କୁରିତ ସେହି ବ୍ୟକ୍ତିଟି ମଣିଷ ଶିଶୁ ହୋଇ ସଂସାରରେ ଜନ୍ମ ନେଲା । କିଏ ବା କହି ପାରିବ, ସେହି ପ୍ରାରବ୍‌ଧରେ କେତେ ଅଭିଜ୍ଞତା ବା ସ୍ୱକୃତ କର୍ମର ଫଳ କେତେ ସ୍ରୋତ କାହୁଁ ଆସି ସଞ୍ଚିତ ହୋଇଛି ?

 

ମୋର ଧାରଣା, ଏହା ହିଁ ବ୍ୟକ୍ତି ଓ ବ୍ୟକ୍ତି ଭିତରେ ଜନ୍ମଗତ ବିଭେଦ । ଏହି ବିଭେଦରେ ସଂସ୍କାର (ଜନ୍ମାନ୍ତରୀଣ ଜ୍ଞାନ) ଓ ସଂସ୍କୃତି (ସଭ୍ୟତା) ର ବୀଜ ସମାହିତ । ଏହି ବିଭେଦ ହିଁ ଅଦୃଷ୍ଟ । ଅର୍ଥାତ୍‌ ଭାଗ୍ୟ । ଏହି ଭାଗ୍ୟ ନେଇ ମଣିଷ ଶିଶୁ ଜନ୍ମ ନିଏ । ଏହା କ୍ରମ ବିବର୍ତ୍ତନର ଫଳ । ଏହା ଦୈବୀ ନୁହେଁ, ଆକସ୍ମିକ ନୁହେଁ, ଏହା ସ୍ଵାଭାବିକ । ଜଣେ ପିତା ଓ ଜଣେ ମାତାଙ୍କର ବହୁ ସନ୍ତାନଙ୍କର ଜନ୍ମଗତ ଅଦୃଷ୍ଟି ସମାନ ନ ବୁଝିବା କଷ୍ଟକର ନୁହେଁ । ଅଗଣିତ ଅତୀତ ପୂର୍ବପୁରୁଷଙ୍କର ଅକଳନ ସ୍ଵଭାବ ପ୍ରକୃତିର ଅସୀମ ଅନୁଭୂତିର ଧାରଣା ରାଶିରୁ କେଉଁ ମଣିଷ ଅଙ୍କୁରଠାରେ କେତେ କ’ଣ ସମାହିତ କିଏ ବା କଳନା କରିବ ? ତେଣୁ ଜନ୍ମରୁ ଅଦୃଷ୍ଟିର ବିଭେଦ ଆକସ୍ମିକ ନୁହେଁ, ସ୍ଵାଭାବିକ !

 

ମଣିଷ ଶିଶୁ ନିଜର କୁଟୁମ୍ବରେ, ସମାଜରେ, ଗ୍ରାମ, ଦେଶ ଓ ପରିବେଶରେ ବଢ଼େ । ଏସବୁ ସମସ୍ତଙ୍କ ପକ୍ଷରେ ସମାନ ନୁହେଁ । ସେ ବଢ଼ି ଉଠୁଥିବା ଅବସ୍ଥାରେ ଅଗଣିତ ପ୍ରଭାବର ମଝିରେ ବଢ଼େ । ଜନ୍ମରୁ ଲାଭ କରିଥିବା ଅଦୃଷ୍ଟ ଏବଂ ପରବର୍ତ୍ତୀ କାଳର ବିଭିନ୍ନ ଅନୁଭୂତି ତା’ ମନରେ ଯେଉଁ ଧାରଣା ଆଣେ, ସେହି ତା’ର ବ୍ୟକ୍ତିତ୍ୱର ପିତା ଓ ମାତା । ଆଜିକାର ବ୍ୟକ୍ତିତ୍ୱ ସ୍ଥିର ଓ ଅଟଳ ହୋଇ ଆଜୀବନ ରହିପାରେ, ଅବା ନ ରହିପାରେ । କେଉଁ ଅପ୍ରତ୍ୟାଶିତ ଘଟଣାର ଅଭୂତପୂର୍ବ ଅନୁଭୂତିର ପ୍ରବଳ ମାନସିକ ଆଲୋଡ଼ନ ତା’ର ନିଶ୍ଚିତ ଧାରଣାକୁ ଅସ୍ଥିର କରେ । ଟଳାଇ ଦିଏ ଓ ତା’ ସ୍ଥାନରେ ନୂତନ ଧାରଣା ଆରୋପିତ କରେ । ସେହି ଧାରଣା ପରିଚିତ ସେହି ବ୍ୟକ୍ତିର ବ୍ୟକ୍ତିତ୍ୱ ଉପରେ ପ୍ରଭାବ ବିସ୍ତାର କରେ । ସେ ବଦଳେ । ଯେବେ ଦେହର ଯନ୍ତ୍ର ଧୀରେ ଧୀରେ ଅକର୍ମଣ୍ୟ ହୋଇ ସମ୍ପୂର୍ଣ୍ଣ ଅଚଳ ହୁଏ ସେ ମରେ । ଅକର୍ମଣ୍ୟ ହେବା ଅତି ସ୍ଵାଭାବିକ । କେତେବେଳେ କାହାର ଦେହର ଯନ୍ତ୍ରର କେଉଁ ଅଂଶ ସେପରି ହେବାକୁ ଲାଗୁଛି ଏବଂ ସେଥିପାଇଁ ସାରା ଯନ୍ତ୍ରରେ ଯନ୍ତ୍ରଣା ନାମକ ଶିହରଣ ଜାତ ହେଉଛି ତା’ର କାରଣ ଜାଣିବାକୁ ଓ ଉପଶମର ଉପାୟ ନିର୍ଣ୍ଣୟ କରିବାକୁ ମଣିଷ କଳ୍ପନାତୀତ ଅତୀତ କାଳରୁ ଚେଷ୍ଟିତ । ତା’ର ଚେଷ୍ଟା ଅଧିକରୁ ଅଧିକ ସଫଳ ହେଉଛି । ଅତି ଜଟିଳ ମଣିଷର ଶରୀର ଯନ୍ତ୍ରର ସୁକ୍ଷ୍ମାତିସୁକ୍ଷ୍ମ ସବୁ ଅଂଶକୁ ସୁଧାରିବାର ଉପାୟ ସୁଦୂର ଭବିଷ୍ୟତରେ କେବେ ମଣିଷ ଉଦ୍ଭାବନ କରିବାକୁ କ୍ଷମ ହେବ, କି ନ ହେବ କେହି କହି ପାରିବେ ନାହିଁ । ସେତକ ନ ହେବାଯାଏ ଶରୀର-ଯନ୍ତ୍ର ନିଶ୍ଚିତ ଭାବରେ ବିଗିଡ଼ିବ, କାର୍ଯ୍ୟକାରୀ ଶକ୍ତି ହରାଇବ ଓ ମଣିଷ ମରିବ । ମୃତ୍ୟୁ ହିଁ ସୁନିଶ୍ଚିତ ।

 

ଯନ୍ତ୍ରଣା ନାମକ ଶିହରଣ ହିଁ ବେଦନା, ଯାହା ସାରା ଶରୀର ଯନ୍ତ୍ରକୁ ଦୁଃଖ ଦିଏ । ବେଳେବେଳେ ଏତେ ଅସହ୍ୟ ହୁଏ ଯେ ମଣିଷ ଆଶୁ-ମରଣ ହିଁ କାମନା କରେ । କେହି କେହି ସହି ନ ପାରି ଆତ୍ମହତ୍ୟା କରନ୍ତି । ଶରୀରଯନ୍ତ୍ର ଯେତିକି ଜଟିଳ, ସେତିକି ଅବା ତତୋଧିକ ଜଟିଳ ମଣିଷର ମସ୍ତିଷ୍କ, ଯାହା ସ୍ନାୟୁମଣ୍ଡଳ ଦ୍ୱାରା ସାରା ଶରୀରକୁ କାର୍ଯ୍ୟକାରୀ କରେ । ତା’ର କାର୍ଯ୍ୟକାରୀ ଶକ୍ତି ଅସୀମ । ସେହି ଶକ୍ତି ହିଁ ମନ, ଯିଏ ନିଜକୁ ନିଜେ ବି ପରିଚାଳିତ କରିବାକୁ ସମ୍ପୂର୍ଣ୍ଣ ଓ ସମର୍ଥ ଓ ପରିଚାଳିତ କରେ ।

 

ସେହି ଖେଳାଏ ଶରୀରରେ ବେଦନା ଓ ଆନନ୍ଦର ଶିହରଣ, ସତତ ଜାଗ୍ରତ ସ୍ନାୟୁ ମଣ୍ଡଳର ମାଧ୍ୟମରେ । ପ୍ରାରବ୍‌ଧ ସଞ୍ଚିତ ଓ ଅର୍ଜିତ ସବୁ ଅଭିଜ୍ଞତାର ଧାରଣାର କମ୍ପୁଟର ଯେ ବ୍ୟକ୍ତିର ମସ୍ତିଷ୍କ । ସେ ତା’ର ସିଦ୍ଧାନ୍ତ ମନ-ଯାନରେ, ସ୍ନାୟୁମଣ୍ଡଳି ମାଧ୍ୟମରେ, ଶରୀରଯନ୍ତ୍ରର ବିଭିନ୍ନ ଅଂଶକୁ, ସେହି ଅଂଶ ତା’ର ନିର୍ଦ୍ଦିଷ୍ଟ କର୍ମ-ସାଧନ କରିବାକୁ ପଠାଇ ଦିଏ । ବିଜୁଳିଠାରୁ ଆହୁରି ବେଗବାନ୍‌ ତାର ଗତି ।

 

ଏ ସବୁ କ୍ରମ-ବିବର୍ତ୍ତନର ଫଳ । କୋଟି କୋଟି ବର୍ଷର ପ୍ରକ୍ରିୟା । କେବେଠାରୁ ଏ ପ୍ରକିୟାର ଆରମ୍ଭ, ଏ ପ୍ରଶ୍ନର ଉତ୍ତର ଦେଇ ହେବ ନାହିଁ । ଚିନ୍ତାତୀତ । ଜୀବ-ଜଗତର ସୂତ୍ରପାତ ସୂଦୂର ଅତୀତରେ, କୋଟି କୋଟି ବର୍ଷ ତଳେ କେବେ ହେଲା, ସେ ସମ୍ବନ୍ଧରେ ବୈଜ୍ଞାନିକମାନେ ଏବେ ସୁଦ୍ଧା ଏକମତ ହୋଇ ପାରିନାହାନ୍ତି । କିନ୍ତୁ, କ୍ରମ-ବିବର୍ତ୍ତନର ପ୍ରକ୍ରିୟାରେ ଜୀବଜଗତର ପରିବର୍ତ୍ତନ ହୋଇଛି ଓ ହୋଇ ଚାଲିଛି, ଏଥିରେ ଦ୍ୱିମତ ନାହିଁ ।

 

ଚିନ୍ତାତୀତ, ଚିରଜାଗ୍ରତ, ଚିରନ୍ତନ, କଳନାହୀନ ମହାଶକ୍ତି, ମଣିଷର ସୀମିତ ଧାରଣାର ବିଶ୍ଵବ୍ରହ୍ମାଣ୍ଡର ସର୍ବତ୍ର ପରିବ୍ୟାପ୍ତ । ତାର ଆକୁଞ୍ଚନ, ପ୍ରସାରଣହିଁ କୋଟି କୋଟି ନିହାରିକା । ପ୍ରତି ନୀହାରିକାର କୋଟି କୋଟି ସୂର୍ଯ୍ୟ, ପ୍ରତି ସୂର୍ଯ୍ୟର ଗ୍ରହମଣ୍ଡଳ ଓ ଚନ୍ଦ୍ରପରି ଉପଗ୍ରହ ରାଶି, ଆମ ପୃଥିବୀ ପରି କେତେ କେତେ ଗ୍ରହର (କେଉଁ ନକ୍ଷତ୍ର, ବା ସୂର୍ଯ୍ୟର ଏବଂ ସେ କେଉଁ ନିହାରୀକାର, ବୈଜ୍ଞାନିକମାନେ ଅଦ୍ୟାପି ସ୍ଥିର କରି ପାରି ନାହାନ୍ତି ।) ଜୀବ (ପ୍ରାଣୀ ଓ ଉଦ୍ଭିଦ) ଜଗତ ଏବଂ ମଣିଷ ଧାରଣାର ନିର୍ଜୀବ ବସ୍ତୁର ସର୍ଜନାର କାରଣ । ସୂକ୍ଷ୍ମ ଚିନ୍ତାରେ ବ୍ରହ୍ମାଣ୍ଡର ପରିବ୍ୟାପ୍ତି ଭିତରେ କୌଣସି ପରମାଣୁମାତ୍ର ସ୍ଥାନ ଶୂନ୍ୟ ନୁହେଁ । ସର୍ବତ୍ର ସେହି ମହାନ୍‌ ଶକ୍ତି ପରିପୂର୍ଣ୍ଣ, ଚିର ଜାଗ୍ରତ । କେଉଁଠି ସକ୍ରିୟ । କେଉଁଠି ସାମୟିକ ଭାବରେ ନିଶ୍ଚଳ ।

 

ଚଳ ଓ ଅଚଳ ସମସ୍ତେ ସେହି ମହାଶକ୍ତିର ଭିତରେ ଲୀନ ଏବଂ ସମସ୍ତଙ୍କର ପ୍ରତି ପରମାଣୁରେ ସେହି ମହାଶକ୍ତି ବିଦ୍ୟମାନ । ମୃତ୍ୟୁ ଓ ଧ୍ୱଂସ କେବଳ ଆକୃତି ଓ ସ୍ଥିତି ବଦଳାଏ । ମହାଶକ୍ତି, ଯାହାକୁ ବିଶ୍ୱ-ଆତ୍ମା ଆଖ୍ୟା ଦିଆଯାଏ, ତାର ସ୍ଥିତି ବଦଳେ ନାହିଁ । ସେ ଚିରନ୍ତନ, ଯେ ଅପରିବର୍ତ୍ତନୀୟ, ସେ ସର୍ବତ୍ର ସର୍ବଦା ବିରାଜିତ ଥାଇ ମଧ୍ୟ ଅସଂପୃକ୍ତ ।

 

ଯିଏ ସର୍ବତ୍ର ପରିବ୍ୟାପ୍ତ, ଯିଏ ସବୁଥିରେ ଏପରି ଓତଃପ୍ରୋତ ଭାବରେ ଜଡ଼ିତ, ତା’ର ପୁଣି ଗୋଟାଏ ବ୍ୟକ୍ତିଗତ ସ୍ଥିତି କ’ଣ ? ଗୋଟିଏ ବୃକ୍ଷର ଆତ୍ମା, ପିମ୍ପୁଡ଼ି, ମାଛ, ମାଛି, ହଇଜା ରୋଗର କୀଟ, ଅବା କୁକୁର, ଗାଈ ଓ ମଣିଷର ଆତ୍ମାର ସ୍ଵତନ୍ତ୍ର ପ୍ରକାଶର ପ୍ରଶ୍ନ ଉଠୁଛି କେଉଁଠୁ ? ସମସ୍ତେ ତ ସେହି ବିଶ୍ଵଆତ୍ମାର ମହାଜାଗ୍ରତ ଶକ୍ତି ଭିତରେ ବିଦ୍ୟମାନ । ସେହି ଶକ୍ତି କ୍ରମ-ବିବର୍ତ୍ତନ ପ୍ରଣାଳିରେ ଆଗେଇ ଆସୁଥିବା ବିଭିନ୍ନ ଜୀବ (ବୃକ୍ଷ ଲତା, ଗୁଳ୍ମ ଇତ୍ୟାଦି ଏହି ଶବ୍ଦର ଅନ୍ତର୍ଭୂକ୍ତ) ର ବିଭିନ୍ନ ସ୍ତରର ଦୈହିକ (ଓ ମାନସିକ) ବିକାଶ ଘଟାଇଛି । ତା’ର ପ୍ରତି ପରମାଣୁ ଓ ଅଣୁର ବିସ୍ତାର ଭିତରେ ସର୍ବତ୍ର ଜାଗ୍ରତ ଓ ସକ୍ରିୟ ରହିଛି ।

 

(ଅବିକଳ କେଉଁ ନକ୍ଷନ୍ତ୍ର, ସୂର୍ଯ୍ୟ ଓ ତା’ର ଗ୍ରହମଣ୍ଡଳି ପରି, କେଉଁ ନିହାରୀକାର ଅଗଣନ ନକ୍ଷତ୍ର ପରି ଯେଉଁମାନେ ସେହି ନିହାରୀକାର କେନ୍ଦ୍ର ଚାରିପାଖେ ପ୍ରବଳ ବେଗରେ ଘୂରି ବୁଲୁଛନ୍ତି, କେଉଁ ମହା ନିହାରୀକାର କେନ୍ଦ୍ର ଚାରିପାଖେ କେତେ ନିହାରୀକା ପୁଞ୍ଜ କଳ୍ପନାତୀତ ବେଗରେ ବୁଲୁଛନ୍ତି । ମଣିଷ ଧାରଣାର ଅଣୁ ସଦୃଶ ଆମ ସୌର ଜଗତ ମହାଶକ୍ତି ବିଶ୍ଵଆତ୍ମାର କଳନାରେ ଅଣୁ ନୁହେଁ ତ–ପରମାଣୁଟିଏ । ଆମ ପୃଥିବୀର ସ୍ଥିତି, ମଣିଷ, ମଣିଷ ଦେହରେ ଆଶ୍ରିତ କେଉଁ କୀଟ ଏମାନଙ୍କର ସ୍ଥିତି କ’ଣ ?)

 

ଯାହା ହୋଇଥାଉ, ସମସ୍ତେ ସେହି ମହାଶକ୍ତିର ମଧ୍ୟରେ ଏବଂ ସମସ୍ତଙ୍କ ମଧ୍ୟରେ ସେହି ମହାଶକ୍ତି, (ପରମେଶ୍ୱର, ବିଶ୍ୱଆତ୍ମା) ବର୍ତ୍ତମାନ । ତା’ର ସୀମିତ, ସ୍ଵତନ୍ତ୍ର ଆକାରଗତ ଆତ୍ମା ରହି ନ ପାରେ । ଦୃଶ୍ୟମାନ ହେଉ ବା ଅଦୃଶ୍ୟ ହେଉ ପ୍ରତି ଜୀବର ଦେହର ଅଣୁମାତ୍ର ପ୍ରତ୍ୟେକ ଅଂଶରେ ସେହି ମହାଶକ୍ତି ବିଶ୍ୱଆତ୍ମା ବିଦ୍ୟମାନ ଏବଂ ମରଣ ପରେ ଦେହ ଯେଉଁ ରୀତିରେ ହେଉ ବିଲୟ ଭଜିଲେ ସେହି ଶକ୍ତିର ତ ବିଲୋପନ ହୁଏ ନାହିଁ, ବିଲୁପ୍ତ ଦେହ ପୁଣି ଯେଉଁ ଅଦୃଶ୍ୟ ବସ୍ତୁରେ ପରିଣତ ହୁଏ ତହିଁରେ ସେ–ଶକ୍ତି, ଓ ପରିବ୍ୟାପ୍ତ ଅନନ୍ତ ମହାଶକ୍ତି-ବିଶ୍ଵଆତ୍ମା ଭିତରେ ସେ-ବସ୍ତୁ, ବିଦ୍ୟମାନ ରହେ -ଏକୀଭୂତ ଓତପ୍ରୋତ ।

 

ତେଣୁ, ଦେହୀର, ତଥା ପ୍ରତି ମଣିଷର ସ୍ଵତନ୍ତ୍ର ଆତ୍ମାର ସ୍ଥିତି ଗୋଟିଏ ସୁ-ପ୍ରତିଷ୍ଠିତ କଳ୍ପନା ଏବଂ ସହସ୍ର ସହସ୍ର ବର୍ଷ ଧରି ମଣିଷ ମନରେ ବଦ୍ଧମୂଳ ଏହି କଳ୍ପନା ଗଭୀର ପ୍ରତ୍ୟୟ ବା ଧାରଣାର ଜନକ । ସେହି ଧାରଣା ମଣିଷର ମରଣ ପରେ ସ୍ଵତନ୍ତ୍ର ବ୍ୟକ୍ତିଗତ ଆତ୍ମାର ପୁର୍ନଜନ୍ମକୁ ବିଶ୍ଵାସ କରିଛି ।

 

ଯେଉଁ ମଣିଷଗୋଷ୍ଠୀ ଜନ୍ମାନ୍ତରବାଦକୁ ବିଶ୍ଵାସ ନ କରନ୍ତି, ସେମାନେ ସ୍ୱତନ୍ତ୍ର ଆତ୍ମାଗୁଡ଼ିକର ଏ ଧରଣୀରେ ସେମାନେ ନର ଦେହରେ ଆତଯାତ ହେଉଥିବା କାଳରେ ସମ୍ପାଦନ କରିଥିବା ପାପ ଓ ପୁଣ୍ୟ କର୍ମର ବିଚାର ପାଇଁ ଅପେକ୍ଷା କରି ରହିଥିବାର ବିଶ୍ୱାସ କରନ୍ତି । ସେ ବିଚାର ହେବ ସୃଷ୍ଟିର ବିଲୟ କାଳରେ ଏବଂ ବିଚାରକ ହେବେ ଭଗବାନ, ତାଙ୍କର ପୁତ୍ର ଅବା ଦୂତଙ୍କର ଉପସ୍ଥିତିରେ । ପାପ ପୁଣ୍ୟର ଗୁରୁତ୍ୱ ନେଇ ସେହି ଅପେକ୍ଷାକାରୀ ଆତ୍ମାଗୁଡ଼ିକ ନରକର ଦୁଃଖ ଓ ସ୍ୱର୍ଗର ସୁଖ ଭୋଗ କରିବେ । ତେଣୁ ଶେଷ ବିଚାର ପର୍ଯ୍ୟନ୍ତ ସେହି ସ୍ୱତନ୍ତ୍ର ଆତ୍ମାଗୁଡ଼ିକ (ଯାହା ଦେହଧାରୀ ମଣିଷ ସମାଜରେ ଭୂତ, ପ୍ରେତ ନାମରେ ପରିଚିତ ।) ପୃଥିବୀ ପୃଷ୍ଠରେ ରହିଥିବେ ଓ ଆତଯାତ ହେଉଥିବେ ।

 

ଯେଉଁମାନେ ଜନ୍ମାନ୍ତରବାଦରେ ବିଶ୍ୱାସ କରନ୍ତି, ସେମାନେ ବିଶ୍ଵାସ କରନ୍ତି ଯେ ମଣିଷ ମରେ କାରଣ ତା’ର ଦେହକୁ ତା’ର ଆତ୍ମା ପରିତ୍ୟାଗ କରେ । ସେହି ଆତ୍ମା ତା’ର ଆଶ୍ରିତ ବ୍ୟକ୍ତିର ଜୀବଦ୍ଧଶାରେ କୃତ-କର୍ମର ଫଳ ଭାରରେ ଭାରାକ୍ରାନ୍ତ ହୋଇଥାଏ । ସେହି କର୍ମ ପୁଣି ଦୁଇ ଭାଗରେ ବିଭକ୍ତ–ପୁଣ୍ୟକର୍ମ ଓ ପାପ କର୍ମ । କର୍ମଫଳ ଗୋଟିଏ ଜନ୍ମର ନୁହେଁ । ଠିକ୍‌ ତା’ର ପୂର୍ବବର୍ତ୍ତୀ ଜନ୍ମରେ ଭୋଗ ନ ହୋଇଥିବା ସଞ୍ଚିତ-କର୍ମଫଳ ଓ ତା’ର ପୂର୍ବବର୍ତ୍ତୀ ବଡ଼ ଜନ୍ମରୁ ଭୋଗ ହୋଇ ନ ଥିବା ପ୍ରାରବ୍‌ଧ କର୍ମଫଳ । ସବୁଗୁଡ଼ିକରେ ଭାରାକ୍ରାନ୍ତ ସେହି ପ୍ରେତାତ୍ମା ।

 

ଚରିତାର୍ଥ ହୋଇ ନ ଥିବା ଅପୂର୍ଣ୍ଣ-ବାସନା ପାଇଁ ପ୍ରେତାତ୍ମା ବହୁବର୍ଷ ବ୍ୟର୍ଥ ଉଦ୍ୟମ କରି ନିରସ୍ତ ହୁଏ । ସେଇଠୁ ସେ ତାର ପୁଣ୍ୟ କର୍ମ ପାଇଁ ସ୍ଵର୍ଗର ଗୋଟିଏ ସ୍ତରରେ କର୍ମାନୁଯାୟୀ ସୁଖ ଭୋଗ କରେ । ସେତକ ସରିଲେ ନରକରେ ବହୁ ଯୁଗ ପଡ଼ି ପାପ କର୍ମ ପାଇଁ ଯାତନା ଭୋଗେ । ସେତକର ବି ଦିନେ ଅନ୍ତ ହୁଏ । ମୋକ୍ଷ ହେବାର ଉପାୟ ନାହିଁ । ତା’ର ପାପ ପୁଣ୍ୟର ଭୋଗ ଶେଷ ହୋଇଥିଲେ ବି ସେ ପୁଣି ଧରାପୃଷ୍ଠରେ ଜନ୍ମ ନିଏ ।

 

କି ଦେହ ଧରି ଜନ୍ମ ଲଭିବ ? କୀଟ, ପତଙ୍ଗ, ପକ୍ଷୀ, ସରୀସୃପ, ପଶୁ ନା ମନୁଷ୍ୟ ? ତା’ର ପାପ-ପୁଣ୍ୟର ପ୍ରକାର ଓ ପରିମାଣ ଏହା ସ୍ଥିର କରେ । ମଣିଷ ରୂପରେ ଜନ୍ମ ହେବାର ନିଷ୍ପତ୍ତି ହେଲେ, ପୁଣି ସ୍ଥିର କରାହେବ–ସେ କେଉଁଠି ଜନ୍ମିବ, ସ୍ତ୍ରୀ ହେବ ନା ପୁରୁଷ, ରାଜପୁତ୍ରରୁ ଭିକ୍ଷୁକ ପର୍ଯ୍ୟନ୍ତ ଆଉ କେଉଁ ସ୍ତର, ବ୍ରାହ୍ମଣରୁ ଚଣ୍ଡାଳ ଯାଏ କେଉଁ ଜାତି, ନିଖୁଣ ଓ ସ୍ୱାସ୍ଥ୍ୟବାନ୍‌, ନା ଖୁଣ ଥିବା ରୁଗ୍‌ଣ ଅପାରଗ ଇତ୍ୟାଦି । ପୁଣି, ତାର ମସ୍ତିଷ୍କରେ କେତେ ବୁଦ୍ଧି ରହିବ, ତା’ର ଆୟୁଷ କେତେ ହେବ ଓ କେଉଁ ମୂହୂର୍ତ୍ତରେ ସେ ଭୂମିଷ୍ଠ ହେବ, ଇତ୍ୟାଦି ଇତ୍ୟାଦି ବହୁ ସମସ୍ୟାର ସମାଧାନ । ଆହୁରି ପୁଣି କେବେ ସେ ତା’ର ମାତାର ଗର୍ଭରେ ପ୍ରବେଶ କରିବ ଏବଂ ସେଥିପାଇଁ ପିତାଙ୍କର ଲକ୍ଷ ଲକ୍ଷ ଜୀବନ୍ତ ଶୁକ୍ରକୀଟ ମଧ୍ୟରୁ କେଉଁ ଶୁକ୍ରକୀଟ ମଧ୍ୟରେ ପ୍ରବେଶ କରି ମାତାଙ୍କର ଅଣ୍ଡରେ ସନ୍ନିବେଶିତ ହେବ ।

 

ଏ ସବୁର ସମଷ୍ଟି ହେବ ମନୁଷ୍ୟ–ଶିଶୁର ଅଦୃଷ୍ଟ, ଯାହା ଅପରିବର୍ତ୍ତନୀୟ ।

 

କେଉଁ ନିଷିଦ୍ଧ ଘୃଣିତ କର୍ମ କଲେ ପାପ ହୁଏ ? କେଉଁ ନିର୍ଦ୍ଧାରିତ ପ୍ରଶଂସନୀୟ କର୍ମ କଲେ ପୁଣ୍ୟ ହୁଏ ? ସମଗ୍ର ମଣିଷ ସମାଜ ପାଇଁ କ’ଣ ପାପ ଓ ପୁଣ୍ୟର ସଂଜ୍ଞା ଏକ ପ୍ରକାର ? ଶହେଟି ବର୍ଷର ତର୍ଜମା କଲେ ଆମେ ବୁଝିପାରୁଁ ଯେ ବହୁ ସଂଜ୍ଞା ବଦଳି ଯାଇଛି । ଆବହମାନ କାଳରୁ ବଦଳି ଆସୁଛି । ବହୁ ପରିଧୀ । ଧର୍ମ, ବିଶ୍ଵାସ, ଦେଶ, ଅଞ୍ଚଳ, ଗୋଷ୍ଠୀ, କୁଟୁମ୍ବ ମଧ୍ୟରେ ଗୃହୀତ ପାପ ଓ ପୁଣ୍ୟ ଧାରଣାର ସଂଜ୍ଞାରେ ବହୁ ବିଭେଦ ସୁସ୍ପଷ୍ଟ । ଏହି ପରିପ୍ରେକ୍ଷୀରେ ଘଟ-ଛାଡ଼ିଥିବା ଅମୋକ୍ଷ ଆତ୍ମାର କର୍ମଫଳ ଜନିତ ପାପ ଓ ପୁଣ୍ୟର ବିଚାର ଓ ସ୍ୱର୍ଗ ନରକ ଭୋଗର ସିଦ୍ଧାନ୍ତ !!

 

ଜନ୍ମାନ୍ତରବାଦରେ ବିଶ୍ଵାସ କରୁଥିବା ବ୍ୟକ୍ତି ହେଉନ୍ତୁ ବା ବିଶ୍ଵାସ କରୁ ନ ଥିବା ବ୍ୟକ୍ତି ହୁଅନ୍ତୁ ଯେଉଁମାନେ ଜୀବନ୍ତ ମଣିଷ ଭିତରେ ସ୍ଵତନ୍ତ୍ର ଆତ୍ମାର ସ୍ଥିତିକୁ ବିଶ୍ଵାସ କରନ୍ତି, ସେହିମାନେ ଭୂତପ୍ରେତର ସ୍ଥିତିକୁ ମଧ୍ୟ ସ୍ୱୀକାର କରନ୍ତି । ବହୁ ଯୁଗର ଏହି ଆସ୍ଥା ମଣିଷ ମନରେ ଏପରି ଦୃଢ଼ୀମୂଳ ଯେ ସେ ଧାରଣା ଉତ୍ତର-ପୁରୁଷର ମନକୁ ବି ପ୍ରଭାବିତ କରେ ।

 

ମନର ସେହି ପ୍ରତିଷ୍ଠିତ ସୁଦୃଢ଼ ଧାରଣାର ପ୍ରଭାବରେ ଭାବିତ ବ୍ୟକ୍ତିର ସତ୍ତା ମାତୃ-ଗର୍ଭରେ ସଞ୍ଚରି ମଣିଷ-ଶିଶୁ ହୋଇ ଜନ୍ମେ । ସେହି ଶିଶୁ ଆବାଲ୍ୟରୁ ଭୂତପ୍ରେତଙ୍କ ସମ୍ବନ୍ଧରେ ବହୁ ଘଟଣା ଶୁଣେ । ପର ଜୀବନରେ ତଥାକଥିତ ପ୍ରତ୍ୟକ୍ଷ-ଦର୍ଶୀଙ୍କ ମୁହଁରୁ ଅବହିତ ହୁଏ । ସେମାନଙ୍କର ରୂପରେଖ, ଅବସ୍ଥାନ, କାର୍ଯ୍ୟକଳାପ, କେଉଁ ପରିସ୍ଥିତିରେ, କିପରି ସ୍ଥାନରେ, ରାତ୍ରର କେତେବେଳେ ଓ କି ପାଗଯୋଗରେ ସେମାନେ ଦେଖା ଦିଅନ୍ତି ।

 

ଏ ସମ୍ବନ୍ଧରେ ଅନ୍ୟମାନଙ୍କ ଦ୍ୱାରା ଲିଖିତ ବଡ଼ ଘଟଣାର ବର୍ଣ୍ଣନା ପଢ଼େ । ପରତେ ଯାଏ ଓ ମନରେ ସେ ସବୁ ଚିତ୍ର ଆଙ୍କି ରଖେ ।

 

ସେହି ହୁଏ ତା’ର ଧାରଣା । ଅନୁକୂଳ ପରିବେଶ, ସମୟ ଓ ପାଗଯୋଗରେ ତା’ରି ସେହି ଧାରଣା କେଉଁ ମୃତବ୍ୟକ୍ତିର ପ୍ରେତ ପୁରୁଷର ଚିତ୍ର ମନରେ ଆଙ୍କେ । ସେ ବ୍ୟକ୍ତି ପରିଚିତ ହୋଇପାରେ, ଅବା ସମ୍ପୂର୍ଣ୍ଣ ଅପରିଚିତ ବି ହୋଇପାରେ, ଯାହା ସମ୍ବନ୍ଧରେ କେବେ ସେ ଶୁଣିଥିଲା-। ତା’ର ଜାଗ୍ରତ-ସ୍ମରଣରେ ଥାଇପାରେ, ଅବା ବିସ୍ମୃତ ହୋଇ ଅବଚେତନ ମନରେ ଛପି ଥାଇପାରେ, ଯିଏ ଅନୁକୂଳ ପାରିପାର୍ଶ୍ୱିକ ଅବସ୍ଥାର ସମନ୍ୱୟରେ ଅବଚେତନ ମନର ସୁଷୁପ୍ତିରୁ ସହସା ଜାଗି ଚେତନ ମନରେ ଉଭା ହୁଏ ।

 

ଧାରଣାରେ ଅଭିଭୂତ ସେହି ବ୍ୟକ୍ତିଟିର ମନରେ ଅଙ୍କିତ ପ୍ରେତର ରୂପ ଜୀବନ୍ତ ହୁଏ । ସେ ରୂପ ବାହାରକୁ ଆସେ । ବ୍ୟକ୍ତିର ଭୀତ-ତ୍ରସ୍ତ ମୁଗ୍‌ଧ ଆଖି ଆଗରେ ମନର ଭୂତ ବା ପ୍ରେତଟି ଛାୟାମୂର୍ତ୍ତି ଧରି ଆତଯାତ ହୁଏ । ଆଉ କେତେ କ’ଣ କରେ ପରା– !

 

ଧାରଣାରେ ତା’ର ଅବତାର, ପୁଣି ସେହି ଧାରଣାରେ ତା’ର ବିଲୁପ୍ତି, ଅବିକଳ ସହସ୍ର ଚଣ୍ଡୀ, ଚାମୁଣ୍ଡା, ଅପଦେବତାଙ୍କ ପରି ।

Image

 

ଚେତାବନୀ

 

ତଳ ଉପର ଦିଓଟି ଭାଇ । ମୋଟେ ଦେଢ଼ବରଷ ସାନବଡ଼ । ସାନଟିକୁ ଷୋଳ ବର୍ଷ ଚାଲିଥାଏ । ବଡ଼କୁ ଅଠର । ସାଧାରଣ ସ୍ଵାସ୍ଥ୍ୟ । ରଙ୍ଗ କଳା । ବଡ଼ ଭାଇଟିର ମୁହଁ ଟିକିଏ ଗୋଲିଆ । ତେବେ, ଦିଶନ୍ତି ଏକାପରି । ନ ଜାଣିଲା ଲୋକେ ଭ୍ରମରେ ପଡ଼ନ୍ତି, ଭାଇ ଦିଓଟି ଯାଆଁଳା ହୋଇଥିବେ ।

 

ଦିଓଟି ଭାଇ ଦିଓଟି ସାଙ୍ଗ । ଗୋଟିଏ ଶ୍ରେଣୀରେ ପାଠ ପଢ଼ନ୍ତି -କଟକର ପି.ଏମ୍‌. ଏକାଡ଼େମୀରେ । ଏକାଦଶ ଶ୍ରେଣୀରେ (ସେ କାଳର ଦ୍ୱିତୀୟ ଶ୍ରେଣୀ) । ପରସ୍ପରକୁ ପ୍ରାଣରୁ ବଳି ଭଲ ପାଆନ୍ତି । କିନ୍ତୁ ବେଳେବେଳେ କେଉଁ ସାମାନ୍ୟ କାରଣରୁ ଦୁହିଁଙ୍କ ଭିତରେ କଜିଆ ବି ଲାଗେ-। ବୋଲାବୋଲି ହୁଅନ୍ତି । ହାତାହାତି, ଧରାପରା ବି ହୁଅନ୍ତି । ବଡ଼ଭାଇଟି ବଳୁଆ । ସେ ସବୁବେଳେ ଜିତେ ।

 

କେବଳ ଦେହର ବଳ ଓ କୌଶଳରେ ନୁହେଁ, ବିଦ୍ୟା, ବୁଦ୍ଧି, ଉଦାରତା, ସହନଶୀଳତା ଓ ସ୍ନେହ-ପ୍ରବଣତା ସବୁଥିରେ ସେ ବଳୁଆ । ଯୁଦ୍ଧରେ ଜିଣି ମଧ୍ୟ ସେ ନିଜର ଶକ୍ତି ସମ୍ବନ୍ଧରେ ସଚେତନ ଥାଇ ସାନଭାଇ ପାଖରେ ଧରା ଦିଏ । ନିଜ ଉପରେ ସାନ ଭାଇର କ୍ରୋଧ ଶାନ୍ତ କରିବାକୁ ସେ ହସି ହସି ସୁଯୋଗ ଦିଏ । ହାତ ଦିଓଟି ନିଶ୍ଚଳ ରଖି ନିର୍ବିକାର ଚିତ୍ତରେ ହସି ହସି କହେ- ପାରିଲୁନାହିଁ ତ, ହାରିଲୁ ; ଏବେ ତୋର ପାଳି । ଶୁଝା ଯେତେ ପାରୁଛୁ । ସାନଭାଇଟି, ଗୋଟିଏ ଦିଓଟି ବିଧା କି ଥାପଡ଼ା ଥୁଏ । ବଡ଼ଭାଇ ହସୁଥାଏ । ସାନଭାଇର ଟେକିଲା ହାତ ତଳକୁ ଖସି ପଡ଼େ, ଯେତେବେଳେ ସେ ଦେଖେ ବଡ଼ଭାଇଟି ପ୍ରତିରୋଧ କରୁନାହିଁ, ପାଦେ ଚଙ୍କୁ ନାହିଁ । ହସୁଛି, ଖାଲି ହସୁଛି ।

 

କଟକରୁ ତାଙ୍କର ଛୋଟ ଗାଆଁ ନାଗବାଲି ସାତମାଇଲରୁ କିଛି ଅଧିକ ଦୂରରେ ଅବସ୍ଥିତ । ଖାନ୍‌ନଗର ତଳୁ କାଠଯୋଡ଼ୀ ନଦୀର ଯେଉଁ ଧାରଟି ଡାହାଣ ପାଖରୁ ବାହାରି ସିଢ଼ୁଆନଈ ହୋଇଛି (ଦେବୀନଦୀ) ତାଆରି କୂଳରେ ଠିକ୍‌ ନଦୀବନ୍ଧର ମଥାକୁ ଲାଗି ତାଙ୍କର ଘର-। ଖାନ୍‌ନଗର ପାଖରେ କାଠଯୋଡ଼ୀ ନଦୀ ପାରି ହେଲେ ରେଲ୍‌ ଲାଇନ୍‌ର ବନ୍ଧକୁ ଲାଗି ଯେଉଁ ନଦୀବନ୍ଧ ପୂର୍ବ ଆଡ଼କୁ ପଡ଼ିଛି, ସେଇ ଅନୁଚ୍ଚ ବନ୍ଧଟି ଗୋପାଳପୁର, ଉରାଳି, ଜରିପଡ଼ା ଅତିକ୍ରମ କରି ନାଗବାଲି ବାଟେ ନଦୀ କୂଳେ କୂଳେ ବହୁ ଦୂରକୁ ଲମ୍ବି ଯାଇଛି । ବନ୍ଧର ଦେଢ଼ହାତ ଓସାର ମଥା ଉପରେ ଚଲାବାଟ ।

 

୧୯୨୩ ସାଲର ଘଟଣା । ସେତେବେଳେ ସାଇକେଲଟିଏ ବନ୍ଧ ବାଟରେ ଦେଖିବା ସାତସପନ । ଲୋକେ ଚାଲି ଚାଲି ଯା-ଆସ କରନ୍ତି । ଯୋତା କି ଚପଲ କ୍ୱଚିତ୍‌ ଦେଖିବାକୁ ମିଳେ-। ସେମିତି, ଦେହରେ ଗେଞ୍ଜି ବା ଜାମା । ପୂରା-ପ୍ୟାଣ୍ଟ୍‌ ବା ଅଧା-ଫାଣ୍ଟ୍‌ ପିନ୍ଧା ଲୋକ ଦେଖିବା ବିରଳ । କାନ୍ଧରେ ଚାଦର, ଅବା ଗାମୁଛା ପଡ଼ିଥାଏ । କାହାର କାହାରି ହାତରେ ଛତା, ଅବଶ୍ୟ ଖରାଦିନେ, ଅବା ବର୍ଷାଦିନେ ।

 

ଭାଇ ଦିଓଟି ଦରସଫା ଲୁଗା ପିନ୍ଧୁଥିଲେ । ପାଇକଛା ମାରିଥିଲେ । ଦେହରେ ପୂରାହାତ ଥିବା କାମିଜ୍‌ । ବଡ଼ଟି ହାତରେ ବହି–ବସ୍ତାନି l ପାଦ ଫୁଙ୍ଗୁଳା । ମାର୍ଚ୍ଚ ମାସର ଅଧାଅଧି-। ସୂର୍ଯ୍ୟଙ୍କ ଆଡ଼କୁ କଣୁଆଁ–ନଜର ଦେଲେ ଜଣା ପଡ଼ୁଥାଏ ବେଳ ଦଶଟା ହେବ । ଟାଆଁଶା ଖରା । ଦେହମୁଣ୍ଡ ତାତି ଉଠୁଥାଏ । ଗୋଡ଼ ତଳିପା ରଙ୍ଗା ପଡ଼ିଥାଏ । ପବନର ଆତଯାତ ନାହିଁ । କପାଳର ଝାଳ ମୁହଁ ଉପରକୁ ଗଡ଼ି ଆସୁଥାଏ । ଦେହର ଝାଳରେ ପିନ୍ଧିଲା ଜାମା ଓଦା ହୋଇଥାଏ-। ଯେଉଁ ମୁଠିଏ ମୁଠିଏ ଚୂଡ଼ା ପାଣିରେ ଆମ୍ବୁଲ ଚାଟି ସେମାନେ ଘରୁ ଖାଇ ଧାଇଁ ଧାଇଁ ଆସିଥିଲେ, ସେତକ ପେଟ ଭିତରେ ଭସ୍ମ ହୋଇଗଲାଣି । ପେଟ ଗର୍ଜୁଛି । ଆଖିରୁ ଜୁଳୁଜୁଳି ପୋକପଲ ବାହାରି ଆସୁଛନ୍ତି । ପାଞ୍ଚମାଇଲ୍‌ ବାଟ ସେମାନେ ଅତିକ୍ରମ କରି ଆସିଲେଣି । ନଈବାଲିରେ ଚାଲି ନଈ ପାରି ହେଲେ ଖାନ୍‌ନଗର ଗାଁ । ସେଇଠୁ ଦୁଇମାଇଲରୁ ଅଧିକ ବାଟ ପଡ଼ିବ ଏକାଡ଼େମୀ ସ୍କୁଲ । ଦଶଟା-ତିରିଶରେ କ୍ଳାସ୍‌ ।

 

ନିତିଦିନିଆ ବାଟ । ଯିବା ଆସିବାର ଅଭ୍ୟାସ ଅଛି । କିନ୍ତୁ, ଆଜି ଅଧିକ ହାଲିଆ ଲାଗୁଛି । ପେଟରେ ଦାନା ପଡ଼ିନାହିଁ, ବୋଧହୁଏ ସେଇଥି ପାଇଁ ।

 

ସେମାନଙ୍କର ବାପା ସୋନପୁର ରାଜ୍ୟରୁ ଗୋଟାଏ ଆନ୍‌ରେ, ମହାରାଜାଙ୍କୁ ମୁହେଁ ମୁହେଁ ଜବାବ୍‌ ଦେଇ ଓଭର୍‌ସିୟରି ଚାକିରି ଛାଡ଼ି ଚାଲି ଆସିଥିଲେ । ଘରେ ବସିଛନ୍ତି । ଭାଗଚାଷୀ ଦେଇଥିବା ଫସଲ କେବେଠାରୁ ଶେଷ ହେଲାଣି । ବାକିଆ ପାଉଣା ନ ଦେବାରୁ ଦୋକାନିଏଁ ଉଧାର ଦେଉ ନାହାନ୍ତି । ସାଇତା-ବାସନ ବନ୍ଧା ପକାଇ କୌଣସିମତେ ଚଳୁଥିଲା । ପୁରୁଣା ବଡ଼ ଥାଳିଟିଏ କେଉଁଠି ବନ୍ଧା ଥୋଇ କିଛି ଆଣିବାର ଚେଷ୍ଟା ଗତ ସଞ୍ଜରେ ବ୍ୟର୍ଥ ହୋଇଥିଲା । ସେଦିନ ସକାଳୁ ମଧ୍ୟ ଚେଷ୍ଟା ଚାଲିଛି । କିନ୍ତୁ ସକାଳ ଆଠଟା ସୁଦ୍ଧା କୋଉଁ ଦୋକନରୁ ଚାଉଳ, ଡାଲି ଆସି ଖାଦ୍ୟ ପ୍ରସ୍ତୁତ ନ ହେଲେ ଠିକ୍‌ ସମୟରେ ସ୍କୁଲରେ ପହଞ୍ଚି ହେବ ନାହିଁ । ତେଣୁ ମୁଠିଏ ମୁଠିଏ ଚୂଡ଼ା ହିଁ ସମ୍ବଳ । ଯେତିକି ଥିଲା ସେତିକି । ଆଠ ବର୍ଷର ସାନଭାଇଟି ଗୋପୀନାଥ ଯିଏ ପାଟଣାରୁ ସବା ବଡ଼ଭାଇଙ୍କ ପାଖରୁ ଆସି ଘରେ ଥିଲା ସେ ବି ମୁଠିଏ ଖାଇବ ତ !

 

ସେତେବେଳେ କାଠଯୋଡ଼ୀ ଉପରେ ରାସ୍ତା-ପୋଲ ହୋଇ ନଥିଲା । ଦିନେ ଯେ କେବେ ହେବ, ଏପରି ଭାବନା ସାତ-ସପନ ଥିଲା । ବର୍ଷାଦିନେ ଡଙ୍ଗାରେ ଥିବା ରେଲ୍-ପୋଲ ଉପରେ ଚାଲି ନଈ ପାରି ହେବାକୁ ପଡ଼ୁଥିଲା । ଖରାଦିନେ ପାଣି କମି ପଶା ହେଲେ, ଲୋକେ ନଈବାଲିରେ ଚାଲି କାଚକେନ୍ଦୁ ପରି ନିର୍ମଳ, ବେଶି ହେଲେ ଖାନ୍‌ନଗର ଗାଁ ତଳି ସରୁଆ ଆଣ୍ଠୁ ବୁଡ଼ା ପାଣିରେ ପଶି ପାରି ହେଉଥିଲେ ।

 

ଖାନ୍‌ନଗରରେ ଦୁଇ ତିନୋଟି ଛୋଟ ଛୋଟ ଗୁଡ଼ିଆ ଦୋକାନ ଥିଲା ! ଅଧାଥାଳି ପରି ଚକୁଳି ଗୋଟିକ ପଇସାଟିଏ । ମେଞ୍ଚିଏ ତରକାରୀ l ମାଗିଲେ ଚିନିସିରା ବି ମିଳେ । ବରା, ଗୁଲୁଗୁଲା, ପକୋଡ଼ି, ବୁନ୍ଦିଆ ଯାହା ମନ ଦି’ ଚାରି ପଇସାର ଖାଇ ପାଣି ଗିଲାସେ ପିଇ ଦେଲେ ଆତ୍ମା ଶାନ୍ତି ।

 

ଗୋପାଳପୁର ପାଖ ରେଲ୍‌ ପୋଲର ଛାଇତଳେ ପିଲା ଦିଓଟି ପହଞ୍ଚିଲେ । ବସିଲେ । ଟିକିଏ ଦମ୍‌ ନେଲେ । କାତର ଆଖିରେ ନଈ-ସେପାରି ଗାଆଁକୁ ଅନାଇଲେ । ମଝିରେ ବାଲି । ଖରା ତାଉରେ ନିଆଁ ପରି ତାତିଥିବ । କୌଣସି ମତେ ଧାଇଁ ଧାଇଁ ସେତକ ଅତିକ୍ରମ କଲେ ପାଣିଧାର ପଡ଼ିବ । ପାଣି ଉପର ଅବଶ୍ୟ ତାତିଥିବ ଯେ, ହାତରେ ଦି’ ଚାରିଥର ଆହୁଲାଇ ଦେଲେ ତଳର ଥଣ୍ଡାପାଣି ଉପରକୁ ଆସିବ । ଦି’ ଚାରି ଆଞ୍ଜୁଳା ଢୋକିଲେ ପେଟ ପୂରିବ l ଭୋକ ଶୋଷ ମରିବ । ବେଶ୍‌, ସେଇଠୁ ଧଅଁସି ଚାଲିଲେ ଠିକ୍‌ ବେଳରେ କ୍ଲାସ୍‌ରେ ପହଞ୍ଚି ହେବ । ପ୍ରଥମ ପିରିଅଡ଼ରେ ଅଙ୍କ । ଅଶ୍ଵିନୀବାବୁ (ସୁନାମଧନ୍ୟ ନାଟ୍ୟକାର) ପଢ଼ାଇବେ ।

 

ବଡ଼ଭାଇ ଯଦୁନାଥ, ଡାକନାମ ଧୂଳ ଉଠି ଠିଆ ହେଲା । କହିଲା, ଏଥର ଉଠ୍‌ରେ, ବସି ରହିଲେ ଅଧିକା ହାଲିଆ ଲାଗିବ । ଯାଇ ହେବ ନାହିଁ । ଉଠ୍‌ ।

 

ସାନ ଉଠି ଠିଆ ହେଲା । ବଡ଼ର ପଛେ ପଛେ ବାଲିକୁ ଓହ୍ଲାଇଲା । ଚାରି, ଛ’ପାଦ ଗଲା ପରେ ସ୍ଵର୍ଗତୋକ୍ତି କଲା, ବାପ୍‌ରେ ବାପ୍‌; ବାଲି ନିଆଁପରି ତାତିଛି । ଗୋଡ଼ ଜଳି ଯାଉଛି । ଆଜି ଏ ଖରାଟା ଏତେ ଟାଣ ହୋଇଛି କାହିଁକି ? ଆଖି ନାକ ପୋଡ଼ି ଉଠୁଛି । ଗୋଡ଼ ଆଉ ଚଳୁ ନାହିଁ । ମୁଁ ନ ଯାଏଁ –

 

ବଡ଼ଟି ଆଗରେ ଯାଉଥିଲା । ସେ ମୁହଁ ବୁଲାଇ କହିଲା, ସତେ, ଖରା ବେଶି ଟାଣ ହେଲାପରି ଆଜି ଲାଗୁଛି । ଆମେ ଯଦି ଏକା ଦଉଡ଼ରେ ପାଣିକୂଳରେ ପହଞ୍ଚିବା, ସେ ଆମର କଣ କରିବ ? ଧା ।

 

ବହି ବସ୍ତାନି ଧରି ବଡ଼ଭାଇ ଧାଇଁବାକୁ ଲାଗିଲା । ସାନଭାଇଟି ଥଙ୍ଗ ଥଙ୍ଗ ହେଲା । ଆଗକୁ ଚାହିଁଲା । ବାଲି ଜଳୁଛି । ବାଁ ହାତି ବହୁଦୂରଯାଏ ମରୀଚିକା ଢେଉ ଭାଙ୍ଗୁଛି । ଆଖି ଝଲସୁଛି । ଆଖି ପୋଡ଼ୁଛି । ମୁଣ୍ଡ ଗରମ ହେଲାଣି । ପାଦ ତାତି ଉଠିଲାଣି ।

 

ଗତ ରାତିରେ ନାଲିଆ ବଗଡ଼ା ଭାତ, ଗାଁ ଦୋକାନରେ ଯାହା ଚାଉଳ ମିଳେ, ସେଥିରୁ ଦି’ ଚାରି ମୁଠା ଓ କୋଳଥ ଡାଲିରେ କସି ନାଉପଡ଼ି ଯେଉଁ ଡାଲମା ହୋଇଥିଲା, ସେଥିରୁ ଅଧତାଟିଆଏ ସେ ନାକଟେକି ଅସୁକେଇ ଅସୁକେଇ ଗିଳି ଦେଇଥିଲା ।

 

ପିଲା ଦିନରୁ ସେ ଟିକିଏ ସୁକୁମାରିଆ । ସୁତୁରା ନ ହେଲେ ନାକ ଟେକେ । ଖିନ୍‌ ଖିନ୍‌ ହୁଏ । ସାତ ବରଷରୁ ଅଧିକ କାଳ ସେ ମା କ୍ଷୀର ଶୋଷିଥିଲା । ଜନମ କାଳରୁ ତା’ ଉପର ଭାଇ ଦେଢ଼ବର୍ଷର ଅପତୁଣିଆ ପୁଅ ଧୂଳିଆକୁ ସେ ସେହି ଅମୃତ ଖିଆପାଇଁ ଡହଳ-ବିକଳ କରିଥିଲା । ସେଥିପାଇଁ ହେବ ପରା, ବଡ଼ଭାଇର ତୁଣ୍ଡ ଅମୃତିଆ ହୋଇଥିଲା । ଶିଝା-ଦରଶିଝା, ଲୁଣିଆ ଅଲଣା, ପିତା କଷା ସବୁ ତା’ ତୁଣ୍ଡରେ ଅମୃତ ପାଲଟେ । ସେ ମନ ଖୁସିରେ ସବୁ ଖାଇଦିଏ । କେବେ ହନ୍ତସନ୍ତ ହୁଏ ନାହିଁ । ଯାହା ମିଳିଲା ସେଥିରେ ଖୁସି । ସନ୍ତୁଷ୍ଟ ।

 

ସେଇଥି ସକାଶେ ବଡ଼ଭାଇଟି ଦୁଃଖ-କଷ୍ଟରେ ଭାଙ୍ଗିପଡ଼େ ନାହିଁ । ଦବିଯାଏ ନାହିଁ । ଅଦମ୍ୟ ସାହସରେ ମୁଣ୍ଡଟେକି ନିର୍ଭୟରେ ଆଗକୁ ଚାହେଁ । ସୁଖଆନନ୍ଦରେ ଫୁଲାପଣ ଦେଖାଏ ନାହିଁ । ନିଜର ବୁଦ୍ଧି, ଶକ୍ତି ଓ ଠାକୁର-ବିଶ୍ୱାସ ପାଇଁ ସବୁବେଳେ ଆଶାୟୀ ସେ ବଡ଼ଭାଇଟି ଧୂଳିଆ, ମନରେ ଉତ୍ସାହ ଭରେ । ନିଜେ କରି ପରକୁ କରାଏ । ନ ପାରିଲେ ନିଜେ କାନ୍ଧ ଲଗାଏ ।

 

ଖଣ୍ଡେଦୂର ସେ ଧାଇଁ ଗଲାଣି । ସାନଭାଇଟି ବିକଳ ହୋଇ ଚାହିଁଛି । ଭାବିଲା, ହେବ ନାହିଁ । ସେ ପାରିବ ନାହିଁ । ପ୍ରଥମ ପିରିଅଡ଼୍‌ରେ ନ ପହଞ୍ଚିଲେ ବା କ୍ଷତି କ’ଣ ? ପ୍ରଧାନ-ଶିକ୍ଷକ ନିମାଇଁବାବୁ (ଚୌ ପଟ୍ଟନାୟକ) ଶ୍ରେଣୀ-ଶିକ୍ଷକ ଅଶ୍ୱିନୀବାବୁଙ୍କୁ ମୌଖିକ ନିର୍ଦ୍ଦେଶ ଦେଇଛନ୍ତି, ପିଲା ଦିଓଟି ବହୁ ଦୂରରୁ ଆସୁଛନ୍ତି, ବିଳମ୍ବରେ ପହଞ୍ଚି ପାରନ୍ତି । ତାଙ୍କର ‘ଅନୁପସ୍ଥିତି’ ନ ପକାଇବା ଭଲ । ସେତକ କଲେ ସେମାନେ ଦବିଯିବେ । ପାଠ ଛାଡ଼ିଦେଇ ପାରନ୍ତି । କିଏ ଜାଣେ ?

 

ସେ ଥିଲେ କରୁଣାର ଉତ୍ସ, ଆଉ ଅଶ୍ଵିନୀକୁମାର, ସବୁବେଳେ ହସ ହସ, ମିଷ୍ଟଭାଷୀ, ସେ ଯେ ଦୟାର ଅବତାର । ଆଜି ନ ଗଲେ ବି ଚଳିବ ।

 

ସାନଭାଇଟି ବନ୍ଧ ପାଖକୁ, ରେଲ୍‌-ପୋଲର ଛାଇକୁ ଫେରି ଆସିଲା । ଗୋଡ଼ ଲମ୍ବାଇ ବସିଲା । ଆଖି ବୁଜି କପାଳ ଆଉଁସି ଦୀର୍ଘଶ୍ଵାସ ଛାଡ଼ିଲା । କେତେବେଳକେ ଆଖି ଖୋଲିଲା । ଦେଖିଲା, ତା’ର ଧୂଳଭାଇ ଓଲଟ ଧାଇଁଛି । ଫେରି ଆସୁଛି । ହେଇ ପାଖରେ ହେଲାଣି ।

 

ସେ ଖୁସି ହେଲା । ଏତେ ଦିନକେ ଧୂଳିଭାଇର ବାହାଦୂରୀବହପ ଭାଙ୍ଗିଲା । ପାନେ ପାଇଲା । ଫେରି ଆସୁଛି । ଠିକ୍‌ ହୋଇଛି । ବୋଉ ମନା କରୁଥିଲା । ଉପାସ-ଭୋକରେ ଆଜି ଯାଆନା, ଘରେ ପଢ । ଆଠ ବରଷର ସବା ସାନଭାଇ ଗୋପିଆ ଆନନ୍ଦରେ କହିଲା, ଭଲ ହେବ, ମତେ ଇଂରେଜୀ ପଢ଼େଇବ !

 

ବାପା ଘରଭିତରୁ ପଦାକୁ ବାହାରି କହିଲେ, କାହିଁକି ? ମଣିଷ-ଜୀବନରେ ସବୁଦିନ ସମାନ ରହେ ନାହିଁ । ଯେମିତି ଋତୁ, ମାସ, ଦିନ, ରାତି । ତା’ଭିତରରେ ପ୍ରତି ମୁହୂର୍ତ୍ତ ବଦଳୁ ଥାଏ । ସେମିତ ବଦଳେ ମଣିଷର ଜୀବନ । କ୍ଷଣକୁ କ୍ଷଣ । ମନରେ ଟାଣପଣ ଥିଲେ, ସାହସ ଓ ଧୈର୍ଯ୍ୟ ଥିଲେ କୌଣସି ସାମୟିକ ଅବସ୍ଥା ଅଟକାଇ ପାରିବ ନାହିଁ । ଥରେ ହଟିଲେ, ପଛରେ ପଡ଼ିବ । ସେଇଠୁ କ’ଣ ହେବ କିଏ ଜାଣେ ? ଖାଇଛ ତ କିଛି, ଅଟକ ନାହିଁ । ମନେ ଅଛିଟି, ଆମର ଧରିତ୍ରୀମାତା ସବୁବେଳେ ଆଗେଇ ଚାଲିଛି ।

 

ଅଦମ୍ୟ ଉତ୍ସାହରେ ଆମେ ଧାଇଁ ଆସିଲୁଁ । ନଦୀ-ବନ୍ଧ ଉପରେ ଠିଆ ହୋଇ ବାପା ପଛରୁ ଚାହିଁଛନ୍ତି, ଯେମିତି ସୂର୍ଯ୍ୟ ଦେବତା ଆମ ଧରିତ୍ରୀ ମାତାଙ୍କୁ ଅନାଇଁ ରହିଥାଏ; କେତେବେଳେ ତାଙ୍କ ଚାହାଣି, ଉତ୍ସାହ ଉଦ୍ଦୀପନାଭରା, ଶୀତଳ-କୋମଳ; କେତେବେଳେ କ୍ରୋଧ ଜରଜର ପ୍ରଖର, ପୁଣି ଶେଷକୁ ହତାଶାର କ୍ଷତରେ ରକ୍ତ ସରସର ଆବିଳ । ସରମ-ନମିତା ଧରିତ୍ରୀ-ମାତା ପରି ଆମେ ଦୁଇଭାଇ ଆଗେଇ ଆଗେଇ ଯେଉଁଠୁ ଆରମ୍ଭ ସେଇଠି ପହଞ୍ଚିବୁ । ଫଳ ଶୂନ୍ୟ କରି ତାଙ୍କୁ ପ୍ରଦକ୍ଷିଣ କରିବୁଁ । ବାପାଙ୍କର ନାମ ବି ସୂର୍ଯ୍ୟ । ତହିଁରେ ମଣିଟିଏ ଯୋଡ଼ା ହୋଇଥିଲା ।

 

ସାନଭାଇଟି ସବୁ କ୍ଳାନ୍ତି ପାସୋରି ନିଜ ଭିତରେ ନିଜେ କରୁଳି ଉଠୁଥିଲା । ସେ ଟିକିଏ ଭାବପ୍ରବଣ । କେବେ କେବେ ସେ କବିତା ଲେଖେ । ବିଦ୍ୟାଳୟର ତ୍ରୈମାସିକ ପତ୍ରିକାରେ ପ୍ରକାଶିତ ହୁଏ । ଥରେ ସେ ଗଳ୍ପଟିଏ ଲେଖି ଦେଇଥିଲା । ମନୋନୀତ ହେଲାନାହିଁ । ଛାପା ହେଲାନାହିଁ । ସେଇ ଲାଜରେ ଗୋଟାଏ ଜିଦିରେ, କେତେଗୁଡ଼ିଏ ଗଳ୍ପ ଲେଖି ସାରିଲାଣି । ଖଣ୍ଡିଏ ଉପନ୍ୟାସ ସେ ଲେଖୁଛି । ପଢ଼ି ସମସ୍ତଙ୍କୁ ଶୁଣାଉଛି । ନିଜେ ଖୁସି ହେଉଛି । ଭାବୁଛି ସେ ଗୋଟାଏ ଲେଖକ ହୋଇ ସାରିଲାଣି । ଭାବୁଛି, ଆଜି ଘରକୁ ବାହୁଡ଼ି ଗଲେ ସରି ନ ଥିବା ଉପନ୍ୟାସକୁ ଆଉ ଖଣ୍ଡେଦୂର ଆଗେଇ ନେବ ।

 

ବଡ଼ଭାଇ ପାଖକୁ ଆସିଲା । ଥକ୍‌କା ହୋଇ ଠିଆହେଲା । ଗୋଟିଏ ଦିଅଟି ନିଶ୍ୱାସ ମାରିଲା । ପଚାରିଲା, ଗଲୁନାହିଁ କାହିଁକି ? ମତେ ଅଧା-ବାଟରୁ ଫେରାଇଲୁ ।

 

ସାନଭାଇ ଉଠିଲା । ଅଳସ ଭାଙ୍ଗିଲା । କହିଲା ଭାରି ହାଲିଆ ଲାଗିଲା ଗୋଡ଼ ଚଙ୍କିଲା ନାହିଁ । ଭୋକରେ ପେଟ ଆଉଣ୍ଡି ହେଉଛି । ଖାଲି ଗର୍ଜୁଛି । ଶୋଷରେ ପାଟି ଅଠା ଅଠା ହେଲାଣି-। ମୁଣ୍ଡ ତ ଭ୍ରମିଲା, ଆଖିକୁ ଝାଲୁ ଝାଲୁ ଦଶିଲା ।

 

ବଡ଼ଭାଇ ପଚାରିଲା, ଏବେ କେମିତି ଲାଗୁଛି ?

 

ଟିକିଏ ଭଲ ଲାଗୁଛି । ତମେ ବି ଅଳ୍ପ ବସିଯାଅ । ଥକି ଯାଇଛ । ସାମାନ୍ୟ ଦମ୍‌ ନେଇ ଘରକୁ ଫେରିଯିବା । ଗୋପାଳପୁର ଗାଁରୁ କାହା ଘରୁ ପାଣି ମାଗି ପେଟେ ପେଟେ ପିଇ ଦେଲେ ଭୋକ ମରିଯିବ ।

 

–ହଇରେ ଓଲ୍ଲୁ ! ଏଠିକି କଟକ ପାଖ, ନା ନାଗବାଲି ପାଖ ? ନଈର ଧାର ନିକଟ, ନା ଗୋପାଳପୁର ଗାଆଁର ସେ ଗଉଡ଼ଘର ପତରସଢ଼ା କୂଅ ?

 

–ମୁଁ ଓଲ୍ଲୁ, ନା ତମେ ଓଲ୍ଲୁ ? ଗାଆଁକୁ ଯିବାକୁ କ’ଣ ତତଲା ବାଲି ପଡ଼ିବ ? ମଝିରେ ମଝିରେ ଆମ୍ବଗଛର ଛାଇତଳେ ଦମ୍‌ ନେଇ ହେବ । ଘରେ କିଛି ଖାଇବାକୁ ମିଳିପାରେ । କଟକରେ କିଏ ଦେବ ? ରାତି ଆଠଟାଯାଏ ପୁଣି ଉପାସ ରହିବାକୁ ପଡ଼ିବ ଯେ ! ଆଜି କ୍ଲାସ୍‌ରେ ଯାହା ପଢ଼ା ହୋଇଥିବ, କାଲି ବୁଝିନେବା । ଅନୁପସ୍ଥିତି ପଡ଼ିବ ନାହିଁ । ପ୍ରଧାନ-ଶିକ୍ଷକଙ୍କର ନିର୍ଦ୍ଦେଶ–

 

–ବୁଝିଲୁ ରେ, ସେହି ନିର୍ଦ୍ଦେଶଟା ଆମକୁ ନିର୍ଭରଶୀଳ କରିବାକୁ ମତାଉଛି । ଆମେ ତା’କୁ ଆଡ଼େଇ ଦେବା । ଆମେ ଆମର ଠିକ୍‌ ସମୟରେ ଯିବା, କର୍ତ୍ତବ୍ୟ କରିବା । ପରର ଦୟା କେବେ ଲୋଡ଼ିବା ନାହିଁ । ସେଥିରେ ଆଶା ରଖିଲେ ନିଜର ଶକ୍ତିରେ ଲଗାମ ଲାଗିବ । ନିଜ ଶିଙ୍ଗରେ ମାଟି ଖୋଳିବା ରେ କାହ୍ନୁ ! ଯେତିକି ହେଲା ସେତିକି । ଭଗବାନ୍‌ ଆମ ପାଇଁ ସେତିକି ଥୋଇଛନ୍ତି । କାହିଁକି, ଏ ପ୍ରଶ୍ନର ଜବାବ୍‌ କେବଳ ସେ ଦେଇ ପାରିବେ ।

 

–ଓଃ, ଭାରି ତ ଭଗବାନ ! ଭୋକରେ ପେଟ ଜଳୁଛି । ଖାଲି ଭଗବାନଙ୍କୁ ସୁମରି ଖଇଫୁଟା ତତଲା ବାଲିରେ ଧାଇଁଲେ ଅଧବାଟରେ ପ୍ରାଣ ଛାଡ଼ିଯିବ । ମୁଁ ଯିବି ନାହିଁ । ଏଇଠି ବସି ଦମ୍‌ ନେବି ।

 

ବଡ଼ଭାଇ ବୁଝାଇ କହିଲା, ଭଗବାନଙ୍କୁ ନିନ୍ଦିଲେ ସେ ଛୋଟ ହୋଇଯିବେ ନାହିଁ ରେ, ତାଙ୍କୁ ପ୍ରଶଂସା କଲେ ବି ସେ ଆହୁରି ବଡ଼ ହେବେ ନାହିଁ । କାହାକୁ ସେ ପାତର ଅନ୍ତର କରନ୍ତି ନାହିଁ । ସେ ତାଙ୍କର କର୍ତ୍ତବ୍ୟ କରି ଯାଆନ୍ତି । ଆମେ ସେଇଆ କରିବା । ବେଳୁବେଳ ଖରାର ତାପ ବଢ଼ିବ । ବାଲି ବେଶି ବେଶି ତାତିବ । ଅଧିକ କଷ୍ଟ ହେବ । ଡେରି କର ନା । ମୋ ପଛେ ପଛେ ଚାଲିଆ ।

 

–ଯିବି ନାହିଁ ।

 

–ନିଶ୍ଚୟ ଯିବୁ, ନୋହିଲେ ବାପାଙ୍କର ମନ ଊଣା ହେବ । ଏତେ ବାଟ ଆସି ଫେରିଯିବା ଉଚିତ ନୁହେଁ ।

 

–ମୁଁ ଯିବି ନାହିଁ କହୁଛି, କେବେ ଯିବି ନାହିଁ ।

 

ସାନଭାଇର ଆଣ୍ଡୁଆ ପଣରେ ରୁଷ୍ଟ ହୋଇ ବଡ଼ଭାଇ ହାତ ମୁଠା କରି ତା’ପାଖକୁ ଆଖି ପିଞ୍ଛିଡ଼ାକେ ଆଗେଇ ଗଲା । ହାତରେ ତାକୁ ନୁଆଇଁ ଆଣି ପିଠିରେ ବିଧାଏ ଥୋଇଲା । କହିଲା, ଖା ବଦମାସ୍‌ ! ତୋ’ ଭୋକ ଛାଡ଼ିଯିବ ।

 

ଏତିକି କହି ସେ ଦି’ଚାରି ଖେପା, ପଛେଇ ଆସିଲା । କ୍ରୋଧରେ ଆରକ ହାତମୁଠା କରି ଚିହିଙ୍କି ଗଲା । ପିଲାଟି ଦିନରୁ ସେମାନେ ବେଳେ ବେଳେ ବାଳୀସୁଗ୍ରୀବଙ୍କ ପରି ଲଢ଼ାଲଢ଼ି ଗଡ଼ାଗଡ଼ି ହେଉଥିଲେ । ବୟସ ବଢ଼ିବାରୁ ଧୀରେ ଧୀରେ କନ୍ଦଳ କମି ଆସିଥିଲା । ସାମୟିକ ବିଧା-ଚାପଡ଼ାରେ ସୀମିତ ରହୁଥିଲା । ଅସମୟରେ, ଅପନ୍ତରାରେ ସେଦିନ ସେହି କନ୍ଦଳର ଅଚାନକ ବିସ୍ଫୋରଣ ଘଟିଲା ।

 

ସାନର ବିଧା ବଡ଼ର ଦେହରେ ବାଜିଲା ନାହିଁ । ବଡ଼ ଓଲଟି ମୁଠାଏ ତତଲା ବାଲି ତା’ ଉପରକୁ ଫିଙ୍ଗିଲା । ଜିଭ ଦେଖାଇ ଖତେଇ ହେଲା । ଆହୁରି ମୁଠାଏ ବାଲି ଧରି ଆଗକୁ ଧାଇଁଲା ।

 

କ୍ରୋଧରେ ଅନ୍ଧହୋଇ ସାନ ମଧ୍ୟ ବାଲିମୁଠାଏ ଧରି ତା ପଛରେ ଗୋଡ଼ାଇଲା । ଦୁହିଁଙ୍କ ମଝିରେ ଦୂରତାର ବ୍ୟବଧାନ ଥାଏ ଆଠ ଦଶ ହାତ ।

 

ପାଣି ଧାର କୂଳରେ ବଡ଼ଭାଇ ଅଟକିଲା । ହାତର ବାଲି ମୁଠିକ ତଳେ ପକାଇ ସେ ମୁହଁ ବୁଲାଇ ଠିଆ ହେଲା । ସାନଭାଇକୁ ଚାହିଁ ସେ ହସିଲା ।

 

ସାନ ପାଖେଇ ଆସୁଣୁ ବାଲି ମୁଠିକ ବଡ଼ ଉପରକୁ ପକାଇଲା । କିନ୍ତୁ ସେ ଲକ୍ଷ୍ୟ–ଭ୍ରଷ୍ଟ ହେଲା । ବଡ଼ଟି ଦୁଇପାଦ କଡ଼େଇ ଯାଇଥିଲା । ବ୍ୟର୍ଥ ଲକ୍ଷ୍ୟର ଗ୍ଳାନିରେ ସାନଭାଇ ଆହୁରି କ୍ରୁଦ୍ଧ ହୋଇ ହାତମୁଠା କରି, ଉପରକୁ ଟେକି ନିକଟେଇ ଆସୁଣୁ ବିଚାରୁଥିଲା, ଆଜି ପୁଣି ଏଇ ନଈବାଲିର ନିକାଞ୍ଚନ ଥାନରେ, ପାଣି କୂଳରେ, ଉଦୁଉଦିଆ ବେଳଟାରେ, ଯାହା ହେବାର ପଛେ ହେଉଥାଉ, ‘ବାଳୀ-ସୁଗ୍ରୀବ’ ଲଢ଼େଇ ହେବ । ସେ ଦି’ପୁଞ୍ଜା ଥୋଇଲେ ସାନ ଅର୍ଘାତିଆ ପୁଞ୍ଜାଏ ତ ଶୁଝାଇବ ! ତା’ ହାତ ଖଲବଲ ହେଉଛି !

 

ତା’ ମନର ରାଗ ମନରେ ମିଳାଇଗଲା ।

 

ବଡ଼ଭାଇ ଆତ୍ମରକ୍ଷା କରିବାକୁ ପଳାଇଲା ନାହିଁ । ପିଠି ନୁଆଇଁ ପ୍ରଥମ ବିଧାର ଆଘାତଟି ବିନା ପ୍ରତିବାଦରେ ସହିଲା । ପ୍ରତିଶୋଧ ନେବାକୁ ସେ ଚେଷ୍ଟା କଲା ନାହିଁ । ଅଣ୍ଟା ସଳଖି ଠିଆ ହେଲା । ହସୁଥାଏ । ପଚାରିଲା, ଆହୁରି ମାରିବୁ ? ବୁଝି ପାରୁନୁ, ହଇରେ ଓଲ୍ଲୁ ! ମୋ ବିଧାର ଉଦ୍ଦେଶ୍ୟ ତ ସଫଳ ହୋଇଛି । ଏକ ନିଶ୍ଵାସରେ ଧାଇଁ ତୁ ନିର୍ବିଘ୍ନରେ ଖଇଫୁଟା ତତଲା ବାଲି ଅତିକ୍ରମ କରିଛୁ । ଦେଖ୍‌, ଆଗରେ କି ସୁନ୍ଦର ନିର୍ମଳ ପାଣି । ଧୀରେ ଧୀରେ ବହି ଯାଉଛି । ମୁହଁ ହାତ ଧୋଇ ମନଇଚ୍ଛା ପିଇନେ । ଥଣ୍ଡା ଦେହରେ ନୂଆ ଶକ୍ତି ପଶୁ । ତା’ପରେ ତୋ’ର ମନ ହେଲେ, ତୁ ଯେତେ ପାରୁ ମତେ କୋରିବୁ । ମୁଁ ପିଠି ଦେଖାଇ ଦେବି । ହେଲା ?

 

ସାନଭାଇର ହାତମୁଠା ହୁଗୁଳି ଯାଇଥିଲା । ଆପେ ଆପେ ତା’ର ଟେକିଲା ହାତ ପରାଜୟ ଓ ଅନୁଶୋଚନାର ଲାଜରେ ତଳକୁ ଖସି ପଡ଼ିଥିଲା । ଯେଉଁ ବିଧାଟି ସେ ତା’ର ବଡ଼ଭାଇକୁ ମାରିଥିଲା ତା’ ପଛରେ ଥିବା ଉଦ୍ଦେଶ୍ୟଟି କ’ଣ ? ସେ ବୁଝି ପାରିଥିଲା ଯେ ତା’ ଧୂଳଭାଇର ବିଧାଟି ସ୍ନେହ,ଉତ୍ସାହ,କର୍ତ୍ତବ୍ୟ ନିଷ୍ଠାର ଉପାଦାନରେ ଗଢ଼ା । ଆଉ, ତା’ର ଉଦ୍ଦେଶ୍ୟ-ହୀନ ବିଧାଟାର ଉପାଦାନ ହେଉଛି ଘୃଣା, କ୍ରୋଧ, ପଳାୟନପନ୍ଥୀ- ମନୋଭାବ ।

 

ତା’ର ଆଖି ଛଳ ଛଳ ହେଲା । ଦୁଇଧାର ଲୁହ ଝରି ଆସିଲା । ଦେଖି ନ ଦେଖିଲା ପରି ବଡ଼ଭାଇଟି ମୁହଁ ବୁଲାଇ, ତା’ ଆଡ଼କୁ ପଛ କରି ପାଣିରେ ପଶିଲା । ଗୋଟିଏ ହାତରେ ବସ୍ତାନି ଧରି ଆର ହାତରେ ଚଳଚଳ ପାଣି ମୁହଁକୁ ଛାଟିଲା ।

 

ତା’ ପଛେ ପଛେ ସାନଭାଇ ମଧ୍ୟ ପାଣି ଭିତରକୁ ପଶିଲା ।

 

ଦୁହେଁ ତୁନୀ ତାନି । ଆଗରେ ବଡ଼ଭାଇ; ପଛରେ ସାନ ଜଣକ; ପାଣି ଭିତରେ ଆଗେଇ ଯାଉଛନ୍ତି । ପାଣି ବଳାଗଣ୍ଠିଏ ହେଲା । ସୁଅ ନାହିଁ । ଥିର ପାଣି । ଆଉ ପାଞ୍ଚ ସାତ ହାତ ଗଲେ ପାଣି ସରିବ । ସେଇଠୁ, କୋଡ଼ିଏ ତିରିଶ ହାତ ଓଦାଳିଆ ବାଲି । ଧୀର-ଉଠାଣି ପରେ ନଈଖଣ୍ଡି । ତା’ଉପରେ ଓସାରିଆ ବନ୍ଧ ।

 

ସାନଭାଇଟି ବନ୍ଧ ସେପାଖ ଗଛ ଗହଳିର ସବୁଜିମାକୁ ଚାହିଁ ପାଦ ଘୋସାରି ଘୋସାରି ଚାଲିଛି । ଭାବୁଛି, ସେଇ କଥା ତ ହେଲା, ଅନର୍ଥକ ଅଡ଼ି ବସି, କେଡ଼େ ନିର୍ବୋଧ ସେ, ବୃଥାଟାରେ ଉତ୍ତେଜନା ସୃଷ୍ଟି କରି ସେ ନିଜେ ଅଧିକ ବିଳମ୍ବର କାରଣ ହେଲା ।

 

ହଠାତ୍‌ ବଡଭାଇ ଅଟକି ଠିଆ ହେଲା । ହାତ ଟେକି ପାଟି କରି ଉଠିଲା, ରହ ।

 

ଅନ୍ୟମନା ସାନଭାଇଟା ଚମକି ଉଠି ଠିଆ ହେଲା । ପଚାରିଲା, କ’ଣ ଭାଇ !

 

ବଡ଼ଭାଇ ମୁହଁ ବୁଲାଇ ମୁଣ୍ଡ ଟୁଙ୍ଗାରି କହିଲା, ମ୍ୟାଜିକ୍‌ ।

 

–ମ୍ୟାଜିକ୍‌ ! ମାନେ ?

 

–ମୋ କଡ଼କୁ ଆ, ଦେଖିବୁ । ସାବଧାନ, ଗୋଡ଼ ଟେକି ପାଦ ପକାଇ ଆ ।

 

–କ’ଣ ଦେଖିବି ? କହି, ସାନଭାଇ ନିର୍ଦ୍ଦେଶ ମାନି ବଡ଼ଭାଇର କଡ଼ରେ ଠିଆ ହେଲା ।

 

–ଠାକୁରଙ୍କର କରୁଣା ଉପରେ ତୋ’ର ଆସ୍ଥା ନାହିଁ ବୋଲି ତୁ ତାଙ୍କର ମହିମାକୁ ପରିହାସ କରୁଥିଲୁ ପରା ? ଆରେ, ମଣିଷର ନିର୍ବୋଧତାକୁ ସେ ଛଳ କରନ୍ତି ନାହିଁ । ଯାହାର ଯେତେବେଳେ ଯାହା ଲୋଡ଼ା ସେ ଯାଚି ଦିଅନ୍ତି । ଯିଏ ଯେବେ ଯାହା କରିବ ସେତକ ସେ କରାଇ ନିଅନ୍ତି ।

 

–କାହିଁକି ଏ ସବୁ ପାଣି ଭିତରେ ଠିଆହୋଇ ବକୁଛ, ଆହୁରି ଡେରି କରୁଛ ? ଠାକୁରେ ତାଙ୍କର ଯାହା ଇଚ୍ଛା କରୁଥାନ୍ତୁ, ଆମେ ଆମର ସ୍କୁଲକୁ ଯିବା ।

 

–ଯିବା, ନିଶ୍ଚୟ ଯିବା । ତୋ ସଂକଳ୍ପ ଦୋହଲୁ ଥିଲା । ତାକୁ ସେ ସ୍ଥିର କରିଦେଲେ । ତୋତେ ତୋ’ରି ଦୁଇଗୋଡ଼ରେ ତାତିଲା ବାଲି ପାର କରାଇଲେ । ତୋତେ ଭୋକ କରୁଛି । ସେଥିପାଇଁ ତୁ ଅଡ଼ି ବସିଥିଲୁ । ତୋ’ର ଭୋକ ଦୂର କରିବାକୁ ଠାକୁରେ ଆଗରୁ ବ୍ୟବସ୍ଥା କରି ସାରିଲେଣି, ଜାଣିଛୁ ?

 

–କେମିତି ?

 

–ଖାନ୍‌ନଗରର ଗୋବିନ୍ଦ ସାହୁଙ୍କ ସ୍ତ୍ରୀ ଅତି ଯତ୍ନରେ, ସାହୁଙ୍କ ସାହାଯ୍ୟରେ ପ୍ରଚୁର ଚକୁଳି ପିଠା, ତରକାରୀ, ବୁନ୍ଦିଆ ତୋ’ ପାଇଁ, ଆଉ ତୋ’ ପରିକା କେତେ ଭୋଖିଲା ବାଟୋଇଙ୍କ ପାଇଁ ତିଆରି କରି ରଖିଛନ୍ତି । ଅଧା ଥାଳି ପରି ଚକୁଳି । ପଇସାକୁ ଗୋଟାଏ । ତରକାରୀ ର ମାହାଳିଆ । ପଇସାକର ବୁନ୍ଦିଆରେ ତୋ’ର ଆଞ୍ଜୁଳା ପୂରିବ । କେଇଟା ଚକୁଳି ତୁ ଖାଇ ପାରିବୁ-? ଖୁବ୍‌ ହେଲେ ତିନିଟା ।

 

ସାନଭାଇର ବ୍ରହ୍ମ ଜଳିଲା । ଭାବିଲା, ତାଙ୍କର ପିଠିରେ । ଅର୍ଘାତିଆ ଗୋଟାଏ ଥୋଇବ-। ବେକମୁଣ୍ଡାରେ ମାରିବ ଗୋଟାଏ ଧକ୍‌କା । ସେ ପାଣି ଭିତରେ ମୁହଁମାଡ଼ି ପଡ଼ିବେ । ଆଲ୍ଲା ଆଲ୍ଲା ବୋବାଳି ଛାଡ଼ିବେ ଆଉ ମୁହଁମାଡ଼ି ଡୁବନ୍‌ ଖାଇ ଯୀଶୁଙ୍କୁ ଦେଖୁଥିବେ । ସେଇଠୁ ଠାକୁରଙ୍କ ମହିମା ବୁଝିବେ । ଗୋବିନ୍ଦ ସାହୁ ଆମ ବାପାଙ୍କ ବେଠିଆ ନୁହନ୍ତି, ଅବା ତାଙ୍କ ଘରଣୀ ଆମର ମାଇଁ ନୁହଁନ୍ତି ଯେ, ଆଗ ପଇସା ନ ଧରି, ପାଦପୂଜା କରି ବସାଇବେ । ଆଉ ନିଜ ପିଲାଛୁଆଙ୍କୁ ଉପାସ ରଖି ଭଣଜାମାନଙ୍କୁ ବାପଲୋ, ଧନଲୋ କହି ଭୁଞ୍ଜାଇବେ । ମୁଣ୍ଡକୁ ପିତ୍ତ ଉଠି ଆସୁଥିଲା ତ, ହଠାତ୍‌ ଦୃଷ୍ଟି ପଡ଼ିଲା ତାଙ୍କ ହାତରେ ବସ୍ତାନି ଉପରେ । ଆହା, ବହିତକ ଓଦା ହୋଇଯିବ ! ପିତ୍ତ ତଳକୁ ଖସିଲା ।

 

ବଡ଼ଭଇ ମୁଣ୍ଡ ବଙ୍କାଇ ସାନଭାଇକୁ କଣେଇ ଚାହିଁ ଦେଖିଲା, ସେ ତାର ତଳ ଓଠକୁ କାମୁଡ଼ୁଛି । ତା’ର ନାକପୁଡ଼ା ପଡ଼ୁଛି ଉଠୁଛି । ସେ ରାଗିଲେ ତା’ର ସେମିତି ହୁଏ । କହିଲା, ରାଗିଲୁ କିରେ ? ଭାବୁଛୁ, ସେଥର ସ୍କୁଲ ଲେଉଟାଣି, ଏଇ ଖାନନ୍‌ନଗର ଗାଁରେ ଗୋବିନ୍ଦ ସାହୁଙ୍କ ପାଖରେ ପରଠାରୁ ମାଗି ଆଣିଥିବା ଇଂରେଜୀ ଭୂଗୋଳ ବହି ଥୋଇ ଯେମିତି ଆମେ ଦି’ ଅଣାର ଜଳଖିଆ ଖାଇ ଗାଁକୁ ଯାଇଥିଲୁ, ଆଜି ସେମିତି ଆଉ ଜଣଙ୍କଠାରୁ ମାଗିଆଣି ଥିବା ଇତିହାସ ବହିଟି ବନ୍ଧାଦେଇ ଜଳଖିଆ ଖାଇବା ? ନାଇଁ ରେ....

 

–ତେବେ ?

 

–ଠାକୁରେ ଯାହାକୁ ଦିଅନ୍ତି, ଏମିତି ଦିଅନ୍ତି । - ହେଇ ଦେଖ୍‌.... ।

 

ବଡ଼ଭାଇ ହାତ ଲମ୍ବାଇ ଆଙ୍ଗୁଠି ଦେଖାଇ ସାମାନ୍ୟ ନଇଁ ପଡ଼ିଲା । ତା’ ଆଗରେ, ନିର୍ମଳ ପାଣି ଭିତରେ, ବାଲି ଉପରେ ଧଳା ହୋଇ ଚିକ୍‌ ଚିକ୍‌ କରୁଥିବା ଗୋଟିଏ ଛୋଟ ପଦାର୍ଥକୁ ଦେଖାଇ ଦେଲା । ଦୃଢ଼ କଣ୍ଠରେ କହିଲେ, ଉଠା ।

 

ସାନଭାଇ ହାତ ବୁଡ଼ାଇ ପଦାର୍ଥଟିକୁ ଉଠାଇଲା । ପାପୁଲିରେ ରଖି ବିସ୍ମିତ ହୋଇ ଚାହିଁଲା -ନୂଆ ପ୍ରଚଳିତ ହୋଇଥିବା ସେ କାଳର ଚାରିକଣିଆଁ ଦୋ’ଅଣିଟିଏ । ଉପରକୁ ତା’ର ମୁହଁ-। ସମ୍ରାଟ ପଞ୍ଚମ ଜର୍ଜଙ୍କର ମୁକୁଟ ପିନ୍ଧା ମୁଣ୍ଡଟି ଟାଣ ଖରାରେ ଝଲସି ଉଠୁଛି ।

 

ସେ ଆଗକୁ ଚାହିଁଲା । ଦେଖିଲା, ତା’ର ବଡ଼ଭାଇ ଧୂଳଭାଇ, ସର୍ବଶକ୍ତିମାନ୍‌ ପରମେଶ୍ୱରଙ୍କ ଉପରେ ଯାହାର ଦ୍ୱିଧାହୀନ ଅଟଳ ବିଶ୍ଵାସ ଓ ଦ୍ୱନ୍ଦ୍ୱହୀନ ଅଚଳାଭକ୍ତି, ପାଣିଧାର ପାର ହୋଇ ବାଲି ଉପରକୁ ତାର ବଳିଷ୍ଠ ବିଶ୍ୱସ୍ତ ପାଦ ବଢ଼ାଉଛି । ପଛକୁ ଫେରି ଚାହୁଁ ନାହିଁ । ତା’ର ସଙ୍କଳ୍ପ-ବଦ୍ଧ ବ୍ୟକ୍ତିତ୍ୱର ଶକ୍ତିଶାଳୀ ଚେତାବନୀର ଅଦୃଶ୍ୟ ରଜ୍ଜୁ, ସାନଭାଇଟିର ହଲହଲିଆ ଦୋହଲା ମନରେ ଗୁଡ଼େଇ ତୁଡ଼େଇ ଭିଡ଼ିମୋଡ଼ି ହେଉଥିବା କେତେ ପ୍ରଶ୍ନର ଫଣା ନୁଆଇଁ ଆଗକୁ ଟାଣୁଛି, ଆଗକୁ... ।

 

ଗଣେଶ ଚତୁର୍ଥୀ

ତା ୧୯ । ୯ । ୭୪

Image